Indus Valley Times

ଆହୁରି ୨୪ ଘଣ୍ଟା ଲାଗି ରହିବ ବର୍ଷା, ରବିବାରଠୁ କମିବ ବର୍ଷାର ପରିମାଣ

 Breaking News

ଆହୁରି ୨୪ ଘଣ୍ଟା ଲାଗି ରହିବ ବର୍ଷା, ରବିବାରଠୁ କମିବ ବର୍ଷାର ପରିମାଣ

ଆହୁରି ୨୪ ଘଣ୍ଟା ଲାଗି ରହିବ ବର୍ଷା, ରବିବାରଠୁ କମିବ ବର୍ଷାର ପରିମାଣ
December 21
18:09 2024

ଭୁବନେଶ୍ୱର, ୨୧/୧୨ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ତତ୍ ପରବର୍ତ୍ତୀ ଅବପାତ ପ୍ରଭାବରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆସନ୍ତାକାଲି ବର୍ଷାର ପରିମାଣ ବହୁ ମାତ୍ରାରେ କମିଯିବାର ସମ୍ଭାବନା ରହିଛି। ଆଜି ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି।
ସେ ଦେଇଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ସାଢ଼େ ୮ଟା ପର‌୍ୟ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲାର ଅନେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ହାଲକା ବର୍ଷା ହେବ। ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼ ଓ ସୋନପୁର ଆଦି ଜିଲ୍ଲାରେ ଆଜିଠାରୁ ବର୍ଷା କମିଯିବ। କାଲିଠାରୁ ବର୍ଷାର ପରିମାଣ ବହୁତ ମାତ୍ରାରେ କମିଯିବାର ସମ୍ଭାବନା ରହିଛି। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପାଗ ମୁଖ୍ୟତଃ ମେଘୁଆ ରହିବା ସହିତ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ବିଶେଷ କରି କେନ୍ଦୁଝର, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କିଛି କିଛି ସ୍ଥାନରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଡିସେମ୍ବର ୨୧ ଅର୍ଥାତ୍ ଆଜି ରାତି, ଆସନ୍ତାକାଲି (ଡିସେମ୍ବର ୨୨) ସକାଳ ଓ ରାତି ଏବଂ ସୋମବାର (୨୩ ଡିସେମ୍ବର) ସକାଳେ ଏହି ୬ଟି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପଡ଼ିବାକୁ ଥିବା ସମୟରେ ଯେପରି କୌଣସି ପ୍ରକାର ଦୁର୍ଘଟଣା ଘଟିବ ନାହିଁ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ପୁଲିସ ଓ ପରିବହନ ବିଭାଗ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଝଜଉ)।
ଶୀତ
ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ଯେ ଶୀତ ଏବେ ବି ଅଛି। ଦିନର ତାପମାତ୍ରା ୪-୫ ଡିଗ୍ରୀ କମିଛି। ସେଥିପାଇଁ ବର୍ଷା ସହିତ ଶୀତ ହେଉଛି। କିନ୍ତୁ ରାତିର ସର୍ବନିମ୍ନ ତାପମାତ୍ରା ବହୁତ ବଢ଼ିଯାଇଛି। ରାତିର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୫/୬/୭ ଡିଗ୍ରୀ ବଢ଼ିଯାଇଛି। ଆଗାମୀ ଦୁଇ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ କମିଯିବ।
ନୟାଗଡ଼ରେ ହୋଇଛି ଅଧିକ ବର୍ଷା
ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଅଧିକ ବର୍ଷା ହୋଇଛି ନୟାଗଡ଼ ଜିଲ୍ଲା ରଣପୁରରେ। ଏଠାରେ ୧୦୮.୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଖୋର୍ଦ୍ଧାର ବେଗୁନିଆରେ ୮୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଜଟଣୀରେ ୭୫, ପୁରୀର ପିପିଲରେ ୭୫, ଜଗତସିଂହପୁରର ନୂଆଗାଁରେ ୭୩, ଖୋର୍ଦ୍ଧାର ବାଣପୁରରେ ୭୦, ଗଞ୍ଜାମର ବେଲଗୁଣ୍ଠାରେ ୬୯.୨, ପୁରୀର କୃଷ୍ଣପ୍ରସାଦରେ ୬୭ ଓ ଗୋପରେ ୬୬, ଖୋର୍ଦ୍ଧାର ଟାଙ୍ଗୀରେ ୬୨, ଜଗତସିଂହପୁରରେ ୬୧.୨ ଓ ପାରାଦୀପରେ ୬୧.୧ ମିମି ବର୍ଷା ରେକର୍ଡ କରାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31