Indus Valley Times

ଜେଲ୍ ବାହାରୁ ଜାମିନରେ ଆସିଥିବା ଆସାମୀକୁ ଉଠାଇ ନେଲେ

 Breaking News

ଜେଲ୍ ବାହାରୁ ଜାମିନରେ ଆସିଥିବା ଆସାମୀକୁ ଉଠାଇ ନେଲେ

October 30
09:46 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩୦/୧୦ : ନୟାଗଡ଼ ଜେଲରେ ଦିନକୁ ଦିନ ବଢ଼ି ଚାଲିଥିବା ଗ୍ୟାଙ୍ଗୱାରକୁ ଦମନ କରିବା ପାଇଁ ଏବେ ଉଭୟ ଜେଲ୍ କର୍ତ୍ତୃପକ୍ଷ ଓ ସଦର ଥାନା ପୁଲିସ ଯୋଜନା କରିଛନ୍ତି।
ଦୁଇ ଦିନ ତଳେ ଜେଲ୍ ଭିତରେ ଘଟିଥିବା ବିଶୃଙ୍ଖଳା ପାଇଁ ଦାୟୀ ରହିଥିବା ୩୫ ଜଣଙ୍କ ମଧ୍ୟରୁ ଆଜି ୭ ଜଣଙ୍କୁ ରଣପୁର ଓ ଦଶପଲ୍ଲା ସବ୍-ଜେଲକୁ ସ୍ଥାନାନ୍ତର କରାଯାଇଛି।
କେବଳ ସେତିକି ନୁହେଁ ଜାମିନ ପାଇଁ ଜେଲରୁ ଘରକୁ ଯିବା ପାଇଁ ବାହାରିଥିବା ଜଣେ ଆସାମୀ ଜଗନ୍ନାଥ ସେନାପତିକୁ ପୁଣି ଥରେ ସଦର ଥାନା ପୁଲିସ ଉଠାଇ ନେଇ ଗିରଫ କରିଛି।
ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଜଗନ୍ନାଥର ଜାମିନ ହୋଇ ଯାଇଥିଲେ ମଧ୍ୟ ଜେଲ୍ ଭିତରେ ହୋଇଥିବା ଗଣ୍ଡଗୋଳରେ ତା’ର ସମ୍ପୃକ୍ତି ରହିଥିଲା।
ପୁଲିସ ଯେଉଁ ୩୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି, ସେମାନଙ୍କ ମଧ୍ୟରେ ଜଗନ୍ନାଥର ନାଁ ମଧ୍ୟ ରହିଛି।
ମିଳିଥିବା ସୂଚନା ମୁତାବକ, ଦଶପଲ୍ଲା ସବ୍-ଜେଲକୁ ଶ୍ରୀଧର ଘଡ଼େଇ, ବିଷ୍ଣୁ ପ୍ରସାଦ ସାହୁ, ଗୌତମ ପ୍ରଧାନ, ‌ଶେଷନ ନାୟକକୁ ସ୍ଥାନାନ୍ତର କରାଯାଇଛି।
ସେହିପରି ପ୍ରଭାତ ସ୍ବାଇଁ, ଚନ୍ଦନ କୁମାର ପ୍ରଧାନ ଓ କେ.ଭିକି ରାଓକୁ ରଣପୁର ସବ୍-ଜେଲକୁ ସ୍ଥାନାନ୍ତର କରାଯାଇଛି।
୩୫ ଜଣଙ୍କ ମଧ୍ୟରୁ ପ୍ରଥମ ଦଫାରେ ଏହି ସାତ ଜଣଙ୍କୁ ପ‌ରେ ସମସ୍ତଙ୍କୁ ଭିନ୍ନ ଭିନ୍ନ ଜେଲକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି।
ଏହି ୩୫ଜଣ ରୀତିମତ ଭାବେ ଜେଲରେ ବିଶୃଙ୍ଖଳା କରୁଥିବା ବେଳେ କଥା କଥାରେ ସମସ୍ତଙ୍କୁ ନାଲି ଆଖି ଦେଖାନ୍ତି। ନିଜର ଦବଦବା ଜାହିର କରିବା ପାଇଁ କଥା କଥାରେ ‘ମାରି ‌ଏହି ଜେଲ୍ ଭିତରେ ଟାଙ୍ଗି ଦେବୁ’ ବୋଲି ଜେଲ୍ କର୍ମଚାରୀ ଓ ଅନ୍ୟ କଏଦୀମାନଙ୍କୁ ସେମାନେ ବାରମ୍ବାର କୁହନ୍ତି।
ଜେଲ୍ ଭିତରକୁ ବାହାର ଖାଦ୍ୟ, ନିଶା ସାମଗ୍ରୀ, ଟେଲିଫୋନରେ ଅଧିକ ସମୟ ଗପିବା ସହ ସମସ୍ତ ବେଆଇନ କାର୍ଯ୍ୟ କରିବା ପାଇଁ ଏହି କଏଦୀମାନେ ଜେଲ୍ କର୍ତ୍ତୃପକ୍ଷଙ୍କ ଉପ‌ରେ ବାରମ୍ବାର ଚାପ ପକାନ୍ତି।
ଯେଉଁ ୱାର୍ଡର କି ଜେଲର ସେମାନଙ୍କୁ ବିରୋଧ କରନ୍ତି, ସେମାନଙ୍କୁ ଏହି କଏଦୀମାନେ ବିଭିନ୍ନ ପ୍ରକାରର ଧମକ ଚମକ ଦିଅନ୍ତି। ଗତ ରବିବାର ଜଣେ ୱାର୍ଡରଙ୍କ ବେକକୁ ଚିପି ମାରି ଦେବା ପାଇଁ ବିଷ୍ଣୁ ପ୍ରସାଦ ଉଦ୍ୟମ କରିଥିବା ନେଇ ଜେଲ୍ ସୁପରିଟେଣ୍ଡେଣ୍ଟ ସଦର ଥାନାରେ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଥିଲେ।
କେବଳ ସେତିକି ନୁହେଁ ବିଷ୍ଣୁ ଜେଲ୍ ଭିତରେ ନିଜର ଏକ ଗ୍ୟାଙ୍ଗ୍ ଗଢ଼ି ଥିବା ବେଳେ ଆଉ ଜଣେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀକୁ ବିରୋଧ କରୁଥିଲା।
ଫଳରେ ଜେଲ୍ ଭିତରେ ଏହି ଦୁଇ ଗ୍ୟାଙ୍ଗ୍ ମଧ୍ୟରେ ସର୍ବଦା ପାଟିତୁଣ୍ଡ ହୁଏ। ମାତ୍ର ଗତ ରବିବାର ସକାଳେ ଏହା ଗ୍ୟାଙ୍ଗୱାର ରୂପ ନେଇଥିଲା।
ଏ ସମସ୍ତ ଘଟଣାର ମାଷ୍ଟରମାଇଣ୍ଡ୍ କୁହାଯାଉଥିବା କୁଖ୍ୟାତ ବିଷ୍ଣୁକୁ ଦଶପଲ୍ଲା ଜେଲକୁ ସ୍ଥାନାନ୍ତର କରାଯାଇଛି।
ସେଠାରେ ମଧ୍ୟ ତା’ ଉପରେ ଜେଲ୍ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଭାବେ ନଜର ରଖିଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930