Indus Valley Times

ତିନି ମାସରୁ ଉର୍ଦ୍ଧ୍ବ ସମୟ ଧରି ଭତ୍ତା ପାଇ ନାହାନ୍ତି ହିତାଧିକାରୀ, ବଢୁଛି ଜନ ଅସନ୍ତୋଷ

 Breaking News

ତିନି ମାସରୁ ଉର୍ଦ୍ଧ୍ବ ସମୟ ଧରି ଭତ୍ତା ପାଇ ନାହାନ୍ତି ହିତାଧିକାରୀ, ବଢୁଛି ଜନ ଅସନ୍ତୋଷ

ତିନି ମାସରୁ ଉର୍ଦ୍ଧ୍ବ ସମୟ ଧରି ଭତ୍ତା ପାଇ ନାହାନ୍ତି ହିତାଧିକାରୀ, ବଢୁଛି ଜନ ଅସନ୍ତୋଷ
June 10
14:24 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୦/୬ : ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଭତ୍ତା ପାଉଥିବା ଅନେକ ହିତାଧିକାରୀ ଦୀର୍ଘ ତିନି ମାସରୁ ଉର୍ଦ୍ଧ୍ବ ସମୟ ଧରି ଭତ୍ତା ପାଇ ନଥିବାରୁ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାର ଲାଭାର୍ଥୀ ମାନେ ନିୟମିତ ଭାବେ ଭତ୍ତା ନ ପାଇବା ଯୋଗୁଁ ନିଜର ଦୈନନ୍ଦିନ ଜୀବନ ନିର୍ବାହ କରିବାରେ ନାନା ଅସୁବିଧା ଭୋଗୁଛନ୍ତି।
ଏହାକୁ ନେଇ ଜନଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଭତ୍ତା ହେଉଛି ଅନେକ ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଜୀବନ ନିର୍ବାହର ଏକମାତ୍ର ଆର୍ଥିକ ସହାୟତା। ଏହି ଟଙ୍କା ଉପରେ ନିର୍ଭର କରି ସେମାନେ ଔଷଧ କିଣିବା, ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିବା ସହ ଅନ୍ୟାନ୍ୟ ଆବଶ୍ୟକ ଖର୍ଚ୍ଚ ବହନ କରିଥାନ୍ତି।
ମାତ୍ର ଗତ ତିନି ମାସ ଧରି ଭତ୍ତା ନ ମିଳିବା ଫଳରେ ଅନେକ ହିତାଧିକାରୀ ଋଣ କରି ଚଳିବାକୁ ବାଧ୍ୟ ହୋଇଛନ୍ତି। କେତେକ ବୃଦ୍ଧ ଏବଂ ଅସହାୟ ବ୍ୟକ୍ତି ଔଷଧ କିଣିବାକୁ ସକ୍ଷମ ନ ହୋଇ ସ୍ୱାସ୍ଥ୍ୟଗତ ସମସ୍ୟାରେ ମଧ୍ୟ ପଡ଼ୁଛନ୍ତି।
ହିତାଧିକାରୀ ମାନଙ୍କ ଅଭିଯୋଗ ଅନୁସାରେ, ସେମାନେ ବାରମ୍ବାର ପଞ୍ଚାୟତ ,ବ୍ଲକ ଓ ପୌର କାର୍ଯ୍ୟାଳୟର ଦ୍ୱାରସ୍ଥ ହେଉଥିଲେ ମଧ୍ୟ ଭତ୍ତା ପ୍ରଦାନ ସମ୍ପର୍କରେ ସ୍ପଷ୍ଟ ସୂଚନା ପାଇପାରୁ ନାହାନ୍ତି। କେବଳ ଶୀଘ୍ର ସମାଧାନ ହେବ ବୋଲି ଆଶ୍ୱାସନ ମିଳୁଥିବା ବେଳେ ବାସ୍ତବରେ କୌଣସି ପଦକ୍ଷେପ ଦୃଶ୍ୟମାନ ହେଉ ନାହିଁ।
ଫଳରେ ଲୋକଙ୍କ ମଧ୍ୟରେ ପ୍ରଶାସନ ପ୍ରତି ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳର ଅନେକ ହିତାଧିକାରୀ କହିଛନ୍ତି ଯେ, ସରକାର ଗରିବ, ଅସହାୟ ଏବଂ ବୃଦ୍ଧ ବ୍ୟକ୍ତିଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ଏହାର ସଠିକ୍ କାର‌୍ୟ୍ୟକାରିତା ନ ହେବା ଦୁଃଖଦ ବିଷୟ।
ନିୟମିତ ଭତ୍ତା ପ୍ରଦାନ ହେଉନଥିବାରୁ ଯୋଜନାର ଉଦ୍ଦେଶ୍ୟ ହିଁ ବ୍ୟାହତ ହେଉଛି ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ତୁରନ୍ତ ବକେୟା ଭତ୍ତା ପ୍ରଦାନ କରିବା ସହ ଭବିଷ୍ୟତରେ ଏପରି ସମସ୍ୟାର ପୁନରାବୃତ୍ତି ରୋକିବାକୁ ସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି। ଭତ୍ତା ପ୍ରଦାନରେ ବିଳମ୍ବ ପଛର କାରଣ ସମ୍ପର୍କରେ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦେବାକୁ ମଧ୍ୟ ଦାବି ଉଠିଛି।
ଅନ୍ୟ ପକ୍ଷରେ, ଯଦି ଖୁବଶୀଘ୍ର ଭତ୍ତା ପ୍ରଦାନ କରାନଯାଏ, ତେବେ ହିତାଧିକାରୀମାନେ ଏକାଠି ହୋଇ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ଏବଂ କେବେ ହିତାଧିକାରୀମାନେ ସେମାନଙ୍କ ପ୍ରାପ୍ୟ ଭତ୍ତା ପାଇବେ ତାହାକୁ ନେଇ ଅପେକ୍ଷା ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031