ଖୋଜୁଛି ମୋ’ ପରି ମଣିଷଟିଏ
ରଶ୍ମିତା ସାହୁ
ଖୋଜୁଛି ମୁଁ
ଠିକ୍ ମୋ ପରି ମଣିଷଟିଏ,
ଥିବ ସରଳ ହୃଦୟ,
ସମସ୍ତଙ୍କୁ ବିଶ୍ୱାସ କରୁଥିବା ମନ
ବାରମ୍ବାର ପଡି ଉଠିବାର କରୁଥିବ
ସାହସ ସଞ୍ଚୟ ।।
ଏଠି କିନ୍ତୁ ମଣିଷ ମନରେ
ଭରିଛି ବିଷ,
ସନ୍ଦେହ ରେ ହିଁ ସରିଯାଏ ଆୟୁଷ
କାହୁଁ ପାଇବି, ଏମିତି ଲୋକଟିଏ
ଯିଏ ବୁଝି ପାରୁଥିବ ଅନ୍ତର ବ୍ୟଥା,
ଆଶ୍ୱାସନା ଦେଇ କହିଦେବ
ମାଡିଚାଲ, ମୁଁ ଅଛି ତୁମ ସାଥିରେ ।।
ପାପ ପୁଣ୍ୟର ସଂଜ୍ଞା ଏଠି ଜଟିଳ
ତଥାପି ଖୋଜୁଛି, – ଆଉ ତଉଲୁଛି
ମୋ ନିଜକୁ ପାପ ଓ ପୁଣ୍ୟ ର ନିକିତିରେ,
କେତେ ପାଇଛି, କଣ ହଜେଇଛି
ଏସବୁ ଭାବି ଭାବି ମୁଣ୍ଡ, ସ୍ନାୟୁ
ଲାଗେ ଛିଣ୍ଡିଯିବା ପରି ।।
ମୋ ରାସ୍ତାରେ ଲୋଡାନାହିଁ ସହାନୁଭୂତି,
କାହାର ଦୟା, ପଦେ ଆହା,
ଏତିକି ମାଗୁଛି ଈଶ୍ୱର,
ଦେଇଦିଅ ସବୁ ଦୁରୁହ ଦୁର୍ଭାଗ୍ୟ,
ହେଲେ ମୋ ଶବ୍ଦକୁ ନିୟନ୍ତ୍ରିତ କର ପ୍ରଭୁ
ଯେମିତି ମୋ କଥାରେ କେହି ଆଘାତ ନପାଉ,
ଜାଣତରେ, ଅବା ଅଜାଣତେ ।
—————–
This poem is written by Rashmita Sahoo, a young journalist working with Naxatra News.
Title: Khojuchhi Mo Pari Manisatie (In search of a like-minded soulmate)
Poet: Rashmita Sahoo