ଅବକାରୀ ବିଭାଗର ଚଢ଼ାଉ;୨୧ କେଜି ଗଞ୍ଜେଇ ସହିତ, ଜଣେ ଗିରଫ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା ,୨୪/୬: ଓଡ଼ିଶାରେ ମାଦକ ଦ୍ରବ୍ୟ ଚୋରାଚାଲାଣ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଥିବା ସ୍ୱତନ୍ତ୍ର ଅଭିଯାନ ମଧ୍ୟରେ ଖୋରଧା ଅବକାରୀ ବିଭାଗ କୁ ଆଉ ଏକ ସଫଳତା ମିଳିଛି । ଏକ ବିଶ୍ୱସ୍ତ ସୂଚନାକୁ ଆଧାର କରି ଖୋରଧା ଅବକାରୀ ବିଭାଗ ପକ୍ଷରୁ କରାଯାଇଥିବା ଚଢାଉରେ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ ହେବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି।
ସୂଚନନୁଯାୟୀ ଗତକାଲି ଅର୍ଥାତ ୨୨ ଜୁନ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଖୋରଧା ଅବକାରୀ ଅଧିକ୍ଷକ ଶ୍ରୀମତୀ ସୁମତି ତ୍ରୀପାଠୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ଇନ୍ଚାର୍ଜ ଉପ ଅବକାରୀ ଅଧିକ୍ଷକ ରାଧାକାନ୍ତ ଭୋଇଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ପେଟ୍ରୋଲିଂ ଟିମ୍ ଖୋରଧା ଅଞ୍ଚଳରେ ନିୟମିତ ଯାଞ୍ଚ ଓ ନଜରଦାରି କରୁଥିଲେ।
ଏହି ସମୟରେ ଖୋରଧା ଅବକାରୀ ଥାନା ଓଆଇସି ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ଥିବା ଟିମ୍କୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ଯେ, କନ୍ଧମାଳ ଅଞ୍ଚଳରୁ ବହୁ ପରିମାଣର ଗଞ୍ଜେଇ ଏକ ଗାଡ଼ି ଯୋଗେ ଭୁବନେଶ୍ୱରକୁ ଚାଲାଣ କରାଯାଉଛି।
ଖବର ପାଇବା ପରେ ଅବକାରୀ ଟିମ୍ ତୁରନ୍ତ ସକ୍ରିୟ ହୋଇ ଖୋରଧା ଆଦର୍ଶ ଥାନା ଅନ୍ତର୍ଗତ ବାଟମଙ୍ଗଳା ମନ୍ଦିର ସମ୍ମୁଖ ରାସ୍ତାରେ ଜଗି ରହିଥିଲେ। କିଛି ସମୟ ପରେ ଏକ ଧଳା ରଙ୍ଗର ମହିନ୍ଦ୍ରା ବୋଲେରୋ
ପିକ୍ଅପ୍ (ନଂ- ଓଡି-୨୩- ଏନ-୦୧୭୪ ) ସନ୍ଦେହଜନକ ଭାବେ ଆସୁଥିବା ଦେଖି ଅଧିକାରୀମାନେ ଗାଡ଼ିଟିକୁ ଅଟକାଇ ତଲାସି ଆରମ୍ଭ କରିଥିଲେ। ତଲାସି ସମୟରେ ଗାଡ଼ିରେ ଥିବା ଏକ ଜରି ବସ୍ତା ମଧ୍ୟରୁ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା।
ଏତେ ପରିମାଣର ଗଞ୍ଜେଇ ଦେଖି ଅଧିକାରୀମାନେ ତୁରନ୍ତ ଗାଡ଼ିର ଚାଳକଙ୍କୁ ଅଟକ ରଖି ପଚରାଉଚରା କରିଥିଲେ।
ପଚରାଉଚରା ପରେ ଅଭିଯୁକ୍ତଙ୍କ ପରିଚୟ ଶ୍ରୀତମ ମଲ୍ଲିକ (୨୩) ବୋଲି ଜଣାପଡ଼ିଥିଲା। ସେ କନ୍ଧମାଳ ଜିଲ୍ଲାର ଟିକାବାଲି ଥାନା ଅନ୍ତର୍ଗତ ମୁନିଶି ଗାଁ ଗ୍ରାମର ବାସିନ୍ଦା।
ପ୍ରାଥମିକ ତଦନ୍ତରୁ ଗଞ୍ଜେଇ ଚାଲାଣ ପଛରେ ଏକ ବଡ଼ ରାକେଟ୍ ସକ୍ରିୟ ଥିବା ସନ୍ଦେହ କରାଯାଉଛି। ଜବତ ହୋଇଥିବା ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ୱର ଅଭିମୁଖେ ନିଆଯାଉଥିବା ବେଳେ ଅବକାରୀ ବିଭାଗର ହାତରେ ଧରାପଡ଼ିଥିଲା।
ଅବକାରୀ ବିଭାଗର ସୂଚନା ଅନୁଯାୟୀ, ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨ ଲକ୍ଷ ୧୦ ହଜାର ଟଙ୍କା ହେବ। ଗଞ୍ଜେଇ ସହିତ ବ୍ୟବହୃତ ମହିନ୍ଦ୍ରା ବୋଲେରୋ ପିକ୍ଅପ୍ ଗାଡ଼ି ଓ ଏକ ସ୍ମାର୍ଟ ଫୋନ୍କୁ ମଧ୍ୟ ଜବତ କରାଯାଇଛି। ମୋବାଇଲ୍ ଫୋନ୍ରୁ ଚୋରାଚାଲାଣ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି ତଦନ୍ତକାରୀ ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଖୋରଧା ଅବକାରୀ ଥାନାରେ କେସ୍ ନଂ-୬୧/୨୦୨୬ ରୁଜୁ କରାଯାଇଛି।
ଆଇନଗତ ପ୍ରକ୍ରିୟା ସମାପ୍ତ ପରେ ଅଭିଯୁକ୍ତ ଶ୍ରୀତମ ମଲ୍ଲିକଙ୍କୁ ଆଜି ଖୋରଧା ଅଦାଲତକୁ ଚାଲାଣ କରାଯାଇଛି।
ତଦନ୍ତ ଜାରି ରହିଥିବା ବେଳେ ଏହି ଚୋରାଚାଲାଣ ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ଅବକାରୀ ବିଭାଗ ଖୋଳତାଡ଼ ଆରମ୍ଭ କରିଛି।
କନ୍ଧମାଳ ଜିଲ୍ଲାରୁ ଉପକୂଳ ଓଡ଼ିଶା ଅଭିମୁଖେ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ଅବକାରୀ ବିଭାଗ, ପୁଲିସ ଓ ଅନ୍ୟ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାମାନେ ସମୟ ସମୟରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ଆସୁଛନ୍ତି।
ତଥାପି ଚୋରାଚାଲାଣକାରୀ ମାନେ ନୂଆ ନୂଆ ଉପାୟ ଅବଲମ୍ବନ କରି ମାଦକ ଦ୍ରବ୍ୟ ପରିବହନ କରିବାକୁ ଉଦ୍ୟମ କରୁଥିବାରୁ ଏଭଳି ଚଢାଉ ଆହୁରି ଜୋରଦାର କରାଯାଉଛି।
ଏହି ସଫଳ ଅପରେସନରେ ଓଆଇସି ସୁଜିତ କୁମାର ମୁଦୁଲିଙ୍କ ସମେତ ଏଏସ୍ଆଇ ଜିତେନ୍ଦ୍ର କୁମାର ବେହେରା, ଏଏସ୍ଆଇ ସଞ୍ଜୟ କୁମାର ସୁବୁଦ୍ଧି, ଟିଟୁ ସାହୁ, ପ୍ରଣବ ବେହେରା ଓ ଚିନ୍ମୟୀ ସେଠୀ ପ୍ରମୁଖ ସକ୍ରିୟ ଭାବେ ସାମିଲ ହୋଇଥିଲେ। ଅବକାରୀ ବିଭାଗର ଏହି ସଫଳତାକୁ ସାଧାରଣ ଲୋକେ ସ୍ୱାଗତ କରିଥିବା ବେଳେ ମାଦକ ଦ୍ରବ୍ୟ ବିରୋଧୀ ଲଢ଼େଇରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତପ୍ରକାଶ ପାଇଛି।






