Indus Valley Times

ଓ ୟୁ ଡବ୍ଲୁ ଜେର ସାଂଗଠନିକ ବୈଠକ ଓ ପରିଚୟ ପତ୍ର ବଣ୍ଟନ

 Breaking News

ଓ ୟୁ ଡବ୍ଲୁ ଜେର ସାଂଗଠନିକ ବୈଠକ ଓ ପରିଚୟ ପତ୍ର ବଣ୍ଟନ

ଓ ୟୁ ଡବ୍ଲୁ ଜେର ସାଂଗଠନିକ ବୈଠକ ଓ ପରିଚୟ ପତ୍ର ବଣ୍ଟନ
August 12
19:47 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୨/୮: ସାମ୍ବାଦିକ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର କର୍ତ୍ତବ୍ୟ ଓ ଧର୍ମ ପାଳନ କରିଆସୁଛନ୍ତି।
ତେଣୁ ସାମ୍ବାଦିକଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ସହିତ ସେମାନଙ୍କ ଦୀର୍ଘଦିନର ଦାବିଗୁଡ଼ିକ ପୂରଣ ଦିଗରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଅନୁଷ୍ଠିତ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓ.ୟୁ.ଡବ୍ଲୁ.ଜେ)ର ସାଂଗଠନିକ ବୈଠକରେ ମତ ପ୍ରକାଶ ପାଇଛି।
ଓ.ୟୁ.ଡବ୍ଲୁ.ଜେ ଖୋରଧା ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ସାମ୍ବାଦିକ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ।
ସର୍ବଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ପିତବାସ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ସଦସ୍ୟ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସାମ୍ବାଦିକମାନଙ୍କ ଏକତା ଓ ସାଂଗଠନିକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ।
ଭୁବନେଶ୍ୱର ଶାଖା ସଭାପତି ହୃଷିକେଶ ମହାନ୍ତି ମଧ୍ୟ ଉପସ୍ଥିତ ରହି ସାମ୍ବାଦିକଙ୍କ ଅଧିକାର ଓ ସାଂଗଠନିକ ଶୃଙ୍ଖଳା ସମ୍ପର୍କରେ ମତ ରଖିଥିଲେ।
ସମ୍ମାନିତ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଖୋରଧା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଜିଲ୍ଲା ବିଜେଡି କାର‌୍ୟ୍ୟକାରୀ ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ, କଂଗ୍ରେସ ନେତ୍ରୀ ସୋନାଲି ସାହୁ, ଖୋରଧା ପୌର ପରିଷଦ ଉପାଧ୍ୟକ୍ଷ ଶୌର‌୍ୟ୍ୟ ରଞ୍ଜନ ମହାନ୍ତି, ଓ.ୟୁ.ଡବ୍ଲୁ.ଜେ ରାଜ୍ୟ ସାଂଗଠନିକ ସମ୍ପାଦକ ଅର୍ଜ୍ଜୁନ ମୁଦୁଲି ଏବଂ ‘ପ୍ରବାହ’ର ସମ୍ପାଦକ ଅଭିମନ୍ୟୁ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।
ବୈଠକରେ ବକ୍ତାମାନେ ରାଜ୍ୟରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ପ୍ରତି ସରକାର ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ଦେଇଥିଲେ।
ବିଶେଷକରି ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ ଜଡ଼ିତ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ନେଇ ଆଲୋଚନା ହୋଇଥିଲା।
ବର୍ତ୍ତମାନ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ସାମ୍ବାଦିକମାନଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରି ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ବନ୍ଦ କରିବା ନେଇ ଚାଲିଥିବା ପ୍ରସ୍ତାବକୁ ଉପସ୍ଥିତ ବକ୍ତାମାନେ ବିରୋଧ କରିଥିଲେ।
ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏକ ସ୍ୱତନ୍ତ୍ର ବିଷୟ ହୋଇଥିବାରୁ ଚାଲୁଥିବା ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥାକୁ ଅବ୍ୟାହତ ରଖି ଏହାର ପରିସର ଆହୁରି ବଢ଼ାଇବାକୁ ବୈଠକରେ ଦାବି ହୋଇଥିଲା। ବିଶେଷକରି ବୀମା ଯୋଜନାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ସାମିଲ କରିବା, ବୀମା ରାଶି ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହ ସାମ୍ବାଦିକ ମାନଙ୍କ ବହୁଦିନର ଦାବି ଥିବା ପେନସନ ବ୍ୟବସ୍ଥା, ସାମ୍ବାଦିକଙ୍କ ସୁରକ୍ଷା ନିମନ୍ତେ ଆଇନ ପ୍ରଣୟନ, ଅଧିସ୍ୱୀକୃତି କମିଟିର ଗଠନ ଏବଂ ଅନ୍ୟାନ୍ୟ ସାମ୍ବାଦିକ କଲ୍ୟାଣମୂଳକ ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ ବୈଠକରେ ଦାବି ଉଠିଥିଲା।
ସାମ୍ବାଦିକମାନେ କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ଚାପ ଓ ପ୍ରତି କୂଳତାର ସମ୍ମୁଖୀନ ହୋଇ ମଧ୍ୟ ଲୋକଙ୍କ ସମସ୍ୟାକୁ ସାମ୍ନାକୁ ଆଣୁ ଥିବାରୁ ସେମାନଙ୍କ ସୁରକ୍ଷା ଓ ସାମାଜିକ ନିରାପତ୍ତାକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ବକ୍ତାମାନେ କହିଥିଲେ।
ବୈଠକର ଅନ୍ୟତମ ଆକର୍ଷଣ ଥିଲା ନୂତନ ସଦସ୍ୟମାନଙ୍କୁ ପରିଚୟପତ୍ର ପ୍ରଦାନ। ଅତିଥିମାନେ ନୂତନ ସଦସ୍ୟଙ୍କୁ ପରିଚୟପତ୍ର ପ୍ରଦାନ କରି ସେମାନଙ୍କୁ ସାମ୍ବାଦିକତା କ୍ଷେତ୍ରରେ ସତ୍ୟ, ନିରପେକ୍ଷ ଓ ଦାୟିତ୍ୱଶୀଳ ସମ୍ବାଦ ପରିବେଷଣ ପାଇଁ ପରାମର୍ଶ ଦେଇଥିଲେ।
ସାମ୍ବାଦିକତା କେବଳ ଏକ ପେସା ନୁହେଁ, ଏହା ସମାଜ ପ୍ରତି ଏକ ବଡ଼ ଦାୟିତ୍ୱ ବୋଲି ସେମାନେ ମତ ଦେଇଥିଲେ।
ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଓ ଲଲିତ ମୋହନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଖୋରଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୦୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।
ଜିଲ୍ଲା ସଂପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ ଖୋରଧା ଜିଲ୍ଲାରେ ଓ.ୟୁ.ଡବ୍ଲୁ.ଜେର ସାଂଗଠନିକ ଯାତ୍ରା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ୨୦୧୭ ମସିହାରେ ଖୋର୍ଦ୍ଧାରେ ସଂଘ ଗଠନ ସମୟରେ ମାତ୍ର ୧୫ ଜଣ ସଦସ୍ୟ ଥିଲେ। ଦୀର୍ଘ ନଅ ବର୍ଷର ସାଂଗଠନିକ ଯାତ୍ରାରେ ଏହି ସଂଖ୍ୟା ଏବେ ୧୦୦ରୁ ଊର୍ଦ୍ଧ୍ୱରେ ପହଞ୍ଚିଛି।
ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସାମ୍ବାଦିକମାନଙ୍କୁ ସଂଘ ସହିତ ଯୋଡ଼ି ଏହାକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ସାମ୍ବାଦିକଙ୍କ କଲ୍ୟାଣ ସହ ଜଡ଼ିତ ଦାବିଗୁଡ଼ିକୁ ନେଇ ଆଗାମୀ ଦିନରେ ସରକାରଙ୍କ ନିକଟରେ ଅଧିକ ଦୃଢ଼ ଭାବେ ଦାବି ଉପସ୍ଥାପନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘର ବୃଦ୍ଧି ପାଉଥିବା ସଦସ୍ୟ ସଂଖ୍ୟା ଓ ସାଂଗଠନିକ ସକ୍ରିୟତା ଖୋରଧା ଜିଲ୍ଲାରେ ସାମ୍ବାଦିକ ଏକତାକୁ ଆହୁରି ମଜବୁତ କରିବ ବୋଲି ଆଶା ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930