Indus Valley Times

ସିନେମାହଲ ଖୋଲିବା ପାଇଁ ପ୍ରସୃତି

 Breaking News

ସିନେମାହଲ ଖୋଲିବା ପାଇଁ ପ୍ରସୃତି

October 30
11:32 2020

ଭୁବନେଶ୍ୱର୩୦/୧୦: ନଭେମ୍ବରରୁ ଖୋଲିପାରେ ସିନେମା ହଲ୍ । ସେଥିପାଇଁ ଆଗୁଆ ପ୍ରସ୍ତୁତି ହେଲେଣି ହଲ୍ ମାଲିକ। ପ୍ରେକ୍ଷାଳୟର ସିଟ୍ ସାନିଟାଇଜ୍ କରାଯିବା ସହ ଭିତର ସଫାସୁତୁରା କରାଯାଇଛି । ସବୁ କିଛି ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି। କେବଳ ଅପେକ୍ଷା ଦର୍ଶକ ଏବଂ ସୋ’କୁ ।
ରାଜଧାନୀର ବିଭିନ୍ନ ସିଙ୍ଗଲ୍ ସ୍କ୍ରିନ୍ ଏବଂ ମଲ୍ଟି ସ୍କ୍ରିନ୍ ପକ୍ଷରୁ ପୁଣି ଥରେ ହଲ୍ ଖୋଲିବା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କୋଭିଡ୍ କଟକଣା ମାନି କିପରି ଦର୍ଶକ ସୁବିଧାରେ ସୋ’ ଦେଖିବେ ସେଥିପାଇଁ ସ୍ୱତନ୍ତ୍ର ରିହର୍ସାଲ୍ କରାଯାଉଛି। କର୍ମଚାରୀଙ୍କୁ ପରିଚାଳନା ସମ୍ପର୍କରେ ତାଲିମ୍ ଦିଆଯାଉଛି। ହଲ୍ ପ୍ରବେଶ ପଥରେ ଏବଂ ଟିକେଟ୍ କାଉଣ୍ଟର ସାମ୍ନାରେ ସାମାଜିକ ଦୂରତା ମାନିବା ପାଇଁ ନିୟମ ମୁତାବକ ଗୋଲେଇ କଟା ଯାଇଛି । ସେହି ଭିତରେ ରହି ଦର୍ଶକ ହଲ୍କୁ ପ୍ରବେଶ କରିବେ ଏବଂ ଟିକେଟ୍ କାଟିବେ। ଯେହେତୁ ଅନ୍ଲାଇନ୍ରେ ଟିକେଟ୍ ବ୍ୟବସ୍ଥା ରହୁଛି ତେଣୁ କାଉଣ୍ଟର ଆଗରେ ପ୍ରାୟତଃ ଭିଡ଼ ହେବ ନାହିଁ । କେବଳ ପ୍ରବେଶ ସମୟରେ ଭିଡ଼କୁ ଦୂରେଇବାକୁ ଏଭଳି ବ୍ୟବସ୍ଥା ହୋଇଛି ।
ଏହା ବ୍ୟତୀତ ଭିତରକୁ ପ୍ରବେଶ ପରେ ହାତକୁ ଭଲ ଭାବେ ସାନିଟାଇଜ୍ କରିବା ଲାଗି ମେସିନ୍ ଲଗାଯାଇଛି । ସେହିପରି ଦୀର୍ଘ ୭ମାସ ଧରି ହଲ୍ ବନ୍ଦ ଥିବାରୁ ଭିତରକୁ ପରିସ୍କାର, ପରିଚ୍ଛନ୍ନ ଓ ସାନିଟାଇଜ୍ କରାଯାଇଛି । ଦର୍ଶକ ଗ୍ୟାଲେରୀର ପ୍ରତିଟି ଚେୟାରକୁ ପୋଛା ଯିବା ସହ ସାନିଟାଇଜ୍ କରି ଫୁଲ୍ ପ୍ରସ୍ତୁତିରେ ରହିଛନ୍ତି ହଲ୍ ମାଲିକ । ସେମାନଙ୍କ ଆଶା ଯେହେତୁ କେନ୍ଦ୍ର ସରକାର ଅକ୍ଟୋବର ୧୫ରୁ ହଲ୍ ଖୋଲିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ତେଣୁ ଏବେ ରାଜ୍ୟ ସରକାର ଦେଇପାରନ୍ତି । ସେଥିଲାଗି ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ୁଛି । ଯଦି ପ୍ରସ୍ତୁତ ନରହିବା ତେବେ ହଠାତ୍ ନିର୍ଦ୍ଦେଶ ଆସିଲେ ସବୁ ସୁବିଧା ହୋଇପାରିବନି ବୋଲି କେଶରୀ ହଲ୍ର ଜଣେ କର୍ମଚାରୀ କହିଛନ୍ତି । କେଶରୀ ହଲ୍ରେ ସବୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବାହାରେ ଲେଖା ଯାଇଛି ଖୁବ୍ଶୀଘ୍ର ଫେରୁଛୁ । ଏହାକୁ ଦେଖି କିଛି ସିନେପ୍ରେମୀଙ୍କ ମନରେ ଆଶା ଜାଗ୍ରତ ହୋଇଛି । ଅନ୍ୟ ହଲ୍ମାନେ ବି ପ୍ରସ୍ତୁତ ରହିଛନ୍ତି ।
ସୂଚନାଯୋଗ୍ୟ, ମହାମାରୀ କରୋନା ଯୋଗୁ ଦୀର୍ଘଦିନ ହଲ୍ ବନ୍ଦ ରହିବା ପରେ ସିନେମା ଶିଳ୍ପ ବହୁତ ପ୍ରଭାବିତ ହୋଇଛି। କୌଣସି ସିନେମା ରିଲିଜ୍ ହୋଇପାରୁନି। ହଲ୍ର କର୍ମଚାରୀମାନେ ରୋଜଗାର ହରାଇଛନ୍ତି । ମାଲିକମାନେ ବିଦ୍ୟୁତ୍, ପାଣି ଠାରୁ ଆରମ୍ଭ କରି ଅନେକ ଦେୟ ପଇଠ କରିପାରୁନାହାନ୍ତି। ବ୍ୟାଙ୍କ ଋଣ, ଇଏମ୍ଆଇ ସୁଝି ପାରୁନାହାନ୍ତି। ଯେଉଁଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ସଂଖ୍ୟାଧିକ ହଲ୍ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦେଇଛନ୍ତି । ସେମାନେ ଆଉ ଖୋଲିବେ ନାହିଁ ବୋଲି ଏକ ପ୍ରକାରର ନିଷ୍ପତ୍ତି ନେଇଛନ୍ତି କହିଲେ ଚଳେ। କାରଣ ସେମାନଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏମିତିରେ ରାଜ୍ୟରେ ମାତ୍ର ୯୦ଟି ହଲ୍ ଥିଲାବେଳେ ସେଥିରୁ ଯଦି ଅଧା ଅଧି ବନ୍ଦ ହୋଇଯାଏ ତେବେ ସିନେମା ଶିଳ୍ପର ଭାଗ୍ୟ କ’ଣ ହେବ ସରକାର ଚିନ୍ତା କରିବାର ଆବଶ୍ୟକତା ରହିଛି। ସେଥିପାଇଁ ସରକାର ସହଯୋଗ କରିବାକୁ ହଲ୍ମାନଙ୍କ ପକ୍ଷରୁ ନିବେଦନ କରାଯାଇଛି।

-NEWS7

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031