Indus Valley Times

ଦୁଇ ମାସରେ ଖୋରଧାରେ ୭୦ ହଜାର ନୂଆ ସମବାୟ ସଦସ୍ୟ ସଂଗ୍ରହ ଲକ୍ଷ୍ୟ : ‘ସମ୍ବନ୍ଧ’ ସଦସ୍ୟତା ମହା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ପ୍ରତି ପରିବାରରୁ ଜଣେ ସଦସ୍ୟଙ୍କୁ ଯୋଡ଼ିବା ଉପରେ ଗୁରୁତ୍ୱ

 Breaking News

ଦୁଇ ମାସରେ ଖୋରଧାରେ ୭୦ ହଜାର ନୂଆ ସମବାୟ ସଦସ୍ୟ ସଂଗ୍ରହ ଲକ୍ଷ୍ୟ : ‘ସମ୍ବନ୍ଧ’ ସଦସ୍ୟତା ମହା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ପ୍ରତି ପରିବାରରୁ ଜଣେ ସଦସ୍ୟଙ୍କୁ ଯୋଡ଼ିବା ଉପରେ ଗୁରୁତ୍ୱ

ଦୁଇ ମାସରେ ଖୋରଧାରେ ୭୦ ହଜାର ନୂଆ ସମବାୟ ସଦସ୍ୟ ସଂଗ୍ରହ ଲକ୍ଷ୍ୟ : ‘ସମ୍ବନ୍ଧ’ ସଦସ୍ୟତା ମହା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ପ୍ରତି ପରିବାରରୁ ଜଣେ ସଦସ୍ୟଙ୍କୁ ଯୋଡ଼ିବା ଉପରେ ଗୁରୁତ୍ୱ
September 25
22:27 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୫/୯ : ରାଜ୍ୟରେ ସମବାୟ ଆନ୍ଦୋଳନକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ସମ୍ବନ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ।
ଏହି ଅଭିଯାନ ମାଧ୍ୟମରେ ଖୋରଧା ଜିଲ୍ଲାରେ ଆଗାମୀ ଦୁଇ ମାସ ମଧ୍ୟରେ ୭୦ ହଜାର ନୂତନ ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତ୍ୟେକ ପରିବାରରୁ ଅତି କମ୍‌ରେ ଜଣେ ସଦସ୍ୟଙ୍କୁ ସମବାୟ ସମିତିରେ ସାମିଲ କରିବା ସହ ସମବାୟ ମାଧ୍ୟମରେ ଉପଲବ୍ଧ ବିଭିନ୍ନ ସେବା ଓ ଆର୍ଥିକ ସୁବିଧାକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ।
ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଖୋରଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରାଜ୍ୟ ସମବାୟ ବିଭାଗ, ଖୋରଧା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମବାୟ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ମହାଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ଚନ୍ଦ୍ର ବେଉରା କାର‌୍ୟ୍ୟକ୍ରମରେ ଅଧ୍ୟକ୍ଷତା କରି ସମବାୟ ଆନ୍ଦୋଳନର ଗୁରୁତ୍ୱ ଓ ଏହାର ସାମାଜିକ-ଆର୍ଥିକ ଉପଯୋଗିତା ଉପରେ ଆଲୋକପାତ କରିଥିଲେ।
ରାଜ୍ୟସ୍ତରରେ ଭୁବନେଶ୍ୱରଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସମ୍ବନ୍ଧ’ ଯୋଜନାର ଶୁଭାରମ୍ଭ କରିଥିଲେ। ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ଶାସନ ସଚିବ ଓ ପଦାଧିକାରୀ ଏହି ସମାରୋହରେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ରିମୋଟ୍ ବଟନ୍ ଦବାଇ ସମଗ୍ର ରାଜ୍ୟରେ ଏହି ସଦସ୍ୟତା ମହାଅଭିଯାନର ଶୁଭାରମ୍ଭ କରିଥିଲେ।
ସମବାୟ ସମିତିଗୁଡ଼ିକର ଏକ ଶତାବ୍ଦୀରୁ ଊର୍ଦ୍ଧ୍ୱ ଗୌରବମୟ ଇତିହାସ ରହିଛି। ବର୍ତ୍ତମାନ ସମବାୟ ବ୍ୟବସ୍ଥା କେବଳ ଆର୍ଥିକ କାରବାର ମଧ୍ୟରେ ସୀମିତ ନରହି ସମାଜର ଆର୍ଥିକ ଓ ସାମାଜିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି।
ତେଣୁ ଏହି ବ୍ୟବସ୍ଥାର ପରିସର ବୃଦ୍ଧି କରିବା ସହ ପ୍ରତ୍ୟେକ ପରିବାରକୁ ସମବାୟର ସୁଫଳ ପହଞ୍ଚାଇବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ମତବ୍ୟକ୍ତ କରିଥିଲେ। ‘ସମ୍ବନ୍ଧ’ ଅଭିଯାନ ମାଧ୍ୟମରେ ତୃଣମୂଳ ସ୍ତରରେ ନୂତନ ସଦସ୍ୟ ସୃଷ୍ଟି କରି ସେମାନଙ୍କୁ ସମବାୟ ସେବା ସହ ଯୋଡ଼ିବା ରାଜ୍ୟ ସରକାରଙ୍କ ଏକ ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ।
ଏହାଦ୍ୱାରା କୃଷକମାନେ ଆର୍ଥିକ ଦୃଷ୍ଟିରୁ ଅଧିକ ସ୍ୱାବଲମ୍ବୀ ହେବା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟତା ମିଳିବ। ଏହି ପଦକ୍ଷେପ ‘ବିକଶିତ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଖୋରଧା ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଯୋଗଦେଇ କହିଥିଲେ ଯେ, ସମବାୟ ସମିତି, ବ୍ୟାଙ୍କ ଓ ସଦସ୍ୟମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ପ୍ରତିଷ୍ଠା ହେଲେ ଗ୍ରାମାଞ୍ଚଳର ଆର୍ଥିକ ମେରୁଦଣ୍ଡ ଅଧିକ ସୁଦୃଢ଼ ହୋଇପାରିବ।
ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ, ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ଏବଂ ଶାସକ ଓ ପ୍ରଶାସକଙ୍କ ମଧ୍ୟରେ ସହଯୋଗ ଯେପରି ସମାଜର ବିକାଶରେ ସହାୟକ ହୁଏ, ସେହିପରି ସମବାୟ କ୍ଷେତ୍ରରେ ମଧ୍ୟ ସାମୂହିକ ଉଦ୍ୟମ ଓ ସହଭାଗିତାର ଆବଶ୍ୟକତା ରହିଛି। ‘ସମ୍ବନ୍ଧ’ ଯୋଜନା ଏହି ସମନ୍ୱୟକୁ ଅଧିକ ସୁଦୃଢ଼ କରିବ ବୋଲି ସେ କହିଥିଲେ।
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ କହିଥିଲେ ଯେ, ପ୍ରତ୍ୟେକ ପରିବାରରୁ ଜଣେ ସଦସ୍ୟ ସମବାୟ ସମିତିରେ ସାମିଲ ହେଲେ ସରକାରୀ ଯୋଜନା ଓ ସମବାୟ ସେବାର ସୁଫଳ ଅଧିକ ଲୋକଙ୍କ ନିକଟରେ ପହଞ୍ଚିପାରିବ। ଏହାଦ୍ୱାରା ପରିବାରଗୁଡ଼ିକର ଆର୍ଥିକ ସ୍ଥିତିରେ ଉନ୍ନତି ଆସିବା ସହ ଗ୍ରାମୀଣ ଅର୍ଥନୀତିର ବିକାଶ ତ୍ୱରାନ୍ୱିତ ହେବ। ସମବାୟ ବ୍ୟବସ୍ଥାରେ ଅଧିକ ଲୋକଙ୍କ ଅଂଶଗ୍ରହଣ ଏହାର କାର୍ଯ୍ୟକ୍ଷମତା ଓ ଉପଯୋଗିତା ବୃଦ୍ଧି କରିବ ବୋଲି ସେ ମତ ଦେଇଥିଲେ।
ଖୋରଧା ଉପଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ ନିଜ ବକ୍ତବ୍ୟରେ କହିଥିଲେ ଯେ, ‘ସମ୍ବନ୍ଧ’ ଯୋଜନା ମାଧ୍ୟମରେ ସମବାୟ ସଦସ୍ୟ ଓ ସଦସ୍ୟାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷ କରାଯାଇପାରିବ। ଏହା ସମବାୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହ ସଦସ୍ୟମାନଙ୍କୁ ଉପଲବ୍ଧ ସେବା ସମ୍ପର୍କରେ ସଚେତନ କରିବ। ଅଭିଯାନର ସଫଳ ରୂପାୟନ ପାଇଁ ସମସ୍ତ ବିଭାଗ, ସମବାୟ ସମିତି ଓ ସାଧାରଣ ଲୋକଙ୍କ ସକ୍ରିୟ ସହଯୋଗ ଜରୁରୀ ବୋଲି ସେ କହିଥିଲେ।
ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ମିଶ୍ର କହିଥିଲେ ଯେ, ଗ୍ରାମୀଣ ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ସହ ଚାଷୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସମବାୟ ସମିତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବେ। କୃଷି ଓ ସମବାୟ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରହିଲେ ଚାଷୀମାନେ ବିଭିନ୍ନ ସେବା ଓ ଆର୍ଥିକ ସହାୟତା ପାଇବାରେ ଅଧିକ ସୁବିଧା ପାଇବେ। ଏଥିସହ କୃଷି କ୍ଷେତ୍ରର ବିକାଶକୁ ମଧ୍ୟ ନୂତନ ଦିଗ ମିଳିବ ବୋଲି ସେ ଉଲ୍ଲେଖ କରିଥିଲେ।
ଖୋରଧା ର ଉପନିବନ୍ଧକ, ସମବାୟ ସମିତି ଅଳକାନନ୍ଦା ଜେନା ସମବାୟ ସମିତି ଓ ନାଫେଡ୍ ବଜାର ଯୋଜନାର ବିଭିନ୍ନ ସୁଫଳ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ। ଜିଲ୍ଲାରେ ବର୍ତ୍ତମାନ ୧୧୦ଟି ସମବାୟ ସମିତି କାର୍ଯ୍ୟକ୍ଷମ ଥିବା ସେ ସୂଚନା ଦେଇଥିଲେ। ଏହି ସମିତିଗୁଡ଼ିକ ମାଧ୍ୟମରେ ଚାଷୀ ଓ ସାଧାରଣ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଉଥିବାବେଳେ ନୂତନ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ହେଲେ ଏହାର ପରିସର ଆହୁରି ବ୍ୟାପକ ହୋଇପାରିବ।
ଜିଲ୍ଲାରେ ଦୁଇ ମାସ ମଧ୍ୟରେ ୭୦ ହଜାର ନୂତନ ସଦସ୍ୟ ସଂଗ୍ରହ କରିବା ଲକ୍ଷ୍ୟ ରହିଥିବା ସହକାରୀ ନିବନ୍ଧକ ଭାଗବତ ମାରାଣ୍ଡି ସୂଚନା ଦେଇଥିଲେ। ଏହି ଲକ୍ଷ୍ୟ ପୂରଣ ପାଇଁ ସମବାୟ ସମିତିଗୁଡ଼ିକର ସଭାପତି ଓ ସମ୍ପାଦକମାନଙ୍କୁ ସକ୍ରିୟ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ସେ ପରାମର୍ଶ ଦେଇଥିଲେ। ସରକାରୀ ନିୟମ ଅନୁଯାୟୀ ମୋବାଇଲ୍ ଆପ୍ ମାଧ୍ୟମରେ ନୂତନ ସଦସ୍ୟଙ୍କ ପଞ୍ଜୀକରଣ କାର‌୍ୟ୍ୟ ସ୍ୱଚ୍ଛତା ଓ ନିଷ୍ଠାର ସହ ସମ୍ପାଦନ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ।
ଖୋରଧା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ସାରଥୀ ଶତପଥୀ ସମବାୟ ସମିତିଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଉଲ୍ଲେଖ କରିବା ସହ ସେମାନଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ଓ ଆର୍ଥିକ ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ। ସମବାୟ ବ୍ୟାଙ୍କ ଓ ସମିତିଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଲେ ସଦସ୍ୟମାନେ ଅଧିକ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ସହକାରୀ ନିବନ୍ଧକ, ସମବାୟ ସମିତି, ଭୁବନେଶ୍ୱରର ମିହିକା ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର ଏବଂ ସହକାରୀ ଅଡିଟର ଜେନେରାଲ, ସମବାୟ ସମିତିର ଭବାନୀ ଶଙ୍କର ପୁଷ୍ପାଳକ ଯୋଗଦେଇ ‘ସମ୍ବନ୍ଧ’ ଯୋଜନାର ବିଭିନ୍ନ ଦିଗ ଉପରେ ନିଜ ମତ ରଖିଥିଲେ।
ଏହି ଅଭିଯାନ ମାଧ୍ୟମରେ ଖୋରଧା ଜିଲ୍ଲାର ୧୧୦ଟି ସମବାୟ ସମିତିକୁ ନୂତନ ସଦସ୍ୟଙ୍କ ସହ ଯୋଡ଼ିବା ସହ ସମବାୟ ସେବାର ପରିସର ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଦୁଇ ମାସ ମଧ୍ୟରେ ଧାର୍ଯ୍ୟ ୭୦ ହଜାର ସଦସ୍ୟ ସଂଗ୍ରହ ଲକ୍ଷ୍ୟ କେତେଦୂର ସଫଳ ହେଉଛି, ତାହା ଏବେ ଜିଲ୍ଲାର ସମବାୟ ସଂସ୍ଥାଗୁଡ଼ିକର ସକ୍ରିୟତା ଓ ପଞ୍ଜୀକରଣ ପ୍ରକ୍ରିୟା ଉପରେ ନିର୍ଭର କରିବ।
କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲାର ବିଭିନ୍ନ ସମବାୟ ସମିତିର ସଭାପତି, ସମ୍ପାଦକ, ସଦସ୍ୟ ଓ ସଦସ୍ୟା, ବ୍ୟାଙ୍କ କର୍ମଚାରୀ, ତ୍ରିସ୍ତରୀୟ ପଞ୍ଚାୟତିରାଜ ସଂସ୍ଥାର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930