Indus Valley Times

ରଜ ମହୋତ୍ସବ ଉଦଘାଟିତ, ତ୍ୟାଗ ଓ ତିତୀକ୍ଷାର ମାଟି ‘ବାଜପୁର’ -ସାଂସଦ

 Breaking News

ରଜ ମହୋତ୍ସବ ଉଦଘାଟିତ, ତ୍ୟାଗ ଓ ତିତୀକ୍ଷାର ମାଟି ‘ବାଜପୁର’ -ସାଂସଦ

ରଜ ମହୋତ୍ସବ ଉଦଘାଟିତ, ତ୍ୟାଗ ଓ ତିତୀକ୍ଷାର ମାଟି ‘ବାଜପୁର’ -ସାଂସଦ
June 16
22:15 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୬/୬: ଖୋରଧା ଜିଲ୍ଲା ମୁଖ୍ୟଦପ୍ତର ଠାରୁ ମାତ୍ର ୬ କିମି ଦୂରରେ ଅବସ୍ଥିତ ଐତିହାସିକ ‘ବାଜପୁର’ ତ୍ୟାଗ ଏବଂ ତିତୀକ୍ଷାର ମାଟି ବୋଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବାଜପୁର ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ରଜ ମହୋତ୍ସବର ଦ୍ବିତୀୟ ଦିବସକୁ ଉଦ୍‌ଘାଟନ କରି ମତବ୍ୟକ୍ତ କରିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ ପ୍ରାରମ୍ଭରେ ବାଜପୁର ମାଟି ‘ନବଜୀବନ’ର ପ୍ରତିଷ୍ଠାତା ଚିନ୍ତାମଣି ମିଶ୍ର, ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ର, ସହିଦ୍ ବାନାମ୍ବର ପଟ୍ଟନାୟକ ଓ ନାରାୟଣ ସେଠି ପ୍ରମୁଖଙ୍କ ପାଇଁ ରୁଦ୍ଧିମନ୍ତ ହୋଇଛି ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରାଥମିକ ପର‌୍ୟ୍ୟାୟରେ ସଂଗ୍ରାମୀ ପଣ୍ଡିତ ମିଶ୍ରଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଖୋରଧାର ଟିଏଲ୍‌ସି ରୋଡ଼ରେ ପ୍ରତିଷ୍ଠା କରାଯାଇ ତାଙ୍କ ଦ୍ବାରା ଅନାବରଣ କରାଯାଇଛି ବୋଲି ସୂଚାଇଥିଲେ। ସଭାପତି ସୁଶାନ୍ତ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ବିଶେଷ ଅତିଥି ଭାବେ ଖୋରଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବ ଯୋଗଦେଇ ବାଜପୁରରେ ରଜ ମହୋତ୍ସବର ଆୟୋଜନ ଦ୍ବାରା ସଂସ୍କୃତି ଓ ପରମ୍ପରା ରୁଦ୍ଧିମନ୍ତ ହୋଇଛି ବୋଲି କହିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ସୁଜାତା ପ୍ରହରାଜ ଯୋଗଦେଇ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରାଧାଚରଣ ପଟ୍ଟନାୟକଙ୍କ ପାଇଁ ଏହି ମାଟି ଭାରତ ଇତିହାସରେ ସ୍ଥାନ ପାଇସାରିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ କେଦାରେଶ୍ବର ପୃଷ୍ଟି ଯୋଗଦେଇ ବାଜପୁର ପ୍ରତ୍ୟହ ସମ୍ମୁଖୀନ ହେଉଥିବା ସମସ୍ୟାର ଅବିଳମ୍ବେ ସମାଧାନ କରାଯିବାକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଓ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ନିବେଦନ କରିଥିଲେ। ସଂଘର ସମ୍ପାଦକ ମୀନକେତନ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିବା ପରେ ସରଗମ୍ ଅକ୍ରେଷ୍ଟ୍ରା ପକ୍ଷରୁ ସାଂସ୍କୃତିକ କାର‌୍ୟ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ସେହିପରି ରଜ ମହୋତ୍ସବର ପ୍ରଥମ ଦିବସରେ ବିଶେଷ ଅତିଥି ଭାବେ ଅବସରପ୍ରାପ୍ତ ପ୍ରମୁଖ ଆୟକର କମିଶନର ଧୀରେନ୍ଦ୍ର ମିଶ୍ର, ମୁଖ୍ୟବକ୍ତା ରୂପେ ପ୍ରେଷ୍ଟିଜ୍ ଆସ୍ୟୁରାନ୍ସର ପ୍ରାକ୍ତନ ଏମ୍‌ଡ଼ି ସର୍ବେଶ୍ବର ସାହୁ ଓ ସ୍ବତନ୍ତ୍ର ଅତିଥି ରୂପେ ଜେଆଇସିଏ ମୁଖ୍ୟଯନ୍ତ୍ରୀ ବିଜ୍ଞାନ ପ୍ରସାଦ ସାହୁ, ଓଡ଼ିଶା ମାଇନିଂ କର୍ପୋରେସନର ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର ଅମରଦୀପ ରାୟ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ରଜଦୋଳି କାର‌୍ୟ୍ୟକ୍ରମକୁ ବିଶିଷ୍ଟ କଂଗ୍ରେସ ନେତ୍ରୀ ସ୍ବାଗତିକା ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ବାଜପୁରର ବରିଷ୍ଠ ନାଗରିକ ମନମୋହନ ରାୟ, ସୋମନାଥ ପଟ୍ଟନାୟକ, ବିକ୍ରମକେଶରୀ ପଟ୍ଟନାୟକ ଓ ଅମ୍ବୁଜ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ଏହାର ନେତୃତ୍ବ ନେଇଥିଲେ। ଏହାକୁ ଦେଖିବାକୁ ଅଣ୍ଡା, ମହତପଲା, ନନ୍ଦପୁର, ଡ଼ିହପୁର, ବଣିଆଟାଙ୍ଗୀ ଓ ରାୟରଙ୍ଗ ଗ୍ରାମର ବହୁ ଲୋକଙ୍କ ସମାଗମ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930