Indus Valley Times

ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ , ଜିଲ୍ଲାବାସୀଙ୍କ ଧନ ଜୀବନ ସୁରକ୍ଷିତ ରଖିବା ଆମର ପ୍ରାଥମିକତା ହେବ : ଜିଲ୍ଲାପାଳ

 Breaking News

ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ , ଜିଲ୍ଲାବାସୀଙ୍କ ଧନ ଜୀବନ ସୁରକ୍ଷିତ ରଖିବା ଆମର ପ୍ରାଥମିକତା ହେବ : ଜିଲ୍ଲାପାଳ

May 26
20:34 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୬/୫ : ବୌଦ୍ଧଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋଟର ଭେହିକିଲ୍ ଆଇନ୍ ଅନୁଯାୟୀ ଜୋରିମାନା ସଂଗ୍ରହ, ଜିଲ୍ଲାରେ ଘଟୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ସମ୍ପର୍କିତ ସମୀକ୍ଷା, ପୂର୍ବତନ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକର କାର୍ଯ୍ୟବିବରଣୀ ଏବଂ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା ।
ଆଞ୍ଚଳିକ ପରିବହନ ଅଧିକାରୀ ସୁଶମା ସାହୁ ସମସ୍ତଙ୍କୁ ସ୍ବାଗତ କରି ପାୱାର ପଏଣ୍ଟ ମାଧ୍ୟମରେ ବିଭାଗର କାର୍ଯ୍ୟାବଳୀ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳ କହିଲେ ଯେ, ବୌଦ୍ଧ ଜିଲ୍ଲାବାସୀଙ୍କ ଧନ ଜୀବନ କିଭଳି ସୁରକ୍ଷିତ ରହିବ ଏହା ଆମର ପ୍ରାଥମିକତା ହେବା ଉଚିତ ।
ସମସ୍ତ ୨ଚକିଆ ଯାନ ଚାଳକ ନିଶ୍ଚିତ ଭାବରେ ହେଲମେଟ ପରିଧାନ କରିବେ, ମଦ୍ୟପ ଡ୍ରାଇଭର ମାନଙ୍କୁ ନିୟମିତ ଯାଞ୍ଚ କରି ଜରିମାନା ଆଦାୟ କରାଯିବ, ରାସ୍ତାରେ କେହି ବାଲି, ମେଟାଲ ଜମା କରିବେନାହିଁ, ରାସ୍ତା ଉପରେ ଭରିଯାନ ପାର୍କିଂ ହେବନାହିଁ ।
ଏଥିପାଇଁ ପରିବହନ, ପୋଲିସ, ଅବକାରୀ ବିଭାଗ ଓ ତହସିଲଦାର ମିଳିତ ପଦକ୍ଷେପ ଗ୍ରହଣ କରିବେ । ସମୀକ୍ଷାରୁ ଜଣାଗଲା ଯେ, ଚଳିତ ୨୦୨୬ ମସିହାର ପ୍ରଥମ ଚାରି ମାସ ମଧ୍ୟରେ ଜିଲ୍ଲାରେ ମୋଟ ୩,୪୮୦ଟି ଚାଲାଣ କଟାଯାଇଥିବା ବେଳେ ୧ କୋଟି ୨୭ ଲକ୍ଷ ୯୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ଆରଟିଓ ଙ୍କ ପକ୍ଷରୁ ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ୩୯ଟି, ହେଲମେଟ୍ ନ ପିନ୍ଧିବା ପାଇଁ ୧,୪୭୩ଟି, ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା ପାଇଁ ୧,୦୭୭ଟି ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ପାଇଁ ୧୧୧ଟି ମାମଲା ରୁଜୁ ହେବା ସହ ୮୨୫ଟି ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରାଯାଇଥିଲା ।
ସେହିପରି ପୋଲିସ ପକ୍ଷରୁ ଇ-ଚାଲାଣ ମାଧ୍ୟମରେ ହେଲମେଟ୍ ନ ପିନ୍ଧିବା ପାଇଁ ୫୮୭ଟି ଓ ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ୧୫୨ଟି ଚାଲାଣ କରାଯାଇଥିବା ସୂଚନା ଦିଆଯାଇଥିଲା । ଏ ବର୍ଷର ପ୍ରଥମ ଚାରି ମାସ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୩୧ଜଣ ଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି ।
ବୈଠକରେ ପିଏମ୍ ରାହତ ଯୋଜନା ସମ୍ବନ୍ଧରେ ବିଶଦ ଆଲୋଚନା ହୋଇଥିଲା । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ୨୪ ଘଣ୍ଟା ମଧ୍ୟରେ ଆୟୁଷ୍ମାନ ଭାରତ ଯୋଜନାରେ ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ନିଶ୍ଚିତ ଭାବରେ ଭର୍ତ୍ତି କରାଇବା ଆବଶ୍ୟକ ।
ଏଥିପାଇଁ ଚିକିତ୍ସାରେ ଅର୍ଥ କେବେବି ବାଧକ ନ ହେବା ଏବଂ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।
ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ କରାଯିବା ସହ ପ୍ରଥମ ପର୍ଯ୍ୟାୟରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇବାକୁ ସରକାରଙ୍କ ବ୍ୟବସ୍ଥା ଥିବା ସୂଚନା ଦିଆଯାଇଥିଲା ।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଏସ୍‌ପି ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଆର୍ ଆଣ୍ଡ ବି ଅଧିକ୍ଷଣ ଯନ୍ତ୍ରି ସନ୍ଦୀପ କୁମାର ଛୁଆଲସିଂ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ସାହୁ, ଏମ୍‌ଭିଆଇ ସଞ୍ଜୟ କୁମାର ବେହେରା, ଟ୍ରାଫିକ ଇନସ୍ପେକ୍ଟର ଦେବାଶିଷ ନାୟକ, ଏସ୍‌ଡିଓ ଏନ୍‌ଏଚ୍ ପ୍ରଶାନ୍ତ କୁମାର ସାହୁ, ଇଡିଏଆରଏମ ନିତ୍ୟବ୍ରତ ଗର୍ତ୍ତିଆ, ପ୍ରାଇଭେଟ୍ ବସ୍ ଆସୋସିଏସନ୍‌ର ସଭାପତି ଓ ସମ୍ପାଦକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ସଦସ୍ୟମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031