Indus Valley Times

ପାଚିଲା କଦଳୀରେ ସ୍ପ୍ରେ ହେଉଛି ମାରାତ୍ମକ ରସାୟନ

 Breaking News

ପାଚିଲା କଦଳୀରେ ସ୍ପ୍ରେ ହେଉଛି ମାରାତ୍ମକ ରସାୟନ

ପାଚିଲା କଦଳୀରେ ସ୍ପ୍ରେ ହେଉଛି ମାରାତ୍ମକ ରସାୟନ
March 18
08:16 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୧୮/୩ : ଖୋର୍ଦ୍ଧା ସହର କଦଳୀ ବିକ୍ରି ପାଇଁ ବେଶ ପରିଚିତ। ଏଠାରେ ଶସ୍ତାରେ କଦଳୀ ମିଳେ ବୋଲି ସହର ଦେଇ ଯାତାୟାତ କରୁଥିବା ଲୋକ ଘରକୁ କଦଳୀ କିଣି ନେଇଥାନ୍ତି। ଆନ୍ଧ୍ର ପ୍ରଦେଶରୁ ଆସୁଥିବା କଦଳୀ ଉପରେ ନିର୍ଭରଶୀଳ ଖୋର୍ଦ୍ଧା ସହର। ପ୍ରତ୍ୟେକ ଦିନ ଦଶରୁ କୋଡ଼ିଏ ଟି ଗାଡ଼ିରେ କଦଳୀ ଏଠାରେ ଥିବା ଗୋଦାମକୁ ଆସିଥାଏ।
ଏଠାରୁ ଛୋଟ ଛୋଟ ଖୁଚୁରା ବେପାରୀ ମାନଙ୍କ ପାଖକୁ ଗାଡ଼ି ମାଧ୍ୟମରେ ଗୋଦାମ ମାଲିକ କଦଳୀ ପଠାଇଥାନ୍ତି । ଖୋର୍ଦ୍ଧା ସହର ଉପରେ କଦଳୀ ନିମନ୍ତେ ଅନେକ ବ୍ୟବସାୟୀ ନିର୍ଭର କରିଥାନ୍ତି ।
ତେଣୁ ଏଠି କଦଳୀ ବ୍ୟବସାୟ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଯାଇଛି । ଅନେକ ଦିନ ଧରି ଏଠାରେ କଦଳୀ ବିକ୍ରି କରି ଶହ ଶହ ଲୋକ ନିଜର ଗୁଞ୍ଜରଣା ମେଣ୍ଟାଉଛନ୍ତି । ଡାଲାରେ କଦଳୀ ଧରି ସହର ଦେଇ ଯାତାୟାତ କରୁଥିବା ଯାତ୍ରୀବାହୀ ବସ, ମାଟାଡୋର, ଟେମ୍ପୋ,ଟ୍ରେକର ,ଅଟୋ ଇତ୍ୟାଦି ଗାଡ଼ି ଗୁଡିକ ପାଖରେ ଡାଲାରେ କଦଳୀ ଧରି ବିକ୍ରି କରୁଥିଲେ , ଏବେ ମଧ୍ୟ ଅନେକ ଲୋକ କରୁଛନ୍ତି । ଆନ୍ଧ୍ରରୁ ଆସୁଥିବା କଦଳୀ ବ୍ରହ୍ମପୁର ପରେ ଦ୍ୱିତୀୟ ନିକଟ ସହର ଖୋର୍ଦ୍ଧା। ନୂତନ ବାଇପାସ ରୋଡ଼ ପୂର୍ବରୁ ଖୋର୍ଦ୍ଧା ସହରର ପୁରୁଣା ବସଷ୍ଟାଣ୍ଡ ଦେଇ ନୟାଗଡ଼, ବୌଦ୍ଧ, ଫୁଲବାଣୀ, ସୋନପୁର ବଲାଙ୍ଗୀର ପର୍ଯ୍ୟନ୍ତ ,ତା ସହିତ ଭୁବନେଶ୍ୱର, କଟକ ,ଯାଜପୁର, ବାଲେଶ୍ଵର ଦେଇ କଲିକତା ପର୍ଯ୍ୟନ୍ତ ସମସ୍ତ ଗାଡ଼ି ଗୁଡିକ ଯାତାୟାତ କରୁଥିଲେ । ତେଣୁ ଏଠାରେ କଦଳୀ ବିକ୍ରି ବହୁଳ ମାତ୍ରାରେ ବିକ୍ରି ହୋଇଥାଏ ।
ସେହିପରି ଖୋର୍ଦ୍ଧା ସହର ଠାରୁ କିଛି ଦୂରତାରେ ଥିବା ପୁରୀ, ପିପିଲ ,କୋଣାର୍କ, ନିମାପଡା, କାକଟପୁର, ଅସ୍ତରଙ୍ଗ , ବାଙ୍କୀ ଇତ୍ୟାଦି ସହରର ବ୍ୟବସାୟୀ ମାନେ ନିର୍ଭର କରିଥାନ୍ତି। ସହରରେ ଛୋଟ ବଡ଼ ହୋଇ ପ୍ରାୟ ଆଠ ଦଶ ଗୋଟି ଗୋଦାମ ରହିଛି । ବର୍ତ୍ତମାନ କିଛି ମୁନାଫାଖୋର ବ୍ୟବସାୟୀ ଅଧିକ ଲାଭ ଆଶାରେ ମଣିଷ ଜୀବନ ସହ ଖେଳିବାକୁ ପଛାଉନାହାନ୍ତି । କିଛି ଦିନ ତଳେ ସେଉଫଳରେ ମହମ ମିଶୁଥିବା , ଲିଚିରେ ରସାୟନ ଦିଆଯାଉଥିବା ଚର୍ଚ୍ଚା ହେବା ପରେ ଏବେ ପାଚିଲା କଦଳୀରେ ‘ଏଥିଫୋନ-୩୯’ ନାମକ ରାସାୟନିକ ଦ୍ରବ୍ୟ ସ୍ପ୍ରେ କରାଯାଉଥିବା ଜଣାପଡିଛି ।
ବଜାରରେ କଦଳୀର ଚାହିଦା ଦେଖି ବେପାରୀ ମାନେ ଅଳ୍ପ ସମୟ ମଧ୍ୟରେ ଅଧିକ ବେପାର କରିବାକୁ ଏହି ଉପାୟ ଅବଲମ୍ବନ କରୁଛନ୍ତି । ହେଲେ ଏହି ବିଷାକ୍ତ ରସାୟନ ଯେ ମଣିଷ ଶରୀର ପାଇଁ କେତେ କ୍ଷତିକାରକ , ସେଥିପ୍ରତି କାହାର ନିଘା ନାହିଁ । ବ୍ୟସ୍ତବହୁଳ ଜୀବନ ଭିତରେ କେହି ବି କିଛି ଯାଞ୍ଚ କରିବାକୁ ସମୟ ପାଉନାହାନ୍ତି ।
ଯେଉଁଠି ଯାହା ମିଳିଲା କିଣି ନେଉଛନ୍ତି । ଉପରକୁ ତଟକା ଓ ତାଜା ଦେଖାଯାଉଥିବା ଖାଦ୍ୟ ପଦାର୍ଥ ପ୍ରକୃତରେ ଯେ କେତେ ମାରାତ୍ମକ, ତାହା ସାଧାରଣ ଲୋକଙ୍କ କଳ୍ପନା ବାହାରେ ।
ଆମେ ପ୍ରତିଦିନ ଖାଉଥିବା ପନିପରିବା ଠାରୁ ଆରମ୍ଭ କରି ଚାଉଳ ,ଡାଲି ,ତେଲ ,ମିଠା, ଥଣ୍ଡା ପାନୀୟ ଫଳ ଆଦି ଖାଦ୍ୟ ସାମଗ୍ରୀରେ କିଛି ନା କିଛି ରାସାୟନିକ ଉପାଦାନ ରହିଛି ।
ମାତ୍ର ଏଗୁଡିକ ତତ୍ କ୍ଷଣାତ ଶରୀର ଉପରେ ପ୍ରଭାବ ପକାଉ ନ ଥିବାରୁ ଆମେ ଏହାର କୁ – ପ୍ରବାହକୁ ଅଣଦେଖା କରିଦେଇଥାଉ । ଫଳରେ ଧୀରେ ଧୀରେ ଏଗୁଡିକ ଆମକୁ ମୃତ୍ୟୁ ମୁଖକୁ ଟାଣି ନେବାର ଯଥେଷ୍ଟ ସମ୍ଭାବନା ରହିଛି ।
କିନ୍ତୁ କଦଳୀରେ ବ୍ୟବହାର ହେଉଥିବା ଏହି ରାସାୟନିକ ଦ୍ରବ୍ୟ ଦ୍ଵାରା ଚର୍ମ ରୋଗ ସୃଷ୍ଟି କରିବା ସହିତ ଆଖି ଫୁଲି ଯାଇ ଦୃଷ୍ଟି ଶକ୍ତି ହ୍ରାସ ପାଇବ ବୋଲି ବରିଷ୍ଠ ବିଶେଷଜ୍ଞ ମାନେ ପ୍ରକାଶ କରିଛନ୍ତି। ଭାରତରେ ଖାଦ୍ୟ ଅପମିଶ୍ରଣ ନିବାରଣ ଆଇନ ଧାରା ୪୪ ଅନୁଯାୟୀ ଏହାର ବ୍ୟବହାରକୁ ନିଷେଧ କରାଯାଇଛି ।
ଏହା ସତ୍ତ୍ୱେ ପ୍ରଶାସନିକ ଅଧିକାରୀଙ୍କ ଅପାରଗତା ଯୋଗୁଁ ଏହି ଆଇନ କଡ଼ାକଡ଼ି ଭାବେ ଲାଗୁ ହୋଇପାରିନାହିଁ । ଏଥିପ୍ରତି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଖୋର୍ଦ୍ଧା ଖାଦ୍ୟ ନିରାପତ୍ତା ଅଧିକାରୀ ଦୃଷ୍ଟି ଦେଇ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବି ହୋଇଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930