ସାମାଜିକ ସଙ୍ଗଠନ ମାଟିର ସ୍ୱର ପକ୍ଷରୁ ଆଲୋଚନାଚକ୍ର, ସ୍ୱାଧୀନତାର ୭୪ ବର୍ଷପରେ ଆମ ଦେଶ – ଆମ ଭବିଷ୍ୟ
କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୮/୮ : ଦଶପଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ମାଟିର ସ୍ବର ତରଫରୁ ରାଜ୍ୟସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ସମ୍ପର୍କୀୟ ଆଲୋଚନା ଚକ୍ର ଭର୍ଚୁଆଲ ମୋଡ଼ରେ ଆୟୋଜିତ ହୋଇଯାଇଛି। ଏଥିରେ ଆଲୋଚ୍ୟ ବିଷୟ ଥିଲା ସ୍ୱାଧୀନତାର ୭୪ ବର୍ଷପରେ” ଆମ ଦେଶ – ଆମ ଭବିଷ୍ୟ” ଏହି ଆଲୋଚନାରେ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ବରିଷ୍ଠ ସମାଜ ସେବୀ, ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ତଥା ଲେଖକ ଓ ଲେଖିକା ମୋଟ ୩୦ ଜଣ ଯୋଗଦାନ କରି ଅତି ଗୁରୁତ୍ୱପୂର୍ଣ୍ଣ ମତାମତ ଉପସ୍ଥାପନ କରିଥିଲେ।
ବିଶେଷ କରି ଏହି ଆଲୋଚନାର ମୂଖ୍ୟ ଆଲୋଚକ ଭାବେ ଶ୍ରୀଯୁକ୍ତ ସୁଧିର ପଟ୍ଟନାୟକ, ସମ୍ପାଦକ”ସମଦୃଷ୍ଟି” ଶ୍ରୀଯୁକ୍ତ ସନ୍ଦୀପ ପଟ୍ଟନାୟକ, ସାମାଜିକ କର୍ମୀ , ପ୍ରଫେସର ନୀଳମଣି ସାହୁ, ବରିଷ୍ଠ ସମାଜ ସେବୀ ଓ ଟ୍ରେଡ ଇଉନିୟନ୍ ନେତା ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ମହାନ୍ତି ଓ ଶ୍ରୀଯୁକ୍ତ ଦେବେନ୍ଦ୍ର ସୂତାର, ସାଧାରଣ ସମ୍ପାଦକ, ଓଡିଶା ହେତୁବାଦୀ ସମାଜ ଇତ୍ୟାଦି ଆଲୋଚନାରେ ଭାଗନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସାମାଜିକ ସଂଗଠନ “ମାଟିର ସ୍ୱର ର ସଂଯୋଜକ ଶ୍ରୀଯୁକ୍ତ ପ୍ରଭାତ କୁମାର ସାହୁ ସଂଚାଳନ କରିଥିଲେ।
ଶ୍ରୀଯୁକ୍ତ ସୁଧିର ପଟ୍ଟନାୟକ ନିଜର ମତାମତ ଦେଇ କହିଥିଲେ ଯେ,ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଇତିହାସକୁ ବାରମ୍ବାର ଚର୍ଚ୍ଚା କରିବା ଆବଶ୍ୟକ। ଏ ଜାତି ଇତିହାସ ମନ୍ଥନ କଲେ ଅନେକ କଥା ଆମକୁ ଶିକ୍ଷା କରିବାକୁ ମିଳିବ। ଜାତୀୟ ଗଣ ସତ୍ୟାଗ୍ରହ ସମୟରେ ଏ ଜାତିର ମୁକ୍ତି ପାଇଁ ଅନେକ ରକ୍ତପାତ ମଧ୍ୟ ସଂଘଟିତ ହୋଇଥିଲା।
ଅହିଂସା ଓ ଶାନ୍ତି ଉପାୟରେ ଉପଲବ୍ଧ ସ୍ଵାଧୀନତା ଆଜି ଅର୍ଥହୀନ ହୋଇପଡିଛି। ସଂପ୍ରତି ହିଂସା, ଜାତିବାଦ୍ ତଥା ଜାତିଭିତ୍ତିକ ଶାସନ ବ୍ୟବସ୍ଥାରେ ପରିଣତ ହୋଇଛି।ସ୍ଵାଧୀନତା ଆନ୍ଦୋଳନରେ ଜାତୀୟ ଜନ ନାୟକ ମାନଙ୍କ ଅବଦାନ ଅତୁଳନୀୟ ଏବଂ ଐତିହାସିକ।
ସ୍ଵାଧୀନତାର ୭୪ ବର୍ଷପରେ ମଧ୍ୟ ଭାରତୀୟ ଶିକ୍ଷା ବ୍ୟବସ୍ଥା ଓ ଆଜିର ପାଠ୍ୟକ୍ରମରେ ଅନେକ ପରିବର୍ତ୍ତନର ଆବଶ୍ୟକତା ଅଛି। ୧୯୨୫ ମସିହାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସୃଷ୍ଟି।
ଜାତୀୟ ଆନ୍ଦୋଳନରେ ମୁସଲିମ ଲିଗ୍ ର ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ଏ ପରିସ୍ଥିତିରେ ଶିକ୍ଷା ସ୍ୱାସ୍ଥ୍ୟ ଓ ମୌଳିକ ଅଧିକାର ଆଜି ଧ୍ୱଂସ ହୋଇଯାଇଛି। ସ୍ଵାଧୀନ ଭାରତ ଆଜି ବିଭାଜିତ ଓ ନିୟନ୍ତ୍ରିତ।
ଦେଶର ପରିସ୍ଥିତି ଓ ପରିଚୟ ଆଜି ସଙ୍କଟାପନ୍ନ। ଅହିଂସାର ରାଷ୍ଟ୍ର ଆଜି ହିଂସାରେ କବଳିତ। ଏଥିପାଇଁ ସମସ୍ତେ ଏବଂ ସବୁ ସ୍ତରରେ ସତର୍କ ରହିବା ଆବଶ୍ୟକ। ଗାଁ ଗାଁ ରେ ଗ୍ରାମ୍ୟ ଜୀବନୀ ଓ ଗ୍ରାମ୍ୟ ଇତିହାସକୁ ଅନୁଧ୍ୟାନ କରିବା ପାଇଁ ମଧ୍ୟ ଆହ୍ବାନ ଦେବା ସହିତ ଏପରି ଆଲୋଚନା ଚର୍ଚ୍ଚା ବିଭିନ୍ନ ସମୟରେ ଓ ମହଲରେ କରିବାର ଯଥେଷ୍ଟ ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ।
ଶ୍ରୀଯୁକ୍ତ ସନ୍ଦୀପ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ,ଆମ ଜାତି ଇତିହାସରେ ଆଦିମ ଅଧିବାସୀ ମାନଙ୍କ ଅନେକ ଭୂମିକା ରହିଅଛି। ସେମାନଙ୍କ ସଂଘର୍ଷ ଅତୁଳନୀୟ। ଭାରତ ସ୍ୱାଧୀନତା ଆନ୍ଦୋଳନ ସମୟରେ ଆଦିବାସୀ ମାନଙ୍କ ତରଫରୁ ମଧ୍ୟ ଅନେକ ଆନ୍ଦୋଳନ ସଂଘଟିତ ହୋଇଛି।
ଓଡିଶାରେ ଜନନାୟକ ମନମୋହନ ଚୌଧୁରୀଙ୍କ ପରି ଜନବାଦୀ ନେତା ଆଜି ବିରଳ। ସେମାନଙ୍କ ସଂଗ୍ରାମ ତଥା ଜାତି ଓ ଦେଶ ପାଇଁ ଦେଇଥିବା ଅବଦାନକୁ ଆଜିର ସମାଜ ଅନୁଧ୍ୟାନ କରିବା ଆବଶ୍ୟକ। ସେମାନଙ୍କ ଜୀବନ ଆଦର୍ଶର ଇତିହାସ ଆମକୁ ଅଧିକ ଜାଣିବା ଆବଶ୍ୟକ ଏବଂ ଜାତୀ ଇତିହାସ ସହିତ ରାଷ୍ଟ୍ରୀୟ ମର୍ଯ୍ୟାଦା ଅଖଣ୍ଡତା ଓ ସଂହତି ତଥା ବିକାଶ ବିଷୟରେ ଚର୍ଚ୍ଚା, ଆଲୋଚନା କରିବା ଅତ୍ୟନ୍ତ ଜରୁରୀ। ଏବଂ ଏ ବିଷୟରେ ଅନେକ ଲେଖିବାର ମଧ୍ୟ ଆବଶ୍ୟକତା ଅଛି।
ଦେଶ ସ୍ବାଧୀନ ହେବାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ଆମ ଦେଶରେ ଦାରିଦ୍ର୍ୟ, ଦୁର୍ନୀତି, ଓ ଅସମାନତା ବୃଦ୍ଧି ପାଇବାରେ ଲାଗିଛି। ସମ୍ବଳର ଅସମ ବଣ୍ଟନ, ଦାଦନ ଶ୍ରମିକ ଓ ବଜାରର ଦରବୃଦ୍ଧି ଦ୍ବାରା ସମାଜରେ ଥିବା ଗରିବ ଲୋକଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି।
ଜଙ୍ଗଲ ଅଧିକାର ଆଇନ ଏବଂ ୨୫ ବର୍ଷ ତଳେ ହୋଇଥିବା ପେସା ଆଇନର ସଠିକ କାର୍ଯ୍ୟକାରିତା ନହେବା ଯୋଗୁଁ ଆଦିବାସୀ, ଜଙ୍ଗଲ ବାସୀ ଏବେ ବି ପଛରେ ଓ ଅବହେଳିତ ହୋଇ ରହିଛନ୍ତି। ସେମାନଙ୍କ ବିକାଶ ଏବେ ଅସ୍ପଷ୍ଟ। ବିଶ୍ବ ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସଂପ୍ରତି ଆମ ଦେଶରେ ପ୍ରଶାସନ ସ୍ଥାଣୁ ପାଲଟି ଯାଇଛି ।
ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନାର ସଠିକ ତଦାରଖ କରାଯାଉ ନାହିଁ। ରାଷ୍ଟ୍ର ଆଜି ବେସରକାରୀ କମ୍ପାନୀ ମାନଙ୍କ ପାଖରେ ବନ୍ଧା ପଡିଛି। ବଜାରୀକରଣ, ଘରୋଇ କରଣ ଓ ଶିଳ୍ପାୟନ ଯୋଗୁଁ ଦେଶ ଦେବାଳିଆ ସ୍ଥିତିରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଶିକ୍ଷା ସେବା ବିପର୍ଯ୍ୟସ୍ତ ହୋଇଛି। ଟିକସ ବ୍ୟବସ୍ଥା ଓ ଲିଙ୍ଗଗତ ଅସମାନତା ତଥା ମହିଳା ଓ ପୁରୁଷ ମଧ୍ୟରେ ଥିବା ବିଭେଦ ବୃଦ୍ଧି ପାଇବାରେ ଲାଗିଛି ।
ଏ ରାଜ୍ୟ ଓ ରାଷ୍ଟ୍ରରେ ମାନବାଧିକାର ଓ ଜୀବନ ଜୀବିକା ଉଲଂଘନ ବିରୋଧରେ ଅନେକ ଜନ ଆନ୍ଦୋଳନ ସଂଘଟିତ ହୋଇଛି। ଯଥା ଚିଲିକା ବଂଚାଓ ଆନ୍ଦୋଳନ, ପୋସ୍କୋ, ବାଲିଆପାଳ ଓ ବାଲ୍କୋ ସୁରକ୍ଷା ଆନ୍ଦୋଳନ ଇତ୍ୟାଦି ସଂଘଟିତ ହୋଇଛି।
ଦଖିଣ ଆଫ୍ରିକା, ଇଉରୋପ ଇତ୍ୟାଦି ଦେଶରେ ସାମାଜିକ ନ୍ୟାୟ ଓ ଅର୍ଥନୈତିକ ବୈଷମ୍ୟ ବିରୋଧରେ ଅନେକ ସମୟ ଧରି ଆନ୍ଦୋଳନ ଲାଗି ରହିଛି। ଏ ପରିସ୍ଥିତିରେ ଆମ ଦେଶରେ ଅର୍ଥନୈତିକ ସ୍ଵାଧୀନତା ଆସିବା ଆବଶ୍ୟକ ଓ ସାଂସ୍କୃତିକ ବିବିଧତା ଦୂର ହେବା ଜରୁରୀ ଅଟେ। ପରିବେଶ ଓ ପ୍ରକୃତିର ସୁରକ୍ଷା ଅପରିହାର୍ୟ୍ୟ।
ନିୟମଗିରି ଆନ୍ଦୋଳନ ପରି ଆଦିମ ଅଧିବାସୀ ଓ କୃଷି ତଥା କୃଷକ ମାନଙ୍କ ଆନ୍ଦୋଳନ ଆହୁରି ସକ୍ରିୟ ହେବା ଆବଶ୍ୟକ। କିଶନ ପଟ୍ଟନାୟକଙ୍କ ପରି ଜନବାଦୀ ନେତା ମାନଙ୍କ ଦ୍ଵାରା ସୃଷ୍ଟି ବିକଳ୍ଫ ବିଚାରକୁ ଏବେ ବିଶ୍ଲେଷଣ କରିବାର ସମୟ ଉପନୀତ। ଏହାକୁ ବିଶ୍ଲେଷଣ କରିବା ଅପରିହାର୍ଯ୍ୟ ଅଟେ।
ପ୍ରଫେସର ନୀଳମଣି ସାହୁ-ଶ୍ରୀଯୁକ୍ତ ସାହୁ ନିଜର ମତାମତ ଦେଇ କହିଥିଲେ ଯେ- ଏ ଦେଶର ଭବିଷ୍ୟତ ପ୍ରତି ସବୁ ସ୍ତରରେ ଓ ପ୍ରତିଟି ସମୟରେ ସତର୍କ ରହିବା ଆବଶ୍ୟକ।
ଆମ ଦେଶର ପ୍ରଚଳିତ ଅର୍ଥନୀତିର ସୁଧାର ଆଣିବାକୁ ହେବ। ସମସ୍ତଙ୍କୁ ସମାନ ନ୍ୟାୟ ଓ ସମ୍ବିଧାନର ସୁରକ୍ଷା କରିବାକୁ ହେବ। ଗୋରା ଶାସକ ବଦଳରେ ଆମ ଦେଶରେ ଶାସନ କରୁଥିବା କଳା ଲୋକଙ୍କ ଦୌରାତ୍ମ୍ ବୃଦ୍ଧି ପାଇବାରେ ଲାଗିଛି। ଏ ଅତ୍ୟାଚାର ଓ ଦମନକୁ ପ୍ରତିହତ କରିବା ଆବଶ୍ୟକ।
ଭଗଦ୍ ସିଂ ତଥା ସମ୍ବିଧାନ କମିଟିର ଅସ୍ଥାୟୀ ସଭାପତି ଡଃ ସଚ୍ଚିଦାନନ୍ଦ ସିନାଙ୍କ ବିଚାରକୁ ତର୍ଜମା କରିବା ଆବଶ୍ୟକ।ସମାଜବାଦ ଓ ଧର୍ମ ନିରପେକ୍ଷତା ଏ ଦେଶରେ ଧ୍ୱଂସ ହୋଇଯାଇଛି ଏଥିରୁ ଏ ଦେଶକୁ ମୁକ୍ତ କରିବା ଆବଶ୍ୟକ। ଏକ ଶକ୍ତିଶାଳୀ ଉତ୍ତର ଦାୟିତ୍ବ ରାଷ୍ଟ୍ର ନିର୍ମାଣ ପାଇଁ ସମସ୍ତଙ୍କୁ ସେ ଆହ୍ବାନ ଦେଇଥିଲେ।
ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ମହାନ୍ତି – ନିଜର ବକ୍ତବ୍ୟରେ କହିଥିଲେ ଯେ, ଆମ ଦେଶରେ ସ୍ବାଧୀନତା, ସାମାଜିକ ନ୍ୟାୟ, ଅର୍ଥନୈତିକ ସ୍ଥିତି ଆଜି ପରାହତ। ଆମ ଦେଶର ସ୍ୱାଧୀନତା ଆଜି ପୁଞ୍ଜିପତିଙ୍କ ହାତରେ ଏବଂ ଏଠି ଉପନିବେଶବାଦ ଶାସନ ଚାଲିଛି। ଶ୍ରେଣୀ ବାଦ ବିରୋଧରେ ଏକ ବିଜ୍ଞାନ ସମ୍ମତ ରାଷ୍ଟ୍ର ନିର୍ମାଣ ହେବା ଆବଶ୍ୟକ।
ମହାତ୍ମା ଗାନ୍ଧୀ ଉଦାର ହିନ୍ଦୁ ମାନଙ୍କୁ ନେଇ ଏକାଠି କରିବାକୁ ଉଦ୍ୟମ କରିଥିଲେ। ସ୍ଵାଧୀନତା ଆନ୍ଦୋଳନରେ ବିଭିନ୍ନ ଗୋଷ୍ଠୀ ଏକାଠି ହୋଇ ଯେପରି ସଂଘର୍ଷ କରିଥିଲେ ଆଜି ମଧ୍ୟ ଏକ ମଞ୍ଚରେ ସମସ୍ତେ ଦଳ ମତ ନିର୍ବିଶେଷରେ ଏକାଠି ହୋଇ ଏ ପ୍ରଚଳିତ ତୃଟିପୂର୍ଣ୍ଣ ବ୍ୟବସ୍ଥା ତଥା ସାମନ୍ତବାଦୀ ଶାସନ ବିରୁଦ୍ଧରେ ସମନ୍ଵିତ ଲଢେଇ କରିବା ଆବଶ୍ୟକ।
ପ୍ରଗତିଶୀଳ ନାଗରିକ ଓ ସାମାଜିକ ସଂଗଠନ ଇତ୍ୟାଦି ଏକାଠି ହୋଇ ଚର୍ଚ୍ଚା ଆଲୋଚନା ତର୍କବିତର୍କ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି।
ସୋଭିଏତ ରୁଷ୍ ବିପ୍ଳବକୁ ମଧ୍ୟ ଅନୁଧ୍ୟାନ କରାଯିବା ଆବଶ୍ୟକ। ଶ୍ରମିକ ଓ କୃଷକ ମାନଙ୍କ ଲଢେଇକୁ ସହଯୋଗ କରିବା ଆବଶ୍ୟକ। ପୁଞ୍ଜି ବାଦୀ ମାନସିକତା ଓ କର୍ପୋରେଟ ଶାସନରୁ ମୁକ୍ତ ହେବା ଆଜିର ବଡ ଆହ୍ଵାନ ଆମ ଦେଶର ଅଗଣିତ ଜନଗଣଙ୍କ ପାଇଁ।
ଶ୍ରୀଯୁକ୍ତ ଦେବେନ୍ଦ୍ର ସୂତାର – ନିଜର ମତାମତ ଦେଇ କହିଥିଲେ ଯେ, ସରକାର ବଦଳିଲେ ଦେଶ ବଦଳିଯିବ ଏହା ଆଶା କରିବା ଅନୁଚିତ୍। ଆଜିର ସରକାର ବିଗତ ଦିନରରେ ବିରୋଧୀ ଦଳରେ ଥିଲେ।
ଧର୍ମ ଆଧାରିତ ସରକାର ଗଣତନ୍ତ୍ର ପାଇଁ ଏକ ବଡ ବିପଦ। ଏଥିପାଇଁ ସତର୍କ ରହିବା ଆବଶ୍ୟକ। ଏ ଦେଶର ଭବିଷ୍ୟତକୁ ସୁରକ୍ଷା କରିବା ପାଇଁ ନାଗରିକ ମାନଙ୍କ ବୈଚାରିକ ଦୃଷ୍ଟି ଭଙ୍ଗି ବଦଳିବା ଆବଶ୍ୟକ।
ବଜାର ଦରଦାମ ଓ ମାଗଣା ଅକ୍ସିଜେନ ବଣ୍ଟନ କରି ଅବା ଗୋଟିଏ ଦୁଇଟି ସ୍ଵର୍ଣ୍ଣ ପଦକ ହାସଲ କରି ଆତ୍ମ ଗର୍ବିତ ହେବାର କୌଣସି ଯଥାର୍ଥତା ନାହିଁ। ପରନ୍ତୁ ଏ ରାଷ୍ଟ୍ରର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଧର୍ମନିରପେକ୍ଷତାକୁ ସମ୍ମାନ ଦେବା ବିଧେୟ।
ତଥାପି ଏ ସଂକଟ ସମୟରେ ସମସ୍ତ ସଚେତନ ନାଗରିକ ନିଜ ନିଜର କର୍ତ୍ତବ୍ୟ ଓ ଦାଇତ୍ବ ପ୍ରତି ସତର୍କ ରହିବାକୁ ହେବ ଏବଂ ନିରାଶା ନ ହୋଇ ସମନ୍ବିତ ଉଦ୍ୟମରେ ଏ ରାଷ୍ଟ୍ରୀୟ ମର୍ଯ୍ୟଦା, ଅଖଣ୍ଡତା, ଧର୍ମନିରପେକ୍ଷତା ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ବୈଞ୍ଜାନିକ ସିଦ୍ଧାନ୍ତକୁ ସମ୍ମାନ ଦେଇ ରାଷ୍ଟ୍ର ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ।
ସର୍ବୋପରି ଶେଷରେ ଯୁବକବି ଏବଂ ମାଟିର ସ୍ୱର ସଂଗଠନର ସଦସ୍ୟ ଶ୍ରୀଯୁକ୍ତ ଶ୍ରୀକାନ୍ତ ଘଡେଇ ନିଜର ମତାମତ ଦେଇ କହିଥିଲେ
ଭାରତୀୟ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ସୁଦୃଢୀକରଣ ଓ ସୁରକ୍ଷା ପାଇଁ ସବୁ ବର୍ଗର ନାଗରିକ ଆଗେଇ ଆସିବା ଆବଶ୍ୟକ। ଏ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ଜନ ନାୟକ ମାନଙ୍କୁ ସମ୍ମାନ ଦେବା ସହିତ ଆମ ଦେଶର ଧର୍ମନିରପେକ୍ଷତା ଓ ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବକ ଯୁବତୀ ଲେଖକ ଲେଖିକା ସମାଜସେବୀ ଜାତି ଧର୍ମ ବର୍ଣ୍ଣ ହିଂସା ଦ୍ୱେଷରୁ ଉର୍ଦ୍ଧରେ ରହି ରାଷ୍ଟ୍ରୀୟ ଅଖଣ୍ଡତା ପାଇଁ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ।
ଶେଷରେ ସାମାଜିକ କର୍ମୀ ଶ୍ରୀଯୁକ୍ତ ପ୍ରଭାତ କୁମାର ସାହୁ ସମସ୍ତ ଆଲୋଚକ ଏବଂ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଂଗ ଘୋଷଣା କରିଥିଲେ।।