Indus Valley Times

ଖୋରଧା ରେ ବ୍ୟାପୁଛି ନିଶା କାରବାର ନେଟୱର୍କ,୬୦.୩୫ କେଜି ଗଞ୍ଜେଇ ଓ ୧୦୦ ବୋତଲ କୋଡ଼ିନ କଫ ସିରଫ ଜବତ;୮ ଗିରଫ, ନିଶା କାରବାର ନେଟୱର୍କ ର ଖୋଳତାଡ଼

 Breaking News

ଖୋରଧା ରେ ବ୍ୟାପୁଛି ନିଶା କାରବାର ନେଟୱର୍କ,୬୦.୩୫ କେଜି ଗଞ୍ଜେଇ ଓ ୧୦୦ ବୋତଲ କୋଡ଼ିନ କଫ ସିରଫ ଜବତ;୮ ଗିରଫ, ନିଶା କାରବାର ନେଟୱର୍କ ର ଖୋଳତାଡ଼

ଖୋରଧା ରେ ବ୍ୟାପୁଛି ନିଶା କାରବାର ନେଟୱର୍କ,୬୦.୩୫ କେଜି ଗଞ୍ଜେଇ ଓ ୧୦୦ ବୋତଲ କୋଡ଼ିନ କଫ ସିରଫ ଜବତ;୮ ଗିରଫ, ନିଶା କାରବାର ନେଟୱର୍କ ର ଖୋଳତାଡ଼
August 04
20:15 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୪/୮ : ଖୋରଧା ଜିଲ୍ଲାରେ ନିଶା କାରବାର ନିୟନ୍ତ୍ରଣ ପାଇଁ ପୁଲିସ ଲଗାତାର ସ୍ୱତନ୍ତ୍ର ଅଭିଯାନ ଚଳାଇଥିବାବେଳେ ଏକ ଦିନରେ ଦୁଇଟି ବଡ଼ ଧରଣର ଚଢ଼ାଉ ଜିଲ୍ଲାରେ ସକ୍ରିୟ ନିଶା କାରବାର ର ବ୍ୟାପକ ନେଟୱର୍କକୁ ପୁଣିଥରେ ସାମ୍ନାକୁ ଆଣିଛି। ବୋଲଗଡ଼ ଓ ଖୋରଧା ସଦର ଥାନା ପୁଲିସ ପୃଥକ ଅଭିଯାନରେ ୬୦ କେଜି ୩୫୦ ଗ୍ରାମ ଗଞ୍ଜେଇ ଏବଂ ୧୦୦ ବୋତଲ କୋଡିନ କଫ ସିରପ ଜବତ କରିଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି।
ଟାଟା ପଞ୍ଚ କାର, ୩ଟି ମୋଟରସାଇକେଲ୍ ଓ ୩ଟି ମୋବାଇଲ ଫୋନ ମଧ୍ୟ ପୁଲିସ ଜବତ କରିଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ.ପି ପରମାର ସ୍ମିତ ପର୍ଶୋତ୍ତମଦାସ କହିଛନ୍ତି ଯେ, ଉଭୟ ଅଭିଯାନ ସମ୍ପୂର୍ଣ୍ଣ ଗୁଇନ୍ଦା ସୂଚନା ଆଧାରରେ ପରିଚାଳିତ ହୋଇଥିଲା।
ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ସଂଗଠିତ ନିଶା କାରବାର ନେଟୱର୍କର ଅଂଶ ବୋଲି ସନ୍ଦେହ କରାଯାଉଛି।
ଜବତ ହୋଇଥିବା ମୋବାଇଲ ଫୋନ ଯାନବାହନ ଏବଂ ଅନ୍ୟାନ୍ୟ ତଥ୍ୟକୁ ଯାଞ୍ଚ କରି ଏହି ଗୋଷ୍ଠୀ ସହ ଜଡ଼ିତ ଅନ୍ୟ ବ୍ୟକ୍ତି ଓ ସମ୍ଭାବ୍ୟ ଗନ୍ତବ୍ୟସ୍ଥଳ ଚିହ୍ନଟ କରିବାକୁ ପୁଲିସ ତଦନ୍ତ ଜୋରଦାର କରିଛି।
ଏସ୍କର୍ଟ କରି ନିଆଯାଉଥିଲା ଗଞ୍ଜେଇ ।
ଅଗଷ୍ଟ ୩ ତାରିଖରେ ବୋଲଗଡ଼ ଥାନା ପୁଲିସକୁ ଖବର ମିଳିଥିଲା ଯେ ଜାତୀୟ ରାଜପଥ-୫୭ ଦେଇ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରାଯାଉଛି।
ଏସ.ପିଙ୍କ ନିର୍ଦ୍ଦେଶ ଓ ଏସ.ଡି.ପି.ଓ ପଙ୍କଜ କୁମାର ମାଝୀଙ୍କ ତତ୍ତ୍ୱାବଧାନରେ ଇନିସପେକ୍ଟର ସୁକାନ୍ତ ଦଳାଇଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା।
ମା\’ ମଙ୍ଗଳା ମନ୍ଦିର ନିକଟରେ ଗାଡି ଗୁଡ଼ିକ ଯାଞ୍ଚ କରି ଏକ ଟାଟା ପଞ୍ଚ କାର୍ ଓ ତାହାକୁ ଏସ୍କର୍ଟ କରୁଥିବା ପଲ୍ସର ବାଇକ୍‌କୁ ଅଟକାଯାଇଥିଲା। ଏନ.ଡି.ପି.ଏସ ଆଇନର ଧାରା ୪୨ ଓ ୫୦ ଅନୁଯାୟୀ ସମସ୍ତ ଆଇନଗତ ପ୍ରକ୍ରିୟା ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଲାସି କରାଯାଇଥିଲା।
କାରର ଡିକିରୁ ୩ଟି ପ୍ଲାଷ୍ଟିକ୍ ବସ୍ତାରେ ରଖାଯାଇଥିବା ୬୦.୩୫ କେଜି ଗଞ୍ଜେଇ ଜବତ ହୋଇଥିଲା।
ଏହାର ବଜାର ମୂଲ୍ୟ ପ୍ରାୟ ୬.୩୦ ଲକ୍ଷ ଟଙ୍କା ବୋଲି ପୁଲିସ ଆକଳନ କରିଛି। ଘଟଣାସ୍ଥଳରୁ କନ୍ଧମାଳ ଜିଲ୍ଲାର ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ବେଆଇନ୍ ଭାବରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଏନ.ଡି.ପି.ଏସ ଆଇନର ଧାରା ୨୦(ବି)(୨)(ସି) ଓ ୨୯ରେ ମାମଲା ରୁଜୁ ହୋଇଛି।
ସେହିଦିନ ସନ୍ଧ୍ୟାରେ ଖୋରଧା ସଦର ଥାନା ପୁଲିସ କାଇପଦର କଲେଜ ନିକଟରେ ଚଢ଼ାଉ କରି କୋଡିନ୍ ମିଶ୍ରିତ ୧୦୦ ବୋତଲ ଏସକଫ କଫ ସିରପ୍ ଜବତ କରିଥିଲା।
ଏସ୍‌.ଆଇ ତୁଷାରକାନ୍ତ ପରିଡ଼ାଙ୍କ ନେତୃତ୍ୱରେ ହୋଇଥିବା ଏହି ଅଭିଯାନରେ ଦୁଇଟି ମୋଟରସାଇକେଲ୍ ଓ ଗୋଟିଏ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।
ଏହି ଘଟଣାରେ ପୁବୁସାହିର ସୁବ୍ରତ ପ୍ରଧାନଙ୍କୁ ଗିରଫ କରାଯାଇଛି। ପଚରାଉଚରା ବେଳେ ସେ ବେଆଇନ ଭାବେ କଫ ସିରପ ବିକ୍ରି କରି ଅର୍ଥ ଉପାର୍ଜନ କରିବା କଥା ସ୍ୱୀକାର କରିଥିବା ପୁଲିସ କହିଛି।
ତେବେ ତାଙ୍କ ସହଯୋଗୀ ରବୀନ୍ଦ୍ର ପରିଡ଼ା ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଗତ କିଛି ମାସ ଧରି ଜିଲ୍ଲାରେ ବ୍ରାଉନ ସୁଗାର, ଗଞ୍ଜେଇ ଓ କୋଡିନ ମିଶ୍ରିତ କଫ ସିରପ ଜବତ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି।
ବିଶେଷକରି ଜାତୀୟ ରାଜପଥ ଏବଂ ଗ୍ରାମାଞ୍ଚଳର ସଂଯୋଗ ସଡ଼କକୁ ବ୍ୟବହାର କରି ନିଶାଦ୍ରବ୍ୟ ପରିବହନ ହେଉଥିବା ସନ୍ଦେହ ଜୋରଦାର ହୋଇଛି। କନ୍ଧମାଳ ପରି ଗଞ୍ଜେଇ ଉତ୍ପାଦନ ପ୍ରବଣ ଅଞ୍ଚଳରୁ ଖୋରଧା ଦେଇ ଉପକୂଳ ଜିଲ୍ଲା ଓ ସହରାଞ୍ଚଳକୁ ଏହି ଚାଲାଣ ହେଉଥିବା ଦିଗକୁ ମଧ୍ୟ ପୁଲିସ ତଦନ୍ତ କରୁଛି।
ଏସ.ପି କହିଛନ୍ତି, ନିଶା କାରବାର ବିରୋଧରେ ଗୁଇନ୍ଦା ସୂଚନା ଆଧାରିତ ଅଭିଯାନ ଆହୁରି ତୀବ୍ର କରାଯିବ।
ଜବତ ମୋବାଇଲ୍ ଫୋନର କଲ ଡିଟେଲ୍, ଡିଜିଟାଲ୍ ତଥ୍ୟ ଏବଂ ଆର୍ଥିକ କାରବାରକୁ ମଧ୍ୟ ଯାଞ୍ଚ କରାଯାଉଛି।
ନିଶା କାରବାରର ମୂଳ ନେଟୱର୍କକୁ ଠାବ କରି ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନିଆଯିବ।
ସାଧାରଣ ଲୋକଙ୍କୁ ମଧ୍ୟ ନିଶା କାରବାର ସମ୍ପର୍କିତ ସୂଚନା ପୁଲିସକୁ ଦେବାକୁ ସେ ଆହ୍ୱାନ କରିଛନ୍ତି।
ଉଭୟ ଘଟଣାର ତଦନ୍ତ ଜାରି ରହିଥିବାବେଳେ ଏହା ପଛରେ ଆହୁରି ବଡ଼ ନିଶାକାରବାର କରୁଥିବା ଗୋଷ୍ଠୀ ସକ୍ରିୟ ଥିବା ନେଇ ପୁଲିସ ବିଭିନ୍ନ ଦିଗରୁ ଖୋଳତାଡ଼ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31