ଠିକାଦାରଙ୍କ ମନମାନି, ବିଭାଗୀୟ ଅଧିକାରୀଙ୍କ ନିରବତା : ଧୂଳି ପ୍ରଦୂଷଣରେ ଅତିଷ୍ଠ ଖୋରଧା ବାସୀଙ୍କ ରାସ୍ତାରୋକ,ପୁଲିସ ହସ୍ତକ୍ଷେପ ପରେ ୨୪ ଘଣ୍ଟା ମଧ୍ୟରେ କାମ ଆରମ୍ଭ ପ୍ରତିଶ୍ରୁତି
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୧/୧୧: ଠିକାଦାରଙ୍କ ମନମାନି ଓ ବିଭାଗୀୟ ସମନ୍ୱୟର ଅଭାବ ଖୋରଧା ସହରବାସୀଙ୍କ ପାଇଁ ଏବେ ଗୁରୁତର ସମସ୍ୟା ସୃଷ୍ଟି କରିଛି। ସହରର ନୂଆ ବସ୍ଷ୍ଟାଣ୍ଡଠାରୁ ଚଣ୍ଡୀଚୁଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ରାସ୍ତା ଉପରେ ଡଷ୍ଟ ବିଛାଇ ଠିକାଦାର କାର୍ଯ୍ୟ ବନ୍ଦ କରିଦେଇଥିବାବେଳେ ନିୟମିତ ପାଣି ସିଞ୍ଚନ କରାଯାଉନାହିଁ।
ଫଳରେ ଧୂଳି ପ୍ରଦୂଷଣରେ ଅତିଷ୍ଠ ହୋଇପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା। ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଯାନବାହନ ଚଳାଚଳ କରୁଥିବାରୁ ରାସ୍ତାରୁ ଉଡ଼ୁଥିବା ଧୂଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।
ଘରଦ୍ୱାରଠାରୁ ଆରମ୍ଭ କରି ଦୋକାନବଜାର ପର୍ଯ୍ୟନ୍ତ ସବୁଠି ଧୂଳିର ଆସ୍ତରଣ ଜମି ରହୁଛି। ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀ, ଦୋକାନୀ ଓ ସ୍ଥାନୀୟ ଲୋକେ ଧୂଳି ପ୍ରଦୂଷଣରେ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି।
ଏହାଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବା ସହ ରାସ୍ତାର ଅବ୍ୟବସ୍ଥା ଯୋଗୁଁ ଦୁର୍ଘଟଣା ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ଶେଷରେ ଜନସାଧାରଣ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି। ସ୍ଥାନୀୟ ବାସିନ୍ଦା, ମହିଳାଙ୍କ ସମେତ ବିଭିନ୍ନ ଅଞ୍ଚଳର ଲୋକେ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଥିଲେ।
ଠିକାଦାରଙ୍କ ଦାୟିତ୍ୱହୀନତା ସାଙ୍ଗକୁ ଟିପିସିଓଡିଏଲ୍ ଓ ୱାଟ୍କୋ ବିଭାଗର କାର୍ଯ୍ୟଶୈଳୀକୁ ନେଇ ଆନ୍ଦୋଳନକାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ଟିପିସିଓଡିଏଲ୍ ଓ ୱାଟ୍କୋ ପକ୍ଷରୁ ଆବଶ୍ୟକ କାର୍ଯ୍ୟ ଦୀର୍ଘଦିନ ଧରି ସମ୍ପନ୍ନ ହୋଇନଥିବାରୁ ରାସ୍ତା ନିର୍ମାଣରେ ବିଳମ୍ବ ଘଟୁଛି।
ଏହାକୁ ଆଳ କରି ଠିକାଦାର ନିର୍ମାଣ କାର୍ଯ୍ୟ ବନ୍ଦ ରଖିଛନ୍ତି। ତେବେ ନିର୍ମାଣ କାମ ବନ୍ଦ ଥିଲେ ମଧ୍ୟ ରାସ୍ତାରେ ନିୟମିତ ପାଣି ସିଞ୍ଚନ କରି ଧୂଳି ନିୟନ୍ତ୍ରଣ କରିବା ଠିକାଦାରଙ୍କ ଦାୟିତ୍ୱ। ମାତ୍ର ଏ ଦିଗରେ କୌଣସି ଧ୍ୟାନ ଦିଆଯାଉନଥିବା ଅଭିଯୋଗ ହୋଇଛି।
ଖବର ପାଇ ଖୋରଧା ଆଦର୍ଶ ଥାନାଅଧିକାରୀ ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଲୋକଙ୍କ ସହ ଆଲୋଚନା କରିଥିଲେ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାସ୍ତାରେ ନିୟମିତ ପାଣି ସିଞ୍ଚନ ଆରମ୍ଭ କରିବା ସହ ନିର୍ମାଣ କାର୍ଯ୍ୟ ପୁନର୍ବାର ଚାଲୁ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ଆନ୍ଦୋଳନକାରୀ ମାନେ ଧାରଣାରୁ ଓହରିଥିଲେ।
ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏକ ସାଧାରଣ ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଜନସାଧାରଣଙ୍କୁ କାହିଁକି ରାସ୍ତାକୁ ଓହ୍ଲାଇବାକୁ ପଡ଼ିଲା ? ଠିକାଦାରଙ୍କ ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ କିଏ ଉତ୍ତରଦାୟୀ ହେବ ?
ନିର୍ମାଣରେ ବିଳମ୍ବ ଓ ଧୂଳି ପ୍ରଦୂଷଣ ପାଇଁ ଦାୟୀ ଠିକାଦାର ଏବଂ ସମ୍ପୃକ୍ତ ବିଭାଗ ବିରୋଧରେ କେବେ ଓ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ?
ଏଭଳି ଅନେକ ପ୍ରଶ୍ନ ଏବେ ସହରବାସୀଙ୍କ ମନରେ ଉଙ୍କି ମାରୁଛି। ପୁଲିସର ହସ୍ତକ୍ଷେପ ପରେ ଦିଆଯାଇଥିବା ପ୍ରତିଶ୍ରୁତି କେବଳ ଆଶ୍ୱାସନାରେ ସୀମିତ ରହିବ ନା ରାସ୍ତା ନିର୍ମାଣ କାର୍ଯ୍ୟ ବାସ୍ତବରେ ଆଗେଇବ, ତାହା ଏବେ ଦେଖିବାକୁ ବାକି ରହିଲା।







