ଖୋରଧାରେ ୪୬ ଲକ୍ଷ ଟଙ୍କା ମୁଲ୍ୟର ବ୍ରାଉନସୁଗାର ଜବତ; ମା’ ପୁଅ ଗିରଫ, ଦୁଇ ଦିନରେ ଖୋରଧା ରୁ ୭୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୮/୭ : ଖୋରଧା ଜିଲ୍ଲାରେ ନିଶା କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ମଧ୍ୟରେ ଖୋରଧା ଅବକାରୀ ବିଭାଗ ମଙ୍ଗଳବାର ଚଳିତ ବର୍ଷର ଅନ୍ୟତମ ବଡ଼ ସଫଳତା ହାସଲ କରିଛି।
ଏକ ସୁଚିନ୍ତିତ ଚଢ଼ାଉ ସମୟରେ ପ୍ରାୟ ୪୬୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ₹୪୬ ଲକ୍ଷ ବୋଲି ଆକଳନ କରାଯାଇଛି।
ଘଟଣାରେ ମା\’ ଓ ପୁଅ କୁ ଗିରଫ କରାଯାଇଛି। ଏହି ଜବତ ପରେ ଖୋରଧା ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ଏକ ବୃହତ ନିଶା କାରବାର ସନ୍ଧାନ ପାଇଁ ଅବକାରୀ ବିଭାଗ ତଦନ୍ତକୁ ଅଧିକ ଜୋରଦାର କରିଛି।
ଏହି ଘଟଣାରେ ଅବକାରୀ ଥାନାରେ ପି.ଆର୍. କେସ୍ ନଂ-୯୨/୨୦୨୬-୨୭ ରୁଜୁ କରାଯାଇ ଏନ.ଡି.ପି.ଏସ୍ ଆଇନର ବିଭିନ୍ନ ଧାରାରେ ମାମଲା ରୁଜ୍ଜୁ କରଯାଇଛି।
ଗିରଫ ଦୁଇ ଅଭିଯୁକ୍ତ ହେଲେ ନବୀନବାଗ ଅଞ୍ଚଳର ଲୋକନାଥ ପାଇକରାୟ (୨୩) ଓ ତାଙ୍କ ମା\’ ମାମି ପାଇକରାୟ (୪୫)।
ଉଭୟେ ଖୋରଧା ଆଦର୍ଶ ଥାନା ଅଧୀନ ନବୀନବାଗର ବାସିନ୍ଦା। ଜିଲ୍ଲା ଅବକାରୀ କାର୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ସହରର ଶକ୍ତିନଗର ଲେନ୍–୨ରେ ଚଢ଼ାଉ କରାଯାଇଥିଲା।
ସେଠାରୁ ୪୬୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯିବା ସହ ଏହା ପରିବହନରେ ବ୍ୟବହୃତ ହେଉଥିବା ଏକ ଟିଭିଏସ୍ ଜୁପିଟର ସ୍କୁଟର , ଦୁଇଟି ମୋବାଇଲ୍ ଫୋନ୍ ଏବଂ ₹୭,୦୦୦ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି।
ଏହି ଚଢ଼ାଉର ନେତୃତ୍ୱ ନେଇଥିଲେ ଖୋରଧା ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ତଥା ମାମଲାର ତଦନ୍ତକାରୀ ଅଧିକାରୀ ସୁଜିତ କୁମାର ନାଗ, ଏସ୍.ଆଇ ସୁଜିତ କୁମାର ମୁଦୁଲି, ଏ.ଏସ୍.ଆଇ ସଞ୍ଜୟ ରାଉତ, ଜିତେନ୍ଦ୍ର ବେହେରା, ଶ୍ରୀଧର ପଲେଇ ଓ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ଅଭିଯାନରେ ସାମିଲ ଥିଲେ।
ଏହି ବ୍ରାଉନ୍ ସୁଗାର କେଉଁଠାରୁ ଆସିଥିଲା, କେଉଁ ଅଞ୍ଚଳକୁ ଯୋଗାଣ ହେବାର ଯୋଜନା ଥିଲା ଏବଂ ଅଭିଯୁକ୍ତମାନେ କୌଣସି ବୃହତ ଆନ୍ତଃଜିଲ୍ଲା ନିଶା କାରବାର ଗୋଷ୍ଠୀ ସହ ସମ୍ପୃକ୍ତ କି ନାହିଁ, ସେ ନେଇ ଖୋଳତାଡ଼ କରୁଛି ଅବକାରୀ ବିଭାଗ।
ଜବତ ହୋଇଥିବା ଦୁଇଟି ମୋବାଇଲ୍ ଫୋନର ଡିଜିଟାଲ୍ ଓ ଫରେନସିକ୍ ପରୀକ୍ଷା କରାଯିବ। କଲ ରେକର୍ଡ, ଅନଲାଇନ ଆର୍ଥିକ କାରବାର ଓ ଅନ୍ୟାନ୍ୟ ଡିଜିଟାଲ ତଥ୍ୟ ଯାଞ୍ଚ କରି ନିଶା କାରବାରରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତି , ଆର୍ଥିକ କାରବାର ସମ୍ପର୍କରେ ସନ୍ଧାନ କରାଯାଉଛି। ତଦନ୍ତ କାରୀ ଅଧିକାରୀମାନେ ଏହା ମଧ୍ୟ ଯାଞ୍ଚ କରୁଛନ୍ତି ଯେ ଗିରଫ ଅଭିଯୁକ୍ତ ମାନଙ୍କର ପୂର୍ବରୁ ନିଶା କାରବାର ସହ କୌଣସି ସମ୍ପର୍କ ଥିଲା କି ନାହିଁ। ଜବତ ନଗଦ ଟଙ୍କା ପୂର୍ବରୁ ହୋଇଥିବା ବେଆଇନ କାରବାରର ଅଂଶ କି ନୁହେଁ ଏବଂ ଜବତ ସ୍କୁଟର ପୂର୍ବରୁ ମଧ୍ୟ ନିଶା ସାମଗ୍ରୀ ପରିବହନରେ ବ୍ୟବହୃତ ହୋଇଥିଲା କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି।
ସମ୍ପ୍ରତି ଖୋରଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ବିରୋଧରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଲଗାତାର ସ୍ୱତନ୍ତ୍ର ଅଭିଯାନ ଚାଲିଥିବା ବେଳେ ଏହି ବଡ଼ ଧରଣର ଧର ପଗଡ଼ ନିଶା ମାଫିଆଙ୍କ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନକୁ ଆହୁରି ଗତି ଦେଇଛି।






