Indus Valley Times

ଯାଜପୁର ୭୯ ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ

 Breaking News

ଯାଜପୁର ୭୯ ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ

August 16
12:07 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୬/୮ : ଯାଜପୁର ଜିଲ୍ଲା ସଦର ମହକୁମା ଠାରେ ୭୯ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପ୍ରଶାସନିକ ଭବନ ପଡିଆ ଠାରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଅଛି ।
ଏହି ଜାତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ବର କୁମାର କର ଜାତୀୟ ପତାକା ଉତ୍ତୋଳନ ଓ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟାନ୍ୟ ବୀର ସ୍ଵାଧୀନତା ସଂଗ୍ରାମୀ ଓ ବୀର ସହୀଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅଭିଭାଷଣ ପ୍ରଦାନ ପୂର୍ବକ କହିଲେ ଭାରତ ବର୍ଷକୁ ଇଂରେଜ ଶାସନ କବଳରୁ ଯେଉଁ ମହା ମନିଷୀ, ଯୋଗଜନ୍ମା ମାନେ ନିଜ ଜୀବନକୁ ଅର୍ପଣ କରିଛନ୍ତି ସେମାନେ ଆମର ଚିର ସ୍ମରଣୀୟ ହୋଇ ରହିବେ।
ଜାତିର ଜନକ ଜାତୀୟ ପିତା ମହାତ୍ମା ଗାନ୍ଧୀ, ଖାଁ ଅବଦୁଲ ଗଫର ଖାନ, ବୀର ସୁରେନ୍ଦ୍ର ସାଏ, ଜୟୀ ରାଜଗୁରୁ, ଖୁଦିରାମ ବସୁ, ଚାଖି ଖୁଣ୍ଟିଆ ଇତ୍ୟାଦି ଇଂରେଜ ଶାସନକୁ ବିରୋଧ କରି ଏବଂ ଅହିଂସା ଓ ଅସହଯୋଗ ଆନ୍ଦୋଳନରେ ନିଜକୁ ସାମିଲ କରି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ସେମାନେ ଆମର ଚିର ସ୍ମରଣୀୟ ।
ଓଡିଶାର ବାଜି ରାଉତ, ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ଗଜପତି କୃଷ୍ଣ ଚନ୍ଦ୍ର ମହାରାଜା, ବିପ୍ଳବୀ ବୀର ଧରଣୀଧର ଭୂୟାଁ ସ୍ୱାଧୀନତା ଆନ୍ଦୋଳନରେ ତ୍ୟାଗ ମଧ୍ୟ ଚିର ସ୍ମରଣୀୟ ।
ସେହିପରି ଯାଜପୁର ଜିଲ୍ଲାର ବରୀ କଳାମାଟିଆର ୧୯୪୨ ମସିହା ଅସହଯୋଗ ଆନ୍ଦୋଳନରେ ସ୍ୱାଧୀନତା ସଂଗ୍ରାମୀ ମାୟାଧର ଭୂୟାଁ, ସାନନ୍ଦ ସ୍ବାଇଁ, ସାଉଁଟି ମଲ୍ଲିକ ଓ ହାଡିବନ୍ଧୁ ପଣ୍ଡା ଙ୍କ ତ୍ୟାଗ ସ୍ଵାଧୀନତା ଆନ୍ଦୋଳନ ଇତିହାସରେ ଅବିସ୍ମରଣୀୟ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିବା ସହ ପ୍ରାଣ ଉତ୍ସର୍ଗ କରିଥିବା ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ବର୍ତ୍ତମାନ ଭାରତ ସରକାରଙ୍କ ପଂସଲ ଵୀମା ଯୋଜନା ସହ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନତି ମୂଳକ ଯୋଜନା କାର୍ଯ୍ୟକାରିତା ହେବାଦ୍ଵାରା ସାଧାରଣ ଜନତା ବିଭିନ୍ନ କ୍ଷେତ୍ରରେ ସ୍ୱାଧୀନତାର ସ୍ବାଦ ପାଇପାରୁଛନ୍ତି ।
ଏବେ ବିଶ୍ଵ ସହ ଆମ ଦେଶବାସୀ ତାଳ ଦେଇ ବୈଜ୍ଞାନିକ କୌଶଳରେ ବିଭିନ୍ନ ସେବା ଯଥା- କୃଷି, ସ୍ବାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ, କ୍ରୀଡା, ରାଷ୍ଟ୍ରର ଐତିହ୍ୟ ଓ ସଂସ୍କୃତିକୁ ବଳାୟ ରଖିବା ପାଇଁ ସମସ୍ତଙ୍କ ସ‌ହ‌ଯୋଗରେ ଏକ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ଭବ ହେବାକୁ ଯାଉଛି ।
ଏହି ଶୁଭ ଅବସରରେ ସମସ୍ତ ଯୁବକ ଏବଂ ଯୁବତୀ, ଯେଉଁମାନେ ଆମର ବିକଶିତ ଭାରତ ଗଠନ କରିବାରେ କ୍ଷମତା ରଖୁଛନ୍ତି ସେମାନେ ଏହି ଅଭିଯାନକୁ ଆଗେଇ ନେବା ସହ ସଫଳ କରିବା ପାଇଁ ତୃଣମୂଳ ସ୍ତରରେ ହେଉଥିବା କାର୍ଯ୍ୟକଳାପରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ମୁଖ୍ୟ ଅତିଥି ଜଣାଇଥିଲେ ।
ଭାରତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ଲାଭକଲା ସେହିଦିନଠାରୁ ଆମ୍ଭେ ମୁକ୍ତ ଆକାଶର ବିହଙ୍ଗପକ୍ଷୀ ଭଳି ସ୍ବାଧୀନତା ପାଇ ଆମ୍ଭ ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଆମ୍ଭେ ସମସ୍ତେ ଲାଗିପଡିଲେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବୈଜ୍ଞାନିକ କୌଶଳ, ଅତ୍ୟାଧୁନିକ ସେବା ଯୋଜନାରେ ଭାରତ ବର୍ଷ ଆଗକୁ ଆଗକୁ ବଢିଲା ଏବେ ଆମ୍ଭେମାନେ ବିଂଶ ଶତାଦ୍ଦିରେ ଆଗକୁ ଯାଇ ଭାରତବର୍ଷକୁ ଆହୁରି ମଜବୁତ କରିପାରିଛେ ସାମରିକ, ବିଜ୍ଞାନ ଓ ଚିକିତ୍ସା କ୍ଷେତ୍ରରେ ଆମ୍ଭେ ବୈଜ୍ଞାନିକ ଜ୍ଞାନକୌଶଳ ମାଧ୍ୟମରେ ବିଶ୍ବରେ ପରିଚିତ ହୋଇ ପାରିଛେ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଯାଜପୁର ଜିଲ୍ଲାର ସ୍ବାସ୍ଥ୍ୟ ବିକାଶ ନିମନ୍ତେ ୫୦ ଜଣ ଡାକ୍ତରୀ ଛାତ୍ର ଛାତ୍ରୀଙ୍କୁ ୨୦୨୪- ୨୫ ଏବଂ ୨୦୨୫-୨୬ ଶିକ୍ଷାବର୍ଷରେ ଡାକ୍ତରୀ ଶିକ୍ଷା ପ୍ରଦାନ କରିବା ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି । ଯାଜପୁର ଜିଲ୍ଲାକୁ ସର୍ବାଗ୍ରେ ରଖୁବା ପାଇଁ ଉନ୍ନତିର ଚିରସ୍ରୋତ ବଜାୟରଖି ସରକାରଙ୍କର ବିଭିନ୍ନ ଉନ୍ନୟନ ଯୋଜନାକୁ ସଫଳ ରୂପାୟନରେ ଜିଲ୍ଲାରେ ଫଳପ୍ରଦ କରାଇ, ଏକ ବିକଶିତ ଯାଜପୁର ଜିଲ୍ଲା ଗଠନ କରିବା ନିମନ୍ତେ ଆଜି ଏହି ପବିତ୍ର ୭୯ ତମ ସ୍ବାଧୀନତା ଦିବସରେ ସଂକଳ୍ପ ବଦ୍ଧ ହେବା ବୋଲି ମୁଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ।
ପରେ ମୁଖ୍ୟ ଅତିଥି ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଜିଲ୍ଲାର ଜଣେ କର୍ତ୍ତବ୍ୟରତ ଶ୍ରେଷ୍ଠ ଡାକ୍ତର ଭାବେ ଡ଼ା. ଜୟଦେବ ନନ୍ଦଙ୍କୁ ଆକୁକି ଚରଣ ମେକାପ ଟ୍ରଫି ଉତ୍ତରୀୟ ଓ ମାନପତ୍ର ସହ ଗୋଟିଏ ଫଳ ଚାରା, ୨୦୨୫ ମସିହାରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଯୁଗ୍ମ ଭାବେ ଛାତ୍ରୀ ଓ ଛାତ୍ର ସୁଶ୍ରୀ ପ୍ରତୀକ୍ଷା ପ୍ରିୟଦର୍ଶିନୀ ପଣ୍ଡା ଏବଂ ଶ୍ରୀମାନ ସୌମ୍ୟଜିତ୍ ପଣ୍ଡାଙ୍କୁ ଖଗେଶ୍ବର ସାମଲ ସ୍ମାରକୀ ଟ୍ରଫି ସହ ପ୍ରତ୍ୟେକ ଟ. ୫୦୦୦/- ଉର୍ମିଳା ସାହୁ ସ୍ମାରକୀ ଆର୍ଥିକ ପ୍ରୋତ୍ସାହନ, ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ଟ. ୧୫୦୦/- ଶୁଭଶ୍ରୀ ନନ୍ଦ ସ୍ମାରକୀ ଆର୍ଥିକ ପ୍ରୋତ୍ସାହନ ମାନପତ୍ର ସହ ଗୋଟିଏ ଫଳ ଚାରା ବଣ୍ଟନ କରିଥିଲେ।
ସମ୍ମିଳିତ ପ୍ୟାରେଡରେ ସଶସ୍ତ୍ର ବାହିନୀ, ପୋଲିସ ବ୍ୟାଣ୍ଡ ପାର୍ଟି, ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଏନ୍.ସି.ସି. ସ୍କାଉଟ୍ ଓ ଗାଇଡ, ସିଭିଲିଆନ ଦଳଙ୍କୁ ନେଇ ମୋଟ ୪୯ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ। ସମ୍ମିଳିତ ପ୍ୟାରେଡରେ ସଶସ୍ତ୍ର ବାହିନୀ, ପୋଲିସ ବ୍ୟାଣ୍ଡ ପାର୍ଟି, ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଦିନେଶ କୁମାର ସାହୁ ଓ ସର୍ଜେଣ୍ଟ ଶ୍ରୀଯୁକ୍ତ ଭାଗିରଥୀ ବେହେରା, ପ୍ୟାରେଡ ପରିଚାଳନା କରିଥିଲେ।
ଏଥିରେ ଏନ୍.ସି.ସି. ସ୍ତରରେ ଶ୍ରେଷ୍ଠ ଦଳ ଭାବେ ଯାଜପୁର ଜିଲ୍ଲା ସ୍କୁଲ୍ ଗାଇଡ ଗାର୍ଲ୍ସ, ମହାବିଦ୍ୟାଳୟ ସ୍ତରରେ ଜବାହର ନବୋଦୟ ବିଦ୍ୟାଳୟ, ବାଳକ ଗ୍ରୁପ ପ୍ରଥମ, ବିଦ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳକ ଗ୍ରୁପ ଦ୍ଵିତୀୟ, ଜିଲ୍ଲା ଅଲମ୍ପିକ ଆସୋସିଏସନ, ବାଳକ ଗ୍ରୁପ ତୃତୀୟ, ଉଚ୍ଚ ବିଦ୍ୟାଳୟ ସ୍ତରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସିନିୟର୍ ସିଭିଲ ଗ୍ରୁପ ପ୍ରଥମ, ଜବାହର ନବୋଦୟ ବିଦ୍ୟାଳୟ ବାଳିକା ଗ୍ରୁପ ଦ୍ଵିତୀୟ, ହରି ସାମନ୍ତ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗାର୍ଲ୍ସ ସିଭିଲ ଗ୍ରୁପ ତୃତୀୟ, ମାଧ୍ୟମିକ ସ୍ତରରେ ଯାଜପୁର ଜିଲ୍ଲା ସ୍କୁଲ୍, ଗାର୍ଲ୍ସ ସିଭିଲ ଗ୍ରୁପ୍ ପ୍ରଥମ, ଏସ.ବି.ଡି ଇଣ୍ଟରନ୍ୟାସନାଲ ସ୍କୁଲ, ଗାର୍ଲ୍ସ ସିଭିଲ ଗ୍ରୁପ୍ ଦ୍ଵିତୀୟ, ମହାବୀର ଗୁରୁକୁଳ ଶିକ୍ଷାଶ୍ରମ ବଏଜ୍ ଓ ଗାର୍ଲ୍ସ ସିଭିଲ ଗ୍ରୁପ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଏଥିସହ ପ୍ୟାରେଡ ଇନ୍ କମାଣ୍ଡ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ ଶ୍ରୀ ଦିନେଶ କୁମାର ସାହୁ ଏବଂ ସେକେଣ୍ଡ ଇନ୍ କମାଣ୍ଡ ଶ୍ରୀ ଭାଗିରଥୀ ବେହେରା, ସର୍ଜେଣ୍ଟଙ୍କୁ ପୁରସ୍କୃତ କରାଯାଇଥିଲା।
ପରେ ଡି.ଏ.ଭି ପବ୍ଲିକ ସ୍କୁଲ୍, ଯାଜପୁର, କ୍ରାନିୟମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଯାଜପୁର, ପ୍ରୟାସ ବିଦ୍ୟା ମନ୍ଦିର, ଯାଜପୁର ରୋଡ, ଏସ.ବି.ଡି ଇଣ୍ଟରନ୍ୟାସନାଲ ସ୍କୁଲ୍, ଯାଜପୁର ରୋଡ ଓ ଶୋଭାନୀୟ ଶିକ୍ଷାଶ୍ରମ, ଉଦୟଗିରି, ଯାଜପୁରର ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପରେ ମୁଖ୍ୟ ଅତିଥି ବାଳାଶ୍ରମ, କୁଷ୍ଠାଶ୍ରମ ଓ ଜେଲର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ, ବସ୍ତ୍ର ଇତ୍ୟାଦି ବଣ୍ଟନ କରିବା ସହ ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ପୂର୍ବରୁ ମୁଖ୍ୟ ଅତିଥି କିଆନାଳି ଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ପ୍ରତ୍ୟୁଷ ଘ.୪.୩୦ ମିନିଟ ସମୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପରିବେଷଣ କରାଯାଇଥିଲା। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନେ ପ୍ରଭାତ ଫେରୀ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ,ଶ୍ରୀ ୟଶପ୍ରତାପ ଶ୍ରୀମାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ଜେନା, ଉପାଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବରାଳ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ଯୁଧିଷ୍ଠିର ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଉପ ଜିଲ୍ଲାପାଳ ଶ୍ରୀ ତାପସ ରଂଜନ ଦେହୁରୀ, ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ବିଭିନ୍ନ ବିଭାଗର ଅଧିକାରୀ, ଗଣ ମାଧ୍ୟମ ପ୍ରତିନିଧି, ଲୋକ ପ୍ରତିନିଧି, ଆଇନଜୀବୀ,ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ ସାଧାରଣ ଜନତା ପ୍ରମୁଖ ଯୋଗ ଦେଇଥିଲେ ।
ଦିବସର ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ସଂଯୋଜନା କରିଥିବାବେଳେ ସୂଚନା ଓ ଲୋକସଂପର୍କ କାର‌୍ୟ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031