Indus Valley Times

ଜାତୀୟ ରାଜପଥ ଢ଼ାବାରେ ଚାଲିଥିଲା ବେଆଇନ କଫ ସିରପ ବେପାର, ଦୁଇ ଗିରଫ

 Breaking News

ଜାତୀୟ ରାଜପଥ ଢ଼ାବାରେ ଚାଲିଥିଲା ବେଆଇନ କଫ ସିରପ ବେପାର, ଦୁଇ ଗିରଫ

October 07
20:56 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୭/୧୦ : ଖୋର୍ଦ୍ଧା ଅବକାରୀ ମୋବାଇଲ ସ୍କ୍ବାର୍ଡ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ଦଳେଇପୁଟ ଅଞ୍ଚଳରେ ଥିବା ପଣ୍ଡିତ ଢାବା ପଛପଟେ ଥିବା ଘରେ ଚଢ଼ାଉ କରି ୯ ଶହ ବୋତଲ କଫ ସିରପ ସହ ଏକ କାର ଜବତ କରିଛି।
ଏଥିରେ ସମ୍ପୁକ୍ତି ନେଇ ଢ଼ାବା ମାଲିକ ଦଳେଇପୁଟର ଦେବରଂଜନ ଦାସ(୪୭) ଏବଂ ସହଯୋଗୀ ପଲ୍ଲା ବରୁଣେଇ ସାହିର ବିଶ୍ୱରଂଜନ ଖୁଣ୍ଟିଆ (୪୫) ଙ୍କୁ ଗିରଫ କରାଯାଇଛି।
ଜବତ କଫ ସିରପର ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୨ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଖବରଦାତା ସମ୍ମିଳନୀରେ ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ ସୂଚନା ଦେଇଛନ୍ତି।
ଅଧିକ୍ଷକ ତ୍ରିପାଠୀଙ୍କ ସୂଚନା ମୁତାବକ ପଣ୍ଡିତ ଢ଼ାବା ପଛପଟେ କଫ ସିରପ କାରବାର ଚାଲିଥିଲା। ଏଠାରୁ ଖୋର୍ଦ୍ଧା ସହର ସମେତ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା ।
ଏପରିକି ପଲା ବାଇପାସ ହନୁମାନ ମନ୍ଦିର ନିକଟ ଏକ ଦୋକାନରେ ବିଶ୍ୱରଂଜନ କଫ ସିରପ ରଖି ବେପାର ଚଳାଉଥିଲେ।
ଏନେଇ ଅବକାରୀ ମୋବାଇଲ ସ୍କ୍ବାର୍ଡ କୁ ସୂଚନା ମିଳିଥିଲା। ବିଶ୍ୱରଂଜନଙ୍କୁ ଅବକାରୀ ଟିମ ଢ଼ାବା ନିକଟରୁ କାର ବୋଝେଇ କଫ ସିରପ ସହ ଧରିଥିଲା। ପରେ ବିଶ୍ୱରଂଜନଙ୍କ ବୟାନ ଅନୁସାରେ ଅବକାରୀ ମୋବାଇଲ ସ୍କ୍ବାର୍ଡ ଏବଂ ସଦର ଥାନା ପୁଲିସ ମିଳିତ ଭାବେ ଉକ୍ତ ଢ଼ାବା ଉପରେ ଚଢ଼ାଉ କରି ଦେବରଂଜନଙ୍କୁ ଗିରଫ କରିଥିଲା।
ମୋଟ ୯୦୦ ବୋତଲ କଫ ସିରପ, ଏକ କାର ଏବଂ ମୋବାଇଲ ଫୋନ ଜବତ କରାଯାଇଛି। ବେଆଇନ ଭାବେ କଫ ସିରପ ବିକ୍ରି ଅଭିଯୋଗରେ ଏକ ମାମଲା (ନଂ ୨୫୬/୨୫) ରୁଜ୍ଜୁ ପରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଏହି ଖବରଦାତା ସମ୍ମିଳନୀରେ ସଦର ଥାନା ଅଧିକାରୀ କାହ୍ନୁ ଚରଣ ସ୍ୱାଇଁ,ଅବକାରୀ ଇନ୍ସପେକ୍ଟର ରାଧାକାନ୍ତ ଭୋଇ,ମୋବାଇଲ ସ୍କ୍ବାର୍ଡ ଇନ୍ସପେକ୍ଟର ତପସ୍ୱିନୀ ବରାଳ ପ୍ରମୁଖ ଉପସ୍ଥିତ ଥିଲେ। ଖୋର୍ଦ୍ଧା ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ଦୈନଦିନ ସହର ଓ ଏହାର ଆଖପାଖ ଅଞ୍ଚଳରୁ ବ୍ରାଉନସୁଗାର, ବେଆଇନ ଦେଶୀ ମଦ,ଗଞ୍ଜେଇ ଓ କୋରେଷ ବ୍ୟବସାୟ ପ୍ରଚୁର ଭାବରେ ଚାଲିଛି ।
ପୁଲିସ ଓ ଅବକାରୀ ବିଭାଗ ଯେତେ ଧରୁଛନ୍ତି ନିଶା ମାଫିଆ ମାନେ ପୁଲିସ୍ କୁ ଚାଲେଞ୍ଜ ଦେଇ ତାଙ୍କ ବ୍ୟବସାୟକୁ ତୀବ୍ର ଭାବରେ ବିସ୍ତାର କରିଚାଲିଛନ୍ତି ।
ନିଶା କାରବାର ଯେତିକି ପରିମାଣରେ ଖୋର୍ଦ୍ଧା ଜିଲ୍ଲାରେ ବଢ଼ିବାରେ ଲାଗିଛି ସେହି ତୁଳନାରେ ଅପରାଧିକ ମାମଲା ମଧ୍ୟ ବଢ଼ିବାରେ ଲାଗିଛି ।
ଯାହାକୁ ରୋକିବା ନିମନ୍ତେ ଜିଲ୍ଳା ପୁଲିସ ଓ ଅବକାରୀ ବିଭାଗ ତତ୍ପରତା ହୋଇଥିବା ବେଳେ କିନ୍ତୁ ନିଶା କାରବାର ଓ ଅପରାଧିକ ମାମଲା ଖୋର୍ଦ୍ଧା ଜିଲ୍ଲାରେ ଥମିବା ନା ଧରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930