Indus Valley Times

ଠୁଳ କରିଥିଲେ ଆୟଠୁ ଅଧିକ ସମ୍ପତ୍ତି, ଗିରଫ ହେଲେ କୋଟିପତି ସରକାରୀ ବାବୁ ଶାନ୍ତନୁ ମହାପାତ୍ର

 Breaking News

ଠୁଳ କରିଥିଲେ ଆୟଠୁ ଅଧିକ ସମ୍ପତ୍ତି, ଗିରଫ ହେଲେ କୋଟିପତି ସରକାରୀ ବାବୁ ଶାନ୍ତନୁ ମହାପାତ୍ର

February 07
13:56 2025

ଭୁବନେଶ୍ୱର, ୭/୨: ଗରିବ ଖଟିଖିଆଙ୍କ ଦରମା ପାଇଁ ଆସୁଥିବା ଟଙ୍କାକୁ ମିଳିମିଶି ଆତ୍ମସାତ କରିବା ସରକାରୀ ବାବୁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କୁବେର ସରକାରୀ ଅଧିକାରୀ ମାଲକାନଗିରି ଜଳଛାୟା ଉପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।
ଅନ୍ୟମାନେ ହେଲେ ୩ ସରକାରୀ କର୍ମଚାରୀ ମାଲକାନଗିରି କୃଷି ବିଭାଗ ଇଞ୍ଜିନିୟର ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର୍ ବିଶ୍ୱଜିତ୍ ମଣ୍ଡଳ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଅମିୟକାନ୍ତ ସାହୁ ଏବଂ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦର ଜନସେବା କେନ୍ଦ୍ର ପରିଚାଳକ ଅଲେଖ ଚନ୍ଦ୍ର ପ୍ରଧାନ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଜଶୱନ୍ତ ଜେଠୱା ।
ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ସୂଚନା ମୁତାବକ, ଗତ ଦୁଇ ଦିନ ଭିଜିଲାନ୍ସ ଟିମ୍ ଶାନ୍ତନୁ ମହାପାତ୍ର ଓ ତାଙ୍କ ସହଯୋଗୀଙ୍କ ବାସଭବନରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଶାନ୍ତନୁ ମହାପାତ୍ରଙ୍କଠାରୁ ୨ କୋଟି ଟଙ୍କା ନଗଦ ଟଙ୍କା ଠାବ କରାଯାଇଥିଲା ।
ଏହା ସହିତ ୧ଟି ତିନି ମହଲା କୋଠା ଓ ୪ଟି ଦାମୀ ପ୍ଲଟ୍ ସେହିପରି ତାଙ୍କ ସହଯୋଗୀମାନଙ୍କ ଘରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା ।
ସେହିପରି ଶ୍ରମିକମାନଙ୍କର ୩୫ଟି ବ୍ୟାଙ୍କ୍ ପାସବୁକ ମିଳିଥିଲା । ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ନ ଦେଇ ପାରିବା ଏବଂ ସମସ୍ତ ତଥ୍ୟ ପ୍ରମାଣ ମିଳିବା ପରେ ୫ ଜଣଙ୍କୁ ଗିରଫ କରାଯାଇଛି ।
୨୦୧୯ରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ କାର୍ଯ୍ୟକରୁ ଥିବାବେଳେ ଶାନ୍ତନୁ ମହାପାତ୍ର ଏବଂ ଅନ୍ୟମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା । କାମ ହୋଇଥିବା ଦର୍ଶାଇ ଏବଂ ଶ୍ରମିକ ଆକାଉଣ୍ଟରେ ପେମେଣ୍ଟ କରାଯାଇଥିବା ଦର୍ଶାଇ ସରକାରୀ ପାଣ୍ଠିକୁ ହଡ଼ପ କରୁଥିଲେ ।
ସେହିପରି ଗଞ୍ଜାମର ଜଗନ୍ନାଥ ପ୍ରସାଦରେ ଜନସେବା କେନ୍ଦ୍ର ପରିଚାଳନା କରୁଥିବା ଅଲେଖ ଚନ୍ଦ୍ର ପ୍ରଧାନ ଲାଞ୍ଚ ସଂଗ୍ରହରେ ମହାପାତ୍ରଙ୍କୁ ସହଯୋଗ କରୁଥିଲେ ।
ସେ ଉପ ନିର୍ଦ୍ଦେଶକଙ୍କ ପକ୍ଷରୁ ଠିକାଦାର ଏବଂ ଅନ୍ୟମାନଙ୍କଠାରୁ ଅନଲାଇନରେ ଲାଞ୍ଚ ସଂଗ୍ରହ କରୁଥିଲେ ଏବଂ ପରେ ଏହାକୁ ଉପ ନିର୍ଦ୍ଦେଶକଙ୍କୁ ଦେଉଥିଲେ । ଅଲେଖ ପ୍ରଧାନ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ୧ କୋଟି ଟଙ୍କାରୁ ଅଧିକ ଟଙ୍କା ପଠାଇଥିବାର ପ୍ରମାଣ ଭିଜିଲାନ୍ସ ହାତରେ ଲାଗିଥିବା ନେଇ ନିର୍ଦ୍ଦେଶକ ଜେଠୱା କହିଛନ୍ତି ।
୩୦ ବର୍ଷ ଧରି ଚାକିରି କଲେଣି ଶାନ୍ତନୁ ମହାପାତ୍ର
ସାନ୍ତନୁ କୁମାର ମହାପାତ୍ର କୃଷି ଅର୍ଥନୀତିରେ ଏମ୍.ଏସ୍.ସି କରିବା ପରେ, ୧୯୯୫ ଡିସେମ୍ବର ୧୯ରେ କନିଷ୍ଠ ମୃତ୍ତିକା ସଂରକ୍ଷଣ ଅଧିକାରୀ ଭାବରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ ଏବଂ ଖୋର୍ଦ୍ଧାର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିଲେ ଏବଂ ଏଠାରେ ୨୦୦୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।
ଡିସେମ୍ବର, ୨୦୦୦ ରୁ ଡିସେମ୍ବର ୨୦୦୯ ପର୍ଯ୍ୟନ୍ତ, ସେ ଡେପୁଟେସନରେ ମାଲକାନଗିରିର ମାଥିଲିରେ ସହକାରୀ ବିହନ ଉତ୍ପାଦନ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ । ୨୦୦୯ରେ, ତାଙ୍କୁ କୋରାପୁଟ ଜିଲ୍ଲା ଜୟପୁରର ବିହନ ଉତ୍ପାଦନ ଅଧିକାରୀଙ୍କ ଅଧୀନରେ ସହକାରୀ ବିହନ ଉତ୍ପାଦନ ଅଧିକାରୀ ଭାବରେ ବଦଳି କରାଯାଇଥିଲା ଏବଂ ୨୦୧୬ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ ।
ଜୁଲାଇ ୨୦୧୬ରେ, ତାଙ୍କୁ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ପଦବୀକୁ ପଦୋନ୍ନତି ଦିଆଯାଇଥିଲା ଏବଂ ବ୍ରହ୍ମପୁରରେ ଗଞ୍ଜାମର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଧୀନରେ ନିଯୁକ୍ତି ପାଇଥିଲେ । ଜୁନ୍ ୨୦୨୦ରେ, ତାଙ୍କୁ ସହକାରୀ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ଦିଆଯାଇଥିଲା ଏବଂ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପିଡି ଜଳଛାୟା ଭାବରେ ଦାୟିତ୍ୱ ମିଳିଥିଲା । ତା\’ପରେ ଅଗଷ୍ଟ ୨୦୨୧ରେ, ମାଲକାନଗିରି ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକ ସହ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟକରି ଆସୁଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930