Indus Valley Times

ପରିବାରବର୍ଗଙ୍କ ଉପସ୍ଥିତିରେ ହେବ ଶବ ବ୍ୟବଚ୍ଛେଦ

 Breaking News

ପରିବାରବର୍ଗଙ୍କ ଉପସ୍ଥିତିରେ ହେବ ଶବ ବ୍ୟବଚ୍ଛେଦ

ପରିବାରବର୍ଗଙ୍କ ଉପସ୍ଥିତିରେ ହେବ ଶବ ବ୍ୟବଚ୍ଛେଦ
February 18
12:08 2025

ଚନ୍ଦ୍ରଶେଖରପୁର, ୧୮/୨: କିଟ୍ ବିଶ୍ବବିଦ୍ୟାଳୟରେ ବି-ଟେକ୍ ଦ୍ବିତୀୟ ବର୍ଷର ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ମୃତ ଛାତ୍ରୀଙ୍କ ବାପା ସୁନୀଲ ଲାମସା ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ଉଚ୍ଚଶିକ୍ଷା ପାଇଁ ଝିଅକୁ ଏତେଦୂର ପଠାଇଥିଲୁ ହେଲେ ଏମିତି ଘଟିବ ବୋଲି କେବେ ଭାବିନଥିଲି। ମୋ ଝିଅ ତ ଆଉ ନାହିଁ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଏପରି ନହେଉ। ଏବେ ଆମେ ନ୍ୟାୟ ଚାହୁଁଛୁ।
ଓଡ଼ିଶା ସରକାର ଓ ପୁଲିସ ଉପରେ ଭରସା ଅଛି ନ୍ୟାୟ ମିଳିବ। କିଟ୍ କର୍ତ୍ତୃପକ୍ଷ ନେପାଳୀ ଛାତ୍ରଛାତ୍ରୀଙ୍କୁ ଯେପରି ରେଳ ଷ୍ଟେସନରେ ନେଇଛାଡ଼ିଲେ, ତାହା ଠିକ୍ ନୁହେଁ। ଆଜି ଏମ୍ସରେ ମୃତାଙ୍କର ଶବବ୍ୟବଚ୍ଛେଦ କରାଯିବ।
ସୂଚନାଯୋଗ୍ୟ, ଗତକାଲି ରାତିରେ କିଟ୍ ବିଶ୍ବବିଦ୍ୟାଳୟରେ ବି-ଟେକ୍ ଦ୍ବିତୀୟ ବର୍ଷର ଜଣେ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଛାତ୍ରୀ ହେଲେ ନେପାଳର ପ୍ରକୃତି ଲାମ୍ସା(୧୯)। ପ୍ରେମରେ ଧୋକା ଖାଇବା ପରେ ପ୍ରକୃତି ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଏହାକୁ ନେଇ ବିଶ୍ବବିଦ୍ୟାଳୟ ହଷ୍ଟେଲ୍ରେ ରହୁଥିବା ଶତାଧିକ ନେପାଳୀ ଛାତ୍ରଛାତ୍ରୀ ଉତ୍ତେଜିତ ହୋଇ ପଡ଼ିଥିଲେ ଏବଂ ଧୋକାବାଜ ଛାତ୍ରକୁ ତୁରନ୍ତ ଗିରଫ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ କମିସନରେଟ୍ ପୁଲିସର ବୁଝାସୁଝା ପରେ ବି ଉତ୍ତେଜିତ ଛାତ୍ରଛାତ୍ରୀ ରାତିତମାମ ହୋ-ହଲ୍ଲା କରିଥିଲେ।
ସ୍ଥିତି ଅଣାୟତ୍ତ ହେବାରୁ ସକାଳୁ କିଟ୍ରେ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା। ଏହା ଭିତରେ ପୁଲିସ ଅଭିଯୁକ୍ତ ଛାତ୍ର ଉତ୍ତରପ୍ରଦେଶ ଲକ୍ଷ୍ନୌର ଆଦଭିକ୍ ଶ୍ରୀବାସ୍ତବ(୨୧)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ବର ବିମାନବନ୍ଦରରୁ ପୁଲିସ ତାଙ୍କୁ ଗିରଫ କରିଛି। ସନ୍ଧ୍ୟା ସୁଦ୍ଧା ପରିସରରେ ଉତ୍ତେଜନା ଥମିବାରୁ ସାଇନ୍-ଏ-ଡାଏ ପ୍ରତ୍ୟାହାର କରାଯାଇଥିଲା।
ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ୬ ନମ୍ବର ହଷ୍ଟେଲ୍ ୪ ଏ/୧୨୫ ରୁମ୍ରେ ପ୍ରକୃତି ଓ ଅନ୍ୟ ଜଣେ ସହପାଠୀ ରହୁଥିଲେ। କଲେଜ ପରିସରରେ ଚାଲିଥିବା ସାଂସ୍କୃତିକ କାର‌୍ୟ୍ୟକ୍ରମ ଦେଖିବା ପାଇଁ ହଷ୍ଟେଲ୍ର ସମସ୍ତ ଛାତ୍ରୀ ଯାଇଥିଲେ ହେଁ ପ୍ରକୃତି ଏକୁଟିଆ ରୁମ୍ରେ ଥିଲେ। ଛାତ୍ରୀମାନେ ଫେରିବା ବେଳକୁ ପ୍ରକୃତିଙ୍କ ମୃତଦେହ ପଙ୍ଖାରେ ଝୁଲୁଥିଲା।
ଏହି ଖବର ବିଜୁଳି ବେଗରେ କ୍ୟାମ୍ପସ୍ରେ ଖେଳି ଯାଇଥିଲା। ନେପାଳୀ ଛାତ୍ରଛାତ୍ରୀମାନେ ହଷ୍ଟେଲ୍ ରୁମ୍ରୁ ବାହାରି ଆସି ପାଟିତୁଣ୍ଡ କରିଥିଲେ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଧ୍ୟାପକ, ଅଧ୍ୟାପିକାମାନେ ବୁଝାସୁଝା କରିଥିଲେ ସୁଦ୍ଧା ସେମାନଙ୍କ ରାଗ ଥମି ନଥିଲା। ଗଣ୍ଡଗୋଳ ବଢ଼ିବା ଆଶଙ୍କାରେ ପୁଲିସକୁ ଖବର ଦିଆଯାଇଥିଲା।
୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୪ଟି ଥାନାର ଅଧିକାରୀମାନଙ୍କୁ ନେଇ ଏସିପି ସେଠାରେ ପହଞ୍ଚିଥିଲେ। ରାତି ପାହିଲା ପର୍ଯ୍ୟନ୍ତ ଗଣ୍ଡଗୋଳ ଥମିବା ନାଁ ନେଇନଥିଲା। ତେଣୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସାଇନ୍-ଏ-ଡାଏ ଘୋଷଣା କରିଥିଲେ। ହଷ୍ଟେଲ୍ ଖାଲି କରିବାକୁ ନେପାଳ ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟ କରାଯାଇଥିଲା। ଏହାକୁ ନେଇ ପୁଣି ଛାତ୍ର ଅଶାନ୍ତି ବଢ଼ିଥିଲା। ପ୍ରତିବାଦରେ ଏବିଭିପି ପକ୍ଷରୁ କଲେଜ ଫାଟକରେ ଧାରଣା ଦିଆଯାଇଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ ପ୍ରକୃତି ଓ ଆଦଭିକ୍ ଶ୍ରୀବାସ୍ତବ ପରସ୍ପରକୁ ଭଲ ପାଉଥିଲେ। ଦୁଇ ବର୍ଷର ସମ୍ପର୍କ ହଠାତ୍ ୧୪ ତାରିଖ ଭାଲେଣ୍ଟାଇନ୍ ଡେ’ରେ ଭାଙ୍ଗି ଯାଇଥିଲା। ସେମାନଙ୍କ ଭିତରେ ବ୍ରେକ୍ଅପ୍ ହେଲା। କିନ୍ତୁ ପାଖରେ ରଖିଥିବା କିଛି ଭିଡିଓ ଓ ଫଟୋକୁ ନେଇ ଶ୍ରୀବାସ୍ତବ ବ୍ଲାକ୍ମେଲ୍ କରିବା ଆରମ୍ଭ କରିଥିଲା।
ତେଣୁ ପ୍ରକୃତି ମାନସିକ ଅବସାଦରେ ଥିଲେ। ମାମଲା କ୍ୟାମ୍ପସ୍ସ୍ଥିତ ସମସ୍ୟା ସମାଧାନ କେନ୍ଦ୍ର (ଆଇଆଇଓ)ରେ ପହଞ୍ଚିଥିଲା ଏବଂ ସେଠାରେ ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଥିଲା। ଶ୍ରୀବାସ୍ତବ ଆଉ ବ୍ଲାକ୍ମେଲ୍ କରିବ ନାହିଁ ବୋଲି ସମ୍ମତି ଜଣାଇଥିଲା।
କିନ୍ତୁ ପରେ ସେ ପୁଣି ପ୍ରକୃତିଙ୍କୁ ହଇରାଣ କରିଥିଲା। ଖବର ପାଇ ପ୍ରକୃତିଙ୍କ ଅଭିବାବକ ଭୁବନେଶ୍ବରରେ ପହଞ୍ଚିଛନ୍ତି ଏବଂ ଗିରଫ ଛାତ୍ର ଶ୍ରୀବାସ୍ତବ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଇନ୍ଫୋସିଟି ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ନେଇ ହଷ୍ଟେଲ୍ ରୁମ୍ରୁ ପ୍ରକୃତିଙ୍କ ମୋବାଇଲ ଓ ଲାପ୍ଟପ୍ ଜବତ କରିଛି। ଗିରଫ ଛାତ୍ର ଶ୍ରୀବାସ୍ତବର ମୋବାଇଲ ଓ ଲାପ୍ଟପ୍ ମଧ୍ୟ ଜବତ କରାଯାଇଛି।
ନେପାଳ ପ୍ରଧାନମନ୍ତ୍ରୀଙ୍କ କ୍ଷୋଭ: ଘଟଣାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କ୍ଷୋଭ ପ୍ରକାଶ କରିଥିବା ତାଙ୍କ ଏକ୍ସ-ପୋଷ୍ଟରୁ ଜଣାପଡ଼ିଛି।
ଭାରତରେ ଅବସ୍ଥାପିତ ନେପାଳ ରାଷ୍ଟ୍ରଦୂତଙ୍କ ସହ ସେ ଯୋଗାଯୋଗ କରିଛନ୍ତି ଏବଂ ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି। ନେପାଳ ଦୂତାବାସରୁ ଦୁଇ ଜଣ ଅଧିକାରୀ ଘଟଣାର ଅନୁଧ୍ୟାନ ପାଇଁ ଓଡ଼ିଶା ଯିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031