Indus Valley Times

ଜବରଦଖଲରେ ଡ୍ରେନେଜ ବ୍ୟବସ୍ଥା: ପ୍ରଦୂଷିତ ହେଉଛି ପରିବେଶ, ନିଷ୍କାସନରେ ବାଧକ କ୍ୟାବିନ

 Breaking News

ଜବରଦଖଲରେ ଡ୍ରେନେଜ ବ୍ୟବସ୍ଥା: ପ୍ରଦୂଷିତ ହେଉଛି ପରିବେଶ, ନିଷ୍କାସନରେ ବାଧକ କ୍ୟାବିନ

ଜବରଦଖଲରେ ଡ୍ରେନେଜ ବ୍ୟବସ୍ଥା: ପ୍ରଦୂଷିତ ହେଉଛି ପରିବେଶ, ନିଷ୍କାସନରେ ବାଧକ କ୍ୟାବିନ
May 25
11:04 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା ,୨୫/୫ : ରାଜ୍ୟ ରାଜଧାନୀ ଠାରୁ ମାତ୍ର ୨୫ କି ମି. ଦୂରରେ ରହିଛି ଖୋରଧା ସହର । ସହରର ଲୋକସଂଖ୍ୟା ବୃଦ୍ଧି ସହିତ ପ୍ରଦୂଷଣ ବି ବଢୁଛି ।
୨୫.୮୪ବର୍ଗ କି.ମି. ଖୋରଧା ପୌରାଞ୍ଚଳ ୨୨ଟି ୱାର୍ଡକୁ ନେଇ ଗଠିତ । ସହରରେ ପାଖାପାଖି ୧୦୦କି.ମି ରୁ ଉର୍ଦ୍ଧ୍ବ ବ୍ୟାପି ଡ୍ରେନ୍ ରହିଛି । ମାତ୍ର ସହରର ଅଧିକାଂଶ ଡ୍ରେନ ଜବରଦଖଲକାରୀଙ୍କ କବଜାରେ ରହିଛି। ବିଶେଷ କରି ଉଠାଦୋକାନୀ ମାନେ ଅଧିକ ଡ୍ରେନ ମାଡି ବସିଥି ବା ବେଳେ କେତେକ ସ୍ଥାନରେ ସ୍ଥାୟୀ ଘର କରିଥିବା ଜଣାପଡିଛି ।
ସହରର ନୂଆବସ୍ ଷ୍ଟାଣ୍ଡଠାରୁ ଆରମ୍ଭ କରି ଟ୍ରାଫିକ୍ ଛକ, ମାରୁୱାଡି ପଟି, ପୁରୁଣା ବସଷ୍ଟାଣ୍ଡ, ପୁରୁଣା ହସ୍ପିଟାଲ ରୋଡ଼, ନୟାଗଡ ରୋଡ ଓ ପୌର ପରିଷଦକୁ ଯିବା ରାସ୍ତାରେ ଥିାବା ଡ୍ରେନ ସବୁ ଉଠାଦୋକାନୀଙ୍କ କବଜାରେ ରହିଛି।
ଡ୍ରେନ ଜବରଦଖଲରେ ରହିଥିେବାରୁ ଏଗୁଡିକର ନିୟମିତ ସଫେଇ କରାଯାଇପାରୁନାହିଁ । ଫଳରେ ସହରରେ ପରିମଳ ବ୍ୟବସ୍ଥା ଏକ ପ୍ରକାର ବିପର‌୍ୟ୍ୟସ୍ତ ହୋଇପଡିଛି ।
କିଛି ଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଡ୍ରେନ ଜାମ ହୋଇ ପାଣି ଲହଡ଼ି ମାରୁଥିଲା। ପରବର୍ତ୍ତୀ ସମୟରେ ଅସ୍ଥାୟୀ ଭାବେ କାମ କରି ପୌର ପ୍ରଶାସନ କାମ ସାରିଦେଲା ।
ଏହାଛଡା ନୂଆବସ୍ ଷ୍ଟାଣ୍ଡ, ହରିଜନ ସାହି, ହାବେଳି, ତଳସାହି, ସଟର କଲୋନୀ ମୁକୁନ୍ଦ ପ୍ରସାଦ ଆଦି ଅଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି।
ସାମାନ୍ୟ ବର୍ଷାରେ ଏ ସବୁ ଅଞ୍ଚଳରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି । ପୌର ପରିଷଦରେ ୨୫୦ ରୁ ଅଧିକ ସଫେଇ କର୍ମଚାରୀ ଥିଲେ ମଧ୍ୟ ଦୈନିକ ନାଳ ସଫେଇ କରାଯାଇପାରୁନାହିଁ ।
ପୌର କର୍ତ୍ତୃପକ୍ଷଙ୍କ ଅବହେଳାରୁ ଦିନକୁ ଦିନ ଡ୍ରେନ୍ ଉପରେ ଜବର ଦଖଲ ବୃଦ୍ଧି ପାଇବାରେ ଲାଗିଛି । ନାଳ ଗୁଡିକ ଜବରଦଖଲ କରି ରହିଥିବା ଉଠାଦୋକାନୀଙ୍କ ଉଚ୍ଛେଦ ପାଇଁ ପୌର ପରିଷଦ ଅଣ୍ଟା ଭିଡୁଥିବା ବେଳେ ଏହା ମଧ୍ୟ ଜବର ଦଖଲ ରୁ ବାଦ ପଡ଼ିନାହିଁ।
କେତେକ ୱାଡରେ ଡ୍ରେନ ନ ଥିବାରୁ ପାଣି ନିଷ୍କାସନ ହୋଇ ନ ପାରି ଜମି ରହୁଛି। ଅନେକ ସ୍ଥାନରେ ନୂତନ ଡ୍ରେନ ନିର୍ମାଣ ହୋଇଥିଲେ ମଧ୍ୟ ଏଗୁଡ଼ିକ ପାଇଁ ସଂଯୋଗକାରୀ ନାଳ ନିର୍ମାଣ କରାଯାଇନାହିଁ, ଫଳରେ ପାଣି ନିଷ୍କାସିତ ହୋଇ ନ ପାରି ଜମି ରହିବାରୁ ଦୃର୍ଗନ୍ଧମୟ ପରିସ୍ଥିତି ସୃଷ୍ଟି କରୁଛି।
ସହରର ଏଣେତେଣେ ଆବର୍ଜନା ଫୋପଡା ଯାଉଥିବାରୁ ସହର ପ୍ରଦୂଷିତ ହେଉଛି। ରାସ୍ତା କଡ଼ରେ ପଲିଥିନ୍ ପ୍ଲାଷ୍ଟିକ ପଇଡ଼ କୁଢ଼ କୁଢ଼ ଆବର୍ଜନା କେତେକ ସ୍ଥାନରେ ଗଦା ହେଉଛି ।
ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା ମଶା ବଂଶ ବୃଦ୍ଧିରେ ସହାୟକ ହୋଇଛି । ମଶା ଘଉଡାଇବା ପାଇଁ ପୌର ପରିଷଦରେ ଦୁଇଟି ଟିଫା ମେସିନ ଥିବା ବେଳେ ଏହା ପଡି ପଡି ଖତ ହେଲାଣି ।
ପୌର ପରିଷଦ ପକ୍ଷରୁ ନୂଆ ଟିଫା ମେସିନ୍ କିଣିବା କିମ୍ବା ଖରାପ ହୋଇପଡିଥିବା ମେସିନ୍ ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ ।
ମୁଖ୍ୟ ରାସ୍ତା ପାର୍ଶ୍ଵରେ ପଡି ରହୁଥିବା ପଇଡ, ଅବ୍ୟବହୃତ ଟାୟାର, ପ୍ଲାଷ୍ଟିକ୍ ଗ୍ଲାସ ଆଦିରେ ପାଣି ଜମି ରହୁଥିାବାରୁ ଏହା ଏଡିସ୍ ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି ।
ବର୍ଷା ଦିନ ପୂର୍ବରୁ ଏହାର ସ୍ଥାୟୀ ନିରାକାରଣ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ଉଠା ଦୋକାନୀଙ୍କ ଥଇଥାନ ପାଇଁ ପୌର ପରିଷଦ ପକ୍ଷରୁ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇ କିଛି ଦୋକାନ ଉଚ୍ଛେଦ ପରେ ଥଇଥାନ କରାଯାଇଥିବା ସ୍ଥଳେ ଏବେବି ଅନେକ ଦୋକାନ ଡ୍ରେନ ଉପରେ ରହିଛି।
ଫଳରେ ଉଠା ଦୋକାନ ଜବରଦଖଲ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସହରକୁ ସରସ ସୁନ୍ଦର କରିବା ପାଇଁ ଉଠା ଦୋକାନୀଙ୍କ ଉଚ୍ଛେଦ ନିହାତି ଆବଶ୍ୟକ ହୋଇପଡିଥିବା ସ୍ଥଳେ ବର୍ଷା ଦିନ ପୂର୍ବରୁ ଡ୍ରେନ ଗୁଡ଼ିକ ସଫା କରିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031