Indus Valley Times

ସୌନ୍ଦର୍ଯ୍ୟୀକରଣ ପାଇଁ ଭଙ୍ଗାଗଲା ମାଁ ସମଲେଶ୍ୱରୀଙ୍କ ମନ୍ଦିର ସମ୍ମୁଖ ଷ୍ଟଲ

 Breaking News

ସୌନ୍ଦର୍ଯ୍ୟୀକରଣ ପାଇଁ ଭଙ୍ଗାଗଲା ମାଁ ସମଲେଶ୍ୱରୀଙ୍କ ମନ୍ଦିର ସମ୍ମୁଖ ଷ୍ଟଲ

ସୌନ୍ଦର୍ଯ୍ୟୀକରଣ ପାଇଁ ଭଙ୍ଗାଗଲା ମାଁ ସମଲେଶ୍ୱରୀଙ୍କ ମନ୍ଦିର ସମ୍ମୁଖ ଷ୍ଟଲ
August 21
17:24 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୧/୮: ବଲାଙ୍ଗୀର ସହରର ଆରାଧ୍ୟ ଦେବୀ ମାଁ ସମଲେଶ୍ୱରୀଙ୍କ ପୁରାତନ ମନ୍ଦିରର ସୌନ୍ଦର୍ଯୀକରଣ ପାଇଁ ଏବେ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ।ମନ୍ଦିର ପରିସରକୁ ସୁନ୍ଦର ଓ ବିକଶିତ କରିବା ପାଇଁ ମନ୍ଦିରକୁ ଲାଗିଥିବା ପ୍ରାୟ ୨୩ଟି ଷ୍ଟଲକୁ ଉଚ୍ଛେଦ କରାଯାଉଛି। ପାଞ୍ଚ ଦିନ ପୂର୍ବରୁ ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଷ୍ଟଲ ଖାଲି କରିବାକୁ ନୋଟିସ ଜାରି ହୋଇଥିଲା।
ନିର୍ଦ୍ଧାରିତ ସମୟ ମଧ୍ୟରେ ଷ୍ଟଲ ଖାଲି ନହେବାରୁ ଆଜି ପୁଲିସ ମୁତୟନ ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।
କିନ୍ତୁ ଏହି ଉଚ୍ଛେଦକୁ ନେଇ କେବଳ ଷ୍ଟଲ ଭଙ୍ଗା ନୁହେଁ,ଏବେ ସାମ୍ନାକୁ ଆସିଛି ମନ୍ଦିରର ଭବିଷ୍ୟତ ଆୟକୁ ନେଇ ଏକ ବଡ଼ ପ୍ରଶ୍ନ।
କାରଣ,ଦୀର୍ଘଦିନ ଧରି ଏହି ଷ୍ଟଲଗୁଡ଼ିକରୁ ଆସୁଥିବା ଆୟ ମନ୍ଦିରର ପୂଜା,ନୀତିକାନ୍ତି ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟରେ ବ୍ୟବହୃତ ହୋଇ ଆସୁଥିବା କୁହାଯାଉଛି।
ତେଣୁ ଷ୍ଟଲ ଉଚ୍ଛେଦ ପରେ ମନ୍ଦିରର ନିୟମିତ ଆୟର ବିକଳ୍ପ ବ୍ୟବସ୍ଥା କ’ଣ ହେବ,ତାହା ନେଇ ଏବେ ପ୍ରଶ୍ନ ଉଠୁଛି।
ଇତିହାସ କହେ,ପାଟଣା ଷ୍ଟେଟ୍‌ର ତତ୍କାଳୀନ ମହାରାଜାଙ୍କ ଦାନ ରେ ଏହି ମନ୍ଦିର ନିର୍ମିତ ହୋଇଥିବା ବିଶ୍ୱାସ ରହିଛି।
ପରମ୍ପରା ଓ ଧାର୍ମିକ ବିଶ୍ୱାସର ଏହି ପୀଠରେ ଆଜି ମଧ୍ୟ ପୂଜକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଁ ସମଲେଶ୍ୱରୀଙ୍କ ନୀତିକାନ୍ତି ସମ୍ପନ୍ନ ହୋଇ ଆସୁଛି।
ତେବେ ଆଉ ଏକ ବଡ଼ ପ୍ରଶ୍ନ,ଯେଉଁ ସମୟରେ ରାଜା ମହାରାଜା ମାନେ ମନ୍ଦିର ଓ ଦେବଦେବୀଙ୍କ ନାମରେ ଏକର ଏକର ଜମି ଦାନ କରୁଥିଲେ,ସେହି ସମୟରେ ମାଁ ସମଲେଶ୍ୱରୀ ମନ୍ଦିରକୁ ମଧ୍ୟ ପର୍ଯ୍ୟାପ୍ତ ଦେବୋତ୍ତର ଜମି ଦିଆଯାଇଥିବା ଚର୍ଚ୍ଚା ରହିଛି।
ଯଦି ତାହା ସତ୍ୟ,ତେବେ ସେହି ଜମି କେଉଁଠି ଅଛି?କେତେ ଜମି ମନ୍ଦିର ନାମରେ ରହିଛି?କେତେ ଜମି ଜବରଦଖଲରେ ରହିଛି? ଏବଂ ମନ୍ଦିରର ନିଜସ୍ୱ ସମ୍ପତ୍ତି ଯଦି ଅଛି,ତାହାର ବର୍ତ୍ତମାନ ସ୍ଥିତି କ’ଣ?ଏସବୁ ପ୍ରଶ୍ନର ଉତ୍ତର ପାଇଁ ଏକ ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି।
ମନ୍ଦିରର ସୌନ୍ଦର୍ଯ୍ୟୀକରଣକୁ ସହରବାସୀ ସ୍ୱାଗତ କରୁଛନ୍ତି। କିନ୍ତୁ ବିକାଶ ସହିତ ମନ୍ଦିରର ପରମ୍ପରା,ପୂଜାବିଧି ଓ ଆର୍ଥିକ ସ୍ୱାବଲମ୍ବନ ମଧ୍ୟ ସୁରକ୍ଷିତ ରହିବା ଆବଶ୍ୟକ।କାରଣ ମାଁ ସମଲେଶ୍ୱରୀ କେବଳ ଏକ ପଥରର ପ୍ରତିମା ନୁହନ୍ତି,ବଲାଙ୍ଗୀରବାସୀଙ୍କ ବିଶ୍ୱାସ, ଭକ୍ତି ଓ ଭାବନାର ଜୀବନ୍ତ ପ୍ରତୀକ।
ତେଣୁ ପ୍ରଶ୍ନ ହେଉଛି,ମନ୍ଦିରର ସୌନ୍ଦର୍ଯ୍ୟୀକରଣ ସହ ହଜାର ହଜାର ଭକ୍ତଙ୍କ ଆସ୍ଥା,ପରମ୍ପରା ଓ ମନ୍ଦିରର ଭବିଷ୍ୟତ ଆର୍ଥିକ ବ୍ୟବସ୍ଥାକୁ କିପରି ସୁରକ୍ଷିତ ରଖାଯିବ?ଏବେ ଏହାର ଉତ୍ତର ଅପେକ୍ଷାରେ ରହିଛନ୍ତି ବଲାଙ୍ଗୀରବାସୀ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31