ସବୁଜିମା ପାଇଁ ଜିଲ୍ଲା ପ୍ରେସ କ୍ଳବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୯/୯: ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ନେଇ ଖୋରଧା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ମଙ୍ଗଳବାର ପ୍ରେସ କ୍ଲବ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
କ୍ଲବ ସଭାପତି ତପନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକମାନେ ସାମାଜିକ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ପରିବେଶ ସୁରକ୍ଷା ଭଳି ସାମାଜିକ ଦାୟିତ୍ୱରେ ମଧ୍ୟ ସକ୍ରିୟ ଭୂମିକା ନେବାର ବାର୍ତ୍ତା ଦେଇଛନ୍ତି।
କାର୍ଯ୍ୟକ୍ରମରେ କ୍ଲବ ଉପସଭାପତି ପ୍ରସନ୍ନ କୁମାର ପାଇକରାୟ, ସମ୍ପାଦକ ପ୍ରକାଶ କୁମାର ହାତୀ, ଉପଦେଷ୍ଟା ଦିଲ୍ଲୀପ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ଦାସ, ପ୍ରବୀଣ ଭଞ୍ଜଙ୍କ ସମେତ କ୍ଲବର ଅନ୍ୟ ସଦସ୍ୟମାନେ ଯୋଗଦେଇଥିଲେ।
ସେମାନେ ପ୍ରେସ କ୍ଲବ ପରିସରରେ ଅଁଳା, ଲିମ୍ବ, ଅର୍ଜୁନ, କରଞ୍ଜ, ବେଲ, ପିସ୍ତା ବାଦାମ, କଦମ୍ବ, ଶାଗୁଆନ, ଶିଶୁ ସମେତ ବିଭିନ୍ନ ଔଷଧୀୟ ଓ ଉପକାରୀ ବୃକ୍ଷର ଚାରା ରୋପଣ କରିଥିଲେ।
ବର୍ତ୍ତମାନ ପରିବେଶ ପ୍ରଦୂଷଣ, ବନାଞ୍ଚଳ ହ୍ରାସ, ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ଗୁରୁତର ଆହ୍ୱାନ ସୃଷ୍ଟି କରିଥିବାରୁ ବୃକ୍ଷରୋପଣ ସହ ଚାରାର ନିୟମିତ ଯତ୍ନ ଓ ସୁରକ୍ଷା ଉପରେ କ୍ଲବ ସଦସ୍ୟମାନେ ଗୁରୁତ୍ୱାରୋପ କରିଥିଲେ।
କେବଳ ଚାରା ରୋପଣରେ ସୀମିତ ନରହି ତାହାକୁ ବଞ୍ଚାଇ ବଡ଼ କରିବା ହିଁ ପ୍ରକୃତ ପରିବେଶ ସୁରକ୍ଷା ବୋଲି ସେମାନେ ମତ ଦେଇଥିଲେ। ସଭାପତି ଶ୍ରୀ ନାୟକ କହିଥିଲେ, ସାମ୍ବାଦିକଙ୍କ ଦାୟିତ୍ୱ କେବଳ ଖବର ପ୍ରକାଶରେ ସୀମିତ ନୁହେଁ।
ସାମାଜିକ ଓ ପରିବେଶ ସମସ୍ୟା ପ୍ରତି ଲୋକଙ୍କୁ ସଚେତନ କରିବା ସହ ନିଜେ ମଧ୍ୟ ସେବାମୂଳକ କାର୍ଯ୍ୟରେ ସାମିଲ ହେବା ଆବଶ୍ୟକ। ବୃକ୍ଷ ଜୀବନର ଆଧାର ହୋଇଥିବାରୁ ଆଗାମୀ ପିଢ଼ି ପାଇଁ ଏହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ଆଗାମୀ ଦିନରେ ମଧ୍ୟ ପ୍ରେସ କ୍ଲବ ପକ୍ଷରୁ ବିଭିନ୍ନ ଜନହିତକର ଓ ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଥିଲେ।
ଖୋରଧା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ପୂର୍ବରୁ ରକ୍ତଦାନ ଶିବିର, ସଡ଼କ ସୁରକ୍ଷା ସଚେତନତା, ଜଳଛତ୍ର ସ୍ଥାପନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ ସହ ବୃଦ୍ଧାଶ୍ରମ ଓ ଅନାଥାଶ୍ରମରେ ସେବାମୂଳକ କାର୍ଯ୍ୟ କରାଯାଇଛି।
ଏହି ଧାରାରେ ବୃକ୍ଷରୋପଣକୁ ସାମାଜିକ କାର୍ଯ୍ୟକ୍ରମର ଅଂଶ କରାଯାଇଥିବାରୁ ବିଭିନ୍ନ ମହଲରୁ ପ୍ରେସ କ୍ଲବର ପଦକ୍ଷେପକୁ ସ୍ୱାଗତ କରାଯାଇଛି।






