Indus Valley Times

ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟ ସରକାର

 Breaking News

ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟ ସରକାର

ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟ ସରକାର
July 29
10:20 2026

ଭୁବନେଶ୍ୱର, ୨୯/୭ : ଉତ୍ତର ଓଡ଼ିଶା ଉବୁଟୁବୁ । ଉଛୁଳୁଛି ବୈତରଣୀ, ବୁଢ଼ାବଳଙ୍ଗ, ସାଳନ୍ଦୀ, ଜଳକା । ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝରର ଅନେକ ଅଞ୍ଚଳ ଜଳମଗ୍ନ । ରାସ୍ତାରେ ପାଣି ଚାଲୁଛି । ଯେଉଁଭଳି ପ୍ରଖର ବେଗରେ ବୈତରଣୀ ମାଡ଼ୁଛି, ବୁଧବାର ସକାଳ ସୁଦ୍ଧା ଯାଜପୁର, ଭଦ୍ରକର ଅନେକ ଅଞ୍ଚଳକୁ ବନ୍ୟା ଜଳ ମାଡ଼ି ଯାଇଥିବ।
ତେବେ ଆଶଙ୍କା କରାଯାଉଛି କି , ବୈତରଣୀ ଏଥର ମଧ୍ୟମ କିମ୍ବା ବଡ଼ ଧରଣର ବନ୍ୟା ସ୍ଥିତି ଆଣିପାରେ । ଘନଘନ ସମୀକ୍ଷା ଚଳାଇଛନ୍ତି ସରକାର । ପ୍ରଭାବିତ ଅଞ୍ଚଳକୁ ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ପଠାଯାଇଛି ।
ବନ୍ୟା ସ୍ଥିତି ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲ୍ଲାକୁ ପଠାଯାଇଛି । ସୁଧାଂଶୁ ମୋହନ ସାମଲଙ୍କୁ ଭଦ୍ରକ, କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଓ ପି. ଅନ୍ୱେଷା ରେଡ୍ଡୀଙ୍କୁ ସ୍ୱତନ୍ତ୍ର ଭାବେ ଯାଜପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ୮ ଜିଲ୍ଲାରେ ବୁଧବାର ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି ।
ସେହିପରି ପ୍ରବଳ ବର୍ଷା ଭିତରେ କେନ୍ଦୁଝର ଆନନ୍ଦପୁର ରେମାଳ ଡ୍ୟାମ ଗେଟ ଖୋଲିଥିବାବେଳେ ଗାଧୋଇବାକୁ ଯାଇଥିବା ଜଣେ ଯୁବତୀ ଭାସି ଯାଇଥିବା ସୂଚନା ମିଳିଛି ।
ହରିଚନ୍ଦନପୁରରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସରଫାଣ୍ଡି ଅନ୍ତର୍ଗତ ଆମ୍ୱଘାଟ ଗ୍ରାମରେ କାନ୍ଥ ପଡ଼ି ଜଣେ ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି । ବୌଦ୍ଧ ଜିଲ୍ଲା ବାଉଁଶୁଣୀ ବ୍ଲକରେ କାନ୍ଥପଡ଼ିବାରୁ ମା’-ଝିଅ ଗୁରୁତର ହୋଇଛନ୍ତି ।
ପାଣିପାଗ ବିଭାଗର ପୂର୍ବାନୁମାନ-ବୁଧବାର ସକାଳ ସୁଦ୍ଧା ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବ । ବୁଧବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବେଶି ବର୍ଷିବ ପଶ୍ଚିମ ଓଡ଼ିଶାରେ ।
ଗୁରୁବାରଠାରୁ ବର୍ଷା ପରିମାଣ କମିପାରେ । ରାତି ୯ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲ୍ଲାର ୧ ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୨୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031