Indus Valley Times

ଦେଶରେ ‘ଅମୃତ’ ନୁହେଁ ‘ବିଷ’ ସରକାର ଚାଲିଛି; କଂଗ୍ରେସ ନିଟ ପ୍ରଶ୍ନପତ୍ର ଲିକ ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ କେନ୍ଦ୍ର-ରାଜ୍ୟ ସରକାରଙ୍କୁ ଘେରିଲା ଜିଲ୍ଲା କଂଗ୍ରେସ

 Breaking News

ଦେଶରେ ‘ଅମୃତ’ ନୁହେଁ ‘ବିଷ’ ସରକାର ଚାଲିଛି; କଂଗ୍ରେସ ନିଟ ପ୍ରଶ୍ନପତ୍ର ଲିକ ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ କେନ୍ଦ୍ର-ରାଜ୍ୟ ସରକାରଙ୍କୁ ଘେରିଲା ଜିଲ୍ଲା କଂଗ୍ରେସ

ଦେଶରେ ‘ଅମୃତ’ ନୁହେଁ ‘ବିଷ’ ସରକାର ଚାଲିଛି; କଂଗ୍ରେସ ନିଟ ପ୍ରଶ୍ନପତ୍ର ଲିକ ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ କେନ୍ଦ୍ର-ରାଜ୍ୟ ସରକାରଙ୍କୁ ଘେରିଲା ଜିଲ୍ଲା କଂଗ୍ରେସ
June 24
20:52 2026

ପ୍ରସନ୍ନ କୁମାରପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୪/୬: ନିଟ୍ ପ୍ରଶ୍ନପତ୍ର ଲିକ ଘଟଣା, ରାଜ୍ୟରେ ପାଠ୍ୟପୁସ୍ତକ ବିତରଣରେ ଅବ୍ୟବସ୍ଥା ଏବଂ ଶିକ୍ଷା ବ୍ୟବସ୍ଥାର ବିଭିନ୍ନ ତ୍ରୁଟିକୁ ନେଇ ଖୋରଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।
ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷାନୀତି ଓ ପରିଚାଳନାକୁ କଡ଼ା ସମାଲୋଚନା କରାଯାଇଥିଲା।
ଜିଲ୍ଳା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ମୁଖ୍ୟପାତ୍ର ଦେବାଶିଷ ଭୂୟାଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଟ ପ୍ରଶ୍ନପତ୍ର ଲିକ ଏବଂ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଦେଖାଦେଇଥିବା ତ୍ରୁଟି ପ୍ରସଙ୍ଗ ଉଠାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ଭାବେ ଆକ୍ରମଣ କରିଥିଲେ।
ଦେବାଶିଷ ଭୂୟାଁ କହିଥିଲେ ଯେ, କେନ୍ଦ୍ର ସରକାର ଦେଶରେ “ଅମୃତ କାଳ” ଚାଲିଥିବା ଦାବି କରୁଥିବା ବେଳେ ଶିକ୍ଷା କ୍ଷେତ୍ରରେ ଦିନକୁ ଦିନ ଅନିୟମିତତା ବୃଦ୍ଧି ପାଉଛି।
ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଲିକ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଏବଂ ଶିକ୍ଷା ବ୍ୟବସ୍ଥାରେ ବଢ଼ୁଥିବା ଅବ୍ୟବସ୍ଥା ଦେଶର ଯୁବପିଢ଼ିଙ୍କୁ ନିରାଶ କରୁଛି।
ଏପରି ସ୍ଥିତିରେ ଏହି ସରକାରକୁ “ଅମୃତ ସରକାର” କହିବା ପରିବର୍ତ୍ତେ “ବିଷ ସରକାର” କହିବା ଅଧିକ ଯଥାର୍ଥ ବୋଲି ସେ ଅଭିଯୋଗ କରିଥିଲେ।
ସେ ଆହୁରି କହିଥିଲେ ଯେ, ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ର ଅଭାବ ଯୋଗୁଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାନସିକ ଚାପରେ ରହୁଛନ୍ତି।
ନିଟ୍ ଭଳି ଜାତୀୟ ସ୍ତରର ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣା କେନ୍ଦ୍ର ସରକାରଙ୍କ ବିଫଳତାକୁ ସ୍ପଷ୍ଟ କରିଦେଇଛି। ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ଅଭିଯୋଗ କରିଥିଲେ ଯେ, ବିଜେପି ସରକାର ଶିକ୍ଷା ବ୍ୟବସ୍ଥାକୁ ଦଲାଲ ଏବଂ ବ୍ୟବସାୟିକ ଗୋଷ୍ଠୀଙ୍କ ହାତରେ ଟେକି ଦେଇଛି। ଦେଶର ଉଚ୍ଚଶିକ୍ଷା ନୀତି ଓ ପରୀକ୍ଷା ପରିଚାଳନାରେ ଦେଖାଦେଇଥିବା ତ୍ରୁଟି ପାଇଁ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରଣାଳୟକୁ ଦାୟୀ କରି ସେ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି।
ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାରେ ଶିକ୍ଷା ଓ ନିଯୁକ୍ତି ବ୍ୟବସ୍ଥା ଭୁସୁଡ଼ି ପଡ଼ିଛି।
ଉଚ୍ଚ ଶିକ୍ଷିତ ଯୁବକ ଓ ଯୁବତୀମାନେ ନିଜ ଜନ୍ମମାଟିରେ ନିଯୁକ୍ତି ପାଉନାହାନ୍ତି। ରୋଜଗାର ସୃଷ୍ଟି ଏବଂ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଦାବିରେ ଆଗାମୀ ଦିନରେ କଂଗ୍ରେସ ବ୍ୟାପକ ଜନଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଥିଲେ। ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ବାଙ୍କନିଧି ବେହେରା କହିଥିଲେ ଯେ, ବର୍ତ୍ତମାନ ସମୟରେ ଶିକ୍ଷା ଏକ ସେବା ନୁହେଁ, ବରଂ ଏକ ବଡ଼ ଶିଳ୍ପରେ ପରିଣତ ହୋଇଯାଇଛି।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାକୁ ବ୍ୟବସାୟିକ ଦୃଷ୍ଟିକୋଣରେ ଦେଖୁଥିବାରୁ ସାଧାରଣ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ସେ ରାଜ୍ୟର ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ।
କିନ୍ତୁ ସରକାର ଏହାକୁ ଗୁରୁତ୍ୱର ସହ ନ ନେଇ ହାଲୁକା ଭାବେ ନେଇଛନ୍ତି। ଖୋରଧା ଜିଲ୍ଲାରେ ଆଜି ମଧ୍ୟ ପ୍ରାୟ ୩୫ ପ୍ରତିଶତ ଛାତ୍ରଛାତ୍ରୀ ସମୟରେ ପାଠ୍ୟପୁସ୍ତକ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ସେ କରିଥିଲେ।
ଏହା ଶିକ୍ଷା ବିଭାଗର ଅପାରଗତାକୁ ପଦାରେ ପକାଇ ଦେଇଛି ବୋଲି ସେ ମତ ରଖିଥିଲେ। ବେସରକାରୀ
ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଶୋଷଣ, ଅତ୍ୟଧିକ ଫି ଆଦାୟ ଏବଂ ନିୟମ ଉଲ୍ଲଂଘନ ଭଳି ଘଟଣା ଉପରେ ନଜର ରଖିବା ସହିତ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ କଂଗ୍ରେସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଥିଲା।
ଏହି ସାମ୍ବାଦିକ ସମ୍ମିଳନୀରେ ଖୋରଧା ବିଧାୟକ ପ୍ରାର୍ଥୀନୀ ସୋନାଲୀ ସାହୁ, ଚିଲିକା ବିଧାୟକ ପ୍ରାର୍ଥୀ ପ୍ରଦୀପ ସ୍ୱାଇଁ, ସ୍ୱାଗତିକା ପଟ୍ଟନାୟକ, ରଣଜିତ ମହାପାତ୍ର, ଶିଶିର ପରିଡ଼ା, ଜୟଶ୍ରୀ ପଟ୍ଟନାୟକ, ସୁବାଷ ପାତ୍ର, ସୌମ୍ୟ ପଟ୍ଟନାୟକ, ଅଶୋକ ମଙ୍ଗରାଜ, ତାପସ ମିଶ୍ର, ପ୍ରମୋଦ ସ୍ୱାଇଁ, ଜୟନ୍ତ ଦାସ, ରମାକାନ୍ତ ପଟ୍ଟନାୟକ, ଶୈଳେନ୍ଦ୍ର ଦାସ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଶିବପ୍ରସାଦ ଦାସ, ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୌମ୍ୟ ବରାଳ, ଅପସନା ବେଗମ, ମନ୍ୱର ଅଲ୍ଲୀ, ସାଦିକ ଖାନ, ଦେବୀ ଦାସ, ଶ୍ରୀୟା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ଶିକ୍ଷା, ନିଯୁକ୍ତି ଏବଂ ଯୁବପିଢ଼ିଙ୍କ ଭବିଷ୍ୟତ ପ୍ରସଙ୍ଗକୁ ରାଜନୈତିକ ଆଲୋଚନାର କେନ୍ଦ୍ରବିନ୍ଦୁକୁ ଆଣିବାକୁ ଜିଲ୍ଲା କଂଗ୍ରେସ ଉଦ୍ୟମ କରିଥିବା ବେଳେ, ଆଗାମୀ ଦିନରେ ଏହି ପ୍ରସଙ୍ଗରେ ଦଳ ରାସ୍ତାକୁ ଓହ୍ଲାଇବ ବୋଲି ନେତାମାନେ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930