Indus Valley Times

ମଧୁବାବୁ ପେନ୍‌ସନ୍ ଯୋଜନାର ନୂତନ ପୋର୍ଟାଲ୍ ଶୁଭାରମ୍ଭ : ୨୨୮ ନୂତନ ହିତାଧିକାରୀଙ୍କୁ ମିଳିଲା ପେନ୍‌ସନ୍‌

 Breaking News

ମଧୁବାବୁ ପେନ୍‌ସନ୍ ଯୋଜନାର ନୂତନ ପୋର୍ଟାଲ୍ ଶୁଭାରମ୍ଭ : ୨୨୮ ନୂତନ ହିତାଧିକାରୀଙ୍କୁ ମିଳିଲା ପେନ୍‌ସନ୍‌

ମଧୁବାବୁ ପେନ୍‌ସନ୍ ଯୋଜନାର ନୂତନ ପୋର୍ଟାଲ୍ ଶୁଭାରମ୍ଭ : ୨୨୮ ନୂତନ ହିତାଧିକାରୀଙ୍କୁ ମିଳିଲା ପେନ୍‌ସନ୍‌
November 14
21:36 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୪/୧୧ : ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ଦିଗରେ ବାଲିଗୁଡ଼ାରେ ଆଉ ଏକ ପଦକ୍ଷେପ ନିଆଯାଇଛି। ମଧୁବାବୁ ପେନ୍‌ସନ୍ ଯୋଜନାରେ ଡିଜିଟାଲ୍ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ଲକ୍ଷ୍ୟରେ ୟୁନିଫାଏଡ୍ ପେନ୍‌ସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ୍ (UPMP)ର ଶୁଭାରମ୍ଭ ସହ ନୂତନ ଭାବେ ସ୍ୱୀକୃତିପ୍ରାପ୍ତ ୨୨୮ ଜଣ ହିତାଧିକାରୀଙ୍କୁ ପେନ୍‌ସନ୍ ବଣ୍ଟନ କରାଯାଇଛି।
ବାଲିଗୁଡ଼ା ବ୍ଲକ୍ ସ୍ତରରେ ଆୟୋଜିତ ଏହି କାର‌୍ୟ୍ୟକ୍ରମ ସାମାଜିକ ସୁରକ୍ଷା ଯୋଜନାରେ ଡିଜିଟାଲ୍ ପ୍ରଯୁକ୍ତିର ଉପଯୋଗକୁ ଏକ ନୂଆ ଦିଗ ଦେଇଛି। ନୂତନ ପୋର୍ଟାଲ୍ ମାଧ୍ୟମରେ ପେନ୍‌ସନ୍ ଆବେଦନ, ହିତାଧିକାରୀଙ୍କ ତଥ୍ୟ ଯାଞ୍ଚ, ଅନୁମୋଦନ ଏବଂ ପେନ୍‌ସନ୍ ବଣ୍ଟନ ପ୍ରକ୍ରିୟାକୁ ଅଧିକ ସରଳ ଓ ସ୍ୱଚ୍ଛ କରାଯାଇପାରିବ।
ଏହାଦ୍ୱାରା ପ୍ରଶାସନିକ ସ୍ତରରେ ଅଯଥା ବିଳମ୍ବ ହ୍ରାସ ପାଇବା ସହ ପ୍ରକୃତ ଯୋଗ୍ୟ ହିତାଧିକାରୀ ଠିକ୍ ସମୟରେ ସରକାରୀ ସହାୟତା ପାଇପାରିବେ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ।
ବିଶେଷକରି ବୟସ୍କ, ବିଧବା, ଦିବ୍ୟାଙ୍ଗ ଓ ଆର୍ଥିକ ଦୃଷ୍ଟିରୁ ଅସହାୟ ଲୋକଙ୍କ ପାଇଁ ପେନ୍‌ସନ୍ କେବଳ ଏକ ସରକାରୀ ସହାୟତା ନୁହେଁ, ବରଂ ଏହା ସେମାନଙ୍କ ଜୀବନର ଏକ ପ୍ରମୁଖ ଆର୍ଥିକ ଆଧାର।
ତେଣୁ ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରି ଯୋଜନାରେ ସାମିଲ କରିବା ସହ ସେମାନଙ୍କୁ ନିୟମିତ ଭାବେ ପେନ୍‌ସନ୍ ଯୋଗାଇଦେବା ଉପରେ ଏହି ନୂତନ ବ୍ୟବସ୍ଥା ଗୁରୁତ୍ୱ ଦେବ ବୋଲି କୁହାଯାଇଛି।
ଏହି ଅବସରରେ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ସାଂସଦଙ୍କ ପ୍ରତିନିଧି ରଞ୍ଜିତ କୁମାର ସାହୁ, ବାଲିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିଶାବତୀ କହଁର, ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଡେପୁଟି କଲେକ୍ଟର ସଞ୍ଜୀବ କୁମାର ରୂପାମାଝୀ , ବାଲିଗୁଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ , ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିବଶଙ୍କର ସମରଥ ଏବଂ ଉପମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ମମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନୂତନ ପୋର୍ଟାଲ୍‌ର ଶୁଭାରମ୍ଭ କରିଥିଲେ।
ଏଥିସହ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ପିଆର୍‌ଆଇ ସଦସ୍ୟ ଓ ପଞ୍ଚାୟତ ସମିତି ସଭ୍ୟମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ନୂତନ ହିତାଧିକାରୀଙ୍କୁ ପେନ୍‌ସନ୍ ବଣ୍ଟନ। ବାଲିଗୁଡ଼ା ବ୍ଲକ୍‌ର ୧୭୦ ଜଣ ଏବଂ ବାଲିଗୁଡ଼ା ଏନ୍‌ଏସିର ୫୮ ଜଣଙ୍କୁ ମିଶାଇ ମୋଟ ୨୨୮ ଜଣ ନୂତନ ହିତାଧିକାରୀଙ୍କୁ ପେନ୍‌ସନ୍ ପ୍ରଦାନ କରାଯାଇ ଥିଲା।
ଦୀର୍ଘଦିନ ଧରି ସାମାଜିକ ସୁରକ୍ଷା ସହାୟତା ଅପେକ୍ଷାରେ ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଯୋଜନାରେ ସାମିଲ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତପ୍ରକାଶ ପାଇଥିଲା।
ତେବେ ନୂତନ ପୋର୍ଟାଲ୍‌ର ସଫଳତା କେବଳ ଶୁଭାରମ୍ଭରେ ସୀମିତ ନରହି ଯୋଗ୍ୟ ହିତାଧିକାରୀଙ୍କୁ ନିର୍ଦ୍ଧାରିତ ସମୟରେ ନିୟମିତ ପେନ୍‌ସନ୍ ପହଞ୍ଚାଇବାରେ କେତେଦୂର ସହାୟକ ହେଉଛି, ତାହା ଆଗାମୀ ଦିନରେ ଏହାର ପ୍ରକୃତ ସଫଳତା ନିର୍ଦ୍ଧାରଣ କରିବ।
ତୃଣମୂଳ ସ୍ତରରେ ସାମାଜିକ ସୁରକ୍ଷାର ସୁଫଳ ପହଞ୍ଚାଇବା ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି।
ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ବେଳେ ଚଢ଼ାଉ : କାଠ ସହ ବୋଲେରୋ ପିକ୍‌ଅପ୍ ଜବତ, ଚାଳକ ଫେରାର
ବାଲିଗୁଡ଼ା, ୧୪/୧୧ : କନ୍ଧମାଳ ଜିଲ୍ଲାରେ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଚଢ଼ାଉ ଜୋରଦାର କରାଯାଇଥିବା ବେଳେ କାଠ ମାଫିଆଙ୍କ ବେଆଇନ କାରବାର ଉପରେ ପୁଣି ଏକ ବଡ଼ ଧରଣର ଆଘାତ ଲାଗିଛି।
କୋଟଗଡ଼ ବନାଞ୍ଚଳ ଅଧୀନ ଲାସେରୀ ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ହେଉଥିବା ସମୟରେ ବନ ବିଭାଗ ଚଢ଼ାଉ କରି ୯୨ ଖଣ୍ଡ ଶାଳ କାଠ ସହ ଏକ ମହିନ୍ଦ୍ରା ମ୍ୟାକ୍ସ ବୋଲେରୋ ପିକ୍‌ଅପ୍ ଗାଡ଼ିକୁ ଜବତ କରିଛି।
ଜବତ କାଠର ଆନୁମାନିକ ବଜାର ମୂଲ୍ୟ ୧ ଲକ୍ଷ ୩୪ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ବାଲିଗୁଡ଼ା ବନଖଣ୍ଡ ଅଧୀନ କୋଟଗଡ଼ ବନାଞ୍ଚଳର ସୁପାମାହା ବିଟ୍ ଅନ୍ତର୍ଗତ ଲାସେରୀ ଜଙ୍ଗଲରୁ ଏକ ପିକ୍‌ଅପ୍ ଗାଡ଼ି ଯୋଗେ ଶାଳ କାଠ ଚାଲାଣ ହେଉଥିବା ନେଇ ବନ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ବନ ବିଭାଗର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା।
ବନ କର୍ମଚାରୀଙ୍କୁ ଦେଖି ଗାଡ଼ି ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଫଳରେ ବନ ବିଭାଗ କାଠ ବୋଝେଇ ଗାଡ଼ିକୁ ଜବତ କରିବାରେ ସଫଳ ହୋଇଥିଲା। ଜବତ ଗାଡ଼ିର ନମ୍ବର ଓଡ଼ି-୦୨-ଡିଇ-୭୨୦୯ ବୋଲି ଜଣାପଡ଼ିଛି। ଗାଡ଼ିରୁ ମୋଟ ୯୨ ଖଣ୍ଡ ଶାଳ କାଠ ଜବତ କରାଯାଇଛି।
ଏହି କାଠଗୁଡ଼ିକର ଆକାର ଓ ମାପ ଯାଞ୍ଚ କରାଯିବା ସହ ଚୋରାଚାଲାଣ ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଜାରି ରହିଛି। ଏହି ଚଢ଼ାଉରେ ଲାସେରୀ ଫରେଷ୍ଟର ରବି ମୋହନ ନାୟକ, ଦୀପକ ପଟ୍ଟନାୟକ ଓ ଜୟାନନ୍ଦ ସେଠୀ ପ୍ରମୁଖ ବନ କର୍ମଚାରୀ ସାମିଲ ଥିଲେ। ଏନେଇ ବନ ବିଭାଗ ପକ୍ଷରୁ ୯/୨୦୨୬-୨୭ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି। କୋଟଗଡ଼ ବନାଞ୍ଚଳ ଅଧିକାରୀ ବାଳଗୋପାଳ ବେହେରା ଏହି ସୂଚନା ଦେଇଛନ୍ତି।
ତେବେ ଏହି ଘଟଣା ପୁଣିଥରେ ଜଙ୍ଗଲ ସମ୍ପଦର ସୁରକ୍ଷା ଓ ବେଆଇନ କାଠ ଚାଲାଣ ରୋକିବା ଦିଗରେ ବନ ବିଭାଗର ନିୟମିତ ନଜରଦାରି ଏବଂ କଡ଼ା ପଦକ୍ଷେପର ଆବଶ୍ୟକତାକୁ ସାମ୍ନାକୁ ଆଣିଛି।
ଅନାଗୁଲକୁ ଗଡ଼ିଲା ‘ମୋ ବସ୍’ : ଅଞ୍ଚଳର ପରିବହନ ବ୍ୟବସ୍ଥାରେ ଯୋଡ଼ିହେଲା ନୂଆ ଅଧ୍ୟାୟ
ବାଲିଗୁଡ଼ା, ୧୪/୧୧ : କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଲଣ୍ଡାଗାଁଠାରୁ ଅନାଗୁଲ ପର‌୍ୟ୍ୟନ୍ତ ଆଜିଠାରୁ ‘ମୋ ବସ୍’ ସେବାର ଶୁଭାରମ୍ଭ ହୋଇଛି।
ଏହି ବସ୍ ସେବା ଆରମ୍ଭ ହେବା ଫଳରେ ଦୀର୍ଘଦିନ ଧରି ଉନ୍ନତ ଯାତାୟାତ ସୁବିଧା ଅପେକ୍ଷାରେ ଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ଓ ଉତ୍ସାହ ସୃଷ୍ଟି ହୋଇଛି।
ବିଶେଷକରି ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ନିୟମିତ ଯାତାୟାତ, ଶିକ୍ଷା, ସ୍ୱାସ୍ଥ୍ୟସେବା, ବ୍ୟବସାୟ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟରେ ଯିବାଆସିବା କ୍ଷେତ୍ରରେ ଏହି ବସ୍ ସେବା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି। ଦୁର୍ଗମ ଅଞ୍ଚଳରେ ସାଧାରଣ ପରିବହନ ସୁବିଧାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ସେବା ଆରମ୍ଭ ହେବାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଭାବେ ଦେଖାଯାଉଛି।
ଏହି ନୂତନ ବସ୍ ସେବା ଆରମ୍ଭ ହେବା ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ କୁମାର ବିଶିମାଝି, ମାନ୍ୟବର ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ରାଜ୍ୟ ପରିବହନ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି।
ତେବେ କେବଳ ବସ୍ ସେବା ଆରମ୍ଭ ନୁହେଁ, ଏହାର ନିୟମିତ ପରିଚାଳନା ଓ ଯାତ୍ରୀଙ୍କ ପାଇଁ ସୁବିଧାଜନକ ସେବା ଯୋଗାଇଦେବା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ।
ଏହି ସେବା ଆଗାମୀ ଦିନରେ ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ନୂଆ ଦିଗ ଦେବା ସହ ଅଞ୍ଚଳର ବିକାଶରେ ସହାୟକ ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30