Indus Valley Times

ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ନିର୍ବାଚିତ ପ୍ରତିନିଧିଙ୍କ ଫେରାଦ

 Breaking News

ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ନିର୍ବାଚିତ ପ୍ରତିନିଧିଙ୍କ ଫେରାଦ

ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ନିର୍ବାଚିତ ପ୍ରତିନିଧିଙ୍କ ଫେରାଦ
March 25
22:56 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨୫ା୩ :ଖୋର୍ଦ୍ଧା ବ୍ଲକରେ କାର୍ଯ୍ୟରତ ମଣ୍ଡଳ ଉନ୍ନୟନ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଆଜି ପଂଚାୟତ ସମିତି ଅଧ୍ୟକ୍ଷାଙ୍କ ସମେତ ସରପଂଚ ଓ ସମିତି ସଭ୍ୟ/ସଭ୍ୟାମାନେ ଜିଲ୍ଲାପାଳଙ୍କୁ ଫେରାଦ ହେବା ସହ ଏକ ଦାବିପତ୍ର ଦେଇଛନ୍ତି ।
ପ୍ରକାଶ ଥାଉକି, ଖୋର୍ଦ୍ଧା ବ୍ଲକର ସରପଂଚ,ସମିତି ସଭ୍ୟ/ସଭ୍ୟାମାନେ ଅଭିଯୋଗ କରିଛନ୍ତି ଯେ, ବ୍ଲକରେ କାର୍ଯ୍ୟରତ ମଣ୍ଡଳ ଉନ୍ନୟନ ଅଧିକାରିଣୀ କ୍ଷୀରାବ୍ଧି ତନୟା ସାହୁ ଦୀର୍ଘ ୨ ବର୍ଷ ହେଲା ପଂଚାୟତ ସମିତି ଓ ପଂଚାୟତ ସମ୍ବନ୍ଧୀୟ କୌଣସି ତଥ୍ୟ, ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନ ଖାଦ୍ୟ ସୁରକ୍ଷା ଯୋଜନା, ପାନୀୟ ଜଳ ଯୋଗାଣ ସମ୍ବନ୍ଧରେ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ସୂଚନା ନଦେଇ ମନମୁଖୀ ଭାବେ କାର୍ଯ୍ୟ କରୁଛନ୍ତି ।
ପଂଚାୟତ ସମିତି ଅଧକ୍ଷା ପଂଚାୟତ ସମିତିର ସାମ୍ବିଧାନିକ ମୁଖ୍ୟ ହୋଇଥିବା ସତ୍ୱେ ବ୍ଲକକୁ ଆସୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟଠାରୁ ଆରମ୍ଭକରି କୌଣସି ସରକାରୀ ଯୋଜନାର ସୂଚନା ପ୍ରଦାନ କରିବାରେ ଚଂଚକତା ନୀତି ଅବଲମ୍ବନ କରୁଛନ୍ତି ।
ଏପରିକି ଅଧକ୍ଷାଙ୍କ ସହ କୌଣସି ସରକାରୀ କାର୍ଯ୍ୟକ୍ରମ ନେଇ ଆଲୋଚନା ପର୍ଯ୍ୟାଲୋଚନା କରିବାକୁ ହେୟଜ୍ଞାନ ମଣୁଛନ୍ତି ।
ଅଧିକାରିଣୀଙ୍କ ଏହି ମନମୁଖୀ କାର୍ଯ୍ୟ ଯୋଗୁ ପଂଚାୟତ ସମିତି ଅଧକ୍ଷାଙ୍କ ସହିତ ସମସ୍ତ ସରପଂଚ, ସମିତି ସଭ୍ୟ/ସଭ୍ୟାଙ୍କ ପର୍ଯ୍ୟ ର‌୍ୟ୍ୟନ୍ତ ଏହାଙ୍କୁ ଘୋର ନିନ୍ଦା କରୁଥିବା ବେଳେ ଏହାର କୌଣସି ପ୍ରଭାବ ଶ୍ରୀମତୀ ସାହୁଙ୍କ ଉପରେ ପଡୁନାହିଁ ।
ସେହିପରି ବ୍ଲକ ଓ ଗ୍ରାମପଂଚାୟତକୁ ଆସୁଥିବା ଅନୁଦାନକୁ ନିଜସ୍ୱ ଠିକାଦାର ଦେଇ ଜନପ୍ରତିନିଧିଙ୍କ ଅଗୋଚରରେ ସେ କାର୍ଯ୍ୟ ଗୁଡିକ ସମ୍ପାଦନ କରୁଛନ୍ତି । ସମଗ୍ର ଶିକ୍ଷା ଅଭିଯାନ, ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଆସୁଥିବା ମଞ୍ଜୁର ଅନୁଦାନର ଜ୍ୟେଷ୍ଠାଅଂଶ ନିଜ ଠିକାଦାର ଦେଇ କାର୍ଯ୍ୟ କରୁଛନ୍ତି ।
ଜନପ୍ରତିନିଧିଙ୍କ ଅଗୋଚରରେ କ୍ରୟ କମିଟି ଗଠନ କରି କମ୍ ମୂଲ୍ୟରେ କ୍ରୟ କରି ଅଧିକ ଦର ଲେଖି ଲକ୍ଷାଧିକ ସରକାରୀ ଅର୍ଥ ଆତ୍ମସାତ୍ କରୁଛନ୍ତି ।
ଜନସାଧାରଣଙ୍କ ସମସ୍ୟା ନେଇ ଜନ ପ୍ରତିନିଧିମାନେ ମଣ୍ଡଳ ଉନ୍ନୟନ ଅଧିକାରିଣୀଙ୍କ ପାଖକୁ ଗଲେ ନିଜେ ସାକ୍ଷାତ ନକରି ବ୍ୟକ୍ତିଗତ ପିଅନ ମାଧ୍ୟମରେ ଘଉଡେଇ ଦିଅନ୍ତି ଏବଂ ଜନପ୍ରତିନିଧି ମାନଙ୍କର ଫୋନ୍ ଉଠାନ୍ତି ନାହିଁ ବୋଲି ଅଭିଯୋଗ କରିଛନ୍ତି ।
ବିଗତ ୨ ବର୍ଷ ହେଲା ବିଭିନ୍ନ ଗ୍ରାମପଂଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ସମାପନ ହୋଇଥିଲେ ମଧ୍ୟ ତାହାର ଅର୍ଥରାଶି ମିଳିପାରୁନାହିଁ ।
ବିଲ୍ କରାଇବାକୁ ଦେଲେ ମଣ୍ଡଳ ଉନ୍ନୟନ ଅଧିକାରିଣୀ ନିଜ କର୍ମଚାରୀ ମାଧ୍ୟମରେ ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି ।
ତ୍ରୀସ୍ଥରୀୟ ପଂଚାୟତରାଜ ବ୍ୟବସ୍ଥା ଅନୁସାରେ ନିର୍ବାଚିତ ଜନପ୍ରତିନିଧି ମାନଙ୍କର ସାମ୍ବିଧାନିକ କ୍ଷମତାକୁ ଶ୍ରୀମତୀ ସାହୁ କ୍ଷୁଣ୍ଣ କରୁଛନ୍ତି । ସର୍ବସମତି କ୍ରମେ ପଂଚାୟତ ବୈଠକରେ ପାରିତ ହୋଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟପାଇଁ ଜାଗା ସ୍ଥିରିକୃତ ହୋଇଥିଲେ ମଧ୍ୟ ପଂଚାୟତ ଓ ପଂଚାୟତ ସମିତିର ନିର୍ବାଚିତ ଜନପ୍ରତିନିଧି ମାନଙ୍କ ନିଷ୍ପତିକୁ ଅଣଦେଖା କରି ଅର୍ଥ ଲୋଭରେ ଅନ୍ୟତ୍ର ଜାଗାରେ ମନଇଛା ନିଷ୍ପତି ନେଇ କାର୍ଯ୍ୟ କରୁଛନ୍ତି ।
ଆକ୍ରୋଶ ମୂଳକ ଭାବରେ କାର୍ଯ୍ୟ ନିର୍ବାହୀଙ୍କର ବିଲ୍ ପାଇବା ପୂର୍ବରୁ ଫାଇଲ ହଜି ଯାଉଛି, ଯାହାଦ୍ୱାରାକି କାର୍ଯ୍ୟନିର୍ବାହୀ ବାରମ୍ବାର ବ୍ଳକକୁ ଦୌଡ଼ି ନିରାଶ ହୋଇ ଫେରୁଛନ୍ତି ।
ଜନ ମଙ୍ଗଳକାରୀ ଯୋଜନା ଗୁଡିକୁ ଜନପ୍ରତିନିଧି ମାନଙ୍କ ଅଗୋଚରରେ ଅର୍ଥ ଲୋଭ ରଖି ଯୋଗ୍ୟ ହିତାଧିକାରୀଙ୍କୁ ବଂଚିତ କରି ଅଯୋଗ୍ୟଙ୍କୁ ପ୍ରଦାନ କରୁଛନ୍ତି ।
ପଂଚାୟତ ସମିତି ବୈଠକରେ ଆଲୋଚ୍ୟ ବିଷୟ ସମ୍ପୂର୍ଣ୍ଣ ଉଲ୍ଲେଖ ନକରି ପ୍ରଥମେ ସମସ୍ତଙ୍କର ସ୍ୱାକ୍ଷର କରାଇବା ପରେ ନିଜସ୍ୱ ଇଛା ମୁତାବକ ତଥ୍ୟ ଲିପିବଦ୍ଧ କରୁଛନ୍ତି ।
ପରବର୍ତୀ ସମୟରେ ସମିତି ବୈଠକର ବିବରଣୀ ଜନପ୍ରତିନିଧିମାନଙ୍କୁ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଆକ୍ରୋଶ ମୂଳକ ଭାବେ ମାଗିଲେ ବି ଦିଆଯାଉନାହିଁ । ସମସ୍ତ ଗ୍ରାମପଂଚାୟତର ସରପଂଚ, ସମିତି ସଭ୍ୟ ଓ ସଭ୍ୟା ଶ୍ରୀମତୀ ସାହୁଙ୍କ କାର୍ଯ୍ୟକଳାପ ଏବଂ ବ୍ୟବହାରରେ ଅତିଷ୍ଠ ହୋଇପଡିଲେଣି ବୋଲି ଅଭିଯୋଗ କରିଛନ୍ତି ।
ତେଣୁ ନିର୍ବାଚିତ ପ୍ରତିନିଧି ଓ ବିଡିଓଙ୍କ ବିରୋଧରେ ରହିଥିବା ଦୂରତ୍ୱକୁ ଦୃଷ୍ଟି ନିକ୍ଷେପ କରି ସମସ୍ୟାର ସମାଧାନ ସହିତ ବିଡିଓଙ୍କ ବିରୋଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଂଚ,ସମିତି ସଭ୍ୟ ଓ ସଭ୍ୟାମାନେ ଦାବି କରିଛନ୍ତି ।
ଏହି ମର୍ମର ଏକ ଦାବିପତ୍ର ସେମାନେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31