Indus Valley Times

କ୍ରୀଡ଼ା ସଂଗଠନର ପଦବୀରେ ଲାଗିବ ଲଗାମ!୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା

 Breaking News

କ୍ରୀଡ଼ା ସଂଗଠନର ପଦବୀରେ ଲାଗିବ ଲଗାମ!୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା

କ୍ରୀଡ଼ା ସଂଗଠନର ପଦବୀରେ ଲାଗିବ ଲଗାମ!୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା
September 07
13:25 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୭/୯:କ୍ରୀଡ଼ା ପଡ଼ିଆରେ ପ୍ରତିଭାର ପରୀକ୍ଷା ହୁଏ,କିନ୍ତୁ କ୍ରୀଡ଼ା ସଂଗଠନରେ ନେତୃତ୍ୱର ପରୀକ୍ଷା ହୁଏ ସ୍ୱଚ୍ଛତା,ଗଣତାନ୍ତ୍ରିକ ବ୍ୟବସ୍ଥା ଓ ପିଢ଼ି ପରିବର୍ତ୍ତନ ମାଧ୍ୟମରେ।ଦୀର୍ଘବର୍ଷ ଧରି ଗୋଟିଏ ପଦବୀରେ ରହିବାର ପ୍ରଥାକୁ ନେଇ ସମୟ ସମୟରେ ଉଠୁଥିବା ପ୍ରଶ୍ନ ମଧ୍ୟରେ କ୍ରୀଡ଼ା ସଂଗଠନର ପଦାଧିକାରୀଙ୍କ କାର୍ଯ୍ୟକାଳ ଓ ବୟସ ସୀମାକୁ ନେଇ ପ୍ରସ୍ତାବିତ ନୂଆ ନିୟମ ଏବେ ଜାତୀୟ କ୍ରୀଡ଼ା ମହଲ ସହ ବଲାଙ୍ଗୀରରେ ମଧ୍ୟ ଚର୍ଚ୍ଚାର ନୂଆ ଖୋରାକ ଯୋଗାଇଛି।
ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ସମେତ ସ୍ୱୀକୃତିପ୍ରାପ୍ତ ଜାତୀୟ କ୍ରୀଡ଼ା ମହାସଂଘ (NSF )ଗୁଡ଼ିକରେ ପଦାଧିକାରୀଙ୍କ କାର୍ଯ୍ୟକାଳ ଓ ପୁନଃନିର୍ବାଚନକୁ ନେଇ ଆସୁଥିବା ଏହି ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ହେଉଛି,ପଦବୀକୁ ଦୀର୍ଘସ୍ଥାୟୀ ଅଧିକାରରେ ପରିଣତ ନକରି ନୂଆ ନେତୃତ୍ୱ ପାଇଁ ସୁଯୋଗ ସୃଷ୍ଟି କରିବା।
ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ,କୌଣସି ସ୍ୱୀକୃତିପ୍ରାପ୍ତ NSFର ସଭାପତି ସର୍ବାଧିକ ୧୨ ବର୍ଷ,ଅର୍ଥାତ୍ ତିନିଟି କ୍ରମାଗତ ଚାରିବର୍ଷିଆ କାର୍ଯ୍ୟକାଳ ପର୍ଯ୍ୟନ୍ତ ପଦରେ ରହିପାରିବେ।ସେହିପରି ସଚିବ/ସାଧାରଣ ସମ୍ପାଦକ ଏବଂ କୋଷାଧ୍ୟକ୍ଷଙ୍କ ପାଇଁ ସର୍ବାଧିକ ଦୁଇଟି କ୍ରମାଗତ ଚାରିବର୍ଷିଆ କାର୍ଯ୍ୟକାଳ,ଅର୍ଥାତ୍ ୮ ବର୍ଷର ସୀମା ରହିବ। ଏହା ପରେ ପୁନଃ ନିର୍ବାଚନ ଲଢ଼ିବାକୁ ଅତିକମ୍‌ରେ ୪ ବର୍ଷର କୁଲିଂ-ଅଫ୍ ପିରିୟଡ୍ ଆବଶ୍ୟକ ହେବ।
ଏହା ସହିତ ସଭାପତି,ସଚିବ ଓ କୋଷାଧ୍ୟକ୍ଷ ପଦରେ ଥିବା ବ୍ୟକ୍ତି ୭୦ ବର୍ଷ ବୟସ ପୂରଣ କରିବା ପରେ ସେହି ପଦରେ ରହିପାରିବେ ନାହିଁ।ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ହେଉଛି,IOAବ୍ୟତୀତ ଅନ୍ୟ କୌଣସି NSFର ପଦାଧିକାରୀ ଏକ ସମୟରେ ଆଉ ଏକ NSFର ପଦାଧିକାରୀ ରହିପାରିବେ ନାହିଁ।
ଦୀର୍ଘଦିନର ପଦାଧିକାରୀଙ୍କ ପାଇଁ ଚ୍ୟାଲେଞ୍ଜ।
ଏହି ନିୟମ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେଲେ ଦୀର୍ଘ ସମୟ ଧରି କ୍ରୀଡ଼ା ସଂଗଠନର ବିଭିନ୍ନ ପଦବୀରେ ରହିଆସୁଥିବା ପଦାଧିକାରୀଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ।ବିଶେଷକରି କ୍ରିକେଟ୍ ସମେତ ବିଭିନ୍ନ କ୍ରୀଡ଼ା ସଂଗଠନରେ ନେତୃତ୍ୱର ପୁନର୍ବିନ୍ୟାସ ନେଇ ଚର୍ଚ୍ଚା ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।
ତେବେ ଏହା କେବଳ ପଦାଧିକାରୀଙ୍କ କାର୍ଯ୍ୟକାଳ ସୀମିତ କରିବାର ପ୍ରଶ୍ନ ନୁହେଁ।ଏହା ପଛରେ ଥିବା ବଡ଼ ପ୍ରଶ୍ନ ହେଉଛି, କ୍ରୀଡ଼ା ସଂଗଠନର ନେତୃତ୍ୱ କେତେ ଦିନ ପର‌୍ୟ୍ୟନ୍ତ ସମାନ ହାତରେ ରହିବ ଏବଂ ନୂଆ ପିଢ଼ି କେବେ ସୁଯୋଗ ପାଇବ?
ବଲାଙ୍ଗୀରରେ ମଧ୍ୟ ଉଠିଲା ପ୍ରଶ୍ନ।
ନୂଆ ନିୟମକୁ ନେଇ ବଲାଙ୍ଗୀରର କ୍ରୀଡ଼ା ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।କ୍ରୀଡ଼ା ସଂଗଠନର ପଦବୀ କି କିଛି ନିର୍ଦ୍ଦିଷ୍ଟ ଲୋକ, ଗୋଷ୍ଠୀ କିମ୍ବା ପରିବାରର ପ୍ରଭାବ ମଧ୍ୟରେ ସୀମିତ ରହିବ,ନା ଯୋଗ୍ୟତା ଓ ଅଭିଜ୍ଞତା ଆଧାରରେ ନୂଆ ନେତୃତ୍ୱକୁ ଆଗକୁ ଆସିବାର ସୁଯୋଗ ମିଳିବ।ଏହି ପ୍ରଶ୍ନ ଏବେ ସାମ୍ନାକୁ ଆସିଛି।
ବାସ୍ତବରେ କୌଣସି ପଦବୀ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ।ଏହା ଏକ ସାର୍ବଜନୀନ ଦାୟିତ୍ୱ।ପଦରେ ଥିବା ବ୍ୟକ୍ତିଙ୍କ ପ୍ରଥମ ଦାୟିତ୍ୱ ହେଉଛି କ୍ରୀଡ଼ାର ବିକାଶ,ଖେଳାଳିଙ୍କ ସ୍ୱାର୍ଥ ଓ ସଂଗଠନର ସ୍ୱଚ୍ଛତାକୁ ପ୍ରାଥମିକତା ଦେବା।
ଦୀର୍ଘଦିନ ଧରି ଏକାଧିକ ପଦବୀରେ ସମାନ ନେତୃତ୍ୱ ରହିଲେ ଅନୁଭବ ନିଶ୍ଚିତ ଭାବେ ମିଳେ,କିନ୍ତୁ ତାହା ସହିତ ନୂଆ ଚିନ୍ତାଧାରା, ନୂଆ ଉର୍ଜା ଓ ନୂଆ ନେତୃତ୍ୱର ପ୍ରବେଶ ମଧ୍ୟ ସମାନ ଭାବେ ଆବଶ୍ୟକ।ନଚେତ୍ ସଂଗଠନର ଗଣତାନ୍ତ୍ରିକ ବିକାଶ ପ୍ରଶ୍ନର ସମ୍ମୁଖୀନ ହୋଇପାରେ।
ବଲାଙ୍ଗୀର ଭଳି କ୍ରୀଡ଼ାପ୍ରତିଭାରେ ସମୃଦ୍ଧ ଜିଲ୍ଲାରେ ନୂଆ ପିଢ଼ିକୁ କେବଳ ଖେଳାଳି ଭାବେ ନୁହେଁ,ସଂଗଠନର ନୀତି ନିର୍ଦ୍ଧାରଣ ଓ ନେତୃତ୍ୱରେ ମଧ୍ୟ ସୁଯୋଗ ଦେବା ଆବଶ୍ୟକ।ଯୁବ କ୍ରୀଡ଼ାପ୍ରେମୀ, ପୂର୍ବତନ ଖେଳାଳି ଓ କ୍ରୀଡ଼ା ପରିଚାଳନାରେ ଆଗ୍ରହୀ ନୂଆ ପିଢ଼ି ଯଦି ସଂଗଠନରେ ଅଧିକ ସଂଖ୍ୟାରେ ସାମିଲ ହୁଅନ୍ତି,ତେବେ ଏହା କ୍ରୀଡ଼ା ବିକାଶରେ ଏକ ନୂଆ ଅଧ୍ୟାୟ ଆଣିପାରେ।
ତେଣୁ ପ୍ରସ୍ତାବିତ ନିୟମକୁ କେବଳ ପଦାଧିକାରୀଙ୍କ ପଦବୀ ସୀମିତ କରିବାର ନିୟମ ଭାବେ ନଦେଖି,ଏହାକୁ ନୂଆ ନେତୃତ୍ୱ,ସ୍ୱଚ୍ଛତା ଓ ଗଣତାନ୍ତ୍ରିକ ପରିବର୍ତ୍ତନର ଏକ ସମ୍ଭାବ୍ୟ ଦ୍ୱାର ଭାବେ ଦେଖିବାର ଆବଶ୍ୟକତା ରହିଛି।
ଶେଷରେ ପ୍ରଶ୍ନଟି ଅତ୍ୟନ୍ତ ସରଳ।ପଦବୀକୁ କେତେ ଦିନ ଧରି ରଖିବା,ତାହା ବଡ଼ କଥା ନୁହେଁ,ପଦବୀରେ ରହି କ୍ରୀଡ଼ା ପାଇଁ କ’ଣ କରାଗଲା,ତାହା ହିଁ ମୂଳ ମାପଦଣ୍ଡ ହେବା ଉଚିତ।
ପଦବୀ ଆସିବ ଓ ଯିବ।ନେତୃତ୍ୱ ବଦଳିବ।ପିଢ଼ି ବଦଳିବ।କିନ୍ତୁ ଏକ ସ୍ୱଚ୍ଛ,ସୁସ୍ଥ,ଗଣତାନ୍ତ୍ରିକ ଓ ଶକ୍ତିଶାଳୀ କ୍ରୀଡ଼ା ବ୍ୟବସ୍ଥା ଗଢ଼ି ଉଠିଲେ ତାହାର ସୁଫଳ କେବଳ ଆଜିର ଖେଳାଳି ନୁହେଁ,ଆଗାମୀ ପିଢ଼ି ପରେ ପିଢ଼ି ଉପଭୋଗ କରିବେ।
କାରଣ ପଦବୀ କାହାର ସ୍ଥାୟୀ ପରିଚୟ ନୁହେଁ,କ୍ରୀଡ଼ାର ବିକାଶ ହିଁ ଏକ ସଂଗଠନର ଚିରସ୍ଥାୟୀ ପରିଚୟ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930