Indus Valley Times

ବେଗୁନିଆ ଶିଶୁ ବିଦ୍ୟାମନ୍ଦିର ରେ ୧୫୦ରୁ ଅଧିକ ଚାରା ରୋପଣ; ‘ବୃକ୍ଷ ହିଁ ଜୀବନ’ ବାର୍ତ୍ତା ସହ ପରିବେଶ ସଚେତନତା ଅଭିଯାନ

 Breaking News

ବେଗୁନିଆ ଶିଶୁ ବିଦ୍ୟାମନ୍ଦିର ରେ ୧୫୦ରୁ ଅଧିକ ଚାରା ରୋପଣ; ‘ବୃକ୍ଷ ହିଁ ଜୀବନ’ ବାର୍ତ୍ତା ସହ ପରିବେଶ ସଚେତନତା ଅଭିଯାନ

ବେଗୁନିଆ ଶିଶୁ ବିଦ୍ୟାମନ୍ଦିର ରେ ୧୫୦ରୁ ଅଧିକ ଚାରା ରୋପଣ; ‘ବୃକ୍ଷ ହିଁ ଜୀବନ’ ବାର୍ତ୍ତା ସହ ପରିବେଶ ସଚେତନତା ଅଭିଯାନ
July 25
22:50 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୫/୭: ବର୍ତ୍ତମାନ ସମୟରେ ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ, ବୃଦ୍ଧି ପାଉଥିବା ତାପମାତ୍ରା, ବନାଞ୍ଚଳ ହ୍ରାସ ଓ ପରିବେଶ ପ୍ରଦୂଷଣ ଭଳି ସମସ୍ୟା ମାନବ ସମାଜ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି।
ଏପରି ସମୟରେ ପରିବେଶ ସୁରକ୍ଷା ଏବଂ ସବୁଜିମା ବୃଦ୍ଧି ପାଇଁ ବୃକ୍ଷରୋପଣକୁ ଏକ ଗଣଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ପତିତପାବନ ଯୁବକ ସଂଘ ପକ୍ଷରୁ ଶନିବାର ବେଗୁନିଆ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ବ୍ୟାପକ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପତିତପାବନ ଯୁବକ ସଂଘର ସମ୍ପାଦକ ଗଙ୍ଗାଧର ମାର୍ଥାଙ୍କ ନେତୃତ୍ୱରେ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ବିଦ୍ୟାଳୟ ପରିସରକୁ ସବୁଜମୟ କରିବା ପାଇଁ ୧୫୦ରୁ ଅଧିକ ମୂଲ୍ୟବାନ ଓ ଔଷଧୀୟ ଚାରା ରୋପଣ କରିଥିଲେ।
ବୃକ୍ଷରୋପଣ କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଭବିଷ୍ୟତ ପିଢ଼ି ପାଇଁ ସୁସ୍ଥ ପରିବେଶ ଗଠନର ଏକ ଦାୟିତ୍ୱ ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ।
ଅଁଳା, ନିମ୍ବ, ବାହାଡ଼ା, ବଉଳକୋଳି, ପିସ୍ତା ବାଦାମ, କୃଷ୍ଣଚୂଡ଼ା, ଅର୍ଜୁନ, ଶିଶୁ ସମେତ ବିଭିନ୍ନ ପ୍ରଜାତିର ଛାୟାପ୍ରଦ, ଫଳନ୍ତି ଓ ଔଷଧୀୟ ବୃକ୍ଷର ଚାରା ରୋପଣ କରାଯାଇଥିଲା।
ବିଦ୍ୟାଳୟର ଗୁରୁଜୀ, ଗୁରୁମା, ଛାତ୍ରଛାତ୍ରୀ ଓ ଅତିଥିମାନେ ସମସ୍ତେ ମିଳିତ ଭାବେ ଚାରା ରୋପଣ କରି ପରିବେଶ ସୁରକ୍ଷା ପ୍ରତି ନିଜର ଅଙ୍ଗୀକାର ପ୍ରକାଶ କରିଥିଲେ।
ଏହି ଅବସରରେ ବନରକ୍ଷୀ ଦୀପିକା ରାଣୀ ସିଂହ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ରଥ, ବେଗୁନିଆ ଜଗନ୍ନାଥ ମନ୍ଦିର ସଭାପତି ଦୀନବନ୍ଧୁ ଦାଶ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗିରଥୀ ପରିଡ଼ା, ଅବସରପ୍ରାପ୍ତ ଅଧ୍ୟାପକ କୁଞ୍ଜବିହାରୀ ପଣ୍ଡା ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ଡିଙ୍ଗର ପ୍ରଧାନ ଶିକ୍ଷକ ଦିବାକର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ବୃକ୍ଷ ମଣିଷକୁ ଅମ୍ଳଜାନ ପ୍ରଦାନ କରିବା ସହ ପରିବେଶର ସନ୍ତୁଳନ ରକ୍ଷା କରିଥାଏ।
ବୃକ୍ଷ ନଥିଲେ ଜୀବଜଗତର ଅସ୍ତିତ୍ୱ ସଙ୍କଟାପନ୍ନ ହୋଇପଡ଼ିବ। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତିବର୍ଷ ଅନ୍ତତଃ ଗୋଟିଏ ଚାରା ରୋପଣ କରି ତାହାର ଯତ୍ନ ନେବା ଉଚିତ।
କେବଳ ଚାରା ଲଗାଇଲେ ହେବ ନାହିଁ, ତାହାକୁ ସୁରକ୍ଷା ଦେଇ ବଡ଼ ବୃକ୍ଷରେ ପରିଣତ କରିବା ମଧ୍ୟ ସମସ୍ତଙ୍କର ଦାୟିତ୍ୱ ବୋଲି ସେମାନେ କହିଥିଲେ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ବୃକ୍ଷ ହିଁ ଜୀବନ’ ଶୀର୍ଷକ ବିଷୟ ଉପରେ ଆଲୋଚନା ଓ ପ୍ରେରଣାଦାୟକ ବକ୍ତବ୍ୟ ରଖାଯାଇଥିଲା। ଛାତ୍ରଛାତ୍ରୀମାନେ ମଧ୍ୟ ଆଗ୍ରହର ସହ ବୃକ୍ଷରୋପଣରେ ସାମିଲ ହୋଇ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ। ବୃକ୍ଷରୋପଣ ପରେ ପତିତପାବନ ଯୁବକ ସଂଘର ସଦସ୍ୟମାନେ ଫ୍ଲାକ୍ କାର୍ଡ ଧରି ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ପ୍ରକୃତି ସଂରକ୍ଷଣ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ।
ସେମାନେ ଅଧିକରୁ ଅଧିକ ଚାରା ରୋପଣ କରିବା ଓ ପ୍ଲାଷ୍ଟିକ ବ୍ୟବହାର କମାଇ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଆହ୍ୱାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ବିଶ୍ୱରଞ୍ଜନ ଦାସ, କୋଷାଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ସଦସ୍ୟ ରବିନାରାୟଣ ଦଳେଇ, ସରୋଜ କୁମାର ମହାପାତ୍ର, ରାକେଶ କୁମାର ହରିଚନ୍ଦନ, ସତ୍ୟପ୍ରିୟ ମହାପାତ୍ର, ପ୍ରଶାନ୍ତ ଜେନା, ଦୀପକ କୁମାର ସାହୁଙ୍କ ସମେତ ସଂଘର ବହୁ ସଦସ୍ୟ ସକ୍ରିୟ ଭାବେ ସହଯୋଗ କରିଥିଲେ।
ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
ଶେଷରେ ପତିତପାବନ ଯୁବକ ସଂଘର ଉପଦେଷ୍ଟା ଦିବାକର ସାହୁ ସମସ୍ତ ଅତିଥି, ସହଯୋଗୀ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ସଂଘର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31