ନିର୍ବାଚନ ପ୍ରଚାର ପାଲଟିଛି ଏକ ପ୍ରହେଳିକା, ନୀତି ନିୟମ ସବୁ ଚୁଲିକୁ ଗଲାଣି !
ସ୍ୱାଗତିକା ଭୂତିଆ
ଗଣତନ୍ତ୍ରରେ ନିର୍ବାଚନ ଏକ ସ୍ୱଭାବିକ ପ୍ରକ୍ରିୟା । ସେହି କ୍ରମରେ ଭୋଟ ଦେବା ସମସ୍ତ ନାଗରିକଙ୍କ ଅଧିକାର । ସମଗ୍ର ଗଣତାନ୍ତ୍ରିକ ଦେଶରେ ଭୋଟ ଦେଇ ଲୋକ ପ୍ରତିନିଧି ବାଛିବା ସମସ୍ତ ନାଗରିକର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ । ଲୋକ ପ୍ରତିନିଧିକୁ ସମସ୍ତ ନାଗରିକ ନିଜ ଇଛା ଅନୁସାରେ ବାଛିବାର ସମ୍ବିଧାନରେ ଲେଖା ଅଛି । ହେଲେ ବର୍ତ୍ତମାନ ସମୟରେ ନିର୍ବାଚନର ପରମ୍ପରା ଓ ନେତାଙ୍କ ଭିତରେ ଭୋଟ ମାଗିବାର ପ୍ରକ୍ରିୟା ସମ୍ପୁର୍ଣ୍ଣ ଭାବେ ପରିବର୍ତ୍ତନ ଶୀଳ ।
ଇତିହାସ କଥାକୁ ଦେଖିଲେ, ଯେତେବେଳେ ରାଜା ରାଜୁଡା ଶାସନ ଚାଲିଥିଲା ସେତେବେଳେ ସାଧାରଣ ଲୋକଙ୍କର କିଛି କହିବାର ବା କିଛି କରିବାର ଅଧିକାର ନଥିଲା । ଇଂରେଜ ଶାସନ ସମୟରେ ମଧ୍ୟ ଲୋକେ ନିଜର ଅଧିକାରକୁ ଜାହିର କରିପାରୁ ନଥିଲେ । କାରଣ ଭାରତ ବାସୀ ଇଂରେଜ ଶାସକଙ୍କ ଦ୍ୱାରା ଶାସିତ ହେଉଥିଲା । ପରିବର୍ତ୍ତି ସମୟରେ ୧୯୪୭ ମସିହାରେ ଭାରତ ସ୍ୱାଧିନ ହେଲା ପରଠାରୁ ଆମ ଭାରତୀୟ ନାଗରିକଙ୍କ ପାଇଁ ଏକ ନୂତନ ଯୁଗ ଆରମ୍ଭ ହେଲା । ଏଥିପାଇଁ ଭାରତର ଅନେକ ମହାପୁରୁଷଙ୍କୁ ପ୍ରାଣ ବଳି ମଧ୍ୟ ଦେବାକୁ ପଡିଲା । ଏତେ ସହଜ ନଥିଲା ଭାରତକୁ ଏକ ସ୍ୱାଧିନ ରାଷ୍ଟ୍ର ଗଠନ କରିବା । ତଥାପି ଅନେକ ମହାପୁରୁଷଙ୍କ ପ୍ରାଣବଳି ପାଇଁ ଭାରତ ଏକ ସ୍ୱତନ୍ତ୍ର ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଗଢ଼ି ଉଠିଲା । ଗଣତାନ୍ତ୍ରିକ ରାଷ୍ଟ୍ର, ଯେଉଁଠି ଭାରତ ବର୍ଷକୁ ଏକ ସୁସ୍ଥ ଓ ସୁନ୍ଦର କରି ଗଢ଼ି ତୋଳିବାର ସ୍ୱପ୍ନ ଦେଖିଥିଲେ ଆମ ମହାପୁରୁଷ । ସେଥିପାଇଁ ପ୍ରତ୍ୟକ ବ୍ୟବସ୍ଥାକୁ ଏକ ଆଇନଗତ ଚିଠାରେ ଲିପିବଧ କରି ରଖାଯାଇଛି ଯାହାକୁ ଆମେ କହୁଛେ ସମ୍ବିଧାନ ବା କନଷ୍ଟିଚ୍ୟୁସନ । ସେଇଥିରେ ମଧ୍ୟ ଲେଖା ଯାଇଛି ଯେ ନିର୍ବାଚନ ହେଉଛି ଗଣତନ୍ତ୍ରର ସବୁଠାରୁ ପବିତ୍ର ବା ମହାନ ପର୍ବ । ଏଥିରେ ଭାଗ ନେବା ସମସ୍ତ ନାଗରିକର ପ୍ରଥମ ଦାୟିତ୍ୱ ଓ କର୍ତ୍ତବ୍ୟ । ଉଚିତ ଲୋକ ପ୍ରତିନିଧି ବାଛିବା ଏବଂ ନିଜର ବାକ୍ ସ୍ୱାଧିନତାକୁ ଲୋକାଲୋଚନକୁ ଆଣିବା ହେଉଛି ଏହାର ମୂଳ ଉଦେଶ୍ୟ । ହେଲେ ବର୍ତ୍ତମାନ ସମୟରେ ଭାରତ ବର୍ଷରେ ଯେଉଁ ନିର୍ବାଚନ ଅନୁଷ୍ଟିତ ହେଉଛି ଏଥିରେ ଉଭୟ ନେତା ଓ ଜନତାଙ୍କ ଭୁମିକାକୁ ନେଇ ଅନେକ ବାର ବିତର୍କବି ହେଉଛି । ନିର୍ବାଚନ ଲଢ଼ିଲା ବେଳେ ରାଜନେତାମାନେ କିଭଳି ଅଣପ୍ରସଙ୍ଗକୁ ପ୍ରସଙ୍ଗ ବନାଇ ଶାସକ ବିରୋଧି ଦଳ ମଧ୍ୟ ଯେଉଁ ଦୋଷ ଲଦାଲଦି ହୋଇ ନିର୍ବାଚନ ବୈତରଣୀ ପାର କରିବେ ସେଇ ଲକ୍ଷ୍ୟ ନେଇ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ଏବଂ ନିର୍ବାଚନ ଲଢ଼ୁଛନ୍ତି । ଜନତା ମଧ୍ୟ ଏହାକୁ ପସନ୍ଦ ନକଲେବି ବିରୋଧ କରିବାର ସାହସ ଯୁଟାଇ ପାରୁନାହାଁନ୍ତି । ନିର୍ବାଚନ ସମୟରେ ମାଳମାଳ ନେତାଙ୍କ ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ଓ ତା’ସାଙ୍ଗକୁ ନିର୍ବାଚନ ପ୍ରଚାର ସମୟରେ କୋଳାହଳ, ଅଶୃଙ୍ଖଳିତ ପରିବେଶ ସୃଷ୍ଟି ହେଉଛି । ଯାହାକୁ ଅନେକ ଲୋକ ପସନ୍ଦ କରିନଥାନ୍ତି ତଥାପି ସେମାନେ ନିରୁପାୟ । ଖାଲି ଯେ ନିର୍ବାଚନ ଆସିଲେ ପ୍ରଚାର ଜୋରଦାର କରିଦେଲେ ନେତାଙ୍କ ପାଇଁ ଜିତାପଟ ହୋଇଯିବ ତାହା ନୁହେଁ । ଲୋକଙ୍କ ବିକାଶ କରିବା ଲୋକଙ୍କ ହୃତୟ ଜିଣିବା ହେଉଛି ପ୍ରକୃତ ନେତାର କର୍ତ୍ତବ୍ୟ । ହେଲେ ଏହା ଆଜିକା ସମୟରେ ବୁଝିବାକୁ କେଉଁ ନେତାଙ୍କ ପାଖରେ ସମୟ କାହିଁ? ହେଲେ ଜନତାଙ୍କୁ ବୁଝିବାକୁ ଉଚିତ୍ ଯେ ସେମାନେ ହେଉଛନ୍ତି ନେତାଙ୍କ ଭାଗ୍ୟ ବିଧାତା । ଜନତାଙ୍କ ହାତରେ ନେତାଙ୍କ ଭାଗ୍ୟର ଡୋରି । ଯଦି ଜନତାଙ୍କ ଭିତରେ ଏକତା ଓ ସଚେତନାତା ଆସିବ ସେମାନେ ଦେଶକୁ ଏକ ଶୃଙ୍ଗଳିତ ଦେଶ ଗଠିତୋଳିବେ ।
ଆଜିବି କିଛି ଅଂଚଳ ଅଛି ଯେଉଁଠି ଜନତା ନିଜର ଅଧିକାରକୁ ନିଜ ପାଖରେ ରଖିଛନ୍ତି । ଭୋଟ ଦେବାର ଅଧିକାର କୁ ବୁଝିଛନ୍ତି ଏବଂ ନିଜ ପସନ୍ଦର ନେତା ଚୟନ କରୁଛନ୍ତି । ଗୁଜୁରାଟର ରାଜକୋଟ ଜିଲ୍ଲାରେ ଅବସ୍ଥିତ ସମଧିୟାଲା ଗାଁ ଯେଉଁଠିକୁ ନିର୍ବାଚନ ସମୟରେ ନେତାଙ୍କୁ ପ୍ରଚାର ପାଇଁ ପ୍ରବେଶ ନିଷେଧ କରାଯାଇଛି । ଏବେ ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଚାଲିଛି । ପ୍ରମୁଖ ରାଜନୈତିକ ଦଳର ତାରକାମାନେ ଏବେ ଧାଡି ବାନ୍ଧି ରାଲି ଓ ରୋଡ ସୋ କରିବାରେ ବ୍ୟସ୍ତ ଅଛନ୍ତି । ସେଇଟି ରାଜକୋଟଠାରୁ ୨୦କିମି ଦୂରେ ଥିବା ସମଧିୟାଲା ଗାଁକୁ କିନ୍ତୁ କୌଣସି ରାଜନୈତିକ ଦଳ ପାଇଁ ପ୍ରବେଶ ଅନୁମତି ନାହିଁ । ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ନାହିଁ । କିନ୍ତୁ ସେଠାକାର ଲୋକମାନେ ଗଣତନ୍ତ୍ରର ପର୍ବକୁ ଭଳ ଭାବରେ ବୁଝିଛନ୍ତି । ସେଥିପାଇଁ ସେଠାକାର ଗ୍ରାମବାସୀମାନେ ଭୋଟ ଦେବାରୁ କେହି ବି ନିବୃତ ହୁଅନ୍ତି ନାହିଁ ।
ଏହି ଭୋଟ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଭୋଟ ନଦେଲେ ଜରିମାନାର ପ୍ରାବଧାନ ରହିଛି । ଭୋଟ ନଦେଇ ପାରିଲେ ଏଠାରେ ୫୧ ଟଙ୍କା ଜରିମନା କରାଯାଇଛି ।
ଗ୍ରାମବାସୀମାନେ କେତେକ ନୀତି ନିୟମରେ ବନ୍ଧା। ଭିଡିସି (ଗ୍ରାମ ଉନ୍ନୟନ କମିଟି) ପକ୍ଷରୁ ସ୍ଥିର କରାଯାଇଥିବା ନୀତି ନିୟମକୁ ଗ୍ରାମବାସୀମାନେ ମାନିବାପାଇଁ ବାଧ୍ୟ। ଭୋଟିଂର କିଛି ଦିନ ପୂର୍ବରୁ ଏହି କମିଟି ଏକ ବୈଠକ ଡାକିଥାଏ। ନିୟମ ଅନୁଯାୟୀ ବିନା କାରଣରେ କେହି ଭୋଟ୍ ଦେବାରୁ ବିରତ ରହିବେନି। ଯଥାର୍ଥ କାରଣ ନଥାଇ କେହି ଭୋଟ୍ ନଦେଲେ ୫୧ ଟଙ୍କା ଜରିମାନା କରାଯାଏ। ଯଦି କେହି ଭୋଟ୍ ଦେଇପାରିବେନି ତେବେ କମିଟି ପାଖରୁ ଅନୁମତି ନେବାପାଇଁ ପଡ଼ିବ। ୧୯୮୩ ମସିହାରୁ ଏହି ଗ୍ରାମରେ ନିର୍ବାଚନ ପ୍ରଚାର ହେଉନି। ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ଏହି କଥାକୁ ଭଲଭାବେ ବୁଝି ସାରିଛନ୍ତି। ଗ୍ରାମରେ ଇଣ୍ଟରନେଟ୍ଠାରୁ ଆରମ୍ଭ କରି ୱାଇଫାଇ, ସିସିଟିଭି କ୍ୟାମେରା, ଆର୍ଓ ପ୍ଲାଣ୍ଟ୍ ଏବଂ ସବୁ ଆଧୁନିକ ଉପକରଣ ଉପଲବ୍ଧ। ଏବେ ନିକଟସ୍ଥ ଗ୍ରାମବାସୀମାନେ ମଧ୍ୟ ସମାନ ଭାବେ ନିର୍ବାଚନ ପ୍ରଚାରକୁ ମନା କରିଛନ୍ତି।