Indus Valley Times

ଦଶପଲ୍ଲାରେ ଅଭାବନୀୟ ଘଟଣା: ଦିବ୍ୟାଙ୍ଗଙ୍କୁ ପିଟିପିଟି ମାରିଦେଲେ ସାବତ ମା

 Breaking News

ଦଶପଲ୍ଲାରେ ଅଭାବନୀୟ ଘଟଣା: ଦିବ୍ୟାଙ୍ଗଙ୍କୁ ପିଟିପିଟି ମାରିଦେଲେ ସାବତ ମା

February 19
12:50 2023

ନୟାଗଡ଼,୧୯/୨: କଳଙ୍କ ମୁଣ୍ଡାଇଲେ ଆଉ ଜଣେ ସାବତ ମାଆ। ଯିଏ ସମ୍ପତ୍ତି ଲୋଭରେ କୁଆଡେ ଜଣେ ୩୫ ବର୍ଷୀୟ ଦିବ୍ୟଙ୍ଗ ପୁଅକୁ ପିଟିପିଟି ମାରିଦେଇଛି! ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲାରୁ। ତେବେ ଗାଁ ଲୋକଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାବତ ମାଆ।
ପୂରା ଘଟଣା ଏମିତି। ଦଶପଲ୍ଲା ଥାନା ସିମିଳିସାହି ଗାଁର ଅଲେଖ ପ୍ରଧାନ। ସେ ପ୍ରଥମେ ସୁବର୍ଣ୍ଣ ପ୍ରଧାନଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଉଭୟଙ୍କ ଔରଷରୁ ବିପିନ ଓ ବିଜୟ ଦୁଇ ପୁଅ ଜନ୍ମ ହୋଇଥିଲେ। ଦଇବକୁ ଦୁଇ ପୁଅ ଦିବ୍ୟାଙ୍ଗ। କିନ୍ତୁ ସେଥିରେ ଭାଙ୍ଗି ପଡ଼ିନଥିଲେ ସୁବର୍ଣ୍ଣ। ସ୍ୱାମୀଙ୍କ ସହିତ କାମଦାମ କରି ଚଳି ଯାଉଥିଲେ। ବେଶ ହସଖୁସିରେ ଚାଲୁଥିଲା ପୂରା ପରିବାର। ହେଲେ ସେହି ପରିବାର ଉପରେ କାହାର ନଗର ପଡ଼ିଲା। ଅସୁସ୍ଥ ହୋଇପଡ଼ିଲେ ସୁବର୍ଣ୍ଣ। ଆଉ ତା’ପରେ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଗଲେ।
ମାଆଙ୍କ ମୃତ୍ୟୁ ବେଳକୁ ବିପିନ ଓ ପିଜୟଙ୍କ ବୟସ ୮ରୁ ୯ ବର୍ଷ ହୋଇଥିଲା। ଦୁଇ ଦିବ୍ୟାଙ୍ଗ ପୁଅଙ୍କୁ ମଣିଷ ପରି ମଣିଷ ଭାବେ ଗଢ଼ିବା ପାଇଁ ଦ୍ୱିତୀୟ ବିବାହ କରିବାକୁ ନିଷ୍ପତ୍ତି ନେଲେ ଅଲେଖ। ସେ ପଥରପୁଞ୍ଜା ଗାଁ ଗୀତାଙ୍କୁ ବିବାହ କରିଥିଲେ। ହେଲେ ଦୁର୍ଭାଗ୍ୟକୁ ଫଳ ଓଲଟା ହେଲା।
ଘରେ ପାଦ ଦେବା ପରେ ବିପିନ ଓ ବିଜୟଙ୍କୁ ନାନା ନିର‌୍ୟାତନା ଦେଲେ। ପେଟ ଚାଖଣ୍ଡକ ପାଇଁ କଅଁଳ ବୟସରେ ସବୁ ଦୁଃଖ ଓ ଯନ୍ତ୍ରଣାକୁ ସହି ଯାଉଥିଲେ ଦୁଇ ଭାଇ। ତେବେ ଗୀତା ମାଆ ହେବା ପରେ ନିର‌୍ୟାତନା ଆହୁରି ବଢ଼ି ଯାଇଥିଲା। ନିଜ ଗର୍ଭରୁ ଜନ୍ମିତ ଦୁଇ ପିଲାଙ୍କ ପାଇଁ ଦୁଇ ସାବତ ଦିବ୍ୟାଙ୍ଗ ପୁଅଙ୍କୁ ଖାଇବାକୁ ଦେଲେ ନାହିଁ। ଏ ସବୁ ଦେଖୁଥିଲେ ମଧ୍ୟ ଅନ୍ଧ, ମୁକ ଓ ବଧିରଙ୍କ ପରି ଚୁପ୍ ରହୁଥିଲେ ଅଲେଖ! ପ୍ରତିବାଦ କରୁନଥିବା ଅଭିଯୋଗ ହୋଇଛି।
ଗାଁ ଲୋକଙ୍କ କହିବା ଅନୁସାରେ ସାବତ ମାଆର ନିର‌୍ୟାତନା ସହ୍ୟ ନକରି ବିପିନ୍ ଆତ୍ମହତ୍ୟା କରିଥିଲେ। ଏଥିପାଇଁ ଗୀତା ଓ ଅଲେଖ ବହୁ ସମାଲୋଚିତ ହୋଇଥିଲେ। ଏହା ପରେ ମଧ୍ୟ ସେମାନଙ୍କ ସଦ୍ବୁଦ୍ଧି ଉଦୟ ହୋଇନଥିଲା। ବଡ଼ଭାଇ ବିପିନଙ୍କ ମୃତ୍ୟୁ ପରେ ବିଜୟଙ୍କ ଉପରେ ହେଉଥିବା ନିର‌୍ୟାତନା କମୁନଥିଲା। ବରଂ ବଢ଼ି ଚାଲିଥିଲା। କଥା କଥାରେ ତାଙ୍କୁ ମାଡ଼ ହେଉଥିବା ଅଭିଯୋଗ ହୋଇଛି।
ତଥାପି ଭାଗ୍ୟକୁ ଆଦରି ସେଠାରେ ପଡ଼ି ରହିଥିଲେ ବିଜୟ। ଏହାରି ଭିତରେ ବିଜୟ ଯୌବନରେ ପାଦ ଥାପିଥିଲା। ୩୫ ବର୍ଷ ହେଲା।
ତେଣୁ ବାହା ହେବାକୁ ବାପା ଓ ସାବତ ମାଆଙ୍କୁ କହିଥିଲେ। କିନ୍ତୁ ସାବତ ମାଆ ରୋକ୍ଠୋକ୍ ଭାବେ ମନା କରିଦେଇଥିଲେ। ତାଙ୍କ ମନରେ ଭୟ ଥିଲା, ବାହା ହେଲେ ସବୁ ସମ୍ପତ୍ତି କୁଆଡ଼େ ବିଜୟଙ୍କ ନାଁରେ ହୋଇଯିବେ। ବିଜୟଙ୍କ ନାଁରେ ସବୁ ସମ୍ପତ୍ତି ହୋଇଗଲେ ନିଜ ଗର୍ଭରୁ ଜନ୍ମ ହୋଇଥିବା ଦୁଇ ପିଲାଙ୍କ ଭାଗ୍ୟ କ’ଣ ହେବ? ସେଥିପାଇଁ ସେ (ଗୀତା) ବିଜୟର ବାହାଘର କରାଇ ଦେଉନଥିଲେ।
ଗାଁ ଲୋକଙ୍କ କହିବା ଅନୁସାରେ ବିବାହ କରିବାକୁ ବିଜୟ ଜିଦ୍ ଧରିଥିଲା। ସେଥିପାଇଁ ଗତ ୧୫ ତାରିଖ ରାତିରେ ତାଙ୍କୁ ତାଙ୍କ ସାବତ ମାଆ ପ୍ରବଳ ମାଡ଼ ମାରିଥିଲେ। ଆଉ ଏଥିରେ ତାଙ୍କ ବାପା ସହଯୋଗ କରୁଥିଲେ। ମାଡ଼ ବେଳେ ବିଜୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଯେଉଁଥିପାଇଁ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା।
ତେଣୁ ତାଙ୍କୁ ଦଶପଲ୍ଲା ମେଡ଼ିକାଲ୍କୁ ନେଇଥିଲେ। ସେଠାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଭୁବନେଶ୍ୱର କ୍ୟାପିଟାଲ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ତେଣୁ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଶନିବାର ବିଳମ୍ୱିତ ରାତିରେ ବିଜୟଙ୍କ ମୃତଦେହକୁ ଧରି ଗାଁରେ ପହଞ୍ଚିଥିଲେ ପରିବାର ଲୋକେ। ମୃତଦେହ ସତ୍କାର କରିବା ପାଇଁ ଅଲେଖ ସାହି ଭାଇଙ୍କୁ ଡାକିଥିଲେ। ହେଲେ ସମସ୍ତେ ମନା କରିଦେଇଥିଲେ। ଆଉ କହିଥିଲେ, ପୁଅକୁ ପିଟିପିଟି ମାରିଦେଇ ସତ୍କାର ପାଇଁ ଡାକୁଛୁ? ତେଣୁ କିଛି ଉପାୟ ନପାଇ ରାତି ପାହିବା ପୂର୍ବରୁ ଅଲେଖ ଓ ପୁଅ(ଦ୍ୱିତୀୟ ସ୍ତ୍ରୀ ଗୀତା ଗର୍ଭରୁ ଜନ୍ମିତ) ମିଶି ମୃତଦେହକୁ ଶ୍ମଶାନକୁ ନେଇ ସତ୍କାର କରି ଦେଇଥିଲେ।
ଆଜି ସକାଳେ ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଜୟଙ୍କ ମାମୁ ଅର୍ଥାତ ସୁବର୍ଣ୍ଣଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଗୀତା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୁଁ କିଛି ଜାଣିନି, କଣ କହିବି? ମୋ ନାଁରେ ସବୁ ମିଛ କଥା କୁହାଯାଉଛି। ମୋ ଘର କଥା ମୁଁ କଣ କିଛି ଜାଣିନି। ମୁଁ କାହାକୁ ବାଡ଼େଇ ନାହିଁ ବୋଲି ଗୀତା କହିଛନ୍ତି।

 

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031