Indus Valley Times

ବ୍ରହ୍ମା କୁମାରୀ ସେବା କେନ୍ଦ୍ରରେ ଶ୍ରଦ୍ଧାଞ୍ଜଳି ସଭା: ‘ଆତ୍ମା ଅଜର ଅମର’ ବାର୍ତ୍ତା ସହ ବିଶ୍ୱ ଶାନ୍ତି ପାଇଁ ସାମୁହିକ ପ୍ରାର୍ଥନା

 Breaking News

ବ୍ରହ୍ମା କୁମାରୀ ସେବା କେନ୍ଦ୍ରରେ ଶ୍ରଦ୍ଧାଞ୍ଜଳି ସଭା: ‘ଆତ୍ମା ଅଜର ଅମର’ ବାର୍ତ୍ତା ସହ ବିଶ୍ୱ ଶାନ୍ତି ପାଇଁ ସାମୁହିକ ପ୍ରାର୍ଥନା

ବ୍ରହ୍ମା କୁମାରୀ ସେବା କେନ୍ଦ୍ରରେ ଶ୍ରଦ୍ଧାଞ୍ଜଳି ସଭା: ‘ଆତ୍ମା ଅଜର ଅମର’ ବାର୍ତ୍ତା ସହ ବିଶ୍ୱ ଶାନ୍ତି ପାଇଁ ସାମୁହିକ ପ୍ରାର୍ଥନା
July 09
20:16 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୯/୭: ମଣିଷର ଜୀବନ କ୍ଷଣସ୍ଥାୟୀ ହୋଇଥିଲେ ମଧ୍ୟ ତାହାର କର୍ମ, ସେବା ଓ ସଦ୍‌ଭାବନା ସମାଜରେ ଚିରସ୍ମରଣୀୟ ହୋଇ ରହିଥାଏ ।
ଏହି ମହାନ ବାର୍ତ୍ତାକୁ ନେଇ ଗୁରୁବାର ଖୋରଧା ଗୋଡ଼ିପୋଖରୀ ସ୍ଥିତ ବ୍ରହ୍ମା କୁମାରୀ ସେବା କେନ୍ଦ୍ରରେ ସେବା କେନ୍ଦ୍ରର ସହଯୋଗୀ ଈଶ୍ୱରୀୟ ବିଦ୍ୟାର୍ଥୀ ସ୍ୱର୍ଗତ ପୁଷ୍ପା ଅଗ୍ରୱାଲଙ୍କ ସ୍ମୃତିରେ ଏକ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ଶୋକ, ଆଧ୍ୟାତ୍ମିକ ଚିନ୍ତନ ଓ ବିଶ୍ୱ ଶାନ୍ତିର ବାର୍ତ୍ତାରେ ପରିପୂର୍ଣ୍ଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ସ୍ୱର୍ଗତ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କର ସେବାମୂଳକ ଜୀବନକୁ ସ୍ମରଣ କରିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱର୍ଗତ ପୁଷ୍ପା ଅଗ୍ରୱାଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା, ପରେ ଏକ ମିନିଟ୍ ନୀରବ ପ୍ରାର୍ଥନା ମାଧ୍ୟମରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଜ୍ଞାପନ କରାଯାଇଥିଲା।
ଉପସ୍ଥିତ ଭାଇ-ଭଉଣୀମାନେ ତାଙ୍କ ସହ ବିତାଇଥିବା ସ୍ମୃତିକୁ ସ୍ମରଣ କରି ତାଙ୍କର ସରଳ, ସେବା ପରାୟଣ ଓ ଆଧ୍ୟାତ୍ମିକ ଜୀବନ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି କହିଥିଲେ।
ଏହି ଅବସରରେ ପତଞ୍ଜଳୀ ଯୋଗ ସମିତି ଖୋରଧା ଜିଲ୍ଲା ସଭାପତି ସୀତାକାନ୍ତ ପଣ୍ଡା ଏବଂ ଖୋରଧା ପତଞ୍ଜଳୀ ଯୋଗ ପୀଠର ସଭାପତି ଦୁଃଶାସନ ସ୍ୱାଇଁ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଆତ୍ମା ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମାନବଜୀବନର ପ୍ରକୃତ ସାର୍ଥକତା ଭୌତିକ ସଫଳତାରେ ନୁହେଁ, ବରଂ ସେବା, ସଂସ୍କାର ଓ ଆଧ୍ୟାତ୍ମିକ ମୂଲ୍ୟବୋଧରେ ନିହିତ ରହିଛି ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ।
ଏଭଳି ଶ୍ରଦ୍ଧାଞ୍ଜଳୀ ସଭା କେବଳ ଶୋକ ପ୍ରକାଶରେ ସୀମିତ ନ ରହି ସମାଜରେ ମାନବିକତା ଓ ସଦ୍‌ଭାବନାର ପ୍ରସାର ଘଟାଇଥାଏ ବୋଲି ନିଜର ମତ ପ୍ରକାଶ କରିଥିଲେ।
ବ୍ରହ୍ମା କୁମାର ଜୟକୃଷ୍ଣ ଭାଇ ଶ୍ରୀମଦ୍‌ଭଗବଦ୍‌ଗୀତାର ବିଭିନ୍ନ ଶ୍ଲୋକ ପାଠ କରି ଆତ୍ମାର ଅମରତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଶରୀର ନଶ୍ୱର ହୋଇଥିଲେ ମଧ୍ୟ ଆତ୍ମା କେବେ ବିନାଶ ହୁଏ ନାହିଁ।
ଜନ୍ମ ଓ ମୃତ୍ୟୁ ହେଉଛି ଜୀବନର ସ୍ୱାଭାବିକ ପ୍ରକ୍ରିୟା। ତେଣୁ ମଣିଷ ସର୍ବଦା ସତ୍‌କର୍ମ, ସତ୍‌ଚିନ୍ତନ ଓ ଈଶ୍ୱର ସ୍ମରଣରେ ନିଜ ଜୀବନକୁ ସାର୍ଥକ କରିବା ଉଚିତ।
ସେବାକେନ୍ଦ୍ରର ସଂଚାଳିକା ଅନୁରାଧା ଭଉଣୀ ଉପସ୍ଥିତ ସମସ୍ତଙ୍କୁ ରାଜଯୋଗ ଧ୍ୟାନର ଅଭ୍ୟାସ କରାଇଥିଲେ। ଧ୍ୟାନଯୋଗ ମାଧ୍ୟମରେ ମନର ଶାନ୍ତି, ଆତ୍ମିକ ଶକ୍ତି ଏବଂ ସକାରାତ୍ମକ ଚିନ୍ତାଧାରାର ବିକାଶ ସମ୍ଭବ ବୋଲି ସେ ବ୍ୟାଖ୍ୟା କରିଥିଲେ। ସ୍ୱର୍ଗତ ପୁଷ୍ପା ଅଗ୍ରୱାଲଙ୍କ ଅମର ଆତ୍ମାର ଶାନ୍ତି କାମନା ସହ ବିଶ୍ୱରେ ସୁଖ, ଶାନ୍ତି ଓ ସଦ୍‌ଭାବନା ପ୍ରତିଷ୍ଠା ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥିଲା।
ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ବିଭିନ୍ନ ବ୍ରହ୍ମା କୁମାରୀ ପାଠଶାଳାରୁ ଆସିଥିବା ଶତାଧିକ ଭାଇ ଓ ଭଉଣୀ ଯୋଗଦେଇ ଆଧ୍ୟାତ୍ମିକ ପରିବେଶରେ ବିଶ୍ୱଶାନ୍ତି ପାଇଁ ସାମୂହିକ ପ୍ରାର୍ଥନା କରିଥିଲେ।
ସେମାନଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଭକ୍ତି, ଶାନ୍ତି ଓ ଆତ୍ମଚିନ୍ତନର ଭାବନାରେ ପରିପୂର୍ଣ୍ଣ ହୋଇଉଠିଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ ଏବଂ ତାଙ୍କ ପରିବାରର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।
ଶେଷରେ ଉପସ୍ଥିତ ସମସ୍ତେ ସ୍ୱର୍ଗତ ପୁଷ୍ପା ଅଗ୍ରୱାଲଙ୍କ ଆଦର୍ଶ ଓ ସେବାଭାବକୁ ଅନୁସରଣ କରି ସମାଜରେ ଶାନ୍ତି, ସଦ୍‌ଭାବନା ଓ ମାନବିକ ମୂଲ୍ୟବୋଧର ପ୍ରସାର ପାଇଁ କାର୍ଯ୍ୟ କରିବାକୁ ସଂକଳ୍ପ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31