Indus Valley Times

ବାଲିଗୁଡ଼ାରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମ ମହୋତ୍ସବ

 Breaking News

ବାଲିଗୁଡ଼ାରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମ ମହୋତ୍ସବ

ବାଲିଗୁଡ଼ାରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମ ମହୋତ୍ସବ
November 23
21:00 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୩/୧୧ : ପ୍ରେମ, ସେବା, ଶାନ୍ତି ଓ ମାନବିକତାର ମହାନ ବାର୍ତ୍ତା ବହନ କରୁଥିବା ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମ ମହୋତ୍ସବ ବାଲିଗୁଡ଼ାଠାରେ ଅତ୍ୟନ୍ତ ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ଭଜନ, ପୂଜାର୍ଚ୍ଚନା, ବୈଦିକ କାର‌୍ୟ୍ୟକ୍ରମ ସହ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ ହୋଇ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଏହି ଉପଲକ୍ଷେ ଶ୍ରୀ ସତ୍ୟସାଇ ସେବା ସମିତି, ବାଲିଗୁଡ଼ା ପକ୍ଷରୁ ସ୍ଥାନୀୟ ସୁନାପାଙ୍ଗା ସ୍ଥିତ ସାଇବିହାର ପରିସରରେ ଦିବସ ବ୍ୟାପୀ ମହୋତ୍ସବର ଆୟୋଜନ କରାଯାଇଥିଲା।
ଆବାହକ ସୁରେନ୍ଦ୍ର ନାଥ ସାହୁଙ୍କ ତତ୍ତ୍ୱାବଧାନରେ ଭୋର ୫ଟାରୁ ଓଁକାର, ସୁପ୍ରଭାତମ୍ ଓ ନଗର ସଂକୀର୍ତ୍ତନ ମାଧ୍ୟମରେ ଦିବସର ଶୁଭାରମ୍ଭ ହୋଇଥିଲା।
ସକାଳ ୬ଟାରେ ମନ୍ଦିର ପରିସରରେ ସ୍ୱଚ୍ଛତା ସେବା କାର୍ଯ୍ୟକ୍ରମ ପରେ ସକାଳ ୮ଟା ୩୦ ମିନିଟ୍‌ରେ ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତୋଳନ କରାଯାଇଥିଲା। ପରେ ଷୋଡ଼ଶ ଉପଚାର ପୂଜା, ଅଷ୍ଟୋତ୍ତର ସହସ୍ରନାମ ଅର୍ଚ୍ଚନା ଓ ହୋମ ଆଦି ବୈଦିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା।
ପରେ ପରେ ଏକ ଭବ୍ୟ ଆଧ୍ୟାତ୍ମିକ ଶୋଭାଯାତ୍ରା ସାଇବିହାର ପରିସରରୁ ବାହାରି ନଗର ପରିକ୍ରମା କରିଥିଲା। ଏଥିରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ସାଇନାମ ଓ ଭଜନ କୀର୍ତ୍ତନ ମାଧ୍ୟମରେ ପରିବେଶକୁ ଭକ୍ତିମୟ କରିଥିଲେ।
ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲା ସେବାମୂଳକ କାର‌୍ୟ୍ୟକ୍ରମ। ମଧ୍ୟାହ୍ନରେ ନାରାୟଣ ସେବା ଆୟୋଜନ ସହ ୧୦୧ ଜଣ ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା।
ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଏଥିସହ ଜରାଶ୍ରମ ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀଙ୍କୁ ପ୍ରସାଦ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା।
ଏହି ସେବା କାର୍ଯ୍ୟ ମାଧ୍ୟମରେ ‘ମାନବ ସେବା ହିଁ ମାଧବ ସେବା’ର ମହାନ ଆଦର୍ଶକୁ ଜୀବନରେ ପ୍ରତିଫଳିତ କରିବାର ବାର୍ତ୍ତା ଦିଆଯାଇଥିଲା। ସେହିପରି ସନ୍ଧ୍ୟାରେ ମହୋତ୍ସବର ଆଧ୍ୟାତ୍ମିକ ମାହୋଲ ଆହୁରି ଉତ୍ସବମୁଖର ହୋଇଉଠିଥିଲା।
୧୦୧ଟି ଦୀପ ପ୍ରଜ୍ୱଳନ, ସାଇଝୁଲା, ବେଦପାଠ ଓ ଭଜନ କାର‌୍ୟ୍ୟକ୍ରମ ସହ କେକ୍ ସମର୍ପଣ, ସତସଙ୍ଗ ଏବଂ ବିଭିନ୍ନ ସାଂସ୍କୃତିକ ପରିବେଷଣ ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା। ଏହାପରେ ପ୍ରତିଯୋଗିତାର ପୁରସ୍କାର ବିତରଣ କରାଯାଇଥିଲା।
ଶେଷରେ ମଙ୍ଗଳ ଆରତୀ ସହ ଦିବସବ୍ୟାପୀ ଜନ୍ମ ମହୋତ୍ସବର ପରିସମାପ୍ତି ଘଟିଥିଲା।
ଶ୍ରୀ ସତ୍ୟସାଇ ବାବାଙ୍କ ଜୀବନାଦର୍ଶ ଓ ତାଙ୍କର ପ୍ରେମ, ସେବା, ଶାନ୍ତି ତଥା ମାନବିକତାର ବାର୍ତ୍ତାକୁ ଜନମାନସ ରେ ପହଞ୍ଚାଇବା ସହ ସମାଜରେ ସେବା, ସମର୍ପଣ ଓ ଭାଇଚାରା ଭାବନାକୁ ଅଧିକ ସୁଦୃଢ଼ କରିବା ଏହି ମହୋତ୍ସବର ମୂଳ ଲକ୍ଷ୍ୟ ଥିଲା।
ଧାର୍ମିକ ଆୟୋଜନ ସହ ମାନବ ସେବାକୁ ପ୍ରାଧାନ୍ୟ ଦେଇ ଶ୍ରୀ ସତ୍ୟସାଇ ସେବା ସମିତି ବାଲିଗୁଡ଼ା ଏକ ମହତ୍ତ୍ୱପୂର୍ଣ୍ଣ ସାମାଜିକ ବାର୍ତ୍ତା ପ୍ରଦାନ କରିଥିବା ଦେଖିବାକୁ ମିଳିଛି।
କାର୍ତ୍ତିକ ମାସର ଶେଷ ସୋମବାରରେ ବିଭିନ୍ନ ଶୈବପୀଠ ରେ ଭକ୍ତଙ୍କ ଭିଡ଼: ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ରୁଦ୍ରାଭିଷେକ ଓ ଯଜ୍ଞ କାର୍ଯ୍ୟକ୍ରମ
ବାଲିଗୁଡ଼ା, ୨୩/୧୧: ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ଶୈବପୀଠ ଓ ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
ଭୋର ସମୟରୁ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ଦେବଦେବୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା ଓ ଜଳାଭିଷେକ କରିଥିଲେ ।
ବିଶେଷକରି ବାଲିଗୁଡ଼ାର ବିରୁପାକ୍ଷ ମନ୍ଦିର ଓ ରାମେଶ୍ୱର ମନ୍ଦିର, ଦଣ୍ଡପଦରର ଧବଳେଶ୍ୱର ମନ୍ଦିର, ଜାଲେଶପଟ୍ଟାର ଜଳେଶ୍ୱର ପୀଠ, ଚକାପାଦର ବିରୁପାକ୍ଷ ମନ୍ଦିର ଏବଂ ଡୁଙ୍ଗୀସ୍ଥିତ ପଞ୍ଚଲିଙ୍ଗେଶ୍ୱର ପୀଠରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।
ସେହିପରି ବିଭିନ୍ନ ଅଞ୍ଚଳର ଜଗନ୍ନାଥ ମନ୍ଦିର ଓ ମା’ ପାଟଖଣ୍ଡା ମନ୍ଦିର, ରାଧାକୃଷ୍ଣ ମନ୍ଦିର ଭଳି ବିଭିନ୍ନ ମନ୍ଦିର ରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା।
ଏହି ଅବସରରେ ଭୋଲେଶ୍ୱର ପୀଠରେ ସ୍ୱତନ୍ତ୍ର ରୁଦ୍ରାକ୍ଷ ବେଶ କରାଯାଇଥିଲା । ଭକ୍ତ ମାନେ ମହାଦେବଙ୍କ ନିକଟରେ ଜଳ, କ୍ଷୀର ଓ ବିଭିନ୍ନ ପୂଜା ସାମଗ୍ରୀ ଅର୍ପଣ କରି ପରିବାରର ମଙ୍ଗଳ ଓ ସୁଖଶାନ୍ତି କାମନା କରିଥିଲେ।
ଅନ୍ୟପକ୍ଷରେ କାର୍ତ୍ତିକ ମାସର ଧାର୍ମିକ ପରମ୍ପରା ଅନୁଯାୟୀ ବିଭିନ୍ନ ମନ୍ଦିର ପରିସରରେ ତୁଳସୀ ଚଉରା ନିକଟରେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା।
ଏଥିସହ ବିଭିନ୍ନ ଯଜ୍ଞମଣ୍ଡପରେ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଆରମ୍ଭ ହୋଇଥିବାରୁ ସମଗ୍ର ଅଞ୍ଚଳ ରେ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଥିଲା।
କାର୍ତ୍ତିକ ମାସର ଶେଷ ସୋମବାର ହୋଇଥିବାରୁ ଶୈବପୀଠଗୁଡ଼ିକରେ ଭକ୍ତଙ୍କ ଏହି ଉତ୍ସାହ ଓ ଭକ୍ତିଭାବ ଧାର୍ମିକ ପରମ୍ପରା ପ୍ରତି ଅଞ୍ଚଳବାସୀଙ୍କ ଗଭୀର ଆସ୍ଥାକୁ ପ୍ରତିଫଳିତ କରିଥିଲା।
ପୁଣି ଅସୁସ୍ଥ ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ : ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ

ବାଲିଗୁଡ଼ା, ୨୩/୧୧ : ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ଶନିବାର ଅପରାହ୍ନରେ ହଠାତ୍ ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ତୁରନ୍ତ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ଏଠାରେ ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ଚିକିତ୍ସା ଆରମ୍ଭ କରିଥିଲେ। ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ମଧ୍ୟ ଶ୍ରୀ ପ୍ରଧାନ ଅସୁସ୍ଥ ହୋଇପଡ଼ିଥିଲେ।
ସେତେବେଳେ ତାଙ୍କୁ ଭୁବନେଶ୍ୱରର ଏକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ସେଠାରେ ସୁସ୍ଥ ହେବା ପରେ ସେ ବାଲିଗୁଡ଼ା ଫେରିଥିଲେ।
ମାତ୍ର ପୁଣିଥରେ ଅସୁସ୍ଥତା ଅନୁଭବ କରିବା ସହ ଶ୍ୱାସକ୍ରିୟାରେ କଷ୍ଟ ହେବାରୁ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା।ଚିକିତ୍ସାଳୟ ଅଧିକାରୀ ଡା. ଶ୍ରବଣ କୁମାର ସାହୁକାର ଓ ଅନ୍ୟ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ।
ଶ୍ରୀ ପ୍ରଧାନଙ୍କ କିଡ୍‌ନୀ ଓ ହୃଦ୍‌ଯନ୍ତ୍ରଜନିତ କିଛି ସମସ୍ୟା ଥିବାରୁ ଅଧିକ ଓ ଉନ୍ନତମାନର ଚିକିତ୍ସା ନିମନ୍ତେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଡା. ସାହୁକାର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ, ଶ୍ରୀ ପ୍ରଧାନ ଅସୁସ୍ଥ ଥିବା ଖବର ପାଇ ବାଲିଗୁଡ଼ା ସହରର ଜଣାଶୁଣା ସମାଜସେବୀ ଟୁନା ଦାସ ଚିକିତ୍ସାଳୟରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଥିଲେ।
ଏଥିସହ ପରିବାରବର୍ଗଙ୍କୁ ସାନ୍ତ୍ୱନା ଓ ସାହସ ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।
ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷଙ୍କ ପୁନର୍ବାର ଅସୁସ୍ଥତା ଖବର ପ୍ରଚାର ହେବା ପରେ ସହରର ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି। ତାଙ୍କର ଶୀଘ୍ର ସୁସ୍ଥତା ପାଇଁ ସହରବାସୀ ଓ ଶୁଭେଚ୍ଛୁମାନେ କାମନା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30