Indus Valley Times

ଏମ୍ସ ବର୍ଣ୍ଣ ୟୁନିଟ୍ ସମ୍ମୁଖରେ ଲାଗିଲା ନୋଟିସ୍, ବିକ୍ଷୋଭ ଓ ନାରାବାଜି କରିବାକୁ ବାରଣ

 Breaking News

ଏମ୍ସ ବର୍ଣ୍ଣ ୟୁନିଟ୍ ସମ୍ମୁଖରେ ଲାଗିଲା ନୋଟିସ୍, ବିକ୍ଷୋଭ ଓ ନାରାବାଜି କରିବାକୁ ବାରଣ

July 19
17:09 2025

ଭୁବନେଶ୍ବର,୧୯/୭: ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳର ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତ ନିଆଁ ଲଗାଇଦେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ଗୁରୁତର ନାବାଳିକାଙ୍କ ଦେହ ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କର ଏବେ ଏମ୍ସର ବର୍ଣ୍ଣ ୱାର୍ଡରେ ଚିକିତ୍ସା ଜାରି ରହିଛି।
ହସ୍‌ପିଟାଲରେ ଅନେକ ରୋଗୀ ଥିବାରୁ ସାଧାରଣ ଲୋକଙ୍କ ଏକତ୍ରିତ ହେବା ଏବଂ ଶବ୍ଦ ସୃଷ୍ଟି କରିବା ଅନୁଚିତ। ଏହା ରୋଗୀଙ୍କ ସେବାରେ ବାଧା ସୃଷ୍ଟି କରିବ ଏବଂ ସଂକ୍ରମଣ ହାର ବୃଦ୍ଧି କରିବ। ତେଣୁ, ହସ୍ପିଟାଲ ପ୍ରବେଶ ସ୍ଥାନରୁ ଦୂରରେ ରହିବାକୁ ଏବଂ ହସ୍ପିଟାଲ ଲବି ଭିତରେ ଏକାଠି ନ ହେବାକୁ ଅନୁରୋଧ କରାଯାଉଛି। ଏଥି ସହିତ ଏମ୍ସ ତରଫରୁ ବର୍ଣ୍ଣ ୱାର୍ଡ ବାହାରେ ଏହି ନୋଟିସ୍ ଲଗାଯାଇଛି।
ଏଥି ସହିତ ଘଟଣାସ୍ଥଳ ସମ୍ବେଦନଶୀଳ ଥିବାରୁ ନେତା ଓ କର୍ମୀମାନଙ୍କୁ ଏଠାରେ ପ୍ରବେଶ ନଦିଆଯିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେହିପରି ବ୍ୟାରିକେଡ ବାହାରକୁ ଏବେ ନେତା ଓ କର୍ମୀଙ୍କୁ କଢ଼ାଯିବା ପାଇଁ ଯୋଜନା କରାଯାଇଛି। ବର୍ଣ୍ଣ ୱାର୍ଡ଼ ବାହାରେ ସ୍ବତନ୍ତ୍ର ବ୍ୟରିକେଡ କରାଯାଇଛି। ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
ଅନ୍ୟପଟରେ ନାବାଳିକା ଦେହରେ ନିଆଁ ଲଗାଇଦେବା ଘଟଣାରେ ପୁରୀ ଏସ୍‌ପି ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳ ଦେଖିବା ପରେ ଏସ୍‌ପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏନେଇ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି। ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀ, ସ୍ପର୍ଶକାତର। ତେଣୁ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛୁ। ଉକ୍ତ ଘଟଣାରେ କାହାରିକୁ ଅଟକ କରାଯାଇନି, କେବଳ ପଚରାଉଚରା ଜାରି ରହିଛି। ଫୋରେନସିକ୍ ଟିମ୍ ମଧ୍ୟ ଯାଞ୍ଚ ଆରମ୍ଭ କରି ସାରିଛି। ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି। ମାତ୍ର ତାହା କ’ଣ ସ୍ପଷ୍ଟ ହୋଇ ନାହିଁ। ଏହି ଘଟଣାରେ କେତେଜଣ ଲୋକ ସମ୍ପୃକ୍ତ, ପୀଡ଼ିତା ସେଠାକୁ କିପରି ଆସିଲେ ସେନେଇ ତଦନ୍ତ ଚାଲିଛି। ପୀଡ଼ିତା ଚିକିତ୍ସାଧୀନ ଥିବାରୁ ପଚରାଉଚରା ହୋଇପାରି ନାହିଁ। ପ୍ରମାଣ ମିଳିଲେ ଦୋଷୀଙ୍କ ବିରୋଧରେ କଡ଼ା କାର‌୍ୟ୍ୟାନୁଷ୍ଠାନ ନିଆଯିବ।
ସୂଚନାଯୋଗ୍ୟ, ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଆଜି ପୂର୍ବାହ୍‌ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031