Indus Valley Times

ବୌଦ୍ଧଗଡ ଏନଏସି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୫ଟି ଇଭିଏମ ଚେକିଂ

 Breaking News

ବୌଦ୍ଧଗଡ ଏନଏସି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୫ଟି ଇଭିଏମ ଚେକିଂ

ବୌଦ୍ଧଗଡ ଏନଏସି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୫ଟି ଇଭିଏମ ଚେକିଂ
January 18
09:53 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୧: ବୌଦ୍ଧଗଡ ଏନଏସି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସୋମବାର ସ୍ଥାନୀୟ ଟାଉନହଲ ଠାରେ ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ପର୍ଯ୍ୟାୟ ଇଭିଏମ ଚେକିଂ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଗଣମାଧ୍ୟମ ଓ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଆଜି ପ୍ରଥମ ପର୍ଯ୍ୟାୟରେ ୪୫ଟି ଇଭିଏମ ମେସିନ ଚେକିଂ କରାଯାଇଥିଲା । କରୋନା କଟକଣାକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନକୁ ପାଳନକରି ଏହି କାର୍ଯ୍ୟକ୍ରମ କରାଯାଇଥିଲା ।
ହାଇଦ୍ରାବାଦରୁ ବୌଦ୍ଧଜିଲ୍ଲାକୁ ଇଭିଏମ ମେସିନ ଯୋଗାଇଥିବା କଂପାନୀ ତରଫରୁ ଇଞ୍ଜିନିଅର ସାଇପ୍ରଦ ସାହୁ ଓ ନେହୁଲ ପୋରୱାଲ ଏହି ଇଭିଏମକୁ ଚେକିଂ କରିଥିଲେ । ବୌଦ୍ଧ ଏନଏସିର ନିର୍ବାଚନ ଅଫିସର ତଥା ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ, ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡାଙ୍କ ସମେତ ଏନଏସିର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ବୌଦ୍ଧ ଜିଲ୍ଲାରେ ରେଳପଥ ପ୍ରକଳ୍ପ ପାଇଁ ଲୁଟ୍ ହେଉଛି ପଥର ଖଣି,କୋଟି କୋଟି ଟଙ୍କାର ରାଜସ୍ୱ ହାନି
ବୌଦ୍ଧ,୧୮/୧: ବୌଦ୍ଧ ଜିଲ୍ଲାର ସ୍ୱପ୍ନ ବଲାଙ୍ଗୀର-ଖୋର୍ଦ୍ଧା ରେଳପଥରେ ଜିଲ୍ଲାର ପ୍ରାୟ୧୧୦ କି.ମି ଆସୁଥିବାବେଳେ କେତେକ ସ୍ଥାନରେ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ଏହି କାର୍ଯ୍ୟ ପାଇଁ ବ୍ୟାପକ ମେଟାଲ ଓ ଚିପ୍ସର ଆବଶ୍ୟକତା ରହୁଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ କ୍ରସର ଏଥିପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି । ଆବଶ୍ୟକତା ଅଧିକ ରହୁଥିବାରୁ ନିମ୍ନମାନର ମେଟାଲ ଓ ଚିପ୍ସ ମଧ୍ୟ ଏଥିରେ ବ୍ୟବହାର ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ଅପରପକ୍ଷରେ ରେଳବିଭାଗ ଅଧିକାରୀମାନେ ଏହାକୁ ଅସ୍ୱୀକାର କରିବାସହ ପରୀକ୍ଷାଗାରରେ ଟେଷ୍ଟିଂ କରାଯାଇ ସାମଗ୍ରୀ ବ୍ୟବହାର ହେଉଥିବା ପ୍ରକାଶ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡାଠାରୁ ବୌଦ୍ଧ ଯାଏଁ ଯେଉଁ ରେଳପ୍ରକଳ୍ପ କାର୍ଯ୍ୟ ଚାଲିଛି ଏଥିରେ ଟେଷ୍ଟିଂ ସାମଗ୍ରୀ ଅଳ୍ପ ବ୍ୟବହାର ହେଉଥିବାବେଳେ ନିମ୍ନମାନର ମେଟାଲ ଓ ଚିପ୍ସ ଅଧିକ ବ୍ୟବହାର ହେଉଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି । ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ଜିଲ୍ଲାବାସୀଙ୍କ ଏକ ସ୍ୱପ୍ନର ପ୍ରକଳ୍ପ ହୋଇଥିବାରୁ ଏହି କାର୍ଯ୍ୟର ମାନ ଠିକ୍ ରହିଲେ ତାର ସ୍ଥାୟୀତ୍ୱ ଓ ସୁରକ୍ଷା ରହିପାରିବ । ଏହି ପ୍ରକଳ୍ପ କୌଣସି ସଡକ ପ୍ରକଳ୍ପ ନୁହେଁ ରେଳପ୍ରକଳ୍ପ ସବୁବେଳେ ରେଳପ୍ରକଳ୍ପ ବୋଲି ଦକ୍ଷିଣପୂର୍ବ ରେଳପଥର ଡେପୁଟି ଚିଫ୍ ଇଞ୍ଜିନିଅର ପ୍ରକାଶ କରିବାସହ କୌଣସି ତ୍ରୁଟିକୁ ଆୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଜିଲ୍ଲାର ବୌଦ୍ଧ ତହସିଲ ଅନ୍ତର୍ଗତ ଗୁନ୍ଦୁଳିଆ ଆରଆଇ ସର୍କଲର ଉଡ୍‌ବିଲକା ମୌଜାରେ ଥିବା ଏକ ପଥରକ୍ୱାରୀରୁ ଏଥିପାଇଁ ବ୍ୟାପକ ମେଟାଲ ଓ ଚିପ୍ସ ଅଣାଯାଉଥିବା ଜଣାପଡିଛି । ଲିଜ୍ ପରିମିତ ପ୍ରାୟ ୧୩ ଏକର ପଥର ଖାଦାନରୁ ୨୦୧୭ ମସିହାଠାରୁ ବ୍ୟାପକ ମାତ୍ରାରେ ପଥର ଖନନ ହୋଇଥିବା ଜଣାପଡିଛି । ଆସନ୍ତା ନଭେମ୍ବର ମାସରେ ଏହି ପଥର ଖାଦାନର ଲିଜ୍ ଅବଧି ସରୁଥିବା ଯୋଗୁଁ ୨୪ ଘଂଟା ବ୍ୟାପକ ପଥର ବ୍ଲାଷ୍ଟିଂ ଓ ଖନନ କାର୍ଯ୍ୟ ଚାଲିଛି । ମାଇନିଂ ପ୍ଲାନ ଠାରୁ ଏଠାରେ ବହୁ ଅଧିକ ପରିମାଣର ଖନନ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେହେଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ । ଜିଲ୍ଲା ବାହାର ଏକ କନଷ୍ଟ୍ରକସନ କଂପାନୀ ଏହି ପଥର ଖାଦାନରୁ ବୌଦ୍ଧ ଜିଲ୍ଲା ତଥା ଅନ୍ୟାନ୍ୟ ଜିଲ୍ଲାରେ ବଡବଡ ନିର୍ମାଣ କାର୍ଯ୍ୟ କରିବାପାଇଁ ୪ବର୍ଷ ମଧ୍ୟରେ ବ୍ୟାପକ ପଥର ଖନନ କରିଛି । ଲିଜ୍ ଅବଧି ସରିବାପାଇଁ ଆଉ ୮ମାସ ବାକିଥିବାବେଳେ ଏହି ଖାଦାନରୁ ଧାର୍ଯ୍ୟ ପରିମାଣଠାରୁ ଅଧିକ ପଥର ଖୋଳାଚାଲିଛି ।
ବଲାଙ୍ଗୀର –ଖୋର୍ଦ୍ଧା ପ୍ରକଳ୍ପକୁ ଏହି କନଷ୍ଟ୍ରକସନ କଂପାନୀ ମଧ୍ୟ ଆବଶ୍ୟକୀୟ ଗ୍ରେଡ ଠାରୁ କମ୍ ମାନର ବ୍ୟାପକ ଚିପ୍ସ ଓ ମେଟାଲ ଯୋଗାଇଥିବା ରେଳବିଭାଗରେ ଅଭିଯୋଗ ହୋଇଛି । ଆବଶ୍ୟକତା ଠାରୁ ଅଧିକ ଖନନ ପାଇଁ ଜିଲ୍ଲାର ହରଭଙ୍ଗା ତହସିଲ ଅନ୍ତର୍ଗତ ତିନୋଟି କ୍ରସରକୁ ପ୍ରାୟ ୧୫କୋଟି ଟଙ୍କାର ଫାଇନ ଲଗାଯାଇଥିବାବେଳେ ବୌଦ୍ଧ ତହସିଲର ଏହି ପଥର ଖାଦାନ ପ୍ରତି କାହିଁକି ପ୍ରଶାସନର ଦୃଷ୍ଟି ପଡିନାହିଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲିଜ୍ ଶେଷ ହୋଇଯିବାପରେ ପ୍ରଶାସନ ଫାଇନ କଲେ ଏବଂ ଲିଜ୍‌ଧାରୀ ଅଦାଲତର ଆଶ୍ରୟ ନେଇ ସମୟ ଗଡାଇ ଖସିଯିବାକୁ ଫନ୍ଦି କରିବାକୁ ସୁଯୋଗ ପାଇଲେ ଏହାର ଫଳାଫଳ କିଛି ହେବନାହିଁ । ତେବେ ନିମ୍ନ ମାନର କାର୍ଯ୍ୟ ହେଉଥିବାର ଖବରପାଇ କେତେକ ଗଣମାଧ୍ୟମ ପ୍ରତିନିଧି ସରଜମିନ ତଦନ୍ତ କରି ସତ୍ୟାସତ୍ୟର ଖବର କରିବାର ଖବରପାଇ ଗଣମାଧ୍ୟମକୁ ମଧ୍ୟ ଖବର ନପ୍ରକାଶ କରିବାପାଇଁ ସବୁ ଯୋଜନା ଶେଷରେ ପଣ୍ଡ ହୋଇଯାଇଛି । ଜିଲ୍ଲାର ଅଧିକ ଖଣିଜସଂପଦ ଲୁଟ୍ ହେବାସହ କୋଟିକୋଟି ଟଙ୍କାର ରାଜସ୍ୱହାନି ହେଉଥିବା ଅଭିଯୋଗର ତଦନ୍ତ କରିବାପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
ବୌଦ୍ଧ,୧୮/୧: ବୌଦ୍ଧ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମର ୫୭ ନଂ ଜାତୀୟ ରାଜପଥ ପାଶ୍ୱର୍ରୁ ଆଜି ଭୋର୍‌ରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ପୋଲିସକୁ ଖବରଦେବାପରେ ଘଟଣାସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି । ଏଥିସହିତ ମୃତ ଦେହ ନିକଟରେ ପଡିଥିବା ଏକ ଟାଙ୍ଗିଆକୁ ମଧ୍ୟ ଜବତ କରିଛି । ସୂଚନା ମୁତାବକ ସରସରା ଗ୍ରାମର ଅନାମୁ ମିର୍ଦ୍ଧାଙ୍କ ମୃତଦେହ ରାସ୍ତାକଡର ଏକ ଧାନ ବିଲରେ ପଡିଥିଲା ।
ଅନାମୁଙ୍କ ଦୁଇ ହାତକୁ ବନ୍ଧା ଯାଇ ଟାଙ୍ଗିଆରେ ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡୁଛି । ଅନ୍ୟପଟେ ଅନାମୁ ମଦ୍ୟପାନ କରୁଥିଲେ ମଧ୍ୟ ସେ ଅତ୍ୟନ୍ତ ମେଳାପୀ । କାହାସହିତ କଳିଝଗଡା କରନ୍ତି ନାହିଁ, ତେଣୁ ଗଣ୍ଡଗୋଳ କରିନଥିବେ ବୋଲି ଗ୍ରାମବାସୀ କହୁଥିବାବେଳେ ତାଙ୍କୁ କିଏ ଓ କାହିଁକି ଏଭଳି ବିଭତ୍ସ ଭାବେ ହତ୍ୟା କରିଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଘଟଣାସ୍ଥଳରେ ପୋଲିସ ପହଞ୍ôଚତଦନ୍ତ ଚାଲୁରଖିଛି ।
ବଲାସିଙ୍ଗା ମହୁଳମୂଳ ଆଶ୍ରମରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ସ୍ମୃତିସଭା
ବୌଦ୍ଧ,୧୮/୧: ବୌଦ୍ଧ ସଦର ବ୍ଲକ ବଲାସିଙ୍ଗା ମହୁଳମୂଳ ମହିମା ଆଶ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପୂର୍ବତନ ଅଧକ୍ଷ ସ୍ୱର୍ଗତ କିଶୋର ମହାନ୍ତିଙ୍କ ଅକାଳ ବିୟୋଗରେ ମହିମା ବିକାଶ ପରିଷଦ ବଲାସିଙ୍ଗା ତରଫରୁ ଏକ ସ୍ମୃତିସଭା ଆୟୋଜନ ହୋଇଥିଲା । ପରିଷଦର ସଭାପତି ବିଭୁତି ଭୂଷଣ ପ୍ରଧାନଙ୍କ ସଭାପତିତ୍ୱରେ ସମ୍ପାଦକ ସାଧୁ କୁଳଧର ଦାସ, ମଠ ତତ୍ତ୍ୱାବଧାରକ ସାଧୁ କୃଷ୍ଣଚନ୍ଦ୍ର ଦାସ ଫୋଟଚିତ୍ରରେ ପୁଷ୍ପମାଲ୍ୟ, ଧୂପ ଅର୍ପଣପରେ ସ୍ମୃତିଚାରଣ କରିଥିଲେ । ଅମର ଆତ୍ମାର ସଦଗତି ନିମନ୍ତେ ମହିମା ଭଜନ ଗାନ ପରେ ସାଧୁ କୁଳଧର ଦାସ, ସାଧୁ କୃଷ୍ଣ ଚନ୍ଦ୍ର ଦାସ, ପୂର୍ବ ସମିତିସଭ୍ୟ ପ୍ରଭାତ ଚନ୍ଦ୍ର ପ୍ରଧାନ, ପୂର୍ବ ସରପଞ୍ଚ ସଦାନନ୍ଦ ପ୍ରଧାନ ଓ ପ୍ରଫୁଲ୍ଲ କୁମାର ପାଢୀ, ସାମାଜିକକର୍ମୀ ବିଶିକେସନ ପ୍ରଧାନ, ଶିକ୍ଷକ ଶମ୍ଭୁ ଗିରି, ବରିଷ୍ଠ ସଦସ୍ୟ ସଦାନନ୍ଦ ମହାକୁଡ଼ ସ୍ମୃତି ଚାରଣ କରିଥିଲେ ।
ସ୍ୱର୍ଗତ ମହାନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧକ୍ଷ ଥିବାବେଳେ ମହିମା ଆଶ୍ରମର ବିକାଶ ନିମନ୍ତେ ଅକୁଣ୍ଠଚିତ୍ତରେ ପାନୀୟ ଜଳ, ଆଲୋକୀକରଣ ଧୁନୀ ମଣ୍ଡପ, ମହିମା ବିକାଶ ପରିଷଦ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଅନୁଦାନ ପ୍ରଦାନ କରିଥିଲେ ଓ ଆଶ୍ରମକୁ ପରିଦର୍ଶନରେ ଆସିଥିଲେ ।
ବୌଦ୍ଧଜିଲ୍ଲାରେ ସରପଂଚ ପଦବି ପାଇଁ ୨, ସମିତି ସଭ୍ୟ ପାଇଁ ୧ , ୱାର୍ଡମେମ୍ବର ପଦବି ପାଇଁ ୬୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ
ବୌଦ୍ଧ,୧୮/୧:ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ବୌଦ୍ଧଜିଲ୍ଲାରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଥିବା ବେଳେ ସୋମବାର ଠାରୁ ନାମାଙ୍କନପତ୍ର ଦାଖଲ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ବୌଦ୍ଧଜିଲ୍ଲାରେ ୩ଟି ବ୍ଲକରେ ସରପଂଚ, ସମିତି ସଭ୍ୟ ଓା୍ୱର୍ଡମେମ୍ବର ପାଇଁ ୬୬ ଜଣ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାର ଜଣାପଡିଛି । କଣ୍ଟାମାଳ ବ୍ଲକ ୩ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ୨୪ ଗ୍ରାମ ପଂଚାୟତ ରହିଛି ଓ ୩୩୦ଟି ୱାର୍ଡ ରହିଛି । ବ୍ଲକର ତିନିଟି ଯାକ ଜିଲ୍ଲା ପରିଷଦ ପାଇଁ ଜଣେ ହେଲେବି ପ୍ରାର୍ଥୀ ନାମାଙ୍କନ ପତ୍ରଦାଖଲ କରିନଥିବା ବେଳେ ସରପଂଚ ପଦବି ପାଇଁ ଯୋଗୀନ୍ଦ୍ରପୁର ପଂଚାୟତରୁ ଅନ୍ନପୂର୍ଣ୍ଣା ଭୋଇନା ଜଣେ ପ୍ରାର୍ଥୀ ସରପଂଚ ପଦବି ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବରଗାଁ ପଂଚାୟତରୁ ପ୍ରେମାନନ୍ଦ ରଣା ଜଣେ ପ୍ରାର୍ଥୀ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସେହିପରି ବିଭିନ୍ନ ପଂଚାୟତରୁ ୧୯ ପ୍ରାର୍ଥୀ ୱାର୍ଡ ମେମ୍ବର ପ୍ରଦବି ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ହରଭଙ୍ଗା ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ୨୨ଟି ପଂଚାୟତ ଓ ୩୦୦ଟି ୱାର୍ଡ ରହିଛି । ହେଲେ ଆଜି ଜିଲ୍ଲା ପରିଷଦ, ସରପଂଚ, ଓ ସମିତି ସଭ୍ୟ ପାଇଁ ଜଣେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିନଥିବା ବେଳେ ୱାର୍ଡ ମେମ୍ବର ପଦବି ପାଇଁ ୨୨ ଜଣ ପ୍ରାର୍ଥୀନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ବୌଦ୍ଧ ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ୨୩ଟି ପଂଚାୟତ ଓ ୩୨୫ଟି ୱାର୍ଡ ରହିଛି ।
ଆଜି ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ପାଇଁ ଜଣେ ମଧ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବା ବେଳେ ସରପଂଚ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୱାର୍ଡ ମେମ୍ବର ପଦବି ପାଇଁ ୨୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜିଲ୍ଲା ପଂଚାୟତ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031