Indus Valley Times

ଏସ୍‌ଇବିସି ଛାତ୍ର-ଛାତ୍ରୀଙ୍କ ପାଇଁ ସଂରକ୍ଷଣ, ଜୋର ଧରିଲା ରାଜନୀତି

 Breaking News

ଏସ୍‌ଇବିସି ଛାତ୍ର-ଛାତ୍ରୀଙ୍କ ପାଇଁ ସଂରକ୍ଷଣ, ଜୋର ଧରିଲା ରାଜନୀତି

ଏସ୍‌ଇବିସି ଛାତ୍ର-ଛାତ୍ରୀଙ୍କ ପାଇଁ ସଂରକ୍ଷଣ, ଜୋର ଧରିଲା ରାଜନୀତି
April 05
21:30 2026

ଭୁବନେଶ୍ୱର,୫/୪ : ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ନାମଲେଖା କ୍ଷେତ୍ରରେ ଏଣିକି ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କୁ ୨୨.୫୦%, ଅନୁସୂଚିତ ଜାତି (ଏସ୍‌ସି)ଙ୍କୁ ୧୬.୨୫% ଏବଂ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (ଏସ୍‌ଇବିସି)ର ଛାତ୍ରୀଛାତ୍ରମାନଙ୍କ ଲାଗି ୧୧.୨୫ ପ୍ରତିଶତ ସଂରକ୍ଷଣ ମିଳିବ।
ଶନିବାର ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। କ୍ୟାବିନେଟ୍ ବୈଠକରେ ୧୩ଟି ବିଭାଗରେ ମୋଟ୍ ୧୯ଟି ପ୍ରସ୍ତାବ ଆସିଥିବା ବେଳେ ସେଥିରୁ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଆଣିଥିବା ସଂରକ୍ଷଣ
ବ୍ୟବସ୍ଥାକୁ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ, ସେମାନଙ୍କ ଅନୁବନ୍ଧିତ କଲେଜ ଓ ଶିକ୍ଷାନୁଷ୍ଠାନ, ଆଇଟିଆଇ ଏବଂ ପଲିଟେକ୍‌ନିକ୍‌ଗୁଡିକରେ ପ୍ରଦାନ କରାଯାଉଥିବା ଇଞ୍ଜିନିୟରିଂ, ଟେକ୍ନୋଲୋଜି ମ୍ୟାନେଜମେଣ୍ଟ, କମ୍ପ୍ୟୁଟର ଆପ୍ଲିକେଶନ, ମେଡିସିନ, ସର୍ଜରି, ଡେଣ୍ଟାଲ, ନର୍ସିଂ, ଫାର୍ମାସି, ଆନୁଷଙ୍ଗିକ ସ୍ବାସ୍ଥ୍ୟ ବିଜ୍ଞାନ, ପ୍ରାଣିଚିକିତ୍ସା ବିଜ୍ଞାନ, ଆୟୁର୍ବେଦ, ହୋମିଓପ୍ୟାଥି, ଏଗ୍ରିକଲ୍ଚର ଆଣ୍ଡ ଆଲାଏଡ୍ ସାଇନ୍ସ, ଆର୍କିଟେକ୍ଚର, ପ୍ଲାନିଂ, ସିନେମାଟିକ ଆର୍ଟ ଆଣ୍ଡ ଟେକ୍ନୋଲୋଜି ଆଦି ଶିକ୍ଷାନୁଷ୍ଠାନରେ କାର‌୍ୟ୍ୟକାରୀ ହେବ।
ଏହାସହ ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ ସମୟରେ ବିଜ୍ଞପ୍ତି ପ୍ରକାଶିତ ଅନ୍ୟ ଯେକୌଣସି ପାଠ୍ୟକ୍ରମଗୁଡ଼ିକରେ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ସାର୍ଟିଫିକେଟ, ଡିପ୍ଲୋମା ଓ ଡିଗ୍ରୀ ପ୍ରଦାନ କରାଯାଉଥିବା କ୍ଷେତ୍ରରେ ମଧ୍ୟ ଏହି ନୂତନ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ରାଜ୍ୟରେ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ୨୨%ରୁ ଅଧିକ ରହିଥିଲେ ସୁଦ୍ଧା ଦୀର୍ଘଦିନ ଧରି ରାଜ୍ୟର ବୈଷୟିକ, ବୃତ୍ତିଗତ, ମେଡିକାଲ ଓ ଆନୁଷଙ୍ଗିକ ପାଠ୍ୟକ୍ରମରେ ସେମାନଙ୍କ ପାଇଁ ସଂରକ୍ଷଣ ମାତ୍ର ୧୨% ଥିଲା। ସେହିପରି ଅନୁସୂଚିତ ଜାତିଙ୍କ ସଂଖ୍ୟା ରାଜ୍ୟରେ ୧୭%ରୁ ଅଧିକ ଥିଲେ ମଧ୍ୟ ସେମାନଙ୍କ ପାଇଁ ମାତ୍ର ୮% ସଂରକ୍ଷଣ ଥିଲା। ସେହିପରି ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗମାନଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନ ଥିଲା।
ସାମାଜିକ ନ୍ୟାୟ ପ୍ରଦାନ ଓ ସଶକ୍ତୀକରଣ କ୍ଷେତ୍ରରେ ଏହି ପାର୍ଥକ୍ୟ ସମସ୍ୟା ସୃଷ୍ଟି କରୁଥିଲା। ସ୍ବାଧୀନତାର ୭୮ ବର୍ଷ ମଧ୍ୟରେ ମୁଖ୍ୟସ୍ରୋତରୁ ବାହାରେ ଥିବା ଏହି ବର୍ଗର ଜନସାଧାରଣ ଓ ଛାତ୍ରୀଛାତ୍ରଙ୍କ ଅଧିକାରର ସୁରକ୍ଷା ପାଇଁ ଅନେକ ଆନ୍ଦୋଳନ, ଦାବି ଓ ସଚେତନତା ସୃଷ୍ଟି ହୋଇଥିଲେ ମଧ୍ୟ ତାଙ୍କର ସଂଖ୍ୟା ଅନୁପାତରେ ସଂରକ୍ଷଣ ପାଇଁ କୌଣସି ସରକାର ଏପରି ପଦକ୍ଷେପ ନେଉ ନ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ଖୁସିର ବିଷୟ ଏସ୍‌ଟି, ଏସ୍‌ସି ଏବଂ ପଛୁଆ ବର୍ଗ ପିଲାମାନଙ୍କର ଶିକ୍ଷାଗତ ଅଧିକାର ଓ ସଶକ୍ତୀକରଣ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।
ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହି ପଦକ୍ଷେପ ଏକ ବଳିଷ୍ଠ ମାଧ୍ୟମ ହେବ। ଅଣ୍ଡର ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟକୁ ମିଶାଇ ରାଜ୍ୟର ସମୁଦାୟ ମେଡିକାଲ ସିଟ୍ ସଂଖ୍ୟା ୨୪୨୧। ଏହି ନୂତନ ସଂରକ୍ଷଣ ନୀତି କାର୍ଯ୍ୟକାରୀ ହେବାପରେ ଏଥିମଧ୍ୟରୁ ଅନୁସୂଚିତ ଜନଜାତି(ଏସ୍‌ଟି)ଙ୍କ ସିଟ୍ ସଂଖ୍ୟା ୨୯୦ରୁ ବୃଦ୍ଧି ପାଇ ୫୪୫ରେ ପହଞ୍ଚିବ। ଅନୁସୂଚିତ ଜାତି(ଏସ୍‌ସି)ଙ୍କ ପାଇଁ ସିଟ୍ ସଂଖ୍ୟା ୧୯୩ରୁ ବୃଦ୍ଧି ପାଇ ୩୯୩ ହେବ।
ସେହିପରି ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ମେଡିକାଲ ସିଟ୍ ସଂଖ୍ୟାରେ କିଛି ସଂରକ୍ଷଣ ନ ଥିଲା, ସେମାନଙ୍କ ପାଇଁ ଏବେ ୨୭୨ଟି ସିଟ୍ ସଂରକ୍ଷିତ ରହିବ।
ସେହିପରି ସମୁଦାୟ ଇଞ୍ଜିନିୟରିଂ ସିଟ୍ ସଂଖ୍ୟା ୪୪,୫୭୯ ମଧ୍ୟରୁ ଏସ୍‌ଟିଙ୍କ ପାଇଁ ଆସନ ସଂଖ୍ୟା ୫୩୪୯ରୁ ବୃଦ୍ଧି ପାଇ ୧୦,୦୩୦ ହେବ। ଏସ୍‌ସିଙ୍କ ପାଇଁ ୩୫,୬୬ଟି ଆସନ ସଂରକ୍ଷଣ ରହୁଥିବା ବେଳେ ଏହା ବର୍ତ୍ତମାନ ୭୨୬୬କୁ ବୃଦ୍ଧି ହେବ। ସେହିପରି ଏସ୍‌ଇବିସିଙ୍କ ପାଇଁ ୫୦୧୫ଟି ସିଟ୍ ସଂରକ୍ଷଣ ରହିବ। ପୂର୍ବରୁ ଏସ୍‌ଇବିସିଙ୍କ ପାଇଁ ଇଞ୍ଜିନିୟରିଂରେ ସଂରକ୍ଷଣ ବ୍ୟବସ୍ଥା ନ ଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031