Indus Valley Times

ସଫଳ ହେଲା ଜିଲ୍ଳା ପୁଲିସର ‘ଅପରେସନ ପପୁ’ ଯୋଜନା :ବିନା ମୋବାଇଲରେ ଗଞ୍ଜାମ ଜଙ୍ଗଲ ଭିତରେ ଛକିଥିଲା

 Breaking News

ସଫଳ ହେଲା ଜିଲ୍ଳା ପୁଲିସର ‘ଅପରେସନ ପପୁ’ ଯୋଜନା :ବିନା ମୋବାଇଲରେ ଗଞ୍ଜାମ ଜଙ୍ଗଲ ଭିତରେ ଛକିଥିଲା

September 21
10:53 2024

ବିଶ୍ୱ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼/ଭାପୁର, ୨୧/୯ : ଫତେଗଡ଼ ଥାନା ଅଧୀନ ଭଗବାନପୁର ଗାଁର ମହେଶ୍ବର ସାହୁଙ୍କ ପୁଅ ଅଖିଳଙ୍କୁ ଯେଉଁ ଭଳି ଢଙ୍ଗରେ ବିଷ୍ଣୁ ପ୍ରସାଦ ସାହୁ ଓରଫ ପପୁ ହାଣିଥିଲା, ଏଥିରୁ ସେ କେତେ ବଡ଼ ଅପରାଧୀ ତାହା ସ୍ପଷ୍ଟ ଭାବେ ଜଣାପଡ଼ିଯାଇଥିଲା। କେବଳ ସେତିକି ନୁହେଁ ଗତ ସାଧାରଣ ନିର୍ବାଚନ ସମୟରେ ‌ସେ ମଧ୍ୟ ଗାଁରେ ଖଣ୍ଡା ବୁଲାଇବା ସହ ବୋମା ଫୋପାଡ଼ିବା ପାଇଁ ଧମକ ଦେଇଥିଲା।
ପୁଲିସ ଯେତେବେଳେ ପପୁ ବିଷୟରେ ଖୋଳତାଡ଼ ଆରମ୍ଭ କରିଥିଲା, ତାହାର ପ୍ରକୃତ ରୂପ ପୁଲିସ ସାମ୍ନାକୁ ଆସିଥିଲା। ଏହାକୁ ବେଶ୍ ଗୁରୁତ୍ବ ସହ ନେଇ ଏସପି ରାହୁଲ ଜୈନ ପପୁକୁ ଧରିବା ପାଇଁ ଜାଲ ବିଛାଇଥିଲେ ଓ ସେଥିରେ ସଫଳ ହୋଇଥିଲେ।
ଜିଲ୍ଳା ପୁଲିସର ‘ଅପରେସନ ପପୁ’କୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ଆଲୋଚନା। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ପଣ୍ଡାଙ୍କ ନେତୃତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସମସ୍ତ ତଥ୍ୟ ପ୍ରଦାନ କରାଯାଇଥିଲା। ବିଶେଷ କରି ପପୁକୁ ଗିରଫ କରିବା ପାଇଁ ଗଠନ ହୋଇଥିବା ଟିମରେ ଥିବା ଫତେଗଡ଼ ଥାନା ଇନସପେକ୍ଟର ପଞ୍ଚାନନ ପରିଡ଼ା, ଏସଆଇ ସଞ୍ଜୟ କୁମାର ପରିଡ଼ା, ସୁଚିତ୍ର ବେ‌ହେରା ଓ ଅରୂପାନନ୍ଦ ନାୟକଙ୍କୁ ଶ୍ରୀ ପଣ୍ଡା ପ୍ରଶଂସା କରିଥିଲେ।
ସାଲିଆସାହିରେ ରହି ଚଳାଉଥିଲା ନେଟୱର୍କ
ଗିରଫ ହୋଇଥିବା ପପୁକୁ ବୟସ ମାତ୍ର ୨୧ ବର୍ଷ। ତା ଘର ଭଗବାନପୁରରେ ହୋଇଥିଲେ ମଧ୍ୟ ସେ ସାଲିଆସାହିରେ ରୁହେ। ସେଠାରେ ଥିବା ଘରେ ତା ମା’ ସହ ସିଏ ରୁହେ। ସେଇଠୁ ହିଁ ଅପରାଧ ଜଗତରେ ସେ ପାଦ ଥାପିଥିଲା।
ନିଜର ଏକ ଗ୍ୟାଙ୍ଗ୍ ଗଠନ କରି ସେ ତାହାର ମୁଖିଆ ସାଜିଥିଲା। କମିସନରେଟ୍ ପୁଲିସ ଅଧୀନରେ ମଧ୍ୟ ତା ନାଁରେ ଏକାଧିକ ମାମଲା ରହିଛି। ଫତେଗଡ଼ ଥାନାରେ ତା ନାଁରେ ୫ରୁ ଅଧିକ ମାମଲା ରହିଛି। ତା ବୟସ ଯେତିକି ଯେତିକି ବଢ଼ୁଥିଲା, ମାମଲାର ସଂଖ୍ୟା ମଧ୍ୟ ବଢ଼ି ଚାଲିଥିଲା। ଦବଦବା ଜାହିର କରିବା ପାଇଁ ସେ କଥା କଥାରେ ଖଣ୍ଡା ବାହାର କରି ପ୍ରତିପକ୍ଷକୁ ଆକ୍ରମଣ କରିବାକୁ ସେ ପ୍ରୟାସ କରେ।
ଏ ସମସ୍ତ ତଥ୍ୟ ପାଇବା ପରେ କଳ, ବଳ ଓ କୌଶଳ ଲଗାଇ ପପୁକୁ ଗିରଫ କରିବା ପାଇଁ ଏସପି ରଣନୀତି ପ୍ରସ୍ତୁତ କରିବାକୁ ବାଧ୍ୟ ହୋଇଥିଲେ। ଏହିପରି ଆତଙ୍କ ଖେଳାଉଥିବା ଦୁର୍ବୃତ୍ତର ଜାଗା ଜେଲ୍ ଚାରି କାନ୍ଥ ଭିତରେ ବୋଲି ଏସପି ଖୋଲାଖୋଲି ଭାବେ ସମସ୍ତ ଅଧିକାରୀଙ୍କୁ କହି ଦେଇଥିଲେ।
ମୋବାଇଲ ବ୍ୟବହାର ନ କରି ଜଙ୍ଗଲରେ ଲୁଚିଥିଲା
ଭଗବାନପୁର ଗାଁ ମାମଲାରେ ପୁଲିସ ଯେତେବେଳେ ପପୁକୁ ଖୋଜିବା ଆରମ୍ଭ କଲା, ସେ ତୁରନ୍ତ ଏଠାରୁ ଗାୟବ ହୋଇଯାଇଥିଲା।
ସାଲିଆସାହିରେ ସେ ଗଢ଼ିଥିବା ଗ୍ୟାଙ୍ଗରେ ଗଞ୍ଜାମ ଅଞ୍ଚଳର କିଛି ପିଲା ଥିଲେ। ପୁଲିସ ଗିରଫ କରିଥିବା ଅନ୍ୟ ତିନି ଜଣ ଯୁବକ ବିଭୂତି ସାହୁ, ନାରାୟଣ ସାମଲ ଓ ନୀଳାଞ୍ଚଳ ବେହେରା ଏହି ମାମଲାରେ ପପୁକୁ ସହ‌ଯୋଗ କରିବା ସହ ସାଥୀରେ ଗଞ୍ଜାମ କବିସୂର‌୍ୟ୍ୟନଗର ଅଞ୍ଚଳକୁ ନେଇ ଯାଇଥିଲେ।
ସେଠାରେ ସେମାନେ ଜଙ୍ଗଲ ଭିତରେ ଥିବା ଏକ ଘରେ ପପୁକୁ ରଖିଥିଲେ। ପୁଲିସକୁ ଚକମା ଦେବାକୁ ଯାଇ ପପୁ ଆଦୌ ମୋବାଇଲ ବ୍ୟବହାର କରିନଥିଲା। ତଥାପି ଜିଲ୍ଲା ପୁଲିସର ରଣକୌଶଳ ସାମ୍ନାରେ ସେ ହାର୍ ମାନି ଯାଇଥିଲା।
ପପୁକୁ ଧରିବା ପାଇଁ ଗଠନ ହୋଇଥିବା ୫ଟି ଟିମ୍
ଅଖିଳଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲାର ଦୁଇ ଅଭିଯୁକ୍ତ ପପୁ ଓ ଆଶିଷ ବେହେରାକୁ ଖ‌ୋଜିବା ପାଇଁ ଜିଲ୍ଳା ପୁଲିସର ବଛା ବଛା ଅଧିକାରୀମାନଙ୍କୁ ନେଇ ୫ଟି ଟିମ୍ ଗଠନ କରାଯାଇଥିଲା।
ନିଜେ ଏସପି ଏହି ଟିମର ସମସ୍ତ ଗତିବିଧି ଉପରେ ନଜର ରଖିଥିଲେ। ଯେହେତୁ ପପୁ ମୋବାଇଲ ବ୍ୟବହାର କରୁନଥିଲା, ସେଥିପାଇଁ ପୁଲିସ ପାଇଁ ସାମାନ୍ୟ ବଢ଼ି ଯାଇଥିଲା। ମାତ୍ର ପୁଲିସକୁ ପପୁକୁ ଆଶ୍ରୟ ଦେଇଥିବା ଜଣେ ଯୁବକଙ୍କ ମୋବାଇଲ ନମ୍ବରଟି ମିଳିଯାଇଥିଲା।
ଏହାକୁ ସନ୍ଧାନ କରି କରି ଶେଷରେ ପୁଲିସ ପପୁ ଜଙ୍ଗଲ ମଧ୍ୟରେ ରହୁଥିବା ଘର ନିକଟରେ ପହଞ୍ଚିଥିଲା। ସେଠାରେ ରହୁଥିବା ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ଓ ସେମାନଙ୍କୁ ଆଶ୍ରୟ ଦେଇଥିବା ତିନି ଜଣଙ୍କୁ ଗିରଫ କରିଥିଲା। ଏହାସହ ଯେଉଁ ବାଇକରେ ସେମାନେ ଆସି ଅଖିଳଙ୍କୁ ହାଣିଥିଲେ, ଉକ୍ତ ମାରଣାସ୍ତ୍ର ସହ ବାଇକଟିକୁ ଜବତ କରାଯାଇଛି।
ଜାମିନରେ ଆସି ବାରମ୍ବାର କରୁଥିଲା ଗଣ୍ଡଗୋଳ
ପପୁ ନାଁରେ କମିସନରେଟ୍ ପୁଲିସ ଓ ନୟାଗଡ଼ର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଏକାଧିକ ମାମଲାରେ ‌ସେ ଫେରାର ହୋଇଯାଇ ହାଇକୋର୍ଟରୁ ଆଗୁଆ ଜାମିନ ଆଣିବାରେ ସଫଳ ହେଉଥିଲା। ଆଗୁଆ ଜାମିନ ଆଣିବା ପରେ ସେ ପୁଣି ଥରେ ଅପରାଧ ଘଟାଉଥିଲା। ଏଣୁ ଏହିପରି ଜଣେ ଅପରାଧୀର ଖେଳ ଶେଷ କରିବା ପାଇଁ ଏସପି ଏକ ପ୍ରକାର ଦୃଢ଼ ମନା ଥିଲେ। ଏଣୁ ଫେରାର ହୋଇଯାଇଥିବା ପପୁକୁ ଧରିବା ପାଇଁ ସେ ଜାଲ ବିଛାଇଥିଲେ ଓ ‌ସେଥିରେ ସଫଳ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930