Indus Valley Times

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ୍ ଅନର

 Breaking News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ୍ ଅନର

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ୍ ଅନର
March 17
20:14 2025

ଭୁବନେଶ୍ୱର,୧୭/୩: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ଦେବେନ୍ଦ୍ର ପ୍ରଧାନଙ୍କ ମରଶରୀର। ଏହି ସମୟରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି। ତାଙ୍କୁ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାଙ୍କ ସହିତ ସମସ୍ତ ମନ୍ତ୍ରୀ, ରାଜ୍ୟ ଭାଜପା ସଭାପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପହଞ୍ଚିଥିଲେ।
ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ।
ତେବେ ଆଜି ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ଧର୍ମପତ୍ନୀ, ପୁଅ, ବୋହୁ, ନାତି ଓ ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ ।
ଡକ୍ଟର ଦେବେନ୍ଦ୍ର ପ୍ରଧାନ ଏକାଧାରରେ ଜଣେ ଚିକିତ୍ସକ, କୃଷିବିତ୍, ସମାଜସେବୀ ଓ ଦକ୍ଷ ରାଜନୀତିଜ୍ଞ ଥିଲେ । ଦେବେନ୍ଦ୍ର ପ୍ରଧାନ ପେଶାରେ ଜଣେ ଡାକ୍ତର ଥିଲେ ।
କିନ୍ତୁ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ । ୧୯୪୧ ମସିହା, ଜୁଲାଇ ୧୬ ତାରିଖରେ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ କଣିହା ବ୍ଲକ୍ ନାଲମ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ।
ତାଙ୍କ ପିତାଙ୍କ ନାମ ସ୍ୱର୍ଗତ ମହେଶ୍ୱର ପ୍ରଧାନ ଏବଂ ମାତାଙ୍କ ନାମ ସ୍ୱର୍ଗତ ଚନ୍ଦ୍ରମା ଦେବୀ । ୧୯୪୮ ମସିହାରେ କଣିହା ବ୍ଲକ୍ ନାଲମ ବିଦ୍ୟାଳୟରୁ ପ୍ରଥମେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ । ଏହା ପରେ ଅନୁଗୁଳ କଲେଜରେ ଶିକ୍ଷା ଲାଭ କରିଥିଲେ ।
୧୯୬୧ରୁ ୧୯୬୬ ମସିହା ମଧ୍ୟରେ ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଏମବିବିଏସ୍ ପଢ଼ା ଶେଷ କରିବା ପରେ ସେହିଠାରେ ହିଁ ହାଉସ୍ ସର୍ଜନ ଭାବେ ତାଙ୍କର ଚାକିରି ଜୀବନ ଆରମ୍ଭ କରିଥିଲେ ।
୧୯୭୩ ମସିହା ଜାନୁୟାରୀ ମାସରେ ସେ ତାଙ୍କର ଡାକ୍ତରୀ ଜୀବନରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ । ଏହା ପରେ ଘରୋଇଭାବେ ସେ ରୋଗୀ ସେବା କରୁଥିଲେ । ଏହାରି ମଧ୍ୟରେ ସେ ସାଧାରଣ ଜନତାଙ୍କ ସହିତ ଅଧିକ ଜଡ଼ିତ ହୋଇଥିଲେ ।
ରାଜନୈତିକ ଯାତ୍ରା…
ଡାକ୍ତରୀ ସେବାରୁ ଅବସର ନେବା ପରେ ଆରମ୍ଭ ହୋଇଥିଲା ତାଙ୍କର ରାଜନୀତି ଜୀବନ । ଡାକ୍ତର ପ୍ରଧାନ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପି ଥିଲେ । ଆଉ ରାଜ୍ୟ ବିଜେପିରେ ସେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ବିଜେପିକୁ ସୁସଙ୍ଗଠିତ ଏବଂ ସୁଦୃଢ଼ କରି ଗଢ଼ି ତୋଳିବାରେ ତାଙ୍କର ଅତୁଳନୀୟ ଅବଦାନ ରହିଛି । ୧୯୮୦ ମସିହା ଜାନୁଆରୀ ୧୦ ତାରିଖରେ ସେ ଭାରତୀୟ ଜନତା ପାର୍ଟିରେ ବିଦ୍ଧିବଦ୍ଧଭାବେ ଯୋଗ ଦେଇଥିଲେ । ଏଠି ମଧ୍ୟ ସେ ଅଟକି ନ ଥିଲେ । ରାଜ୍ୟ ବିଜେପି ତାଙ୍କ ଉପରେ ଭରସା କରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ବସାଇଥିଲା । ୧୯୮୦ରୁ ୮୩ ଯାଏ ସେ ବିଜେପି ତାଳଚେର ମଣ୍ଡଳର ସଭାପତି ଥିଲେ । ୧୯୮୩ରେ ଢେଙ୍କାନାଳ ଜିଲ୍ଲା ବିଜେପିର ସଭାପତି ହୋଇଥିଲେ । ୧୯୮୪ ମସିହାରେ ପ୍ରଥମ ଥର ପାଇଁ ଦେବଗଡ଼ ଲୋକସଭା ଆସନରୁ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଡକ୍ଟର ପ୍ରଧାନ । ୧୯୮୮ ମସିହାରେ ସେ ହୋଇଥିଲେ ବିଜେପିର ରାଜ୍ୟ ସଭାପତି । ୧୯୯୭ରେ ବିଜେପି ଜାତୀୟ ପର‌୍ୟ୍ୟବେକ୍ଷକ ସଦସ୍ୟ ହୋଇଥିଲେ ।
୧୯୯୮ରେ ପୁନର୍ବାର ଦେବଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ସହ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ । ଡାକ୍ତର ଦେବେନ୍ଦ୍ର ପ୍ରଧାନ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ସଡକ ଓ ପରିବହନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଛନ୍ତି । ୧୯୯୯ରେ ଦେବଗଡ଼ ଆସନରୁ ପୁଣି ଥିରେ ସାଂସଦ ଭାବେ ନିର୍ବାଚିତ ହୋଇ କୃଷି ରାଷ୍ଟ୍ର ମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ଦେବେନ୍ଦ୍ର ପ୍ରଧାନ ୨୦୦୧ ମସିହାରେ ରାଷ୍ଟ୍ରୀୟ ଉପ-ସଭାପତି ହୋଇଥିଲେ । ୨୦୦୨ ମସିହା ଯାଏଁ ଏହି ଦାୟିତ୍ଵରେ ରହିଥିଲେ ଡକ୍ଟର ଦେବେନ୍ଦ୍ର ପ୍ରଧାନ । ଏହା ପରେ ପୁଣି ଥରେ ୨୦୦୪ ମସିହାରେ ପାଲଲହଡ଼ା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ୨୦୦୪ରୁ ୨୦୦୮ ମସିହା ମାର୍ଚ୍ଚ ୩ ତାରିଖ ଯାଏ ସେ ବିଜେପିର ରାଜ୍ୟ ପର‌୍ୟ୍ୟବେକ୍ଷକ ସଦସ୍ୟ ହୋଇଥିଲେ ।
ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳି ଯାଇଛି । ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ତାଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031