Indus Valley Times

ନିଶାମୁକ୍ତି ଓଡ଼ିଶା ଗଠନରେ ପୋଲିସକୁ ବ୍ୟାପକ ସଫଳତା, ଦୁଇ ବର୍ଷରେ ୧,୯୧୧ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

 Breaking News

ନିଶାମୁକ୍ତି ଓଡ଼ିଶା ଗଠନରେ ପୋଲିସକୁ ବ୍ୟାପକ ସଫଳତା, ଦୁଇ ବର୍ଷରେ ୧,୯୧୧ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ନିଶାମୁକ୍ତି ଓଡ଼ିଶା ଗଠନରେ ପୋଲିସକୁ ବ୍ୟାପକ ସଫଳତା, ଦୁଇ ବର୍ଷରେ ୧,୯୧୧ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
July 01
16:43 2026

ଭୁବନେଶ୍ଵର, ୧/୭ : ଓଡ଼ିଶା ପୋଲିସକୁ ସଫଳତା । ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ପୋଲିସର ଐତିହାସିକ ସଫଳତା ହାସଲ କରିଛି ।
ବେଆଇନ୍ ନିଶା କାରବାର, ଗଞ୍ଜେଇ ଚାଷ, ମାଦକ ଦ୍ରବ୍ୟ ଚୋରାଚାଲାଣ ଏବଂ ଆନ୍ତଃରାଜ୍ୟ ନିଶା କାରବାର ବିରୋଧରେ ଜିରୋ ଟଲେରାନ୍ସ ନୀତି ଆଧାରରେ ଓଡ଼ିଶା ପୋଲିସ କ୍ରମାଗତ ଭାବେ କଠୋର ପଦକ୍ଷେପ ଗ୍ରହଣ କରିଛି ।
ଜୁଲାଇ ୨୦୨୪ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ରାଜ୍ୟବ୍ୟାପୀ ବ୍ୟାପକ ଅଭିଯାନରେ ୬୩, ୭୨୦ ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧,୯୧୧ କୋଟି ଟଙ୍କା ହେବ ।
ଏହି ସମୟ ମଧ୍ୟରେ ୨,୪୪୫ଟି ମାମଲା ରୁଜୁ କରାଯାଇ ୪୨୧ ଟନ ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨,୧୦୬ କୋଟି ଟଙ୍କା ହେବ । ଏହାସହ ଚୋରାଚାଲାଣ ସଂପକ୍ତ ଥିବା ୩୫୦୨ ଜଣଙ୍କ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ନିଶା ଦ୍ରବ୍ୟ ବିରୋଧୀ ଅଭିଯାନରେ କୋରାପୁଟ ଜିଲ୍ଲା ପୋଲିସ ଏକ ବିରଳ ସଫଳତା ହାସଲ କରିଛି। ବେଆଇନ ଗଞ୍ଜେଇ ତେଲ ପ୍ରସ୍ତୁତ କରୁଥିବା ଏକ ୟୁନିଟ୍ ଉପରେ ଚଢ଼ାଉ କରି ପ୍ରାୟ ୧,୮୦୦ ଲିଟର ଗଞ୍ଜେଇ ତେଲ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨୨୫ କୋଟି ଟଙ୍କା।
ଏହାସହିତ ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ମଧ୍ୟ ଜବତ କରାଯାଇଛି। ଏହି ରାକେଟର ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ କେରଳରୁ ଗିରଫ କରାଯାଇଛି। ସେହିପରି, କନ୍ଧମାଳ, ବୌଦ୍ଧ, ସୋନପୁର ଓ ପଡ଼ୋଶୀ ରାଜ୍ୟଗୁଡ଼ିକରେ ସକ୍ରିୟ ଥିବା ଏକ ଆନ୍ତଃରାଜ୍ୟ ନିଶା ଚୋରାଚାଲାଣ ଗ୍ୟାଙ୍ଗର ୨ ଜଣ ସକ୍ରିୟ ସଦସ୍ୟଙ୍କୁ ଏସଟିଏଫ୍ ଗିରଫ କରିଛି।
କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଆହ୍ୱାନ ଅନୁଯାୟୀ ସାରା ଦେଶରେ ନିଶାଦ୍ରବ୍ୟ ବିରୋଧୀ ଅଭିଯାନ ଜାରି ରହିଛି । ଏହି କ୍ରମରେ ନିଶା ବିରୋଧୀ ଅଭିଯାନକୁ ବ୍ୟାପକ କରିବା ପାଇଁ ରାଜ୍ୟର ସମସ୍ତ ୩୫ଟି ପୋଲିସ ଜିଲ୍ଲାର ୫୫୦ରୁ ଅଧିକ ଥାନାରେ ନିଶାଦ୍ରବ୍ୟ ବିରୋଧୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଏଥିରେ ୨୫,୦୦୦ରୁ ଅଧିକ ନାଗରିକ ଶପଥ ନେଇଥିବା ବେଳେ ୩୧ଟି ଜିଲ୍ଲାର ୪,୮୮୨ ଜଣ ଛାତ୍ରଛାତ୍ରୀ ଓ ୩୩୭ ଜଣ ଶିକ୍ଷକ ସକ୍ରିୟ ଭାବେ ସାମିଲ ହୋଇଛନ୍ତି।
ଭାରତ ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)ର ନିର୍ଦ୍ଦେଶାନୁଯାୟୀ, ୨୬ ଜୁନ ୨୦୨୬ରୁ ୧୦ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ ପ୍ରାକ ବିଚାରାଧିନ ଜବତ ମାଦକ ଦ୍ରବ୍ୟ ବିନଷ୍ଟୀକରଣ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକାରୀ କରାଯାଉଛି।
ଏହି ଅଭିଯାନରେ ଓଡ଼ିଶା ପୋଲିସ ସକ୍ରିୟ ଭାବେ ସାମିଲ ହୋଇଛି। ରାଜ୍ୟର ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, ଗଞ୍ଜାମ, ବଲାଙ୍ଗିର, କୋରାପୁଟ ଏବଂ ସୁନ୍ଦରଗଡ଼ରେ ଥିବା ୭ଟି ଅନୁମୋଦିତ ଇନ୍ସିନେରେଟର କେନ୍ଦ୍ରରେ ପ୍ରାୟ ୮୦ ଟନ୍ ଗଞ୍ଜେଇ, ୧୧.୪ କିଲୋଗ୍ରାମ ବ୍ରାଉନ୍ ସୁଗାର ଏବଂ ୩,୬୩୮ ବୋତଲ କଫ୍ ସିରପ, (ଯାହାର ଆନୁମାନିକ ବଜାର ମୂଲ୍ୟ ୪୧୦ କୋଟି ଟଙ୍କା) ଧ୍ୱଂସ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଅଭିଯାନ ଆରମ୍ଭ ହେବା ପରଠାରୁ ଓଡ଼ିଶା ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୬ ଜୁନ ୨୦୨୬ରୁ ଏପର୍ଯ୍ୟନ୍ତ ୮୦ ଟନ୍ ଗଞ୍ଜେଇ ମଧ୍ୟରୁ ୩୬ ଟନ୍ ଗଞ୍ଜେଇ ନଷ୍ଟ କରାଯାଇଛି। ଅବଶିଷ୍ଟ ଗଞ୍ଜେଇ ଏବଂ ବ୍ରାଉନସୁଗାରକୁ ଆସନ୍ତା କିଛି ଦିନ ମଧ୍ୟରେ ଆଇନ ଅନୁଯାୟୀ ଧ୍ୱଂସ କରାଯିବ।
ଆଗାମୀ ଦିନରେ ନିଶା କାରବାର, ଚୋରାଚାଲାଣ ଓ ମାଦକ ମାଫିଆଙ୍କ ବିରୋଧରେ ଏହି ଲଢ଼େଇ ଆହୁରି ଜୋରଦାର ହେବ। ଆଇନ ଉଲଂଘନକାରୀଙ୍କ ପ୍ରତି କୌଣସି ପ୍ରକାର କୋହଳ ମନୋଭାବ ପ୍ରଦର୍ଶନ କରାଯିବ ନାହିଁ। ମିଳିତ କାର୍ଯ୍ୟାନୁଷ୍ଠାନ, ଅତ୍ୟାଧୁନିକ ପ୍ରଯୁକ୍ତି, ଜନସାଧାରଣଙ୍କ ସହଯୋଗ ଏବଂ ଦୃଢ଼ ଇଚ୍ଛାଶକ୍ତିର ବଳରେ ନିଶାମୁକ୍ତ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ହିଁ ଆମର ଲକ୍ଷ୍ୟ ବୋଲି ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930