Indus Valley Times

ବର ଫସିଗଲା ‘ବନ୍ଦ’ରେ, ହଙ୍ଗାମା ହୋଇଗଲା ଜୟଦେବ ବିହାରରେ

 Breaking News

ବର ଫସିଗଲା ‘ବନ୍ଦ’ରେ, ହଙ୍ଗାମା ହୋଇଗଲା ଜୟଦେବ ବିହାରରେ

ବର ଫସିଗଲା ‘ବନ୍ଦ’ରେ, ହଙ୍ଗାମା ହୋଇଗଲା ଜୟଦେବ ବିହାରରେ
February 12
12:23 2026

ଭୁବନେଶ୍ୱର,୧୨/୨: ଭାରତୀୟ ଚାଷୀ ଏବଂ ଟ୍ରେଡ୍ ୟୁନିୟନଗୁଡିକ ପକ୍ଷରୁ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାର ଆଣିଥିବା ୪ ନୂଆ ଶ୍ରମ କୋଡ୍ ବାତିଲ ଦାବିରେ ୧୦ ଟ୍ରେଡ୍ ୟୁନିୟନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ତେବେ ଏହି ବନ୍ଦ ଡାକରାରେ ବେଶି ପ୍ରଭାବିତ ହୋଇଛନ୍ତି ସାଧାରଣ ଲୋକେ।
ବିଭିନ୍ନ ସ୍ଥାନରେ ବନ୍ଦ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ବନ୍ଦ ଯୋଗୁ ଭୁବନେଶ୍ୱର ଜୟଦେବ ବିହାର ଛକରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଏଠାରେ ବାଲେଶ୍ବର ସୋରରୁ ଖୋର୍ଦ୍ଧାକୁ ବିବାହ ପାଇଁ ଗାଡ଼ିରେ ଆସୁଥିବା ବର ଅବଦ୍ଦୁଲ ଫାଇମ ଖାନଙ୍କୁ ବିକ୍ଷୋଭକାରୀ ଅଟକାଇ ଦେଇଛନ୍ତି।
କିଛି ସମୟ ଘଟଣାସ୍ଥଳରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେବାପରେ ତାଙ୍କୁ ଛାଡ଼ିଥିଲେ।
ସୂଚନାଯୋଗ୍ୟ, ଆମେରିକା ସହ ଭାରତର ବହୁ ପ୍ରତୀକ୍ଷିତ ଟ୍ରେଡ୍ ଡିଲ୍ ମାର୍ଚ୍ଚ ଶେଷ ସୁଦ୍ଧା ସମ୍ପନ୍ନହେବାକୁ ଯାଉଛି। ଉଭୟ ପକ୍ଷ ଗତ ୮ ତାରିଖରେ ଏକ ମିଳିତ ଘୋଷଣାନାମାରେ ଏହାର ରୂପରେଖ ଜାରି କରିଛନ୍ତି। ଉକ୍ତ ବୁଝାମଣା ଦ୍ୱାରା ଭାରତୀୟ ବଜାରକୁ ପୁଞ୍ଜିନିବେଶର ସୁଅ ଛୁଟିବା ସହ ଦେଶରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ବୋଲି କେନ୍ଦ୍ର ଯୁକ୍ତି ବାଢୁଥିବାବେଳେ ଏହା ଏକ ଟ୍ରେଡ୍ ଡିଲ୍ ନୁହେଁ ବରଂ ଆମେରିକା ଚାପରେ ସରକାରଙ୍କ ଆତ୍ମସମର୍ପଣ ବୋଲି କୃଷକ ସଙ୍ଗଠନଗୁଡିକ ଅଭିହିତ କରିଛନ୍ତି।
ଏହି ଡିଲ୍ ଦ୍ୱାରା ଭାରତୀୟ ଚାଷୀ ଏବଂ ଶ୍ରମିକଙ୍କ ସ୍ବାର୍ଥକୁ ବଳି ପକାଯାଇଥିବା ଅଭିଯୋଗ ଆଣି କୃଷକ ସଙ୍ଗଠନ ଏବଂ ଟ୍ରେଡ୍ ୟୁନିୟନଗୁଡିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ ଦେବା ନେଇ ଘୋଷଣା କରିଥିବା ବେଳେ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ନୈତିକ ସମର୍ଥନ ପ୍ରଦାନ ନେଇ ଘୋଷଣା କରାଯାଇଛି।
ଏଆଇଟିୟୁସି ରାଜ୍ୟ ସଭାପତି ଅଶୋକ ଦାସ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ଏଆଇଟିୟୁସି ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ। ୧୨ ଘଣ୍ଟା ଲାଗି ଭାରତ ବନ୍ଦ ଡାକରା ଦିଆଯାଇଛି। ୪ ନୂତନ ଶ୍ରମ କୋଡ୍ ବାତିଲ ଦାବି, କୃଷକମାନଙ୍କ ସର୍ବନିମ୍ନ ଉତ୍ପାଦିତ ମୂଲ୍ୟ, ବିଦ୍ୟୁତ୍ ବିଲ୍‌ରେ ଅନିୟମିତତା ଏବଂ ସ୍ମାର୍ଟ ମିଟର ପ୍ରତ୍ୟାହାର, ବିଭିନ୍ନ ରାଷ୍ଟ୍ରାୟିତ ଶିଳ୍ପଗୁଡିକୁ ଘରୋଇକରଣ ବନ୍ଦ ଆଦି ମୋଟ୍ ୧୭ଟି ଦାବି ନେଇ ବନ୍ଦ ଡାକରା ଦିଆଯାଇଛି। ଶ୍ରମିକମାନେ ଦେଶବ୍ୟାପୀ କାର‌୍ୟ୍ୟ ବନ୍ଦ ରଖିବେ ବୋଲି ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930