Legatus

ଅଗଷ୍ଟରେ କମ୍ ବର୍ଷା, ଭାଙ୍ଗିଲା ୧୨୩ ବର୍ଷର ରେକର୍ଡ

 Breaking News

ଅଗଷ୍ଟରେ କମ୍ ବର୍ଷା, ଭାଙ୍ଗିଲା ୧୨୩ ବର୍ଷର ରେକର୍ଡ

August 29
10:21 2023

ଭୁବନେଶ୍ବର,୨୯/୮: ଚଳିତ ଅଗଷ୍ଟରେ ଗତ ୧୨୩ ବର୍ଷରେ ସବୁଠାରୁ କମ୍ ବର୍ଷା ରେକର୍ଡ ହୋଇଛି। ଯେମିତି ଧାରା ଶ୍ରାବଣ ଏବେ ଗୋଟିଏ ପ୍ରକାର ଆଈ ମା’ କାହାଣୀ ପାଲଟିଛି। ଚାଷ ପାଇଁ ଗୁରୁତ୍ବପୂର୍ଣ୍ଣ ମାସ ହେଉଛି ଅଗଷ୍ଟ।
ହେଲେ ଏହି ମାସରେ ବି ବର୍ଷା ଉଭାନ। ବର୍ତ୍ତମାନ ସୁଦ୍ଧା କିଛି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଓ ଆଉ କିଛି ଅଞ୍ଚଳରେ ବର୍ଷାର ଆବଣ୍ଟନରେ ଅସମାନତା ଚାଷ ପାଇଁ ବିପଦ ସୃଷ୍ଟି କରିଥିବା ବେଳେ ଗୋଟିଏ ସାଂଘାତିକ ଖବର ସାମ୍ନାକୁ ଆସିଛି। କିଛି ମଡେଲର ବିସ୍ତାରିତ ଆକଳନ କହିଲାଣି, ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଯାଇପାରେ।
କାରଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପରିବେଶ ଏବେଠାରୁ ଧୀରେ ଧୀରେ ଅନୁକୂଳ ହେଉଛି। ଏମିତି ଘଟିଲେ ରାଜ୍ୟରେ ଧାନ ଅମଳ କମିବା ସହ ଖରିଫ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କାକୁ ଏଡ଼ାଇ ହେବନାହିଁ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମା ଶଙ୍କର ଦାସଙ୍କ କହିଛନ୍ତି, ଚଳିତ ଅଗଷ୍ଟ ମାସରେ ୧ରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ୨୯୮.୬ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୩୩୩.୫ ମିମି ତୁଳନାରେ ପାଖାପାଖି ୧୦% କମ।
ଏହି ପରିସଂଖ୍ୟାନ ଅଗଷ୍ଟର ବର୍ଷାର ସ୍ଥିତିକୁ ପ୍ରାୟତଃ ସ୍ବାଭାବିକ ଦେଖାଉଛି। ହେଲେ ବାସ୍ତବତା କିନ୍ତୁ ଭିନ୍ନ। ଗତ ୫ ବର୍ଷର ଅଗଷ୍ଟମାସର ବର୍ଷାକୁ ବିଚାରକୁ ନେଲେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି, ତାହା ହିଁ ସଙ୍କେତ ଦେଉଛି ଯେ ପାଗରେ କେତେ ବଡ଼ ପରିବର୍ତ୍ତନ ହେଲାଣି।
ଅଗଷ୍ଟରେ ସ୍ବାଭାବିକ ଭାବେ ୩୬୩.୮ ମିମି ବର୍ଷା ହୋଇଥାଏ। ଏହାକୁ ମାନକ ଭାବେ ନେଇ ଦେଖିଲେ ୨୦୧୭ ମସିହା ଅଗଷ୍ଟରେ ୮୬୦.୪ ମିମି ବର୍ଷା ରେକର୍ଡ ହୋଇଛି।
୨୦୧୮ ଅଗଷ୍ଟରେ ୧୦୦୩.୯ ମିମି, ୨୦୧୯ ଅଗଷ୍ଟରେ ୮୯୩.୩ ମିମି, ୨୦୨୦ ରେ ୯୮୭.୧ ମିମି, ୨୦୨୧ରେ ୬୬୧.୧ ମିମି ଓ ୨୦୨୨ରେ ୯୮୮.୨ ମିମି ବର୍ଷା ହୋଇଥିବା ରେକର୍ଡ କହୁଛି। ଅର୍ଥାତ ଗତ ୫ ବର୍ଷରେ ଅଗଷ୍ଟରେ ସ୍ବାଭାବିକଠାରୁ ୨ରୁ ୩ ଗୁଣା ଅଧିକା ବର୍ଷା ହୋଇଛି।
ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଳମ୍ବରେ ଓଡ଼ିଶାକୁ ଛୁଇଁଥିବା ବେଳେ ପ୍ରଥମ କିଛି ଦିନ ବିଶେଷ ବର୍ଷା ହୋଇନଥିଲା। ଜୁନ୍ର ନିଅଣ୍ଟିଆ ବର୍ଷା ସ୍ଥିତିକୁ ଜୁଲାଇ ବର୍ଷା କିଛି ମାତ୍ରାରେ ଭରଣା କରିଥିଲେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପରିମାଣ ଯଥେଷ୍ଟ ନିଅଣ୍ଟିଆ ରହିଥିଲା।
ଏମିତି ସ୍ଥିତିରେ ଅଗଷ୍ଟ ମାସର ବର୍ଷାର ଢାଞ୍ଚା ପାଣିପାଗ ବିଶେଷଜ୍ଞଙ୍କୁ ଚକିତ କରିଛି। ଚଳିତ ମୌସୁମୀ ଋତୁରେ ଅର୍ଥାତ ୧ ଜୁନରୁ ୨୮ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୭୮୨ ମିମି ବର୍ଷା ରେକର୍ଡ କରାଯାଇଛି।
ଯାହାକି ୨୦୧୭ ପରଠାରୁ ମୌସୁମୀ ବର୍ଷାର ଚିତ୍ରକୁ ଦେଖିଲେ, ଅଗଷ୍ଟ ଶେଷ ସୁଦ୍ଧା ଅନୁଭୂତ ହେଉଥିବା ବର୍ଷାକୁ ଦ୍ୱିତୀୟ ନିଅଣ୍ଟିଆ ବର୍ଷ ବୋଲି ଗଣନା କରାଯାଇପାରିବ।
ଅଗଷ୍ଟରେ ବର୍ଷାକୁ ନିରେଖି ଦେଖିଲେ, ଆଉ ଗୋଟିଏ ଚିତ୍ର ସାମ୍ନାକୁ ଆସୁଛି, ଯାହା ଚିନ୍ତାଜନକ। ଚଳିତ ଅଗଷ୍ଟ ମାସରେ ୧ରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ୨୯୮.୬ ମିମି ବର୍ଷା ରେକର୍ଡ ହୋଇଛି।
କିନ୍ତୁ ୧ ଅଗଷ୍ଟରୁ ୩ ଅଗଷ୍ଟ ମଧ୍ୟରେ ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ କେବଳ ୧୪୪.୭ ମିମି ବର୍ଷା ରେକର୍ଡ କରାଯାଇଛି। ଅର୍ଥାତ ଏବେ ଅଗଷ୍ଟରେ ହୋଇଥିବା ବର୍ଷାର ୫୦% ବର୍ଷା କେବଳ ଏହି ୩ ଦିନରେ ହୋଇଛି, ଯାହାକି ପରବର୍ତୀ ସମୟରେ ଏକ ମଧ୍ୟମ ଧରଣର ବନ୍ୟା ସ୍ଥିତି ସୃଷ୍ଟି କରିଥିଲା।
ଏହା କୃଷିକୁ ବ୍ୟାପକ ଭାବେ ପ୍ରଭାବିତ କରିଥିଲା। ସେହିପରି ଲଘୁଚାପ ପ୍ରଭାବରେ ୧୮ ଓ ୧୯ ଅଗଷ୍ଟରେ ୫୧.୭ ମିମି, ୨୪ ଓ ୨୫ ତାରିଖରେ ୨୩.୨ ମିମି ବର୍ଷା ରେକର୍ଡ ହୋଇଛି। ଅର୍ଥାତ ଏହି ୭ ଦିନରେ ମୋଟ ୨୧୯.୬ ମିମି ବର୍ଷା ରେକର୍ଡ ହୋଇଛି।
ଅବଶିଷ୍ଟ ୨୧ ଦିନରେ ସ୍ୱାଭାବିକ ବର୍ଷା ତୁଳନାରେ ୫୦% କିମ୍ବା ତା’ଠାରୁ ଆହୁରି ଅଧିକ ନିଅଣ୍ଟିଆ ବର୍ଷା ହୋଇଛି। ପାଣିପାଗ ବିଜ୍ଞାନୀଙ୍କର କହିବା କଥା, ରାଜ୍ୟରେ ମୌସୁମୀ ପ୍ରବାହ ପାଖାପାଖି ୧୧ ଦିନ ଦୁର୍ବଳ ରହିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31