Indus Valley Times

ବୌଦ୍ଧ ଜିଲ୍ଲାରେ ମହାସମାରୋହରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

 Breaking News

ବୌଦ୍ଧ ଜିଲ୍ଲାରେ ମହାସମାରୋହରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବୌଦ୍ଧ ଜିଲ୍ଲାରେ ମହାସମାରୋହରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
October 03
11:40 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩/୧୦ : ବୌଦ୍ଧ ଜିଲ୍ଲାରେ ଆଜି ମହାସମାରୋହରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ୍ ହଲ୍‌ଠାରେ ଏହି ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଡମ୍ବରୁଧର କହଁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଏବଂ ଉପଜିଲ୍ଲାପାଳ ବିନୟ କୁମାର ଭୋଇ ପ୍ରମୁଖ ଯୋଗଦେଇଥିଲେ।
ପ୍ରଥମେ ଗାନ୍ଧୀ ଛକଠାରେ ଅବସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ସ୍ଥାନୀୟ ଟାଉନ୍ ହଲ୍‌ଠାରେ ଆୟୋଜିତ ମୁଖ୍ୟ ସମାରୋହ ଆରମ୍ଭ ହୋଇଥିଲା।
ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ପରେ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଏବଂ ‘ରଘୁପତି ରାଘବ ରାଜାରାମ’ ପରିବେଷଣ କରାଯାଇଥିଲା।
ସର୍ବଧର୍ମ ସମନ୍ୱୟର ବାର୍ତ୍ତା ପ୍ରଦାନ କରି ଯୋଗଗୁରୁ ଶ୍ରୀ ଦେବାଶିଷ ପୁରୋହିତଙ୍କ ଦ୍ୱାରା ପବିତ୍ର ଗୀତା ପାଠ, ପାଳକ ଶ୍ରୀ ଘନଶ୍ୟାମ ଭୋଇଙ୍କ ଦ୍ୱାରା ବାଇବେଲ୍ ପାଠ ଏବଂ ଜନାବ୍ ଶାହାବୁଦ୍ଦିନ ଖାନଙ୍କ ଦ୍ୱାରା କୋରାନ୍ ପାଠ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇଥିଲେ।
ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନାଦର୍ଶ, ତ୍ୟାଗ, ସରଳତା, ଦେଶପ୍ରେମ ଓ ଜନସେବା ସମ୍ପର୍କରେ ଅବଗତ କରାଇଥିଲେ। ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଦେଶ ଓ ସମାଜର ସେବାରେ ନିଜକୁ ନିୟୋଜିତ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।
ମୁଖ୍ୟ ବକ୍ତା ଭାବେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନର ବିଭିନ୍ନ ଅଭୁଲା କାହାଣୀ ଓ ଘଟଣା ସମ୍ପର୍କରେ ଆଲୋକପାତ କରିଥିଲେ। ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ଛାତ୍ରଛାତ୍ରୀମାନେ ଦେଶସେବାରେ ବ୍ରତୀ ହେବାକୁ ସେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଟାଉନ୍ ହଲ୍‌ଠାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ଓ କୌତୁକବେଶ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଞ୍ଚ ଉପରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ପ୍ରାତ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାମଧୁନ୍ ପରିବେଷଣ କରାଯାଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଭାତଫେରି ଆୟୋଜନ କରାଯାଇଥିଲା।
ଜାମୁ ଛକଠାରେ ଅବସ୍ଥାପିତ ମହାତ୍ମା ଗାନ୍ଧୀ ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସଂଯୋଜନାରେ ସମଗ୍ର କାର୍ଯ୍ୟକ୍ରମ ଆୟୋଜନ ଓ ମଞ୍ଚ ପରିଚାଳନା କରାଯାଇଥିଲା।
କାର୍ଯ୍ୟକ୍ରମ ପରିଚାଳନାରେ ଶତରୂପା ମିଶ୍ର, ଅକ୍ଷୟ କୁମାର ମହାକୁଡ଼, ନୀଳାଦ୍ରି ଭୂଷଣ ନାୟକ, ପିଙ୍କି ବେହେରା, ବିଭିନ୍ନ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବୌଦ୍ଧ ପୌରପାଳିକାର କର୍ମଚାରୀମାନେ ସହଯୋଗ କରିଥିଲେ।
ଏହି ଜୟନ୍ତୀ ସମାରୋହରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031