Indus Valley Times

ଖୋରଧା ଜିଲ୍ଲା ସ୍ତରୀୟ ଐତିହ୍ୟ ଗଣ ଦୌଡ଼ ଅନୁଷ୍ଠିତ

 Breaking News

ଖୋରଧା ଜିଲ୍ଲା ସ୍ତରୀୟ ଐତିହ୍ୟ ଗଣ ଦୌଡ଼ ଅନୁଷ୍ଠିତ

ଖୋରଧା ଜିଲ୍ଲା ସ୍ତରୀୟ ଐତିହ୍ୟ ଗଣ ଦୌଡ଼ ଅନୁଷ୍ଠିତ
April 05
22:54 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୫/୪ : ଓଡ଼ିଶାର ଅସ୍ମିତା, ଓଡ଼ିଆର ପରମ୍ପରା , କଳା ଓ ସଂସ୍କୃତିକୁ ପୁନଃର୍ଜିବୀତ କରିବା ତଥା ଏହାର ମହତ୍ତ୍ଵ ପ୍ରତ୍ୟେକ ଓଡିଆଙ୍କ ମନରେ ଜାଗ୍ରତ କରିବା ଉପଲକ୍ଷେ ଓଡ଼ିଆ ପକ୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଅପ୍ରେଲ ୧ ତାରିଖରୁ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ପାଳନ କରାଯାଉଅଛି ।
ଓଡ଼ିଶାର ଗୌରବମୟ ଇତିହାସ ସମଗ୍ର ବିଶ୍ୱକୁ ଅନୁପ୍ରାଣିତ କରିଛି । ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ ଭଳି ଯୋଦ୍ଧା ନିଜ ଜୀବନକୁ ପଛରେ ପକାଇ ସ୍ଵାଧୀନତା ସଂଗ୍ରାମରେ ପାଇକ ମେଳି କରି ବ୍ରିଟିଶ୍ ଶାସନ ବିରୁଦ୍ଧରେ ସଂଗ୍ରାମ କରିଥିବା ବେଳେ ତତ୍କାଳୀନ ବି ଜେ ବି ଉଚ୍ଚ ବିଦ୍ୟାଳୟର ଛାତ୍ର ଶହୀଦ ଦିବାକର ପରିଡ଼ା ମାତ୍ର ୩୨ ବର୍ଷ ବୟସରେ ଦୁର୍ଦ୍ଧଶ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଠେଙ୍ଗାରେ ଯୁଦ୍ଧ କରି ଅତ୍ୟାଚାରକୁ ବିରୋଧ କରିଥିବାରୁ,ବ୍ରିଟିଶ୍ ସରକାର ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ । ଏଭଳି ସିଂହ ପରି ଓଡ଼ିଶାର ବରପୁତ୍ର ମାନଙ୍କ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବସୁରୀ ମାନଙ୍କ ଗାଥାକୁ ଅନୁସରଣ କରି ଓଡ଼ିଶାର ଅସ୍ମିତାକୁ ତଥା ଜିଲ୍ଲାର ଗାରିମାକୁ ଉଜ୍ଜୀବିତ କରି ରଖିବାକୁ ଆଜି ବି ଜେ ବି ଉଚ୍ଚ ବିଦ୍ୟାଳୟ ପରିସରରେ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ପଣ୍ଡାଙ୍କ ପରିଚାଳନାରେ ଏବଂ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ,ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଐତିହ୍ୟ ଗଣ ଦୌଡ଼ ସମାବେଶରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧାର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ପତାକା ଦେଖାଇ ଗଣଦୌଡକୁ ଶୁଭାରମ୍ଭ କରି ଉପରୋକ୍ତ ବିଷୟ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ପ୍ରଦାନ କରିଛନ୍ତି ।
ଅତିରିକ୍ତ ଜିଲ୍ଲାପାଳ,ଶ୍ରୀ ବେଉରା ଅଧ୍ୟକ୍ଷତା କରି ଏହି କାର୍ଯ୍ୟକ୍ରମର ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ କଳିଙ୍ଗର ଇତିହାସ ସମ୍ବନ୍ଧରେ ପିଲା ମାନଙ୍କୁ ଜାଣିବାକୁ ହେଲେ ଓଡ଼ିଆ ପକ୍ଷ ପାଳନର ସମସ୍ତ ଦିବସର ମହତ୍ତ୍ଵ ବୁଝିବାକୁ ପରାମର୍ଶ ଦେଇଥିଲେ।
ଖୋରଧା ବୀର ମାଟିର ଇତିହାସ ପଢ଼ି ଏକ ଅଗ୍ରଣୀ ଜିଲ୍ଲା ଗଢ଼ି ତୋଳିବା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ଵାନ ଦେଇଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି, ସଭାପତି ଓ ସମ୍ମାନିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ଚାରା କୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଐତିହ୍ୟ ଗଣଦୌଡ ସମାରୋହରେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ସୋର୍ଯ୍ୟ ରଞ୍ଜନ ମହାନ୍ତି ,ବି ଜେ ବି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି, ଅବକାରୀ ଅଧିକ୍ଷକ, ଖୋରଧା ଶ୍ରୀମତୀ ସୁମିତ୍ରା ତ୍ରିପାଠୀ,ଡେପୁଟୀ କଲେକ୍ଟର, ରାଜସ୍ବ ନିବେଦିତା ପରିଡ଼ା, ଡେପୁଟୀ କଲେକ୍ଟର, ନିର୍ବାଚନ, ରଞ୍ଜନ କୁମାର ଜେନା, ଡେପୁଟୀ କଲେକ୍ଟର ସ୍ଵିଟୀ ସୋରେନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ପୌର ପରିଷଦ, ଖୋରଧା ସିଦ୍ଧାର୍ଥ ପଟ୍ଟନାୟକ ଯୋଗଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଖୋରଧା ଜିଲ୍ଲା ବିକାଶ ମଞ୍ଚ ସଭାପତି ନରେନ୍ଦ୍ର ପୃଷ୍ଟି, ବିଭିନ୍ନ ଜନ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।
ଏହି ଗଣଦୌଡ଼ ବିଜେବି ହାଇସ୍କୁଲରୁ ବାହାରି କୋର୍ଟ ଛକ ଦେଇ ପୁନଶ୍ଚ ବି ଜେ ବି ହାଇସ୍କୁଲରେ ପହଞ୍ଚିଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031