ସ୍ଥଳଭାଗ ଆଡ଼କୁ ଅଗ୍ରସର; ଆନ୍ଧ୍ର ଛୁଇଁବା ଆଶଙ୍କା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର, ୨୬/୧୦ : ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ନେଇ ଏବେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ବାତ୍ୟା ନେଇ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ଆର୍ଲଟରେ ରହିଛି ସବୁ ବିଭାଗ ।
ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ ହୋଇଛି। ବାଲେଶ୍ୱରରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ୟ୍ୟନ୍ତ ଛୁଟି ବାତିଲ୍। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ବାଲେଶ୍ବର ଜିଲ୍ଲାପାଳ।
ଗଞ୍ଜାମରେ ୨୫ରୁ ୩୦ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିବା ଉପରେ କଟକଣା ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ୨୬ରୁ ୩୦ ତାରିଖ ପର୍ୟ୍ୟନ୍ତ ମୁଖ୍ୟାଳୟ ଛାଡ଼ିବା ମନା । ମାଲକାନଗିରିରେ ୨୭ରୁ ୩୦ ପର୍ୟ୍ୟନ୍ତ ଛୁଟି ବାତିଲ କଲେ ଜିଲ୍ଲାପାଳ । କୋରାପୁଟରେ ୨୭ରୁ ୩୦ ତାରିଖ ପର୍ୟ୍ୟନ୍ତ ଛୁଟି ବାତିଲ କଲେ ଜିଲ୍ଲାପାଳ । ସେହିପରି କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ୨୭ରୁ ୩୧ ତାରିଖ ପର୍ୟ୍ୟନ୍ତ ଛୁଟି ବାତିଲ ହୋଇଛି ।
ସେହିପରି ବାତ୍ୟା ମୋନ୍ଥାର ଗମ୍ଭୀରତାକୁ ଦେଖି ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଗାମୀ ଉପନିର୍ବାଚନ ପାଇଁ ନୂଆପଡ଼ା ଜିଲ୍ଲାକୁ ତାଙ୍କର ନିର୍ଦ୍ଧାରିତ ଗସ୍ତ ବାତିଲ କରିଛନ୍ତି। ଉପନିର୍ବାଚନ ପୂର୍ବରୁ ସମର୍ଥନ ସଂଗ୍ରହ କରିବାକୁ ପ୍ରସ୍ତୁତ ହୋଇଥିବା ମନ୍ତ୍ରୀ ସୁରେଶ ପୂଜାରୀ, ଓଡ଼ିଶା ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଙଝଊଗଇ)ର ଏକ ଜରୁରୀକାଳୀନ ବୈଠକର ଅଧ୍ୟକ୍ଷତା କରିବା ପାଇଁ ତାଙ୍କର ଗସ୍ତ ବାତିଲ୍ କରିଛନ୍ତି ।
ବାତ୍ୟା ପ୍ରସ୍ତୁତି ପଦକ୍ଷେପ ତଦାରଖ ଏବଂ ପ୍ରତିକ୍ରିୟା କାର୍ୟ୍ୟକଳାପ ସମନ୍ୱୟ ଉପରେ ଧ୍ୟାନ ଦେବା ପାଇଁ ସେ ଅନ୍ୟ ସମସ୍ତ ଯୋଜନାବଦ୍ଧ ଗସ୍ତ କାର୍ୟ୍ୟକ୍ରମକୁ ମଧ୍ୟ ବାତିଲ କରିଛନ୍ତି। ବାତ୍ୟା ବିପଦ କମିବା ପର୍ୟ୍ୟନ୍ତ, ଭୁବନେଶ୍ୱରର ରାଜୀବ ଭବନରେ ବିପର୍ୟ୍ୟୟ ପରିଚାଳନା ବିଭାଗର ନିୟନ୍ତ୍ରଣ କକ୍ଷ ତାଙ୍କର ଅସ୍ଥାୟୀ କାର୍ୟ୍ୟାଳୟ ଭାବରେ କାର୍ୟ୍ୟ କରିବ ବୋଲି ସୂଚନା ଦେଇଛନ୍ତି ।






