‘ପ୍ରେସ’ ଲେଖା କାରରୁ ୧୫୧ କେଜି ଗଞ୍ଜେଇ ଜବତ, ୨ ଗିରଫ
କୋରାପୁଟ,୧୯/୫: ନନ୍ଦପୁର ବ୍ଲକ ପାଡୁଆ ପୁଲିସ ଗୁରୁବାର ରାତିରେ ପେଟ୍ରୋଲିଙ୍ଗ ସମୟରେ ଏକ ଗାଡ଼ି ସହିତ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଥିବା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ରାତିରେ ପାଡୁଆ ପୁଲିସ ଦଳ ଏଜ ଏକ୍ସୟୁଦ୍ଭି ୫୦୦ (ଏମଏଚ୨୦ସିଏସ୍୪୮୦୦)କୁ ପାଡୁଆ ବଡ଼ଦେବତା ଛକରେ ଅଟକାଇ ଯାଞ୍ଚ କରିଥିଲେ।
ଏହି ସମୟରେ ଦୁଇ ଜଣ ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ। ବାକି ଦୁଇ ଜଣକୁ ପୁଲିସ କାବୁ କରିଥିଲା। ଯାଞ୍ଚ ବେଳେ ଗାଡ଼ିରେ ସାତଟି ଜରି ବସ୍ତାରେ ଗଞ୍ଜେଇ ଥିବା ଯୋଗୁଁ ପୁଲିସ ଗଞ୍ଜେଇ ଏବଂ ଗାଡ଼ିକୁ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ର ଔରଙ୍ଗାବାଦ ଅଂଚଳର ମିଳିନ୍ଦ ଚିକଟି ଏବଂ ଶୁଭମ ସଞ୍ଜୟ ସିନ୍ଧେ। ଓଜନ ପରେ ଗଞ୍ଜେଇ ୧୫୧କିଲୋ ଥିବା ଜଣା ପଡ଼ିଥିଲା। ଫେରାର ଦୁଇ ଜଣଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଅଂଚଳର ହୋଇଥିବା ବେଳେ ଅନ୍ୟ ଜଣେ ମହାରାଷ୍ଟ୍ରର ବୋଲି ପୁଲିସ ତଦନ୍ତରେ ଜଣାପଡ଼ିଛି।
ଏହି ଗଞ୍ଜେଇ ଆନ୍ଧ୍ର ସୀମାନ୍ତ ଗୋଲୁର ଅଂଚଳରୁ ଔରଂଗାବାଦ ଅଂଚଳକୁ ଗାଡ଼ିରେ ପ୍ରେସ ଲେଖି ଚାଲାଣ କରୁଥିବା ଯୋଗୁଁ ପୁଲିସ ତଦନ୍ତକୁ ଗମ୍ଭୀରାତାର ସହ ଗ୍ରହଣ କରିଛି। ପ୍ରେସ ଲେଖି ପୁଲିସକୁ ଚକମା ଦେବା ପ୍ରୟାସ ବିଫଳ ହୋଇ। ପୂର୍ବରୁ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ ହାତରେ ଧରା ଦେଇଛନ୍ତି।ଏବେ ପ୍ରେସ ଲେଖା ଗାଡ଼ିରେ ଗଞ୍ଜେଇ ଚାଲାଣ ମୁଣ୍ଡବ୍ୟଥାର କାରଣ ପାଲଟିଛି।
ଏସ ଆଇ ଦୀପକ ବାରିକ ତଦନ୍ତକାରୀ ଅଧିକାରୀ ଭାବେ ତଦନ୍ତ କରିଏନଡି ପିଏସ ଆକ୍ଟରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି।