Indus Valley Times

ଶ୍ବଶୁର ଘର ଆଗରେ ଯୌତୁକ ସାମଗ୍ରୀ ଜାଳିଦେଲେ ଜ୍ବାଇଁ

 Breaking News

ଶ୍ବଶୁର ଘର ଆଗରେ ଯୌତୁକ ସାମଗ୍ରୀ ଜାଳିଦେଲେ ଜ୍ବାଇଁ

November 25
19:12 2024

ନୟାଗଡ଼,୨୫/୧୧ : ଅଲାଜୁକ ଜ୍ୱାଇଁ! ବାହାଘରର ୨୦ ବର୍ଷ ପରେ ମନେ ପଡ଼ିଲା ଯୌତୁକ କଥା। ବଢ଼ିଲା ପୁଅ ଝିଅଙ୍କ ଆଗରେ ଯୌତୁକରେ ଆପାଚି ଗାଡ଼ି ଦାବି ପତ୍ନୀଙ୍କୁ ମାଡ଼ ମାରୁଥିଲେ। ଯେଉଁଥିପାଇଁ ପତ୍ନୀ ବାପ ଘରକୁ ପଳାଇ ଯାଇଥିଲେ। ଏହା ପରେ ଶ୍ୱଶୁର ଘର ଆଗରେ ବାହାଘର ସମୟରେ ମିଳିଥିବା ଜାନି ଯୌତୁକ ବାବଦରେ ନିଆଁ ଲଗାଇ ପୋଡ଼ିଦେଲେ। ଏପରି ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି।
୨୦ ବର୍ଷ ତଳେ ଦଶପଲ୍ଲା ଥାନା ବୁରୁସାହି ଗାଁର ବିଜୟ ନାୟକ ନେଳିଗୁଡ଼ା ଗ୍ରାମର ମମତା ନାୟକଙ୍କୁ ବିବାହ କରିଥିଲେ। ଦେଖାଚୁଆଁ ପରେ ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ବାହାଘର ପରେ ପରିବାର ଠିକ୍‌ଠାକ୍ ଚାଲିଥିଲେ। ବିଜୟ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ତେଲ ଲୁଣର ସଂସାର। ଦୁଇ ପିଲାର ବାପା-ମାଆ ହୋଇଥିଲେ ବିଜୟ ଓ ମମତା। ହେଲେ ହଠାତ୍ କ’ଣ ହେଲା କେଜାଣି ପରିବାରିକ ସଂସାରରେ ଉଠିଲା ଅଶାନ୍ତିର ଝଡ଼।
ଯୌତୁକରେ ଆପାଚି ଗାଡ଼ି ଓ ନଗଦ ଟଙ୍କା ଦାବି କରିଥିଲେ ବିଜୟ। ହେଲେ ଏଥିରେ ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ନାନା ନିର‌୍ୟାତନ। ଅଭିଯୋଗ ଅନୁସାରେ ମମତାଙ୍କୁ ତାଙ୍କ ସ୍ୱାମୀ ବିଜୟ ଓ ଶାଶୁ ମାଡ଼ ମାରୁଥିଲେ। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ। ବଢ଼ିଲା ଝିଅ ଓ ପୁଅଙ୍କ ଆଗରେ ମାଡ଼ ଅକଥନୀୟ ହେବାରୁ ୭ ଦିନ ତଳେ ଜୀବନ ବିକଳରେ ବାପ ଘରକୁ ପଳାଇ ଯାଇଥିଲେ ମମତା। ଆଉ ସାଥୀରେ ନିଜର ବଢ଼ିଲା ପୁଅ ଓ ଝିଅଙ୍କୁ ନେଇ ଯାଇଥିଲେ।
ପୂରା ପରିବାର ଶ୍ୱଶୁର ଘର ଚାଲିଗଲା ପରେ ବିଜୟଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା। ଅଭିଯୋଗ ଅନୁସାରେ ରବିବାର ଅପରାହ୍ନରେ ବିଜୟ ନିଜ ଶ୍ୱଶୁର ଘରକୁ ଆସିଥିଲେ। ଆଉ ମନଇଚ୍ଛା ନିଜ ପତ୍ନୀ ମମତା ଓ ଶ୍ୱଶୁର ଘର ଲୋକଙ୍କୁ ଗାଳି ଗୁଲଜ କରିଥିଲେ। ତେବେ ସ୍ଥିତି ଅଣାୟତ୍ତ ହେବାରୁ ମମତାଙ୍କ ଭାଇ ପ୍ରତିବାଦ କରିଥିଲେ। ଯେଉଁଥିପାଇଁ ବିଜୟ ପଳାଇ ଯାଇଥିଲେ।
ଆଜି ସକାଳେ ଫୋନ୍ କରି ନିଜ ପତ୍ନୀ ଓ ଝିଅଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ପରେ ଶ୍ୱଶୁର ଘର ତରଫରୁ ଦିଆଯାଇଥିବା ଯୌତୁକ ସାମଗ୍ରୀକୁ ଧରି ନେଳିଗୁଡ଼ା ଗାଁରେ ପହଞ୍ଚିଥିଲେ ବିଜୟ। ସବୁ ସାମଗ୍ରୀକୁ ଗୋଟିଏ ସ୍ଥାନରେ ଗଦା କରି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ନିଜ ଆଖି ସାମ୍ନାରେ ଜଳିଗଲା ନିଜର ଯୌତୁକ ସାମଗ୍ରୀ।
ଏନେଇ ମମତା ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଛି। ତେବେ ଏନେଇ ବିଜୟ ବା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31