Indus Valley Times

ଜିଲ୍ଲାସ୍ତରୀୟ ଡେଙ୍ଗୁ ନିବାରଣ ମାସ ପାଳନ ଓ ଅନ୍ତଃବିଭାଗୀୟ ଏକାଭିମୁଖୀ ବୈଠକ

 Breaking News

ଜିଲ୍ଲାସ୍ତରୀୟ ଡେଙ୍ଗୁ ନିବାରଣ ମାସ ପାଳନ ଓ ଅନ୍ତଃବିଭାଗୀୟ ଏକାଭିମୁଖୀ ବୈଠକ

August 02
11:21 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨/୭: ବୌଦ୍ଧଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ନିବାରଣ ମାସ ପାଳନ ଓ ଅନ୍ତଃବିଭାଗୀୟ ଏକାଭିମୁଖୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଡେଙ୍ଗୁ,ମେଲେରିଆ ଜ୍ୱର ସଂପର୍କରେ ଲକ୍ଷଣ,ପ୍ରତିକା. ପ୍ରତିରୋଧ ବ୍ୟବସ୍ଥା ଏବଂ ସଚେତନତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ସମସ୍ତ ଟିଆରଏସ ବିଦ୍ୟାଳୟ ରେ ମଶାରୀ ବ୍ୟବହାର, ବିଦ୍ୟାଳୟ ପରିସର ପରିଷ୍କାର ପରିଛନ୍ନତା ଏବଂ ନିଜର ସଂପର୍କିୟଙ୍କୁ ସଚେତନତା ବାର୍ତା ଦେବାପାଇଁ ଜିଲା ମଙ୍ଗଳ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା ।
ସମସ୍ତ ବ୍ଲକ ଓ ପଞ୍ଚାୟତ କର୍ମଚାରୀ, ପୁଲିସ କର୍ମଚାରୀ, ଫରେଷ୍ଟ ଗାର୍ଡ, ଜଗୁଆଳୀ ଓ ବନ ସଂରକ୍ଷଣ ସମିତି, ଗ୍ରାମ କଲ୍ୟାଣ ସମିତିମାନଙ୍କୁ ମଶାରୀ ବ୍ୟବହାର କରିବା ପାଇଁ ସଚେତନ କରିବାକୁ ଅନୁରୋଧ କରାଯାଇଥିଲା । ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଜ୍ୱର ହେଲେ ପାରାସିଟାମଲ ବ୍ୟବହାର କରିବା,ଥଣ୍ଡାପଟି,ଯଥେଷ୍ଟ ପାଣି ପିଇବା,ଓଆରଏସ ଏବଂ ପଇଡ ପାଣି ପିଇବା ପାଇଁ ଜିଲା ଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଥିଲା ।
ଘର,ଗ୍ରାମ, ବିଦ୍ୟାଳୟ ହତା ଓ ନଳକୂପ ପରିସରକୁ ପରିଷ୍କାର,କୌଣସି ବର‌୍ୟ୍ୟପାତ୍ରରେ ପାଣି ଜମା ନରଖିବା,ଜ୍ୱର ହେଲେ ଗୁଣି ଗାରେଡି ଉପଚାର ନକରାଇବା,ଡେଙ୍ଗୁ ଓ ମେଲେରିଆ ପ୍ରତିରୋଧ ପାଇଁ ସଚେତନତା ବର୍ତ୍ତା ସମସ୍ତଙ୍କୁ ପହଞ୍ଚାଇବାକୁ ନିବେଦନ କରାଯାଇଥିଲା ।
ଆଶାକର୍ମୀ, ସ୍ୱେଛାସେବୀ, ମେଡିକାଲ ଅଧିକାରୀ ଓ କର୍ମଚାରୀଙ୍କ ମାଧ୍ୟମରେ ପ୍ରତି ଗ୍ରାମ ଓ ପରିବାରରେ ସଚେତନ କରାଇବାର ଆବଶ୍ୟକତା ରହିଥିବା ନେଇ ବୈଠକରେ ମତପ୍ରକାଶ ପାଇଥିଲା ।
ସେହିପରି ଜିଲ୍ଲାରେ ୨୪ ଟି ଯୁବ ରେଡକ୍ରସ ୟୁନିଟ ଜରିଆରେ ପ୍ରତି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ପାଇଁ ଯୁବ ରେଡକ୍ରସର ସଂପାଦକ ପ୍ରବୀର କୁମାର ଦାସଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ପ୍ରାତଭ୍ରମଣ ଏବଂ ସାନ୍ଧ୍ୟ ଭ୍ରମଣ ସମୟରେ ଦେହକୁ ସଂପୁର୍ଣ୍ଣ ଘୋଡାଇବା ବସ୍ତ୍ର ପରିଧାନ କରିବା,ସାଧା ମଶାରୀକୁ ଔଷଧରେ ବୁଡାଇ ବ୍ୟବହାର କରିବା,ଲିମ୍ବ ତେଲ ଓ କରଞ୍ଜ ତେଲ ଶରୀରରେ ବ୍ୟବହାର କରିବା,ଗର୍ଭବତୀ ମହିଳାମାନେ ଏଥିପ୍ରତି ଅଧିକ ସଚେତନ ରହିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା ।
ସହରର ପ୍ରତ୍ୟେକ ୱାର୍ଡରେ ଡ୍ରେନ ଗୁଡିକ ପ୍ରତିଦିନ ସଫା କରାଯିବା ଏବଂ ସହରର ଆବର୍ଜନା ମୁକ୍ତ ରଖିବାକୁ ଏନଏସି କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ୨୦୨୪ ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଳାରେ ୬୦୧ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ।
ସେହିପରି ଜୁଲାଇ ମାସ ପର୍ଯ୍ୟନ୍ତ ୧୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣ ବୌଦ୍ଧରେ ଏବଂ ୨ ଜଣ ଅନଗୁଳ ରେ ଚିହ୍ନଟ ହୋଇଥିବା ଜଣାଯାଇଛି । ଜୁଲାଇ ଜିଲାର ବାଉଁଶୁଣୀ ,ହରଭଙ୍ଗା ଓ କଣ୍ଟାମାଳକୁ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଜୟକୃଷ୍ଣ ମିଶ୍ର ଜିଲାକୁ ମ୍ୟାଲେରିଆ ଓ ଡେଙ୍ଗୁ ମୁକ୍ତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ମୋହନ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଓ ଡିପିଏମ ରୁପକ କୁମାର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ବୈଠକରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ସେବା ନିବୃତ କର୍ମଚାରୀ ଙ୍କୁ ଚାକିରୀ ରେ ଗ୍ରହଣ କରିବା ଦାବିରେ ଟାଟା ପାୱାରର ହେଡ଼ ଅଫ ଡିପାର୍ଟମେଣ୍ଟକୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୨/୭: ଇନଭେଣ୍ଟିଭ ନାମକ ଏକ ସେବା ପ୍ରଦାନକାରୀ ସଂସ୍ଥା ମାଧ୍ୟମ ରେ ବୌଦ୍ଧ ଜିଲ୍ଲା ବିଜୁଳି ବିଭାଗ ରେ ସୁନିଲ ସେଠୀ, କରୁଣା କର ହାତୀ, ଅବିନାଶ ପ୍ରଧାନ, କାର୍ଯ୍ୟରତ ତିନି ଜଣ ମିଟର ରିଡର ଙ୍କୁ ଅନ୍ୟାୟୋଚିତ ଭାବେ ସେବାରୁ ନିବୃତ କରିଦିଆଯାଇଥିବାରୁ ଏହାର ପ୍ରତିବାଦ ରେ ଇଂ ବିକାଶ ମହାକୁଳ ଙ୍କ ନେତୃତ୍ୱ ସାଉଥ କୋ ମିଟର ରିଡର୍ ଶ୍ରମିକ ସଂଘ ,ବିଜୁଳି ବିଭାଗ କର୍ମଚାରୀ ମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ ଟାଟା ପାୱାରର ହେଡ଼ ଅଫ ଡିପାର୍ଟମେଣ୍ଟ ନିତିନ ମେହଟା ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ବିଜୁଳି ବିଭାଗ ଏହାର ସମାଧାନ ଯଥାଶୀଘ୍ର କରି ପୁନଃ ତିନି ଜଣ ସେବା ନିବୃତ କର୍ମଚାରୀ ଙ୍କୁ ଚାକିରୀ ରେ ଗ୍ରହଣ କରିବାକୁ ନିବେଦନ କରାଯାଇଛି । ଅନ୍ୟଥା ଆଗାମୀ ୭/୮/୨୪ ତାରିଖ ବୁଧବାର ଠାରୁ ସମୂହ ଛୁଟି ରେ ଯାଇ ଅଫିସ ଆଗରେ ଧାରଣା ଦେବାକୁ ଚେତାବନୀ ଦିଆଯାଇଛି । ସୂଚନା ଥାଉ କି ଏହି ମିଟର ରିଡର ମାନେ ଦୀର୍ଘ ୧୦ ରୁ ୧୫ ବର୍ଷ ହେଲା ନିରବଛିନ୍ନ ଭାବେ ସ୍ୱଳ୍ପ ଦରମା ରେ ସେବା ପ୍ରଦାନ କରି ଆସୁଥିଲେ ।
ଟାଟା ପାୱାର ଆସିଲା ପରେ ନାନା ଅସୁବିଧା ସୃଷ୍ଟି କରି ବିଭିନ୍ନ ବାହାନା ରେ ସେମାନଙ୍କୁ ଜଣ ଜଣ କରି ଚାକିରୀ ରୁ ବାହାର କରିବାର ମସୁଧା କରି ବିଭାଗ ରେ କର୍ମଚାରୀ ଙ୍କ ମନରେ ଭୟ ଜାଗ୍ରତ କରିବାକୁ ଏଭଳି ପଦକ୍ଷେପ ନେଉଥିବାର ଅଭିଯୋଗ ହେଉଛି ।
ସମସ୍ତ ୬୫ ଜଣ ମିଟର ରିଡର ବୌଦ୍ଧ ଜିଲ୍ଲା ର ଅଟନ୍ତି ଏବଂ ଏହାହିଁ ସେମାନଙ୍କର ରୋଜଗାର ର ପନ୍ଥା ହୋଇଥିବାରୁ ସମସ୍ତ ନିର‌୍ୟ୍ୟାତନା ସହି ମଧ୍ୟ କେହି ମୁହଁ ଖୋଲୁ ନ ଥିଲେ । କିନ୍ତୁ ବର୍ତ୍ତମାନ ଜୀବିକା ହରାଇବା ପରିସ୍ଥିତି ରେ ସମସ୍ତେ ଏକଜୁଟ ହୋଇ ଲଢେଇ କରିବାକୁ ବିକାଶ ମହାକୁଳ ସମସ୍ତଙ୍କୁ ଏକତ୍ରିତ କରି ଭବିଷ୍ୟତ ର କାର୍ଯ୍ୟପନ୍ଥା ଅବଲମ୍ବନ କରିବାକୁ ଆହ୍ୱାନ ଦେଇଥିଲେ ।
ଜବାହର ନବୋଦୟ ବିଦ୍ୟାଳୟରେ ପ୍ରେରଣା ଉତ୍ସବ କାର୍ଯ୍ୟକ୍ରମ
ବୌଦ୍ଧ, ୨/୭: ବୌଦ୍ଧଜିଲ୍ଲା ପାଲଝାରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟଠାରେ ମଙ୍ଗଳବାର ଦିନ ପ୍ରେରଣା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର ଯୋଗଦେଇ ଆନୁଷ୍ଠାନିକ ଭାବରେ ଏହାକୁ ଉଦଘାଟନ କରିଥିଲେ ।
ବିଦ୍ୟାଳୟର ପ୍ରାଚାର୍ଯ୍ୟ ଏସ.କେ ସାହୁଙ୍କ ଅଧ୍ୟକ୍ଷତାରେ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରଭଙ୍ଗା ଅଜୟ କୁମାର ଲୁହା.କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ମନୋଜ କୁମାର ସେଠୀ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୌଦ୍ଧ କମଳାକାନ୍ତ ଦଳବେହେରା ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ପ୍ରେରଣା କାର୍ଯ୍ୟକ୍ରମରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାର ଟେକ ରଖିବା ନିମନ୍ତେ ଆହ୍ୱାନ କରିଥିଲେ ।
ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦିଲ୍ଲିପ କୁମାର ବଡତ୍ୟା ଙ୍କ ଦ୍ୱାରା ମଞ୍ଚ ପରିଚାଳନା କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରବନ୍ଧ ଲିଖନ,କବିତା ଲିଖନ,ଗଳ୍ପ ଲିଖନ,ଚିତ୍ରକଳା,ସଙ୍ଗିତ ଆଦି ସାମିଲ କରାଯାଇଥିଲା । ଏଥିସହିତ କାର୍ଯ୍ୟକ୍ରମରେ ଟେରାକୋଟା ଓ ବାଉଁଶରେ ହାତ ତିଆରି ସାମଗ୍ରୀ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ପାଲଟିଥିଲା ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟୁ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ୫୦ ଗୋଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ବୌଦ୍ଧ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ତରଫରୁ ତ୍ରୟ ମାସିକ ବୈଠକ ଅନୁଷ୍ଠିତ
ବୌଦ୍ଧ,୨/୭: ବୌଦ୍ଧ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ତରଫରୁ ଏକ ତ୍ରୟ ମାସିକ ସଭା ଜିଲ୍ଲାପାଳଙ୍କ ସଭା ଗୃହ ରେ ଆୟୋଜିତ ହୋଇଥିଲା । ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବୌଦ୍ଧ ଅନିରୁଦ୍ଧ ପ୍ରଧାନ ଙ୍କ ଅଧକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଆରସେଟି ନିର୍ଦ୍ଦେଶକ ବିଚିତ୍ର ମହାପାତ୍ର, ବୌଦ୍ଧ ଜିଲ୍ଲା ଏହି ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ ।
ଏହି ସଭା ରେ ଡଃ.ବାସ୍କୋଟି, ଏଲ. ଡି. ଏମ. ବୌଦ୍ଧ ଓ ଜିଲ୍ଲା ର ଅନ୍ୟ ସରକାରୀ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ । ଆର. ସେ. ଟି ବୌଦ୍ଧ ଠାରେ ଦିଆଯାଉଥିବା ବିଭିନ୍ନ ସ୍ୱଳ୍ପ ମିଆଦି ଧନ୍ଧା ମୂଳକ କାର୍ଯ୍ୟ ଦକ୍ଷତା ପ୍ରଶିକ୍ଷଣ ଉପରେ ସବିଶେଷ ଆଲୋଚନା କରାଯାଇଥିଲା ।
ନିର୍ଦ୍ଦେଶକ ସଭାରେ ଅଂଶ ଗ୍ରହଣ କରିଥିବା ସହଭାଗୀ ମାନଙ୍କୁ ଅଧିକରୁ ଅଧିକ ପ୍ରଶିକ୍ଷକ୍ଷର୍ଥିଙ୍କୁ ଆରସେଟି ପ୍ରଶିକ୍ଷଣ ରେ ଯୋଗ ଦେବାକୁ ଅନୁରୋଧ କରିଥିଲେ ଯେହେତୁ ଏହା କେନ୍ଦ୍ର, ରାଜ୍ୟ ସରକାର ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା ସମ୍ପୂର୍ଣ ମାଗଣା ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ଅଟେ କ୍ଷ ଶେଷରେ ଏଲଡିଏମ ଧନ୍ୟବାଦ ଦେଇଥିଲେ।
ରେଲୱେ ଠିକସଂସ୍ଥା ର କେନାଲ ଉପରେ ବ୍ରିଜ ନିର୍ମାଣ କେନାଲରେ ପାଣିଯାଇ ପାରୁନଥିବାରୁ ଜମିପଡ଼ିଆ
ବୌଦ୍ଧ,୨/୭: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିରାମଚନ୍ଦ୍ରପୁର ଗ୍ରାମରେ ରେଲୱେ ଠିକା ସଂସ୍ଥାର ମନ ମୁଖି କାର୍ଯ୍ୟ ଯୋଗୁଁ ବଡବନ୍ଧ କେନାଲରେ ପାଣି ଯାଇପାରୁ ନଥିବାର ଚାଷୀ ମାନେ ଅଭିଯୋଗ କରିଛନ୍ତି। କେନାଲରେ ପାଣି ଯାଇନ ପାରିବାରୁ ଚାଷ କାର୍ଯ୍ୟରେ ବାଧାସୃଷ୍ଟି ହେଉଛି । ଫଳରେ ଅନେକ ଚାଷ ଜମି ପାଣି ଅଭାବରୁ ରୁଆ ବିହୁଡା କାର୍ଯ୍ୟ ନହୋଇ ଜମି ପଡିଆ ପଡ଼ିଥିବାର ଦେଖିବାକୁ ମିଳୁଛି ।
ଯାହାଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରତି ବର୍ଷ ଚାଷୀ ବଡ଼ବନ୍ଧ ରୁ ପାଣି ନେଇ ଖରିବ ଓ ରବି ଋତୁରେ ଚାଷ କାର୍ଯ୍ୟ କରିଥାଏ । ଏହି କେନଲ ମାଧ୍ୟମରେ ପ୍ରାୟ ଦୁଇଶହ ଏକର ଚାଷ ଜମିକୁ ଜଳସେଚିତ କରାଯାଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ହେଲେ ଚଳତି ବର୍ଷ ଶ୍ରାବଣ ମାସରେ କେନାଲ ଶୁଖିଲା ପଡି ଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।
ଏନେଇ ଆଗରୁ ଗ୍ରାମବାସୀ ଠିକା ସଂସ୍ଥା କୁ କହିଥିଲେ ମଧ୍ୟ ସେ କର୍ଣ୍ଣପାତ କରିନାହିଁ । ଏଠାରେ ବିକାଶ ନାମରେ ବିନାଶର ଚିତ୍ର ଦେଖିବାକୁ ମିଳୁଛି । ଚଳିତ ବର୍ଷ ରେଲୱେ ଠିକସଂସ୍ଥା ଏହି ମାଟି କେନାଲ ଉପରେ ରେଲୱେ ଧାରଣା ଯାଉଥିବାରୁ ତାପରେ କଂକ୍ରିଟ କେନାଲ ବ୍ରିଜ କାର୍ଯ୍ୟ କରିଥିଲା । ଏହି କେନାଲ ପୂର୍ବ କେନାଲ ଠାରୁ ଦୁଇଫୁଟ ଉଚ୍ଚରେ ନିର୍ମାଣ ହୋଇଥିବାରୁ ପୋଖରୀର ପାଣି କେନାଲରେ ଯାଇପାରୁ ନଥିବାର ଅଭିଯୋଗ ହେଉଛି । ରେଲୱେ ଠିକା ସଂସ୍ଥା ନିଜେ କାମ ନକରି ପେଟି କଣ୍ଟ୍ରାକ୍ଟର ଦ୍ଵାରା କାର୍ଯ୍ୟ କରାଉ ଥିବାରୁ ଏହି ସମସ୍ୟା ଦେଖାଦେଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏହାସହ କେନାଲ କାର୍ଯ୍ୟ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାପାଇଁ ଚାଷୀ ମାନଙ୍କ ପକ୍ଷରୁ ଦାବି ହେଉଛି ।
ସରକାର ଚାଷୀ ର ବିକାଶ କହୁଥିବା ବେଳେ ପାଣିଥାଇ ଚାଷୀ ମରୁଡିର ଶିକାର ହେବାକୁ ଯାଉଛି । ମୂଳ କେନାଲ ଠାରୁ ଲେବୁଲ ନନେଇ କାର୍ଯ୍ୟ ତୁଲାଉ ଥିବା ଯନ୍ତ୍ରୀଙ୍କ ଦାଇତ୍ୱ ହିତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ହେଉଛି ।
ଏଠାରେ ବିକାଶ ନାମରେ ଚାଷୀର ସର୍ବନାଶ ହେବାକୁ ଯାଉଛି । ଏଦିଗରେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟିଦେବାପାଇଁ ଚାଷୀ ମାନଙ୍କ ଦାବିହେଉଛି। ନଚେତ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ହେବ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031