Indus Valley Times

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ

 Breaking News

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ

December 26
22:37 2024

ନୂଆଦିଲ୍ଲୀ,୨୬/୧୨ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହ ଆଉ ନାହାନ୍ତି। ଦିଲ୍ଲୀ ଏମ୍ସରେ ୯୨ ବର୍ଷରେ ଶ୍ରୀ ସିଂହ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସର ଏମର୍ଜେନ୍ସି ୱାର୍ଡରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରିଥିଲେ। ହେଲେ ଡାକ୍ତରୀ ଟିମର ସବୁ ଚେଷ୍ଟା ସତ୍ତ୍ୱେ ଶ୍ରୀ ସିଂହ ଆଖି ବୁଜି ଦେଇଛନ୍ତି।
ପିଭି ନରସିଂହ ରାଓଙ୍କ ସରକାରରେ ମନମୋହନ ସିଂହ ଦେଶର ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ଭାରତୀୟ ଅର୍ଥନୀତିରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଭାରତୀୟ ଅର୍ଥନୀତି ତାଙ୍କ ତୁଳୀରେ ନୂଆ ରୂପ ପାଇଥିଲା।
ଆରବିଆର ଗଭର୍ଣ୍ଣ ଭାବେ କାମ କରି ସାରିଥିବା ମନମୋହନ ସିଂହ ୨୦୦୪ରୁ ୨୦୧୪ ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ କାମ କରିଥିଲେ। ସେ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ। ସେ ଲୋକସଭା ନିର୍ବାଚନ ଜିତି ନାହାନ୍ତି। ଗୋଟିଏ ଦଶନ୍ଧିରୁ ଅଧିକ ସହ ରାଜ୍ୟସଭାର ସଦସ୍ୟ ଭାବେ କାମ କରି ଆସିଥିବା ଶ୍ରୀ ସିଂହ ଚଳିତ ବର୍ଷ ଏପ୍ରିଲରେ ଅବସର ନେଇଥିଲେ।
ମନମୋହନ ସିଂହ ଅବିଭକ୍ତ ଭାରତର ପଞ୍ଜାବ କ୍ଷେତ୍ରର ଗାହ (ବର୍ତ୍ତମାନର ପାକିସ୍ତାନରେ) ଗାଁରେ ୧୯୩୨ମସିହା ସେପ୍ଟେମ୍ବର ୨୬ରେ ଜନ୍ମଗ୍ରହଣ କରିଥିଲେ। ୧୯୪୮ ମସିହାରେ ଡକ୍ଟର ସିଂହ ପଞ୍ଜାବରୁ ପାସ୍ କରିବା ପରେ ତାଙ୍କ ଅଧ୍ୟୟନ ପଞ୍ଜାବରୁ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଯାଏ ଲମ୍ବିଥିଲା।
ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ସେ ୧୯୫୭ ମସିହାରେ ଅର୍ଥଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ଡିଗ୍ରୀ ହାସଲ କରିଥିଲେ। ୧୯୭୧ ମସିହାରେ ଡକ୍ଟର ସିଂହ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ। ଏହାପରେ ଅର୍ଥାତ ୧୯୭୨ ମସିହାରେ ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା।
ସେ ଦେଶର ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଅର୍ଥାତ ଅର୍ଥମନ୍ତ୍ରଣାଳୟର ସଚିବ, ଯୋଜନା କମିଶନର ଉପାଧ୍ୟକ୍ଷ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ପଦରେ ରହିଥିଲେ।
୧୯୯୧ ମସିହାରେ ଭାରତ ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଦେଶର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ନରସିଂହ ରାଓ ସମସ୍ତଙ୍କୁ ଚକିତ କରି ମନମୋହନ ସିଂହଙ୍କୁ ନିଜ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ ବନାଇଥିଲେ। କଡ଼ା ବିରୋଧ ସତ୍ତ୍ୱେ ସେ ଅର୍ଥମନ୍ତ୍ରୀ ଭାବେ ଭାରତର ଅର୍ଥ ବ୍ୟବସ୍ଥାର ଢାଞ୍ଛାଗତ ସୁଧାର ପାଇଁ କଠୋର ବ୍ୟବସ୍ଥା କରିଥିଲେ।
ଏହି କାରଣରୁ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ପଡ଼ିଥିବା ସଙ୍କଟ ଟଳି ଯାଇଥିଲା। ତାଙ୍କୁ ଏହାପରେ ବିଶ୍ୱ ଦରବାରରେ ଜଣେ ମହାନ ଅର୍ଥ ଶାସ୍ତ୍ରୀ ଭାବେ ଗଣତି କରାଯାଇଥିଲେ। ୧୯୯୮ରୁ ୨୦୦୪ ଯାଏ ଶ୍ରୀ ସିଂହ ରାଜ୍ୟସଭାରେ ବିରୋଧୀ ଦଳ ମୁଖ୍ୟ ଭାବେ କାମ କରିଥିଲେ। ୨୦୦୪ରେ ୟୁପିଏ କ୍ଷମତାକୁ ଆସିବା ପରେ ସେ ୨୦୦୪ ମେ ୨୨ ତାରିଖରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୦୯ରେ ମଧ୍ୟ ସେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031