Indus Valley Times

ଚିନ୍ତାରେ ବ୍ୟବସାୟୀ : ପରିବା ହାଟରେ ପଙ୍କ ଲହଡ଼ି ଭାଙ୍ଗୁଛି, ବର୍ଷାରେ ଦୁର୍ଦ୍ଦଶା ଭୋଗୁଛନ୍ତି ବ୍ୟବସାୟୀ ଗ୍ରାହକ

 Breaking News

ଚିନ୍ତାରେ ବ୍ୟବସାୟୀ : ପରିବା ହାଟରେ ପଙ୍କ ଲହଡ଼ି ଭାଙ୍ଗୁଛି, ବର୍ଷାରେ ଦୁର୍ଦ୍ଦଶା ଭୋଗୁଛନ୍ତି ବ୍ୟବସାୟୀ ଗ୍ରାହକ

ଚିନ୍ତାରେ ବ୍ୟବସାୟୀ : ପରିବା ହାଟରେ ପଙ୍କ ଲହଡ଼ି ଭାଙ୍ଗୁଛି, ବର୍ଷାରେ ଦୁର୍ଦ୍ଦଶା ଭୋଗୁଛନ୍ତି ବ୍ୟବସାୟୀ ଗ୍ରାହକ
June 22
20:21 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୨/୬ : ସହରକୁ ସୁନ୍ଦର, ସ୍ୱଚ୍ଛ ଏବଂ ଯାତାୟାତ ଉପଯୋଗୀ କରିବା ପାଇଁ ପ୍ରଶାସନ ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ରାସ୍ତାକଡ଼ରେ ଥିବା ଅସ୍ଥାୟୀ କ୍ୟାବିନ, ପରିବା ଦୋକାନ ଓ ଅନ୍ୟାନ୍ୟ ବ୍ୟବସାୟୀଙ୍କୁ ଉଚ୍ଛେଦ କରି ସହରର ସୌନ୍ଦର୍ଯ୍ୟକରଣ କରିବା ମଧ୍ୟ ସେହି ପଦକ୍ଷେପ ମଧ୍ୟରୁ ଗୋଟିଏ।
କିନ୍ତୁ ଯୋଜନା ପ୍ରସ୍ତୁତ କରି ଲୋକଙ୍କୁ ସ୍ଥାନାନ୍ତର କରିଦେବା ପରେ ସେମାନଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ସୁବିଧା ଯୋଗାଇବାକୁ ଭୁଲିଯାଇଥିବା ପରି ମନେହେଉଛି।
ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଖୋରଧା ସହରର ଟି.ଏଲ୍.ସି. ରୋଡ୍ ସ୍ଥିତ ପରିବା ହାଟ। ଗତ ବର୍ଷ ଖୋରଧା ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ପରିବା ଓ କ୍ୟାବିନ ବ୍ୟବସାୟୀ ମାନଙ୍କୁ ଉଚ୍ଛେଦ କରାଯାଇଥିଲା।
ପରେ ସେମାନଙ୍କୁ ଟି.ଏଲ୍.ସି ରୋଡ୍ ସ୍ଥିତ ଶ୍ମଶାନ ନିକଟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥଇଥାନ କରାଯାଇଥିଲା। ସେତେବେଳେ ବ୍ୟବସାୟୀ ମାନେ ଆଶା କରିଥିଲେ ଯେ ନୂତନ ସ୍ଥାନରେ ସେମାନଙ୍କ ପାଇଁ ପକ୍କା ଛାଉଣି, ଭଲ ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍ ଓ ଜଳ ନିଷ୍କାସନ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯିବ।
କିନ୍ତୁ ସମୟ ଗଡ଼ିବା ସହିତ ସେମାନଙ୍କ ସେହି ଆଶା ଆଶାରେ ହିଁ ରହିଗଲା। ଖରା, ଶୀତ ଓ ବର୍ଷା ମଧ୍ୟରେ ଜରିପାଲ ଟାଣି ବ୍ୟବସାୟ ଚଳାଇ ଆସୁଛନ୍ତି ଶତାଧିକ ପରିବା ବ୍ୟବସାୟୀ।
ପ୍ରତିଦିନ ଭୋରରୁ ବିଭିନ୍ନ ଅଞ୍ଚଳରୁ ପରିବା ଆଣି ହାଟରେ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ଏହି କ୍ଷୁଦ୍ର ବ୍ୟବସାୟୀ ମାନେ ଖରାରେ କଲବଲ ହେଲେ ଏବେ ବର୍ଷା ଋତୁରେ ଅସହାୟ ହୋଇପଡ଼ିଛନ୍ତି।
ସ୍ୱଳ୍ପ ବର୍ଷା ହେଲେ ମଧ୍ୟ ସମଗ୍ର ହାଟ ପରିସର କାଦୁଅ ଓ ପଙ୍କରେ ପରିଣତ ହେଉଛି।
ଅନେକ ସ୍ଥାନରେ ପାଣି ଜମି ଛୋଟ ଛୋଟ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଚାଲିବା ପାଇଁ ସଠିକ୍ ରାସ୍ତା ନଥିବାରୁ ଗ୍ରାହକମାନେ କାଦୁଅ ଭିତରେ ପଶି ପରିବା କିଣିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। କେତେକ ସ୍ଥାନରେ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି।
ଫଳରେ ହାଟକୁ ଗ୍ରାହକଙ୍କ ଆଗମନ ଦିନକୁ ଦିନ କମିବାରେ ଲାଗିଛି। ଯେଉଁଠାରେ ପୂର୍ବରୁ ସକାଳ ଓ ସନ୍ଧ୍ୟା ସମୟରେ ହାଟରେ ଗହଳି ଲାଗି ରହୁଥିଲା, ଏବେ ସେଠାରେ ନିରବତା ଦେଖିବାକୁ ମିଳୁଛି।
ପରିବା ବ୍ୟବସାୟୀମାନେ ଘଣ୍ଟା ଘଣ୍ଟା ଧରି ଗ୍ରାହକଙ୍କ ଅପେକ୍ଷାରେ ବସି ରହୁଛନ୍ତି। ଅନେକ ସମୟରେ ବିକ୍ରି ନ ହୋଇ ପରିବା ପଚି ନଷ୍ଟ ହୋଇଯାଉଛି।
ଏଥିରୁ ଦୈନିକ ଆୟ ଉପରେ ନିର୍ଭର କରୁଥିବା କ୍ଷୁଦ୍ର ବ୍ୟବସାୟୀ ମାନେ ଆର୍ଥିକ ଭାବେ ଭାଙ୍ଗି ପଡ଼ୁଛନ୍ତି। ବ୍ୟବସାୟୀ ମାନଙ୍କ କହିବା ଅନୁସାରେ, ହାଟକୁ ଆସିବା ସମୟରେ ପୌର ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସୁବିଧାର ପ୍ରତିଶ୍ରୁତି ଦିଆଯାଇଥିଲା।
କିନ୍ତୁ ଆଜି ପର୍ଯ୍ୟନ୍ତ ନା ରାସ୍ତାର ଉନ୍ନତି ହୋଇଛି, ନା ଡ୍ରେନେଜ୍ ବ୍ୟବସ୍ଥା ସୁଧାରିଛି। ବର୍ଷା ପାଣି ନିଷ୍କାସନ ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ନଥିବାରୁ ଅଳ୍ପ ବର୍ଷାରେ ମଧ୍ୟ ସମସ୍ତ ପରିସର ଜଳମଗ୍ନ ହୋଇପଡ଼ୁଛି।
ଏଭଳି ପରିସ୍ଥିତିରେ ବ୍ୟବସାୟ କରିବା ଏକ ପ୍ରକାର ଚ୍ୟାଲେଞ୍ଜ ପାଲଟିଯାଇଛି। ଅନ୍ୟପକ୍ଷରେ, ହାଟକୁ ଆସୁଥିବା ଗ୍ରାହକମାନେ ମଧ୍ୟ ଏପରି ସ୍ଥିତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
କାଦୁଅ ଓ ଅପରିଷ୍କାର ପରିବେଶ ଯୋଗୁଁ ବିଶେଷକରି ମହିଳା ଓ ବୟସ୍କ ଲୋକମାନେ ହାଟକୁ ଆସିବାକୁ ଏଡ଼ାଇ ଯାଉଛନ୍ତି। ସହରର ଅନ୍ୟ ସ୍ଥାନରୁ ଅଧିକ ଦାମରେ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ଗ୍ରାହକ ଓ ବ୍ୟବସାୟୀ ଉଭୟ କ୍ଷତିଗ୍ରସ୍ତ ହେଉଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ସମସ୍ୟା ସମ୍ପର୍କରେ ପୌର ପରିଷଦ କର୍ତ୍ତୃପକ୍ଷ ଅବଗତ ଥିବା ସତ୍ତ୍ୱେ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ବ୍ୟବସାୟୀ ମାନେ ଅଭିଯୋଗ କରୁଛନ୍ତି।
ବହୁବାର ଦାବି ଓ ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ଏହା ସହିତ ନିକଟବର୍ତ୍ତୀ ଆମିଷ ବଜାରର ଅବସ୍ଥା ମଧ୍ୟ ଚିନ୍ତାଜନକ ହୋଇପଡ଼ିଛି।
ଅପରିଷ୍କାର ପରିବେଶ, ଦୁର୍ଗନ୍ଧ, ଜଳ ନିଷ୍କାସନ ସମସ୍ୟା ଏବଂ ମୌଳିକ ସୁବିଧାର ଅଭାବ ସେଠାରେ ମଧ୍ୟ ବ୍ୟବସାୟୀ ଓ ଗ୍ରାହକଙ୍କ ଅସୁବିଧା ବଢ଼ାଇ ଦେଇଛି।
ଯେଉଁ ସ୍ଥାନକୁ ସହରର ଏକ ସୁବ୍ୟବସ୍ଥିତ ବଜାର ଭାବେ ଗଢ଼ି ତୋଳିବାର ଯୋଜନା ଥିଲା, ତାହା ଏବେ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହେଉଛି। ବର୍ଷା ଋତୁ ଆରମ୍ଭରୁ ହିଁ ଯଦି ଏଭଳି ସ୍ଥିତି ରହେ, ତେବେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଜଟିଳ ହେବ ବୋଲି ବ୍ୟବସାୟୀ ମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ତୁରନ୍ତ ମାଟି ପକାଇବା, ପକ୍କା ରାସ୍ତା ନିର୍ମାଣ, ଡ୍ରେନେଜ୍ ବ୍ୟବସ୍ଥା ସୁଧାର ଏବଂ ସ୍ଥାୟୀ ଛାଉଣି ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି।
ଏବେ ଦେଖିବାକୁ ବାକି ରହିଲା, ସହରବାସୀଙ୍କ ନିତ୍ୟ ବ୍ୟବହାର ସହ ଜଡିତ ଏହି ପରିବା ହାଟର ଦୁର୍ଦ୍ଦଶା ଦୂର କରିବା ପାଇଁ ପୌର ପରିଷଦ କେବେ ଏବଂ କେତେ ତତ୍ପରତା ଦେଖାଉଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930