Indus Valley Times

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ନେତୃତ୍ୱ ବିକାଶ ତଥା ଜାତୀୟ ଓ ଆନ୍ତର୍ଜାତୀୟ ଛାତ୍ରବୃତ୍ତି ସୁଯୋଗ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ

 Breaking News

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ନେତୃତ୍ୱ ବିକାଶ ତଥା ଜାତୀୟ ଓ ଆନ୍ତର୍ଜାତୀୟ ଛାତ୍ରବୃତ୍ତି ସୁଯୋଗ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ନେତୃତ୍ୱ ବିକାଶ ତଥା ଜାତୀୟ ଓ ଆନ୍ତର୍ଜାତୀୟ ଛାତ୍ରବୃତ୍ତି ସୁଯୋଗ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ
November 14
21:00 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର/ଓଡ଼ିଶା,୧୪/୧୧ : ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ୧୩ ନଭେମ୍ବର ୨୦୨୬ ତାରିଖରେ “ଛାତ୍ରଛାତ୍ରୀଙ୍କ ନେତୃତ୍ୱ ଦକ୍ଷତାର ବିକାଶ ଏବଂ ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକମାନଙ୍କ ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ଛାତ୍ରବୃତ୍ତି” ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।
ଏହି ଆଲୋଚନାଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱ ଗୁଣାବଳୀ,ଶୈକ୍ଷିକ ଉତ୍କର୍ଷତା ଏବଂ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଛାତ୍ରବୃତ୍ତି ମାଧ୍ୟମରେ ଉଚ୍ଚଶିକ୍ଷା ଲାଭର ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା।
ଏହି ଅବସରରେ ତିନିଜଣ ବିଶିଷ୍ଟ ବକ୍ତା ନିଜର ମୂଲ୍ୟବାନ ଅନୁଭୂତି ଓ ଅଭିଜ୍ଞତା ବାଣ୍ଟିଥିଲେ।
ପ୍ରଥମ ବକ୍ତା ଡ. ଶିବାଶିଷ ଗିରି,ମସ୍କୋ,ରୁଷିଆରେ କାର୍ଯ୍ୟରତ ମୁଖ୍ୟ ବୈଜ୍ଞାନିକ ଅଧିକାରୀ ତଥା ଆଡ୍‌ଜଙ୍କ୍ଟ ପ୍ରଫେସର, ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା ଏବଂ ପୃଥିବୀର ସୁରକ୍ଷା କ୍ଷେତ୍ରରେ ବିଜ୍ଞାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଏଥି ସହିତ ଚର୍ମଜନିତ ସମସ୍ୟାର ଚିକିତ୍ସାରେ ଚର୍ମ ଚିକିତ୍ସା ପଦ୍ଧତିର ଭୂମିକା ବିଷୟରେ ବୁଝାଇବା ସହ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଉଥିବା ଛାତ୍ରବୃତ୍ତି, ଫେଲୋସିପ୍ ଏବଂ ଗବେଷଣା ଅନୁଦାନ ସମ୍ପର୍କରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ।
ଦ୍ୱିତୀୟ ବକ୍ତା ସୁଭସ୍ମିତା ମିଶ୍ର,ଓଏଏସ୍,କଳାହାଣ୍ଡିର ଉପଜିଲ୍ଲାପାଳ ତଥା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ,ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ କିପରି ପ୍ରସ୍ତୁତି କରିବାକୁ ହୁଏ,ସେ ସମ୍ପର୍କରେ ଉପାଦେୟ ପରାମର୍ଶ ଦେଇଥିଲେ।
ସେ ଛାତ୍ରଛାତ୍ରୀ ମାନଙ୍କୁ ଇନ୍‌ଷ୍ଟାଗ୍ରାମ୍ ଭଳି ସାମାଜିକ ଗଣମାଧ୍ୟମରେ ଅଧିକ ସମୟ ନଷ୍ଟ ନକରି ନିୟମିତ ଖବରକାଗଜ ପଢ଼ିବା ମାଧ୍ୟମରେ ଜାତୀୟ ଓ ଆନ୍ତର୍ଜାତୀୟ ସମସାମୟିକ ଘଟଣାବଳୀ ସମ୍ପର୍କରେ ଅବଗତ ରହିବାକୁ ପରାମର୍ଶ ଦେଇଥିଲେ।
ତୃତୀୟ ବକ୍ତା ଡ.ଅବିନୀତ ପରିଚ୍ଛା,ଜଣେ ଯୁବ ବୈଜ୍ଞାନିକ ତଥା ୨୦୧୬ ମସିହାରେ ବଲାଙ୍ଗୀରସ୍ଥିତ ଏଲ୍‌ଏଫ୍‌ଏସ୍‌ରୁ ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ଜାତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ପୂର୍ବତନ ଛାତ୍ର,ନିଜର ପ୍ରେରଣାଦାୟକ ଶୈକ୍ଷିକ ଯାତ୍ରା ସମ୍ପର୍କରେ ଅନୁଭୂତି ବାଣ୍ଟିଥିଲେ।
ଫ୍ରାନ୍ସର ସୋର୍ବୋନ୍ ବିଶ୍ୱବିଦ୍ୟାଳୟରୁ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ପଦାର୍ଥ ବିଜ୍ଞାନ(ଆଷ୍ଟ୍ରୋଫିଜିକ୍ସ) ରେ ପିଏଚ୍‌ଡି ସମାପ୍ତ କରିଥିବା ଡ.ପରିଚ୍ଛା ଛୋଟ ଛୋଟ ଏବଂ ହାସଲ କରିହେବା ଭଳି ଲକ୍ଷ୍ୟ ନିର୍ଦ୍ଧାରଣ କରି ନିରନ୍ତର ପ୍ରୟାସ ଜାରି ରଖିବାର ଗୁରୁତ୍ୱ ଉପରେ ଜୋର୍ ଦେଇଥିଲେ।
ନିଜର ବ୍ୟକ୍ତିଗତ ଅନୁଭୂତିକୁ ଆଧାର କରି ସେ ଛାତ୍ରଛାତ୍ରୀମାନଙ୍କୁ ନିଜର ଶୈକ୍ଷିକ ଜୀବନବୃତ୍ତାନ୍ତ(ଏକାଡେମିକ୍ ସିଭି)ପ୍ରସ୍ତୁତ କରିବା ସହ ଇଣ୍ଟର୍ନସିପ୍ କରିବାକୁ ପରାମର୍ଶ ଦେଇଥିଲେ।
ଏହାଦ୍ୱାରା ସେମାନଙ୍କର ଜ୍ଞାନ,ବ୍ୟବହାରିକ ଅଭିଜ୍ଞତା ଏବଂ ବୃତ୍ତିଗତ ଦକ୍ଷତା ବୃଦ୍ଧି ପାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି ଆଲୋଚନାଚକ୍ରର ଆନ୍ତଃକ୍ରିୟାତ୍ମକ ଅଧିବେଶନରେ ଛାତ୍ରଛାତ୍ରୀମାନେ ବକ୍ତାମାନଙ୍କ ସହ ସିଧାସଳଖ ଭାବବିନିମୟ କରିବା ସହ ଶିକ୍ଷା,ବୃତ୍ତିଗତ ଜୀବନ ଏବଂ କ୍ୟାରିୟର୍ ସମ୍ପର୍କିତ ବିଭିନ୍ନ ବିଷୟରେ ମାର୍ଗଦର୍ଶନ ଲାଭ କରିବାର ସୁଯୋଗ ପାଇଥିଲେ।
କାର୍ଯ୍ୟକ୍ରମରେ ପିଜି କାଉନ୍‌ସିଲ୍‌ର ଅଧ୍ୟକ୍ଷ ଡ.ପି.କେ.ଦାଶ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ନିଜ ଲକ୍ଷ୍ୟ ପ୍ରତି ଏକାଗ୍ର ଓ ଦୃଢ଼ ସଂକଳ୍ପବଦ୍ଧ ରହିବାକୁ ପରାମର୍ଶ ଦେଇଥିଲେ।
ଛାତ୍ରବୃତ୍ତି ବିଭାଗର ଭାରପ୍ରାପ୍ତ ଅଧିକାରୀ ତଥା ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡ.ଜେ.କାମିଳା ଅତିଥି ବକ୍ତାମାନଙ୍କ ପରିଚୟ ପ୍ରଦାନ କରିବା ସହ ସମବେତ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ।
ଶେଷରେ ଛାତ୍ର କଲ୍ୟାଣ ଅଧିକାରୀ ତଥା ଉପକୁଳସଚିବ ବିଶ୍ୱଜିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30