Indus Valley Times

୧୦.୫୧ ଲକ୍ଷ ଇଲେକ୍ଟୋରାଲ ଫର୍ମ ଡିଜିଟାଇଜ ;୯୪.୦୪% କାର୍ଯ୍ୟ ସମ୍ପୂର୍ଣ୍ଣ, ଜୟଦେବ ଶୀର୍ଷରେ

 Breaking News

୧୦.୫୧ ଲକ୍ଷ ଇଲେକ୍ଟୋରାଲ ଫର୍ମ ଡିଜିଟାଇଜ ;୯୪.୦୪% କାର୍ଯ୍ୟ ସମ୍ପୂର୍ଣ୍ଣ, ଜୟଦେବ ଶୀର୍ଷରେ

୧୦.୫୧ ଲକ୍ଷ ଇଲେକ୍ଟୋରାଲ ଫର୍ମ ଡିଜିଟାଇଜ ;୯୪.୦୪% କାର୍ଯ୍ୟ ସମ୍ପୂର୍ଣ୍ଣ, ଜୟଦେବ ଶୀର୍ଷରେ
July 03
22:22 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୩/୭ : ନିର୍ଭୁଲ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନରେ ଖୋରଧା ଜିଲ୍ଲା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି।
ଜିଲ୍ଲାରେ ଏପର୍ଯ୍ୟନ୍ତ ୯୪.୦୪ ପ୍ରତିଶତ ଇଲେକ୍ଟୋରାଲ ଫର୍ମ ଡିଜିଟାଇଜ୍ ହୋଇଥିବା ବେଳେ ୧୦ ଲକ୍ଷ ୫୧ ହଜାର ୫୯୧ଟି ଫର୍ମ ସଫଳତାର ସହ ଅନଲାଇନ ବ୍ୟବସ୍ଥାରେ ସଂଯୋଜିତ ହୋଇଛି।
ଏହା ଜିଲ୍ଲା ପ୍ରଶାସନ ଏବଂ ନିର୍ବାଚନ ବିଭାଗର ସୁଚାରୁ ପରିଚାଳନା ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ନିଷ୍ଠାର ଏକ ଉଜ୍ଜ୍ୱଳ ଉଦାହରଣ। ସଦ୍ୟତମ ଏସ.ଆଇ.ଆର ସ୍ଥିତି ରିପୋର୍ଟ ଅନୁଯାୟୀ, ଜିଲ୍ଲାର ପାଞ୍ଚଟି ବିଧାନସଭା କ୍ଷେତ୍ରର ୧୧ ଲକ୍ଷ ୧୮ ହଜାର ୨୬୦ ଜଣ ଭୋଟରଙ୍କୁ ଇଲେକ୍ଟୋରାଲ ଫର୍ମ ବଣ୍ଟନ କରାଯାଇଥିଲା। ସେଥିମଧ୍ୟରୁ ୧୦ ଲକ୍ଷ ୫୧ ହଜାର ୫୯୧ଟି ଫର୍ମର ଡିଜିଟାଇଜେସନ ସମ୍ପୂର୍ଣ୍ଣ ହୋଇଥିବା ବେଳେ ମାତ୍ର ୬୬ ହଜାର ୬୬୯ଟି ଫର୍ମ (୫.୯୬ ପ୍ରତିଶତ) ସଂଗ୍ରହ ବାକି ରହିଛି।
ଜିଲ୍ଲାର ଏହି ବୃହତ ଡିଜିଟାଇଜେସନ ଅଭିଯାନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଧାନସଭା ଭିତ୍ତିକ ପ୍ରଦର୍ଶନରେ ୧୧୧-ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ ୯୫.୦୬ ପ୍ରତିଶତ ଡିଜିଟାଇଜେସନ ସହ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛି।
ଏଠାରେ ୧ ଲକ୍ଷ ୮୨ ହଜାର ୧୨୬ ଜଣ ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୭୩ ହଜାର ୧୨୨ଟି ଫର୍ମ ଡିଜିଟାଇଜ୍ ହୋଇଥିବା ବେଳେ ଅସଂଗ୍ରହିତ ଫର୍ମର ହାର ମାତ୍ର ୪.୯୪ ପ୍ରତିଶତ, ଯାହା ଜିଲ୍ଲାରେ ସର୍ବନିମ୍ନ। ଏହା ପଛକୁ ଚିଲିକା ବିଧାନସଭା ୯୪.୭୨ ପ୍ରତିଶତ ସହ ଦ୍ୱିତୀୟ ଏବଂ ଜଟଣୀ ବିଧାନସଭା ୯୪.୦୬ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି। ଖୋରଧା ବିଧାନସଭାରେ ୯୩.୪୦ ପ୍ରତିଶତ ଏବଂ ବେଗୁନିଆରେ ୯୩.୧୫ ପ୍ରତିଶତ ଡିଜିଟାଇଜେସନ ହୋଇଛି।
ବେଗୁନିଆରେ ୬.୮୫ ପ୍ରତିଶତ ଫର୍ମ ଅସଂଗ୍ରହିତ ରହିଥିବାରୁ ସେଠାରେ ଅଧିକ ଘରକୁ ଘର ଯାଇ ଯାଞ୍ଚ ଓ ସଂଗ୍ରହ କାର୍ଯ୍ୟକୁ ଜୋରଦାର କରାଯାଇଛି।
ନିର୍ବାଚନ ବିଭାଗର ସୂଚନା ଅନୁଯାୟୀ, ବୁଥ୍ ସ୍ତରୀୟ ଅଧିକାରୀ, ନିର୍ବାଚନ କର୍ମଚାରୀ ଏବଂ ଜିଲ୍ଲା ପ୍ରଶାସନଙ୍କ ସମନ୍ୱିତ ଓ ନିରନ୍ତର ପ୍ରୟାସ ଫଳରେ ଏହି ସଫଳତା ସମ୍ଭବ ହୋଇଛି।
ଭୋଟର ତାଲିକାରେ ତ୍ରୁଟି ଦୂର କରିବା, ଯୋଗ୍ୟ ଭୋଟରଙ୍କ ସଠିକ ତଥ୍ୟ ସଂରକ୍ଷଣ କରିବା ଏବଂ ଭବିଷ୍ୟତ ନିର୍ବାଚନକୁ ଅଧିକ ସ୍ୱଚ୍ଛ, ବିଶ୍ୱସନୀୟ ଓ ସୁପରିଚାଳିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ଜିଲ୍ଳା ପ୍ରଶାସନ ପକ୍ଷରୁ କ୍ଷେତ୍ରସ୍ତରୀୟ ଅଧିକାରୀ ମାନଙ୍କୁ ଘରକୁ ଘର ଯାଇ ଯାଞ୍ଚ, ପୁନଃ ପରିଦର୍ଶନ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଶେଷକରି ସ୍ଥାନାନ୍ତରିତ ଭୋଟର, ତାଲା ପଡ଼ିଥିବା ଘର ଏବଂ ଦୁର୍ଗମ ଅଞ୍ଚଳ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି, ଯାହାଦ୍ୱାରା ଅବଶିଷ୍ଟ ଫର୍ମଗୁଡ଼ିକୁ ଶୀଘ୍ର ସଂଗ୍ରହ କରି ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇପାରିବ।
୧୦.୫୧ ଲକ୍ଷରୁ ଅଧିକ ଫର୍ମର ସଫଳ ଡିଜିଟାଇଜେସନ ସହ ଖୋରଧା ଜିଲ୍ଲା ଏସ.ଆଇ.ଆର କାର୍ଯ୍ୟକ୍ରମର ସଫଳ ସମାପ୍ତି ଦିଗରେ ଦୃଢ଼ ପଦକ୍ଷେପ ନେଇଛି।
ଜିଲ୍ଲା ପ୍ରଶାସନ ଆଶା ବ୍ୟକ୍ତ କରିଛି ଯେ, ଜନସାଧାରଣଙ୍କ ସହଯୋଗ ଓ କ୍ଷେତ୍ରସ୍ତରୀୟ ନିରନ୍ତର ତଦାରଖ ବଳରେ ଖୁବ ଶୀଘ୍ର ଶତପ୍ରତିଶତ ଡିଜିଟାଇଜେସନ ଲକ୍ଷ୍ୟ ହାସଲ ହେବ ଏବଂ ଜିଲ୍ଲାର ଭୋଟର ତାଲିକା ଅଧିକ ନିର୍ଭୁଲ, ସ୍ୱଚ୍ଛ ଓ ବିଶ୍ୱସନୀୟ ହୋଇଉଠିବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930